Tuesday, September 10, 2024
Homeଚଳଚଞ୍ଚଳ ଜଗନ୍ନାଥ ଧାମ
Array

ଚଳଚଞ୍ଚଳ ଜଗନ୍ନାଥ ଧାମ

ଭୁବନେଶ୍ବର: ବିଶ୍ବ ପ୍ରସିଦ୍ଧ ପୁରୀ ଜଗନ୍ନାଥଧାମରେ ଲକ୍ଷଲକ୍ଷ ଭକ୍ତଙ୍କର ସମାଗମ ହୋଇଛି। ରାଜ୍ୟର କୋଣ-ଅନୁକୋଣରୁ ଭକ୍ତମାନେ ଛୁଟି ଆସିଛନ୍ତି। ଦେଶ-ବିଦେଶରୁ ମଧ୍ୟ ଶ୍ରଦ୍ଧାଳୁମାନେ ପୁରୀ ପହଞ୍ଚି ଆଡ୍ଡା ଜମାଇଛନ୍ତି। ଜଗତର ନାଥ ଜଗନ୍ନାଥ ରଥଯାତ୍ରା କରିବେ ବୋଲି ବିଶ୍ବବାସୀ ଚାହିଁ ରହିଛନ୍ତି। ମହାପ୍ରଭୁଙ୍କ ରଥଯାତ୍ରା ଲାଗି ଶ୍ରୀକ୍ଷେତ୍ର ଚଳଚଞ୍ଚଳ ହୋଇଉଠିଛି। ଶ୍ରଦ୍ଧାଳୁଙ୍କ ମନରେ କେବଳ ଜଗନ୍ନାଥଙ୍କ ଭାବନା। ଶ୍ରୀମନ୍ଦିରରୁ ପହଣ୍ଡିରେ ରଥ ଉପରକୁ ବିଜେ କରିବାର ଦୃଶ୍ୟ ଦେଖିବା ପାଇଁ ଭକ୍ତମାନେ ବ୍ୟାକୁଳ ହୋଇ ଉଠିଛନ୍ତି। ଜୟ ଜଗନ୍ନାଥ ଧ୍ବନୀରେ ବଡ଼ଦାଣ୍ଡ ଉଛୁଳି ପଡୁଥିବା ବେଳେ ଭକ୍ତମାନେ କାଳିଆ…କାଳିଆ ଡାକୁଛନ୍ତି।

ପୁରୀ ଅର୍ଥ ହେଉଛି ପରିପୂର୍ଣ୍ଣ। ପୁରୀ ନାମ ଶୁଣିଲେ ପ୍ରଥମେ ଭଗବାନ ଜଗନ୍ନାଥ ଓ ତାପରେ ହଜାର ହଜାର ଭକ୍ତଙ୍କ ଗହଳି ମନରେ ଆସିଥାଏ। ରଥଯାତ୍ରା ଦିନ ପ୍ରାୟ ୩ କିଲୋମିଟର ଦୂର ବଡ଼ଦାଣ୍ଡରେ ଭକ୍ତଙ୍କର ଏତେ ଭିଡ଼ ଥାଏ, ଯେ ସେହିସ୍ଥାନର ମାଟି ଦେଖାଯାଇ ନଥାଏ। ଅର୍ଥାତ ବଡ଼ଦାଣ୍ଡ ପରିପୂର୍ଣ୍ଣ ହୋଇଯାଏ। ରଥଯାତ୍ରାରେ କେତେ ଲୋକ ରୁଣ୍ଡ ହୁଅନ୍ତି ଯଦିଓ ସଠିକ ତଥ୍ୟ କାହାରି ପାଖରେ ନାହିଁ, ତଥାପି ଏଠାରେ ୧୦ ଲକ୍ଷରୁ ଊର୍ଦ୍ଧ୍ବ ଲୋକଙ୍କର ସମାଗମ ହୋଇଥାଏ। ପୁରୀ ରଥଯାତ୍ରା ଭାରତ ତଥା ବିଶ୍ବର ଅନ୍ୟତମ ସର୍ବବୃହତ୍ତ ଜନଗହଳିପୂର୍ଣ୍ଣ ସ୍ଥାନ ବୋଲି ଅନେକ କୁହନ୍ତି।

ରଥାରୁଢ଼ ଶ୍ରୀଜିଉଙ୍କ ଦର୍ଶନ ଅନୁଭୂତି ନିଆରା

ଯେଉଁମାନେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି କରନ୍ତି, ସେମାନେ ଅତିକମରେ ପୁରୀ ଆସି ରଥଯାତ୍ରା ଦେଖିବାକୁ ଚାହାନ୍ତି। ଯେତେ ବାଧାବିଘ୍ନ ହେଲେ ବି ଭକ୍ତ ଯେତେବେଳେ ରଥାରୁଢ଼ ଶ୍ରୀଜିଉଙ୍କୁ ଦର୍ଶନ କରନ୍ତି, ସେତେବେଳେ ସବୁ କିଛି ଭୁଲି ଯାଆନ୍ତି। କାରଣ ବଡ଼ଦାଣ୍ଡରେ ଛିଡ଼ା ହୋଇ ମହାପ୍ରଭୁଙ୍କ ଦର୍ଶନ କରିବା ସମସ୍ତଙ୍କ ଭାଗ୍ୟରେ ନଥାଏ। କୁହାଯାଇଥାଏ ଯେ, ରଥାରୁଢ଼ ଶ୍ରୀଜିଉଙ୍କୁ ଦର୍ଶନ କଲେ ଜୀବନର ସବୁ ପାପ ମୋକ୍ଷ ହୋଇଯାଇଥାଏ। ପୁରୀରେ ସବୁଦିନେ ଭକ୍ତଙ୍କର ପ୍ରବଳ ଗହଳି ରହିଥାଏ। କିନ୍ତୁ ରଥଯାତ୍ରା ସମୟରେ ଅନ୍ୟଦିନ ତୁଳନାରେ ଅଧିକ। ଏଠାକୁ ରଥଯାତ୍ରାରେ ଲକ୍ଷଲକ୍ଷ ଭକ୍ତଙ୍କର ଆଗମନ ହୋଇଥାଏ।

ଜଗନ୍ନାଥ ଯେଉଁଠି, ଭକ୍ତ ସେଇଠି

ମୂଳ ଶଙ୍କରାଚାର୍ଯ୍ୟଙ୍କ ଦ୍ବାରା ପ୍ରତିଷ୍ଠା କରାଯାଇଥିବା ୪ଟି ଧାମ ମଧ୍ୟରୁ ପୁରୀ ହେଉଛି ଅନ୍ୟତମ। ସେହି ଦୃଷ୍ଟିରୁ ପୁରୀକୁ ଲକ୍ଷାଧିକ ଲୋକଙ୍କର ଆଗମନ ହୋଇଥାଏ। ମାତ୍ର ଯେଉଁଭକ୍ତମାନେ ପୁରୀକୁ ଆସିବାର ସୌଭାଗ୍ୟ ପାଇପାରନ୍ତି ନାହିଁ, ସେମାନେ ନିଜନିଜ ଅଞ୍ଚଳରେ ଥିବା ଜଗନ୍ନାଥଙ୍କର ଆଶୀର୍ବାଦ ନିଅନ୍ତି। ଜଗନ୍ନାଥ ହେଉଛନ୍ତି ଓଡ଼ିଆ ଜାତିର ଆଦି ଦେବତା। ସେ ହେଉଛନ୍ତି ବିଶ୍ବ ନିୟନ୍ତା। ରଥଯାତ୍ରା କେବଳ ପୁରୀରେ ସୀମତି ନାହିଁ। ପ୍ରଭୁ ଜଗନ୍ନାଥଙ୍କ ପ୍ରତି ସମସ୍ତଙ୍କର ଭକ୍ତି ଥାଏ। ଓଡ଼ିଶାର ପ୍ରତି ପଞ୍ଚାୟତରେ ଅନୁନ୍ୟ ଗୋଟିଏ ସ୍ଥାନରେ ରଥଯାତ୍ରାର ଆୟୋଜନ ହେଉଛି। ସେହିପରି ଦେଶର ପ୍ରମୁଖ ସହରରେ ମଧ୍ୟ ରଥଯାତ୍ରାର ଆୟୋଜନ କରାଯାଉଛି। ଓଡ଼ିଶା ଭିତରେ କେନ୍ଦ୍ରାପଡ଼ା, ବାରିପଦା, କେନ୍ଦୁଝର, ଅନୁଗୁଳ, କୋରାପୁଟ, ଜୟପୁର, ସୋନପୁର, ବରପାଲି ରଥଯାତ୍ରାରେ ପ୍ରବଳ ଜନଗହଳି ଦେଖାଯାଇଥାଏ। ସେହିପରି ଅହମଦାବାଦ, ରାଞ୍ଚି, ଦିଲ୍ଲୀ, କୋଲକାତା, ବେଙ୍ଗାଲୁରୁ, ମୁମ୍ବାଇରେ ମଧ୍ୟ ଧୁମଧାମରେ ରଥଯାତ୍ରା ପାଳନ ହୋଇଥାଏ। ସବୁସ୍ଥାନରେ ରଥଯାତ୍ରା ସମୟରେ ଭକ୍ତଙ୍କର ସମାଗମ ହୋଇଥାଏ।

ଅନ୍ତର୍ଜାତୀୟ ସ୍ତରରେ ରଥଯାତ୍ରା

ଅନ୍ତର୍ଜାତୀୟ ସ୍ତରରେ ରଥଯାତ୍ରାର ଅଧିକ ପ୍ରଚାର ପ୍ରସାର କରିଛି ଇସ୍କନ। ହରେକୃଷ୍ଣ ଆନ୍ଦୋଳନ ଭାବେ ଜଣାଶୁଣା ଇସ୍କନ ପକ୍ଷରୁ ରଥଯାତ୍ରା ବିଶ୍ବର ପ୍ରମୁଖ ସହରରେ ଆୟୋଜନ କରାଯାଉଛି। ଯେଉଁମାନେ ବିଦେଶରେ ଆୟୋଜିତ ରଥଯାତ୍ରାରେ ସାମିଲ ହେଉଛନ୍ତି, ସେମାନେ ଶ୍ରୀଜଗନ୍ନାଥଙ୍କ ମୂଳସ୍ଥଳର ଠିକଣା ଖୋଜୁଛନ୍ତି। କାଳିଆଙ୍କ ଦର୍ଶନ ପାଇବା ପାଇଁ ଆମେରିକା, ଅଷ୍ଟ୍ରେଲିଆ ଭଳି ସୁଦୂର ଦେଶରୁ ଶ୍ରୀକ୍ଷେତ୍ରକୁ ପହଞ୍ଚି ଆସୁଛନ୍ତି। ବିଶ୍ବ ସ୍ତରରେ ଇସ୍କନ ମନ୍ଦିରର ପ୍ରାୟ ୫୦୦ଟି କେନ୍ଦ୍ର ଥିବାରୁ, ଜଗନ୍ନାଥଙ୍କ ଗାରିମା ଅଧିକ ଦେଶକୁ ପ୍ରଚାରିତ ହୋଇପାରୁଛି।  

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments