Tuesday, February 11, 2025
Homeଖବରଚାକିରି ନାମରେ ଠକେଇ; ଲକ୍ଷ୍ୟଭ୍ରଷ୍ଟ ହେଉଛନ୍ତି ଯୁବପିଢ଼ି

ଚାକିରି ନାମରେ ଠକେଇ; ଲକ୍ଷ୍ୟଭ୍ରଷ୍ଟ ହେଉଛନ୍ତି ଯୁବପିଢ଼ି

ଭୁବନେଶ୍ବର: ରାଜ୍ୟ ସରକାର ବିଗତ ୨୨ ବର୍ଷ ମଧ୍ୟରେ ଚାକିରି, ନିଯୁକ୍ତି ଓ ରୋଜଗାର କ୍ଷେତ୍ରରେ ଯଦିଓ ଆଖିଦୃଶିଆ ପଦକ୍ଷେପ ନେଇ ନଥିଲେ, ୨୦୨୨ ଠାରୁ ଏହି କ୍ଷେତ୍ରଗୁଡ଼ିକରେ ସାମାନ୍ୟ ପରିବର୍ତ୍ତନ ଆଣିଛନ୍ତି। ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି କିଛି ମାସ ହେଲା ହଜାର ହଜାର ଯୁବକଯୁବତୀଙ୍କୁ ଶିକ୍ଷା, ସ୍ବାସ୍ଥ୍ୟ ଓ ଅନ୍ୟାନ୍ୟ ବିଭାଗରେ ଚାକିରି ମିଳିଛି। ତେବେ ରାଜ୍ୟର ବିଭିନ୍ନ ବିଭାଗରେ ଯେତିକି ପରିମାଣରେ ନିଯୁକ୍ତିର ଆବଶ୍ୟକତା ରହିଛି, ସେହିପରି ହୋଇପାରି ନାହିଁ। ଏହି କାରଣରୁ ମଧ୍ୟ ବେକାରି ସମସ୍ୟା ବଢୁଛି।

ଯୁବପିଢ଼ିଙ୍କୁ ସରକାରୀ ଚାକିରି ତୁଳନାରେ ରୋଜଗାର ଓ କର୍ମନିଯୁକ୍ତିର ଅଧିକ ଆବଶ୍ୟକତା ରହିଛି। ସମସ୍ତଙ୍କୁ ସରକାରୀ ମିଳିପାରିବ ନାହିଁ। ଏହା ସମସ୍ତେ ଜାଣିଛନ୍ତି। କିନ୍ତୁ ଜୀବନଧାରଣ ପାଇଁ ସମସ୍ତଙ୍କୁ କର୍ମନିଯୁକ୍ତି ବା ରୋଜଗାର ଦରକାର। ତାହା କଳକାରଖାନା ହେଉ ବା କୃଷି ଓ ଖଣିରେ ହେଉ। ରାଜ୍ୟରେ ୨୪ ବର୍ଷର ସ୍ଥିର ସରକାର ବେକାରୀ ହ୍ରାସ କରିବାରେ ସଂପୂର୍ଣ୍ଣ ବିଫଳ ହୋଇଛି। ଭାଷଣବାଜୀରେ ଯଦିଓ ରୋଜଗାର ଦେଇଛନ୍ତି କହୁଛନ୍ତି ତାହା ତୃଣମୂଳସ୍ତରରେ ଲୋକେ ଜାଣିଛନ୍ତି। ରାଜ୍ୟର ଯଦି କୌଣସ ଗାଁରେ ୧୦୦୦ ଲୋକ ରହୁଛନ୍ତି, ସେଠାରୁ ନିଶ୍ଚିତ ଭାବେ ୫୦ ଜଣ ଲୋକ ବାହାର ରାଜ୍ୟରେ ଦାଦନ ଖଟୁଥିବେ। ସେହପରି ଯେଉଁ ଯୁବକମାନେ ଚାକିରି ପଛରେ ଗୋଡାଉଛନ୍ତି, ଠକେଇର ଶିକାର ହେଉଛନ୍ତି।

କେନିଆରେ ଚାକିରି ନାମରେ ଠକେଇ

ଭାରତ ମହାସାଗର ଉପକୂଳବର୍ତ୍ତୀ ପୂର୍ବ-ଆଫ୍ରିକୀୟ ରାଷ୍ଟ୍ର ‘କେନିଆ’ରେ ବଡ଼ କମ୍ପାନିରେ ଚାକିରି କରାଇଦେବା ନାମରେ ଗଂଜାମ ଅଞ୍ଚଳର ୨୦ ଜଣ ଯୁବକଙ୍କ ଠାରୁ ୯ ଲକ୍ଷ ୭୦ ହଜାର ଟଙ୍କା ଠକେଇ ଅଭିଯୋଗରେ ବ୍ରହ୍ମପୁର ପୁଲିସ ଗୋଳନ୍ଥରା ଥାନା କୁଠାରସିଂ ଗାଁର ମୂଳ ବାସିନ୍ଦା ସିଏଚ୍‌. ମୋହନ ରେଡ୍ଡୀ(୪୮), ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମ୍‌ ଜିଲ୍ଲା କାସିଗୁଡ଼ା ଥାନା ଅଂଚଳର ପି. ସୀମାଂଚଳମ୍ (୪୦) ଓ ଶ୍ରୀକାକୁଲମ୍‌ ଜିଲ୍ଲା କାସିବୁଗା ଥାନା ଅଂଚଳର ଟି.ଦୀଲେଶ୍ବର ରାଓ (୩୫)ଙ୍କୁ ଗିରଫ କରିଛି। ଏଥି ସହିତ ପୁଲିସ ଅଭିଯୁକ୍ତମାନଙ୍କ ଠାରୁ ୯୨ଟି ପାସ୍‌ପୋର୍ଟ, କେନିଆ ସରକାରଙ୍କ ଦ୍ବାରା ପ୍ରଣୀତ ୨୦ଟି ପର୍ଯ୍ୟଟକ ଭିସା, କେତେକ ଆବେଦନକାରୀଙ୍କ ଫର୍ମ ଏବଂ ଆର୍ଥିକ କାରବାରର ସ୍କ୍ରିନ୍‌ସଟ୍‌ ପୁଲିସ ଜବତ କରିଛି। ଅଭିଯୁକ୍ତମାନେ ଏକ କମ୍ପାନିର ନିଯୁକ୍ତିପତ୍ର ମଧ୍ୟ ଯୋଗାଇ ଦେବା ପାଇଁ ପାସପୋର୍ଟ କରିବାକୁ ଜଣକ ପିଛା ୨୫ହଜାର ଟଙ୍କା ଓ ଭିସା ପାଇଁ ୪୮,୫୦୦ଟଙ୍କା ନେଉଥିଲେ।  

ପ୍ରଥମ ସାକ୍ଷାତରୁ ସଂପର୍କ ପରେ ‌ଠକେଇ

ଗତମାସ ୧୫ ତାରିଖରେ ରାଉରକେଲାର ଝିରପାଣି ଥାନାରେ ଚାକିରି ନାମରେ ୨ ଲକ୍ଷ ଟଙ୍କା ଠକେଇ ନେଇ ଏକ ଏତଲା ହୋଇଥିଲା। ଝିରପାଣି କୁମ୍ଭାରଟୋଲାରେ ସୋମନାଥ ବିଷ୍ଟ୍‌  ୨୦୨୨ ମସିହାରେ ଶୁଭଶ୍ରୀ ବାରିକ, ରୁପକ ବାରିକ ଓ ସନ୍ଦୀପ ରାଉତଙ୍କ ସାକ୍ଷାତ ହେବା ପରେ ସେମାନଙ୍କ ସହ ତାଙ୍କର ବନ୍ଧୁତା ଗଢ଼ି ଉଠିଥିଲା। ପରେ ଶୁଭଶ୍ରୀ ବାରିକ, ରୁପକ ବାରିକ ଓ ସନ୍ଦୀପ ରାଉତ ରାଉରକେଲା ଛାଡ଼ି ଭୁବନେଶ୍ବର ପଳାଇ ଯାଇଥିଲେ। ସେଠାରେ ଥିବାବେଳେ ସେମାନେ ଏକ ପ୍ରତିଷ୍ଠିତ କମ୍ପାନିରେ ଚାକିରି କରାଇଦେବା ନାଁରେ ସୋମନାଥଙ୍କ ଠାରୁ ୨ ଲକ୍ଷ ଟଙ୍କା ନେଇଥିଲେ।  

ଟାଟା ମୋଟର୍ସ ଠକେଇ

୨୦୨୦ ମସିହାରେ ଟାଟା ମୋଟର୍ସରେ ଚାକିରି ନାଁରେ ଠକେଇ ମାମଲା ରାଜ୍ୟରେ ଚହଳ ସୃଷ୍ଟି କରିଥିଲା। ଏହି  ବେଆଇନ ଅର୍ଥ କାରବାର ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)  ବହିଷ୍କୃତ ଆଇଏଫଏସ୍‌ ଅଫିସର ଅଭୟକାନ୍ତ ପାଠକଙ୍କ ପୁଅ ଆକାଶ ପାଠକଙ୍କୁ ମାରାଥନ୍ ଜେରା କରିଥିଲା। ମାମଲାରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ମଧ୍ୟ ଏହି ମାମଲାରେ ଛନ୍ଦି ହୋଇଯାଇଥିଲେ। ତାଙ୍କୁ ମଧ୍ୟ କ୍ରାଇମବ୍ରାଞ୍ଚ ଗିରଫ କରିଥିଲା। ଗତ କିଛିଦିନ ତଳେ ତାଙ୍କ ବାସଭବନ, ଘର ସମେତ ବିଭିନ୍ନ ସ୍ଥାନରେ ଭିଜିଲାନ୍ସ ଚଢ଼ଉ ହୋଇଥିଲା। ସେହିପରି ବିଜୁ ଜନତା ଦଳ ପ୍ରଦୀପ ପାଣିଗ୍ରାହୀଙ୍କୁ ଦଳରୁ ବହିଷ୍କୃତ କରିଥିଲା।  

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments