ଭୁବନେଶ୍ୱର: ଦିନ ଥିଲା ଲୋକେ କହୁଥିଲେ ମାଛ ଖାଇବ ଇଲିସ ଚାକିରି କରିବ ପୁଲିସି । ବହୁ ଦିନଧରି ବିଶ୍ୱାସ କରାଯାଇ ଆସୁଥିବା ଏହି ଉକ୍ତିରୁ ଆଜିକାଲି ଅନେକ ପରିବର୍ତ୍ତନ ଆସିଛି । ଇଲିସି ମାଛ ଦର ଯେଭଳି ହୋଇଛି, ଗରିବ ଲୋକ ମନଭଳି ଖାଇପାରୁ ନାହାନ୍ତି । ସେହିଭଳି ପୁଲିସ ଚାକିରି କରିବା ମଧ୍ୟ ଭାରି କଠିନ ହୋଇଯାଇଛି । ପୁଲିସ ଚାକିରି ଖଣ୍ଡେ ପାଇବା ପାଇଁ ବଡ଼ଧରଣର ପ୍ରତିଯୋଗିତା ଦେଇ ପ୍ରକ୍ରିୟା ପୂରଣ କରିବାକୁ ପଡ଼ିଥାଏ । କାରଣ ୧୦ଟା ପଦବି ପାଇଁ ହଜାର ହଜାର ପ୍ରାର୍ଥୀ ଆବେଦନ କରୁଛନ୍ତି ।
ଦିନ ଥିଲା ପୁଲିସ ଚାକିରିରେ ଭଲ ଦରମାକୁ କାମ କାମ କମ ଥିଲା । ଆଜିକାଲି ଭଳି ଚୋରି, ଡକାୟତି, ଦୁଷ୍କର୍ମ, ରାହଜାନୀ, ଲୁଟ୍, ହତ୍ୟା ଭଳି ଘଟଣା ଘଟୁ ନଥିଲା । ଅର୍ଥାତ ପୂର୍ବାପେକ୍ଷା ଆଜିକାଲି ଅପରାଧିକ ମାମଲାଗୁଡ଼ିକ ବଢ଼ିଯାଇଛି । ପୁଲିସ ତୁଳନାରେ ଅପରାଧୀ ଅଧିକ ଚତୁର ହୋଇଛନ୍ତି । ତେଣୁ ପୁଲିସ କର୍ମଚାରୀଙ୍କୁ ଅପରାଧୀଙ୍କୁ ଧରିବା ପାଇଁ ଚ୍ୟାଲେଞ୍ଜର ସାମ୍ନା କରିବାକୁ ପଡୁଛି । ପୁଲିସ କର୍ମଚାରୀଙ୍କୁ ନିଜ ଡ୍ୟୁଟିରେ ଏତେ ବ୍ୟସ୍ତ ରହିବାକୁ ପଡ଼ିଥାଏ ଯେ, ପରିବାରୁ ସମୟ ଦେଇ ହୋଇ ନଥାଏ । ପୁଣି ବଡ଼ବାବୁମାନଙ୍କର ତାଗିଦ ଓ ନିର୍ଦ୍ଦେଶରେ ଅବହେଳା ହେଲେ କାର୍ଯ୍ୟାନୁଷ୍ଠାନର ଶିକାର ହେବାକୁ ପଡ଼ିଥାଏ । ତେଣୁ ମାନସିକରେ କିଛି ପୁଲିସ କର୍ମଚାରୀ ନିଜେ ନିଜକୁ ଶେଷ କରିଦେଉଛନ୍ତି । ବିଗତ ୫ ମାସ ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ।
ପୁଅ-ଝିଅ ଚିନ୍ତା କଲେନି ପ୍ରେମାନନ୍ଦ
ରାଜ୍ୟରେ ଏବେ ପୁଣି ଜଣେ ପୁଲିସ କର୍ମଚାରୀ ଆତ୍ମହତ୍ୟା କରିଛନ୍ତି । କେନ୍ଦୁଝର ଜିଲ୍ଲା ଘଟଗା ବ୍ଲକ ଅନ୍ତର୍ଗତ ହାତିନୋଟା ଗ୍ରାମର ଯୁବ ପୁଲିସ କର୍ମୀ ପ୍ରେମାନନ୍ଦ ଘର ପାଖରେ ଥିବା ଏକ ସଜନା ଗଛରେ ଝୁଲିପଡ଼ିଛନ୍ତି । ସେ ଗତ ୫ ବର୍ଷ ପୂର୍ବରୁ ବିବାହ କରିଥିଲେ, ଯାହାଙ୍କର ୫ ବର୍ଷର ପୁଅ ଓ ୨ ବର୍ଷର ଝିଅ ଅଛି । ପୁଲିସ କନେଷ୍ଟବଳ ଭାବେ କାର୍ଯ୍ୟରତ ପ୍ରେମାନନ୍ଦ କାହିଁକି ଏଭଳି ନିଷ୍ପତ୍ତି ନେଇଛନ୍ତି, ତାହାର କାରଣ ଜଣାପଡ଼ି ନାହିଁ । ତେବେ ଏତିକି କୁହାଯାଇପାରିବ ଯେ, ମାନସିକ ଚାପରେ ପଡ଼ି ସେ ନିଜେ ନିଜକୁ ଶେଷ କରିଥାଇ ପାରନ୍ତି ।
୨ ପୁଲିସ କର୍ମଚାରୀ ଜୀବନ ହାରିଲେ
ଗତ ମାର୍ଚ୍ଚ ମାସ ୧୩ ତାରିଖ ଦିନ କନ୍ଧମାଳ ଜିଲ୍ଲା ଟିକାବାଲି ଥାନାର କର୍ତ୍ତବ୍ୟରତ କନେଷ୍ଟବଳ ଶ୍ରୀନିବାସ ଘଟାଲଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଏକ କୋଠରୀରୁ ଉଦ୍ଧାର କରାଯାଇଥିଲା । ଫୁଲବାଣୀର ପିଅନପଡ଼ାରେ ରହୁଥିବା ଶ୍ରୀନିବାସଙ୍କ ପରିବାରରେ ସ୍ତ୍ରୀ, ଯୁକ୍ତ୨ ଦ୍ୱିତୀୟ ବର୍ଷର ଝିଅ ଓ ପୁଅ ଥାଇ ମଧ୍ୟ ସେ କାହିଁକି ଏଭଳି ପଦକ୍ଷେପ ନେଇଥିଲେ, ତମାମ ବିଭାଗକୁ ଆଶ୍ଚର୍ଯ୍ୟ କରିଦେଇଥିଲା । ଏହା ପୂର୍ବରୁ ୨୦୨୨ ଅଗଷ୍ଟ ୨୭ ତାରିଖରେ ଘୁ.ଉଦୟଗିରି ଥାନାର ମହିଳା ଏସ୍ଆଇ ସ୍ୱାଗତିକା ବେହେରା ନିଜ ସରକାରୀ ବାସଭବନରେ ନିଜ ବେକରେ ଚୁନି ଲଗାଇ ଆତ୍ମହତ୍ୟା କରିଥିଲେ । ଏହି ଘଟଣା ଏବେବି ରହସ୍ୟ ଘେରରେ ରହିଛି ।
ସର୍ଭିସ ବନ୍ଧୁକରେ ନିଜ ମୁଣ୍ଡକୁ ଗୁଳି କଲେ
ପୁଲିସ କର୍ମଚାରୀମାନେ ଖରାପ ପଦକ୍ଷେପ ନେବା ଘଟଣା ଏତିକିରେ ଅଟକି ନାହିଁ । ପୂର୍ବରୁ ମଧ୍ୟ ଅନେକ କର୍ମଚାରୀ ଭୁଲ ନିଷ୍ପତ୍ତି ନେଇ ନିଜ ପରିବାରକୁ ଶୋକସାଗରରେ ଭସାଇ ଦେଇଛନ୍ତି । ୨୦୨୧ ମସିହା ନଭେମ୍ବର ମାସ ୧୮ ତାରିଖର ଘଟଣା । ବରଗଡ଼ ଜିଲ୍ଲା ପଦ୍ମପୁର ଆଦର୍ଶ ଥାନାରେ କାର୍ଯ୍ୟରତ ପୁଲିସ କନେଷ୍ଟବଳ ପ୍ରକାଶ ପ୍ରଧାନଙ୍କ ମୃତଦେହ ଶାନ୍ତିନଗରସ୍ଥିତ ବାସଭବନରୁ ଉଦ୍ଧାର କରାଯାଇଥିଲା । ସେହିପରି ୨୦୧୯ ମସିହା ଏପ୍ରିଲ ୧୪ ତାରିଖ ଦିନ ମାଲକାନଗିରି ସଦର ମହକୁମାରେ ଓଡ଼ିଶା ପୁଲିସରେ କାର୍ଯ୍ୟରତ ସୁନୀଲ ମହାନନ୍ଦିଆ ନାମ ନିଜ ସର୍ଭିସ ବନ୍ଧୁକରୁ ମୁଣ୍ଡକୁ ଗୁଳି କରିଥିଲେ । କେବଳ ଓଡିଶା ପୁଲିସ ନୁହେଁ, କେନ୍ଦ୍ରୀୟ ପୁଲିସରେ ମଧ୍ୟ ଏଭଳି ଅଘଟଣ ଅନେକ ସମୟରେ ଦେଖାଯାଇଥାଏ । ବିଏଏସ୍ଏଫ୍, ସିଆରପିଏଫ ଓ ଆଇଟିବିପିରେ ମୁତୟନ ହୋଇଥିବା ଯବାନମାନେ ଯେତେବେଳେ ଉପରସ୍ଥ କର୍ମଚାରୀଙ୍କ ନିର୍ଯାତନା ସହି ନପାରନ୍ତି, ସେହି ସମୟରେ ସେମାନେ ଭୁଲ ନିଷ୍ପତ୍ତି ନେଇଥାନ୍ତି ।