ଭୁବନେଶ୍ବର: କେନ୍ଦ୍ର ସରକାର କିଛି ମାସ ହେଲା ବିକଶିତ ଭାରତ ସଂକଳ୍ପ ଯାତ୍ରା ମାଧ୍ୟମରେ ‘ମୋଦୀ କୀ ଗ୍ୟାରେଣ୍ଟି ପ୍ରତିଶ୍ରୁତି ଦେଉଥିବା ବେଳେ ଚାଷୀମାନେ ଏମ୍ଏସ୍ପିର ଗ୍ୟାରେଣ୍ଟ ସହିତ ଅନ୍ୟାନ୍ୟ ଦାବିରେ ଆନ୍ଦୋଳନ କରିଛନ୍ତି। ଫସଲର ସର୍ବନିମ୍ନ ସମର୍ଥନ ମୂଲ୍ୟ (ଏମ୍ଏସ୍ପି) ଉପରେ ଗ୍ୟାରେଣ୍ଟି, ବେକାରୀ ସମସ୍ୟାର ସମାଧାନ ଓ କେନ୍ଦ୍ର ସରକାରଙ୍କ ନୀତି ବିରୋଧରେ ଶୁକ୍ରବାର ଦେଶବ୍ୟାପୀ ଆନ୍ଦୋଳନ ହୋଇଛି। ବିଭିନ୍ନ କୃଷକ ସଂଗଠନ ପକ୍ଷରୁ ଏହି ଭାରତ ବନ୍ଦ ଡାକରା ଦିଆଯାଇଥିଲା। କଂଗ୍ରେସ ସମେତ ଅନ୍ୟ ବିରୋଧୀ ଦଳ ମଧ୍ୟ ଏହି ବନ୍ଦ ଡାକରାକୁ ସମର୍ଥନ ଜଣାଇଥିଲେ। ଜରୁରୀକାଳୀନ ସେବାକୁ ଆନ୍ଦୋଳନରୁ ବାଦ୍ ଦିଆଯାଇଛି।
ଦିଲ୍ଲୀ ହରିଆଣାର ଶମ୍ଭୁ ସୀମାରେ କେନ୍ଦ୍ର ସରକାର କୃଷକମାନଙ୍କ ଆନ୍ଦୋଳନକୁ କେନ୍ଦ୍ର ସରକାରଙ୍କ ଦ୍ବାରା ଉଦ୍ୟମ କରାଯାଇଥିବା ଦମନକୁ ବିଭିନ୍ନ କୃଷକ ସଂଗଠନ ସମେତ ଟ୍ରେଡ ୟୁନିୟନ ଗୁଡିକ ମଧ୍ୟ ନିନ୍ଦା କରିଥିଲେ। ଏହି ଆନ୍ଦୋଳନକୁ ଭଣ୍ଡୁର କରିବା ଷଡଯନ୍ତ୍ର ବିରୋଧରେ ଭାରତ ବନ୍ଦ ଡାକରା ଦିଆଯାଇଛି। ଅପରାହ୍ନ ୧୨ଟାରୁ ୪ଟା ପର୍ଯ୍ୟନ୍ତ ଦେଶର ବିଭିନ୍ନ ପ୍ରମୁଖ ସ୍ଥାନରେ ଚାଷୀମାନେ ଚକାଜାମ କରିଥିଲେ। ଅନ୍ୟପଟେ ଆନ୍ଦୋଳନରତ ଚାଷୀଙ୍କ ସହ ଆଲୋଚନା କରିବାକୁ କେନ୍ଦ୍ର ସରକାର ଅଣ୍ଟା ଭିଡିଥିଲେ। ସମସ୍ୟାର ସମାଧାନ ପନ୍ଥା ନିର୍ଦ୍ଧାରଣ ଲାଗି କେନ୍ଦ୍ରମନ୍ତ୍ରୀ ପିୟୂଷ ଗୋଏଲ, ଅର୍ଜୁନ ମୁଣ୍ଡା ଏବଂ ନିତ୍ୟାନନ୍ଦ ରାୟ ଚଣ୍ଡୀଗଡ଼ ସୀମାରେ ପହଁଚିଥିଲେ। ସେମାନଙ୍କ ସହ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ସିଂ ମାନ ମଧ୍ୟ ସାମିଲ ହୋଇଥିଲେ।
କେଉଁ ସେବା ଜାରି ଥିଲା?
ଚାଷୀମାନଙ୍କ ଦ୍ବାରା ଦେଶବ୍ୟାପୀ ବନ୍ଦ ସମୟରେ କିଛି ସେବା ଏଭଳି ଥିଲା, ଯେଉଁଥିରେ କି କୌଣସି ପ୍ରଭାବ ପଡ଼ି ନଥିଲା। ଭାରତ ବନ୍ଦ ସମୟରେ ଜରୁରୀକାଳୀନ ସେବା, ଆମ୍ବୁଲାନ୍ସ, ଖବରକାଗଜ ବିତରଣ, ବିବାହ, ଔଷଧ ଦୋକାନ, ବୋର୍ଡ ପରୀକ୍ଷା ପାଇଁ ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କ ସ୍କୁଲ ଯିବା, ବିମାନବନ୍ଦର ଆଦି ପ୍ରଭାବିତ ହୋଇ ନଥିଲା। ବ୍ୟାଙ୍କଗୁଡ଼ିକ ଖୋଲା ରହିଥିଲା।
ଚାଷୀଙ୍କ ଦାବି
ଚାଷୀମାନେ ନିଜର ଉତ୍ପାଦନ ପାଇଁ ଏମ୍ଏସ୍ପିକୁ ଗ୍ୟାରେଣ୍ଟି ଦେଇପାରୁଥିବା ଆଇନ୍ ଦାବି ନେଇ ପଂଜାବ ଓ ହରିୟାଣାର ରାଜରାସ୍ତାକୁ ଓହ୍ଲାଇଥିଲେ। ଅନ୍ୟପଟରେ ସଂଯୁକ୍ତ କିଷାନ ମୋର୍ଚ୍ଚା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପତ୍ର ଲେଖିଥିଲା, ଯେଉଁଥିରେ କୁହାଯାଇଥିଲା ଯେ, ଫସଲ ପାଇଁ ସର୍ବନିମ୍ନ ସମର୍ଥନ ମୂଲ୍ୟ, କିଣିବା ଉପରେ ଗ୍ୟାରେଣ୍ଟି, ଋଣ ଛାଡ଼, ବିଦ୍ୟୁତ ଦର ବୃଦ୍ଧି କରାନଯାଉ। ଏହା ବ୍ୟତୀତ ଚାଷୀଙ୍କ ଘରୋଇ ବିଦ୍ୟୁତ ଓ ଦୋକାନ, ଖେତ ପାଇଁ ୩୦୦ ୟୁନିଟ ପର୍ଯ୍ୟନ୍ତ ବିଦ୍ୟୁତ ବିଲ ମାଗଣା, ଫସଲ ବୀମା ଓ ପେନ୍ସନ୍ ୧୦୦୦୦ ଟଙ୍କା ପ୍ରତିମାସ ଦାବି ହୋଇଥିଲା।
ପୋଲାଣ୍ଡରେ ଚାଷୀ ଆନ୍ଦୋଳନ
ଚାଷ ଓ ଚାଷୀ ସମସ୍ୟା କେବଳ ଓଡ଼ିଶା କିମ୍ବା ଭାରତରେ ନୁହେଁ। ବିଦେଶରେ ମଧ୍ୟ ସମାନ ପ୍ରକାରର ଅସୁବିଧା ଦେଖାଯାଉଛି। ସମୟ ଯେତେ ଆଧୁନିକ ହେଉପଛେ, ଖାଦ୍ୟ ସମସ୍ତଙ୍କୁ ଦରକାର ଓ ଚାଷୀମାନେ ହିଁ ଫସଲ ଉତ୍ପାଦନ କଲେ ଲୋକଙ୍କୁ ଖାଦ୍ୟ ମିଳିପାରିବ। ତେଣୁ ସରକାର ଚାଷ ଓ ଚାଷୀଙ୍କୁ ଗୁରୁତ୍ବ ଦେବାର ଆବଶ୍ୟକତା ରହିଛି। କିନ୍ତୁ କ୍ଷୋଭର ବିଷୟ ହେଲା ଯେ, ଚାଷୀମାନେ ଅସନ୍ତୋଷ ଦେଖାଯାଉଛନ୍ତି। ପୋଲାଣ୍ଡର ଚାଷୀମାନେ ମଧ୍ୟ ପାଶ୍ଚାତ୍ୟ ସହର ଭ୍ରୋକଲାରେ ଗୁରୁବାର ଜୋରଦାର ବିରୋଧ ପ୍ରଦର୍ଶନ କରିଛନ୍ତି। ୟୁରୋପୀୟ ସଂଘର କାର୍ଯ୍ୟାଳୟ ଉପରକୁ ଅଣ୍ଡାମାଡ଼ କରିଛନ୍ତି। ସେହିପରି ଅଗ୍ନିକାଣ୍ଡ କରିଛନ୍ତି ଏବଂ ୟୁରୋପୀୟ ସଂଘ ଗ୍ରୀନ୍ ଡିଲ ବିରୋଧରେ ସ୍ବର ଉତ୍ତୋଳନ କରିଛନ୍ତି। ଚାଷୀମାନେ ସାଥୀରେ ଟ୍ରାକ୍ଟର ନେଇ ବିରୋଧ ଯାତ୍ରା କରିଛନ୍ତି। ପ୍ରାୟ ୧୦୦୦ ଚାଷୀ ୫୦୦ ଟ୍ରାକ୍ଟର ନେଇ ରାଜରାସ୍ତାକୁ ଓହ୍ଲାଇଥିଲେ।
ଇଟାଲିରେ ଚାଷୀ ଆନ୍ଦୋଳନ
କୃଷି ଆନ୍ଦୋଳନ କେବଳ ଭାରତରେ ନୁହେଁ। ୟୁରୋପର ଅନେକ ଦେଶରେ ମଧ୍ୟ ସରକାରଙ୍କ ନୀତି ବିରୋଧରେ କୃଷକମାନେ ରାସ୍ତାରେ ବିରୋଧ କରୁଛନ୍ତି। ୟୁରୋପର ପ୍ରାୟ ୧୦ ଟି ଦେଶରେ ଜାନୁଆରିରୁ କୃଷକଙ୍କ ବିରୋଧ ଚାଲିଛି। ଏହି ଦେଶଗୁଡିକ ମଧ୍ୟରେ ଫ୍ରାନ୍ସ, ପୋଲାଣ୍ଡ, ସ୍ପେନ୍, ଜର୍ମାନୀ, ଇଟାଲୀ, ଗ୍ରୀସ୍, ରୋମାନିଆ, ବେଲଜିୟମ, ପର୍ତ୍ତୁଗାଲ, ଲିଥୁଆନିଆ ଅନ୍ତର୍ଭୁକ୍ତ। କୃଷକମାନେ ଇଟାଲୀର ରୋମରେ ଥିବା ପ୍ରାଚୀନ ସର୍କସ୍ ମ୍ୟାକ୍ସିମସ୍ ଉପରେ ଆକ୍ରମଣ କରିଥିଲେ। ସର୍କସ୍ ମ୍ୟାକ୍ସିମସ୍ ଚାରିପାଖରେ ଚାଷୀମାନେ ଟ୍ରାକ୍ଟର ଚଳାଇବା ଆରମ୍ଭ କରିଥିଲେ। ଏହି ପ୍ରଦର୍ଶନ ସମୟରେ ପୁଲିସ ଏବଂ ଚାଷୀଙ୍କ ମଧ୍ୟରେ ଠେଲାପେଲା ହୋଇଥିଲା। ଏହା ବ୍ୟତୀତ ପ୍ରଧାନମନ୍ତ୍ରୀ ଜିଓର୍ଜିଓ ମେଲୋନିଙ୍କ କାର୍ଯ୍ୟାଳୟ ନିକଟରେ ମଧ୍ୟ କୃଷକମାନେ ଏକାଠି ହୋଇଥିଲେ।