Friday, September 13, 2024
Homeଖବରପ୍ରମୁଖ ଖବରଚା‌ଷୀଙ୍କୁ ହାତୀ ଚିନ୍ତା 

ଚା‌ଷୀଙ୍କୁ ହାତୀ ଚିନ୍ତା 

ଭୁବନେଶ୍ବର: ରାଜ୍ୟରେ ଏବେ ଧାନ କାଟିବାର ସମୟ ଆସିଛି। ଉପକୂଳ ଓଡ଼ିଶାରେ ଧାନ କଟା ଆରମ୍ଭ ହୋଇଥିବା ବେଳେ ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ସ୍ଥାନରେ ପ୍ରାୟ ୫୦ ପ୍ରତିଶତ ସରିଯାଇଛି। କିନ୍ତୁ ଯେଉଁ ଅଞ୍ଚଳରେ ଫସଲ ଅମଳ ହୋଇନାହିଁ, ସେଠାକାର ଖେତରେ ପାଚିଲା ଧାନ ହସୁଛି। ଚା‌ଷୀଭାଇ ଫସଲ ଅମଳ କରି ବିକ୍ରି କରିବ। ଋଣ ସୁଝିବା, ଝିଅ ବାହାଘର, ଘରକାମ ଆଦି କାମ କରିବ ବୋଲି ଖୁସି ହେବା କଥା। କିନ୍ତୁ ଚାଷୀଭାଇ ପାଚିଲା ଧାନକୁ ଦେଖି ଖୁସି ହେବା ବଦଳରେ ଦୁଃଖୀ ପାଲଟିଛି। କାରଣ ଚାଷ ଜମି ଉପରେ ହାତୀପଲ ନଜର ରଖିଛି। ମଧ୍ୟରାତ୍ରିରେ ଖେତକୁ ଆସି ଉପଦ୍ରବ ସୃଷ୍ଟି କରୁଛି। ସବୁଠାରୁ କ୍ଷୋଭର ବିଷୟ ହେଲା ଯେ, ହାତୀପଲ ଯେତିକି ଧାନ ଖାଇବେ, ତାଠାରୁ ଅଧିକ ଦଳିଚକଟି ଦେବେ।

ହାତୀପଲ ଯୋଗୁଁ ପୂରା ରାଜ୍ୟରେ ଚାଷୀମାନେ ସମସ୍ୟାର ସାମ୍ନା କରୁଥିବା ଦେଖିବାକୁ ମିଳୁଛି। ଶିମିଳିପାଳର ହାତୀପଲ ଏବେ ଗାଁ ମୁହାଁ ହେଉଛନ୍ତି। ସାତକୋଶିଆ ଜଙ୍ଗଲର ମଧ୍ୟ ହାତୀ ଉପଦ୍ରବ ସୃଷ୍ଟି କରୁଛନ୍ତି। ଭଂଜନଗର, ରେଢ଼ାଖୋଲ, ନୀଳଗିରି, ଢେଙ୍କାନାଳ, ଅନୁଗୁଳ, କଟକ ଜିଲ୍ଲାରେ ଥିବା ଜଙ୍ଗଲ ନିକଟବର୍ତ୍ତୀ ଖେତରେ ପଶି ପାଚିଲା ଧାନ ଖାଇବା ସହିତ ଦଳି ଦେଉଛନ୍ତି। କେବଳ ଧାନ ନୁହେଁ। ବରଂ ହାତୀପଲ ଗାଁରେ ପଶି ପନିପରିବା ଖାଇବା ସହିତ ଘରଦ୍ବାର ଭାଙ୍ଗିଦେଉଛନ୍ତି। ତେଣୁ ଚାଷୀମାନେ ଚିନ୍ତାରେ ପଡ଼ିଯାଇଛନ୍ତି। ତେବେ ବନ ବିଭାଗ ପକ୍ଷରୁ ହାତୀପଲକୁ ଘଉଡାଇବା ନିମନ୍ତେ ସେମିତି ଆନ୍ତରିକତା ପ୍ରକାଶ ପାଉ ନାହିଁ।

ମୟୂରଭଂଜରେ ହାତୀ ଆକ୍ରମଣ, ୨୧ ମୃତ

ବିଗତ କିଛି ବର୍ଷ ହେଲା ହେଲା ମୟୂରଭଞ୍ଜ ଜିଲ୍ଲାରେ ହାତୀ ଉପଦ୍ରବ ବଢିଚାଲିଛି। ଜିଲ୍ଲାର ବିଭିନ୍ନ ବନଖଣ୍ଡ ଅଞ୍ଚଳରେ ୩ ବର୍ଷରେ ୨୧ ଜଣଙ୍କୁ ହାତୀ ମାରିଛନ୍ତି। ୨୦୨୦-୨୧ରେ ୫ ଜଣ, ୨୦୨୧-୨୨ରେ ୭ ଜଣ ଓ ୨୦୨୨-୨୩ରେ ୯ ଜଣଙ୍କର ମୃତ୍ୟୁ ହୋଇଛି। ଆଉ ଏହି ୩ ବର୍ଷରେ ହାତୀପଲ ୩୩ ହଜାର ୨୨୧ ହେକ୍ଟର ଜମିରେ ଧାନ ସହ ପରିବା ଫସଲ ନଷ୍ଟ କରିଛନ୍ତି। ହାତୀ ଆକ୍ରମଣରେ ମୃତକ ପରିବାରକୁ କ୍ଷତିପୂରଣ ରାଶି ପ୍ରଦାନ କରାଯାଉଛି। ହେଲେ ହାତୀ ଉପଦ୍ରବରେ ନଷ୍ଟ ହେଉଥିବା ଫସଲ କ୍ଷତିପୂରଣ ରାଶି ବନ ବିଭାଗ ଦିଆଯାଉନାହିଁ। ସେହିପରି ୨୦୨୦ରୁ ୨୦୨୩ ଅକ୍ଟୋବର ସୁଦ୍ଧା ୧ ହଜାର ୬୬୬ ଜଣ ଚାଷୀଙ୍କୁ ଫସଲ ନଷ୍ଟ ପାଇଁ କ୍ଷତିପୂରଣ ରାଶି ପ୍ରଦାନ ନିମନ୍ତେ ସ୍ଥିରିକୃତ ହୋଇଛି। ସେଥିମଧ୍ୟରୁ ୫୪୩ ଜଣ ଚାଷୀଙ୍କୁ କ୍ଷତିପୂରଣ ମିଳିଛି।

ଧାନ ଖେତରେ ୨ ଚାଷୀଙ୍କୁ ଦଳିଦେଲା ହାତୀ

ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବନାଞ୍ଚଳ ବରିକୋ ଗ୍ରାମ ନିକଟରେ ରବିବାର ରାତିରେ ୩ଟି ହାତୀ ଉପଦ୍ରବ ସୃଷ୍ଟି କରିଥିଲେ। ଏହାକୁ ନେଇ ସ୍ଥାନୀୟ ଚାଷୀଙ୍କ ମନରେ ଆତଙ୍କ ଖେଳି ଯାଇଥିଲା। ଲୋକେ ଧାନ ଜମିକୁ ସୁରକ୍ଷା ଦେବା ପାଇଁ ଏକାଠି ହେଉଥିବା ବେଳେ ବରିକୋ ଗ୍ରାମର ଲକ୍ଷ୍ମୀଧର ବେହେରା ଓ ପାରି ଓରଡ଼ ଗ୍ରାମର କୃଷ୍ଣଚନ୍ଦ୍ର ପ୍ରଧାନ ସାଙ୍ଗ ହୋଇ ଚାଷ ଜମିକୁ ଯାଇଥିଲେ। ଚାଷ ଜମି ନିକଟରେ ଦୁହେଁ ବସିଥବା ବେଳେ ହାତୀ ପଲ ଆକ୍ରମଣ କରିଥିଲେ। ଫଳରେ ଚାଷ ଜମିରେ ଦୁହିଁଙ୍କର ମୃତ୍ୟୁ ହୋଇଥିଲା।

ତିନିଦିନରେ ୩ ମୃତ, ୨ ଗୁରୁତର

ଖୋର୍ଦ୍ଧାରେ ଚଳିତ ମାସ ୩ ତାରିଖରେ ହାତୀ ଆକ୍ରମଣ କାରଣରୁ ୨ ଜଣଙ୍କର ମୃତ୍ୟୁ ହୋଇଛି। କିନ୍ତୁ ଏହା ପୂର୍ବରୁ କେନ୍ଦୁଝର ଜିଲ୍ଲା ଭୂୟାଁ ଜୁଆଙ୍ଗ ପୀଢ଼ ରେଞ୍ଜ ଅନ୍ତର୍ଗତ ଭେଜଡ଼ିହି ଗାଁରେ ଗତ ୨ ତାରିଖ ରାତିରେ ଧାନ ଖଳାରେ ଶୋଇଥିବା ବେଳେ ହାତୀ ଆକ୍ରମଣରେ ସୁଡ଼ୁଙ୍ଗ ଗାଁର ବନମାଳୀ ମୁଣ୍ଡାଙ୍କ ମୃତ୍ୟୁ ହୋଇଛି। ବନମାଳୀ ଭେଜିଡିହି ଗାଁର ଜଣେ ଚାଷୀଙ୍କ ଘରେ ରହି କାମ କରୁଥିଲେ। ରାତିରେ ସବୁ ଦିନ ପରି ମାଲିକଙ୍କ ଧାନ ଖଳାରେ ଥିବା ଚାଳ କୁଡିଆରେ ଧାନ ଜଗିବାକୁ ଶୋଇଥିଲେ। ବନମାଳୀ ଶୋଇଥିବା ବେଳେ ଦୁଇଟି ଦନ୍ତା ହାତୀ ଖଳାକୁ ପଶି ଆସି ତାଙ୍କୁ ଶୁଣ୍ଢରେ କଚାଡି ମାରିବା ସହ ଖଳାରେ ଥିବା ଧାନକୁ ଖାଇ ନଷ୍ଟ କରିଦେଇଥିଲେ। ଫଳରେ ଘଟଣାସ୍ଥଳରେ ବନମାଳୀଙ୍କ ମୃତ୍ୟୁ ଘଟିଥିଲା। ଅନ୍ୟପଟରେ‌ କଟକ ବନଖଣ୍ଡ ସୁକିନ୍ଦା ରେଞ୍ଜ୍ ରାଁସୋଳ ସେକ୍ସନ ନଗଡ଼ା ନିକଟ ତଳଡିହ ଜୁଆଙ୍ଗ ବସ୍ତି ପାଖ ଜଙ୍ଗଲରେ ସେଦିନ ରାତିରେ ଏକ ବଣୁଆ ହାତୀ ଆକ୍ରମଣରେ ୨ ଜଣ ଗୁରୁତର ଆହତ ହୋଇଥିଲେ। ଆହତ ୨ ଯୁବକ ହେଲେ ଗୁରା ପ୍ରଧାନଙ୍କ ପୁଅ ଚକରା(୨୩) ଓ ରାଧୁଆ ପ୍ରଧାନଙ୍କ ପତ୍ନୀ ବର୍ଷା(୨୮)।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments