ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ କୃଷି ଆଇନ୍ ବିରୋଧରେ ଦିଲ୍ଲୀ ସୀମାରେ ହଜାର ହଜାର କୃଷକ ଦୀର୍ଘ ୧୨ ଦିନ ହେବ ଆନ୍ଦୋଳନ ଜାରି ରଖିଥିବା ବେଳେ ଆଜି ଭାରତ ବନ୍ଦ ପାଳନ ହୋଇଛି । ଆନ୍ଦୋଳନ ଆରମ୍ଭ ହେବା ଦିନ ଠାରୁ କେନ୍ଦ୍ର ସରକାର କୃଷକ ନେତାମାନଙ୍କ ସହିତ ୫ଟି ପର୍ଯ୍ୟାୟରେ ଆଲୋଚନା କରିସାରିଛନ୍ତି । କିନ୍ତୁ ସଫଳ ହୋଇ ନାହାନ୍ତି । ତେଣୁ ଆସନ୍ତାକାଲି ୬ଷ୍ଠ ପର୍ଯ୍ୟାୟରେ ପୁଣି ଥରେ ଆଲୋଚନା କରିବେ ।
ସମଗ୍ର ଦେଶରେ ଆଜି ସକାଳ ୬ଟାରୁ ଆନ୍ଦୋଳନ ଆରମ୍ଭ ହୋଇଥିବା ଚାଷୀ ଆନ୍ଦୋଳନ ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୩ଟା ଯାଏଁ ଚକା ଜାମ ହୋଇଥିଲା । ଚାଷୀ ଆନ୍ଦୋଳନକୁ ସମର୍ଥନ ଜଣାଇ ପ୍ରାୟ କଂଗ୍ରେସ, ତୃଣମୂଳ କଂଗ୍ରେସ, ଏନସିପି, ସମାଜବାଦୀ ପାର୍ଟି, ବହୁଜନ ସମାଜ ପାର୍ଟି, ଟିଆରଏସ, ଆପ, ଡିଏମକେ ସମେତ ୨୪ଟି ରାଜନୈତିକ ଦଳ ମଧ୍ୟ ଆନ୍ଦୋଳନ ଥିଲେ । ଦେଶର ବିଭିନ୍ନ ରାଜ୍ୟରେ ହିଂସା ପରିସ୍ଥିତି ଉପୁଜିଥିବା ବେଳେ କେନ୍ଦ୍ର ସରକାର ରାଜ୍ୟ ସରକାରମାନଙ୍କୁ ସୁରକ୍ଷା ପ୍ରତି ସ୍ୱତନ୍ତ୍ର ନଜର ଦେବାକୁ ଅପିଲ କରିଥିଲେ । ଆନ୍ଦୋଳନ ମାଧ୍ୟମରେ ଚାଷୀଙ୍କ କଥା ସରକାର କେତେ ବୁଝିବେ, ତାହା ଭିନ୍ନ କଥା କିନ୍ତୁ ରାଜନୈତିକ ନେତାମାନେ ସରକାରଙ୍କ ବିଫଳତାକୁ ଅଧିକ ପ୍ରଦର୍ଶନ କରୁଛନ୍ତି । ଯଦିଓ ସରକାର କୃଷକଙ୍କ କଲ୍ୟାଣ ପାଇଁ ଆଇନ ଆଣିଛନ୍ତି, କିନ୍ତୁ ସେମାନେ ତାକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି ।
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଗୃହବନ୍ଦୀ!
ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଗୃହବନ୍ଦୀ କରାଯାଇଥିବା ଆମ ଆଦମୀ ପାର୍ଟି (ଆପ) ପକ୍ଷରୁ ଅଭିଯୋଗ ଅଣାଯାଇଛି । ଦଳୀୟ ନେତା ସୌରଭ ଭରଦ୍ୱାଜ କହିଛନ୍ତି, ଆମର ବିଧାୟକମାନଙ୍କୁ ପୋଲିସ ମାଡ଼ ମାରିଛି । ଆମେ ସେବାକାରୀ ଭାବେ ଚାଷୀଙ୍କ ସେବା କରିବୁ ଏବଂ ସମର୍ଥନ କରୁଛୁ । କାରଣ ସେ ଗତକାଲି ସିଂଘୁ ସୀମାରେ ଆନ୍ଦୋଳନରତ ଚାଷୀମାନଙ୍କୁ ଭେଟିଥିଲେ । କିନ୍ତୁ ଦିଲ୍ଲୀ କମିସନରେଟ ପୋଲିସ (ଉତ୍ତର) ଆଣ୍ଟୋ ଆଲଫୋନ୍ସ ଆପର ଅଭିଯୋଗକୁ ଖଣ୍ଡନ କରିଛନ୍ତି ।
ରାଜନୈତିକ ବନ୍ଦ ନୁହେଁ: ଶିବସେନା
ଶିବସେନା ନେତା ସଂଜୟ ରାଉତ କହିଛନ୍ତି ଯେ, ଭାରତ ବନ୍ଦକୁ ରାଜନୈତିକ ବନ୍ଦ କୁହାଯାଇପାରିବ ନାହିଁ । ଏହା ହେଉଛି ଆମର ଭାବନା । ଦିଲ୍ଲୀରେ ଆନ୍ଦୋଳନ କରୁଥିବା ଚାଷୀ ସଂଗଠନ କୌଣସି ରାଜନୈତିକ ପତାକା ନେଇ ଯାଇନାହାନ୍ତି । ଚାଷୀଙ୍କ ସହିତ ଏକାଠି ହେବା ଆମର କର୍ତ୍ତବ୍ୟ । ସେମାନଙ୍କ ଭାବନା ସହିତ ଜଡ଼ିତ ରହିବା ଆମର ଦାୟିତ୍ୱ । ଏହା ରାଜନୀତି ନୁହେଁ କି ଏଭଳି ହେବାର ଆବଶ୍ୟକତା ନାହିଁ । ଯଦି ସରକାର ଦରଦୀ ହୃଦୟ ଦେଖାଉଛନ୍ତି, ତା’ହେଲେ ଚାଷୀଙ୍କ ନିକଟକୁ ଯାଇ ଆଲୋଚନା କରନ୍ତୁ ।
ଟାୟାର ଜଳାଇଲେ ଆରଜେଡି କର୍ମୀ
ଭାରତ ବନ୍ଦ ସମୟରେ ବିହାରର ଦରଭଙ୍ଗାସ୍ଥିତ ଗଂଜ ଛକରେ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି)ର କର୍ମୀମାନେ ପ୍ରଦର୍ଶନ କରିଥିଲେ । ଟାୟାର ଜାଳି ରାସ୍ତାରୋକ କରିବା ଫଳରେ ବିହାରର ଜନତା ଯାତାୟତ ପାଇଁ ଅସୁବିଧାର ସମ୍ମୁଖୀନ ହୋଇଥିଲେ ।
କଂଗ୍ରେସର ବିପୁଳ ସମର୍ଥନ
କଂଗ୍ରେସ ଭାରତ ବନ୍ଦକୁ ବିପୁଳ ସମର୍ଥନ ଜଣାଇଛି । ଦେଶର ଅନ୍ୟ ରାଜ୍ୟ ଭଳି କର୍ଣ୍ଣାକଟକରେ କଂଗ୍ରେସ ବନ୍ଦକୁ ସମର୍ଥନ ଜଣାଇଛି । ବେଙ୍ଗାଲୁରୁରେ ଗାନ୍ଧୀ ମୂର୍ତ୍ତି ନିକଟରେ କୃଷି ଆଇନକୁ ବିରୋଧ କରି କଳା ପତାକା ପ୍ରଦର୍ଶନ କରାଯାଇଛି । ଆନ୍ଦୋଳନରେ ଦଳିୟ ନେତା ସିଦ୍ଧରମିୟା, ବିକେ ହରିପ୍ରସାଦ ଓ ରାମଲିଙ୍ଗା ରେଡ୍ଡୀ ସକ୍ରିୟ ଅଂଶଗ୍ରହଣ କରିଥିଲେ ।
ଟ୍ରେନ ସେବା ପ୍ରଭାବିତ
ଭାରତ ବନ୍ଦ ଯୋଗୁଁ ଓଡ଼ିଶା ସମେତ ବିହାର ଓ ମହାରାଷ୍ଟ୍ରରେ ମଧ୍ୟ ଟ୍ରେନ ସେବା ପ୍ରଭାବିତ ହୋଇଥିଲା । ଏହି ୩ଟି ରାଜ୍ୟରେ କିଛି ଟ୍ରେନ ବାତିଲ ହୋଇଥିବା ବେଳେ ଅନ୍ୟ କିଛି ଟ୍ରେନ ବିଳମ୍ବରେ ପରିଚାଳିତ ହୋଇଥିଲା । ଦିଲ୍ଲୀ-ଏନିସିଆର ସମେତ ଉତ୍ତର ପ୍ରଦେଶ, ପଂଜାବ, ହରିୟାଣା, ଦିଲ୍ଲୀରେ ଚକା ଜାମ ହୋଇଥିଲା । ଉତ୍ତର ପ୍ରଦେଶ ଗେଟରେ ଚାଷୀମାନେ ଏକତ୍ର ହୋଇ କେନ୍ଦ୍ର ସରକାରଙ୍କ ନୀତି ବିରୋଧରେ ଶ୍ଲୋଗାନ ଦେଇଥିଲେ । ଅନ୍ୟପଟରେ ଶାନ୍ତି ପ୍ରତିଷ୍ଠା ପାଇଁ ବ୍ୟାପକ ପୋଲିସ ମୁତୟନ କରାଯାଇଥିଲା ।