ନୂଆଦିଲ୍ଲୀ: ତିନି କୃଷି ଆଇନକୁ ବିରୋଧ କରି ଚାଷୀମାନଙ୍କର ଆନ୍ଦୋଳନକୁ ୩ ମାସ ପୂରିଛି । ଏହାରି ମଧ୍ୟରେ ଚାଷୀନେତାମାନେ ଭିନ୍ନ ପ୍ରକାରରେ ଆନ୍ଦୋଳନକୁ ତୀବ କରୁଛନ୍ତି । ସରକାରଙ୍କ ବିରୋଧରେ କୃଷକଙ୍କୁ ଏକତ୍ର କରୁଛନ୍ତି । ଜାତୀୟ ରାଜଧାନୀ ଦିଲ୍ଲୀରେ ପୁଣି ଥରେ ଚାଷୀମାନେ ଟ୍ରାକ୍ଟର ନେଇ ଦମ୍ଭ ଦେଖାଇବାକୁ ଅଣ୍ଟା ଭିଡିଛନ୍ତି । ଏଥର ଚାଷୀ ନେତାମାନେ ସଂସଦ ଭବନକୁ ଘେରାଉ କରିପାରନ୍ତି । ଯଦିଓ ସଂସଦ ଭବନକୁ ଟ୍ରାକ୍ଟର ମାଧ୍ୟମରେ ଘେରାଉ କରାଯିବା ପାଇଁ ଯୋଜନା ଚାଲିଛି, କିନ୍ତୁ ଏଥି ପାଇଁ ତାରିଖ ନିର୍ଦ୍ଧାରଣ ହୋଇନାହିଁ । ଚାଷୀ ନେତା ରାକେଶ ଟିକାୟତ ମଙ୍ଗଳବାର ରାଜସ୍ଥାନରେ କହିଛନ୍ତି, ଯଦି କେନ୍ଦ୍ର ସରକାର ନୂଆ କୃଷି ଆଇନକୁ ପ୍ରତ୍ୟାହାର କରି ନନିଅନ୍ତି, ତାହେଲେ ଚାଷୀମାନେ ସଂସଦ ଭବନକୁ ଘେରାଉ କରିବେ ।
ରାକେଶ ଯିକାୟତ କହିଛନ୍ତି ଯେ, ଟ୍ରାକ୍ଟର ଦ୍ୱାରା ସଂସଦ ଭବନ ଘେରାଉ ସମୟରେ ଏଥର ୪ ଲକ୍ଷ ନୁହେଁ, ବରଂ ୪୦ ଲକ୍ଷ ଟ୍ରାକ୍ଟର ନେଇ ଚାଷୀମାନେ ଆସିବେ । ଟ୍ରାକ୍ଟର ରାଲିରେ ଯୋଗଦେବା ଲାଗି ଚାଷୀମାନେ ଏବେ ଠାରୁ ପ୍ରସ୍ତୁତ ରୁହନ୍ତୁ ବୋଲି ସେ ଅପିଲ କରିଛନ୍ତି । ସେ କହିଛନ୍ତି ଯେ, ଚାଷୀ ନେତାଙ୍କ ଦ୍ୱାରା ଏଥି ପାଇଁ ତାରିଖ ନିର୍ଦ୍ଧାରଣ ହେବ ଏବଂ ଯେକୌଣସି ସମୟରେ ଆନ୍ଦୋଳନ ପାଇଁ ଚାଷୀମାନଙ୍କୁ ଆହ୍ୱାନ କରାଯିବ ।
ରାଜସ୍ଥାନରୁ ବାହାରିବ ଟ୍ରାକ୍ଟର ରାଲି
ଚାଷୀ ନେତା ରାକେଶ ଟିକାୟତ ମଙ୍ଗଳବାର ରାଜସ୍ଥାନର ଶିକେର ଠାରେ ଅନୁଷ୍ଠିତ ସଂଯୁକ୍ତ ଚାଷୀ ମୋର୍ଚ୍ଚାର କିଷାନ ମହାପଂଚାୟତକୁ ସମ୍ବୋଧିତ କରିବା ଅବସରରେ କହିଥିଲେ ଯେ, ଦିଲ୍ଲୀ ଶୁଣିନେଉ ଯେ, ସଂସଦ ଭବନକୁ ଟ୍ରାକ୍ଟର ଦ୍ୱାରା ଘେରାଉ କରାଯିବ । ରାଜସ୍ଥାନରୁ ମଧ୍ୟ ଚାଷୀମାନେ ଟ୍ରାକ୍ଟର ନେଇ ଦିଲ୍ଲୀ ପହଂଚିବେ । ଗତ ଜାନୁଆରୀ ୨୬ ତାରିଖରେ ଇଣ୍ଡିଆ ଗେଟକୁ ଟ୍ରାକ୍ଟର ରାଲି ପହଂଚିଥିଲା । ଏଥର କିନ୍ତୁ ସଂସଦର ପାଳି ।
ଇଣ୍ଡିଆ ଗେଟ ନିକଟରେ ହଳ ବୁଲାଇବେ ଚାଷୀ
ଇଣ୍ଡିଆ ଗେଟ ନିକଟରେ ଥିବା ପାର୍କରେ ଚାଷୀମାନେ ହଳ କରିବେ ଏବଂ ଫସଲ ବୁଣିବେ । ଏଥି ସହିତ ସେ କହିଛନ୍ତି ଯେ, ଜାନୁଆରୀ ୨୬ ତାରିଖ ଦିନ ଟ୍ରାକ୍ଟର ରାଲିକୁ ନେଇ ଚାଷୀମାନଙ୍କୁ ଟାର୍ଗେଟ କରାଯାଇଥିଲା । ଦେଶର ଚାଷୀଙ୍କୁ ବଦନାମ କରାଯିବା ଲାଗି ଷଡ଼ଯନ୍ତ୍ର ରଚାଯାଇଥିଲା । ଏହି ଦେଶର ଚାଷୀମାନେ ତ୍ରିରଙ୍ଗାକୁ ବହୁତ ଭଲ ପାଆନ୍ତି । ସେମାନେ ତ୍ରିରଙ୍ଗାକୁ ମୁଣ୍ଡ ଉପରେ ଧରି ବୁଲିବାକୁ ଚାହାନ୍ତି । କିନ୍ତୁ ଟ୍ରାକ୍ଟର ରାଲିକୁ ଏକ ଭିନ୍ନ ଆଖିରେ ଦେଖାଯାଇ ସେମାନଙ୍କୁ ବଦନାମ କରିବାକୁ ଉଦ୍ୟମ କରାଯାଇଛି ।
୪ର୍ଥ ବଡ଼ ଆନ୍ଦୋଳନ ଲାଗି ପ୍ରସ୍ତୁତି
ଦିଲ୍ଲୀର ସୀମାର ସିଂଘୁ, ଗାଜୀପୁର ଓ ଟିକିରୀରେ ଗତବର୍ଷ ନଭେମ୍ବର ୨୬ ତାରିଖ ଠାରୁ ଚାଷୀମାନଙ୍କର ଆନ୍ଦୋଳନ ଜାରି ରହିଛି । ଚାଷୀମାନେ ୨୦୨୦ ଡିସେମ୍ବର ୮ ତାରିଖରେ ଭାରତ ବନ୍ଦ ଆନ୍ଦୋଳନ ଡାକରା ଦେଇଥିଲେ । ପରେ ସେମାନେ ଗତ ୬ ତାରିଖ ଆନ୍ଦୋଳନ ଓ ୧୮ ତାରିଖରେ ରେଳରୋକ କରିଥିଲେ । ଚାଷୀ ନେତା ଓ ସରକାରଙ୍କ ମଧ୍ୟରେ ଅନେକ ପର୍ଯ୍ୟାୟରେ ମଧ୍ୟ ଆଲୋଚନା ହୋଇଛି ସତ କିନ୍ତୁ ଏଥିରୁ କିଛି ସୁଫଳ ମିଳିପାରି ନାହିଁ ।
ଶତାଧିକ ବ୍ୟକ୍ତିଙ୍କ ନାଁରେ ଏତଲା
ଦେଶର ୭୨ତମ ସାଧାରଣତନ୍ତ୍ର ଦିବସ ପାଳନ ଅବସରରେ ରାଜପଥରେ ପରେଡ ଅନୁଷ୍ଠିତ ହୋଇଥିଲା । ଗତ ଜାନୁଆରୀ ୨୬ ତାରିଖରେ ଦିଲ୍ଲୀ ସୀମାରେ ଚାଷୀ ସଂଗଠନ ଟ୍ରାକ୍ଟର ରାଲି ବାହାର କରିଥିଲେ । ଚାଷୀଙ୍କ ଟ୍ରାକ୍ଟର ରାଲିକୁ ଦୃଷ୍ଟିରେ ରଖି ଜାତୀୟ ରାଜଧାନୀ ଦିଲ୍ଲୀର ଅନେକ ସୀମାରେ ହଜାର ହଜାର ସଶସ୍ତ୍ର ସୁରକ୍ଷା କର୍ମୀ ମୁତୟନ ହୋଇଥିଲେ । କିନ୍ତୁ ଏହାକୁ ଖାତିର ନକରି ଚାଷୀମାନେ ଲାଲକିଲ୍ଲାରେ ଉପଦ୍ରବ ସୃଷ୍ଟି କରିଥିଲେ । କିଛି ବସ୍ରେ ନିଆଁ ଲଗାଇ ଦେଇଥିଲେ । ଆନ୍ଦୋଳନ ନେଇ ପଂଜାବୀ ଗାୟକ ଦୀପ ସିନ୍ଧୁ ଓ କଂଗ୍ରେସ ସାଂସଦ ଶଶୀ ଥରୁଙ୍କ ସମେତ ଶତାଧିକ ବ୍ୟକ୍ତିଙ୍କ ନାଁରେ ଏତଲା ହୋଇଥିଲା ।