Monday, September 9, 2024
Homeଚିନ୍ତା: ସ୍ମାର୍ଟସିଟିରେ ଡାଇରିଆ
Array

ଚିନ୍ତା: ସ୍ମାର୍ଟସିଟିରେ ଡାଇରିଆ

ଭୁବନେଶ୍ବର: ସ୍ମାର୍ଟସିଟି ‘ରାଉରକେଲା’ରେ ଡାଇରିଆ (ଝାଡ଼ାବାନ୍ତି) ବ୍ୟାପିଛି। ୭ ଜଣ ଲୋକଙ୍କର ମୃତ୍ୟୁ ହୋଇଯିବା ପରେ ପ୍ରଶାସନ ଓ ସରକାର ପାଇଁ ଚିନ୍ତା ବଢ଼ି ଯାଇଛି। ସ୍ଥିତି ନିୟନ୍ତ୍ରଣ ପାଇଁ ତତ୍ପରତା ପ୍ରକାଶ ପାଇଛି। ଝାଡ଼ାବାନ୍ତି କାରଣରୁ ଚଳିତ ଏକ ସପ୍ତାହ ମଧ୍ୟରେ ରାଉରକେଲା ଓ ଏହାର ଆଖପାଖ ଅଞ୍ଚଳର ୨୦୦ରୁ ଊର୍ଦ୍ଧ୍ବ ଲୋକ ଆକ୍ରାନ୍ତ ହୋଇ ସାରିଛନ୍ତି। ଆକ୍ରାନ୍ତମାନଙ୍କ ମଧ୍ୟରୁ ଅଧିକାଂଶ ଲୋକଙ୍କୁ ଡାକ୍ତରଖାନାରେ ଭର୍ତ୍ତି ହେବାକୁ ପଡିଛି। ଡାଇରିଆ କେଉଁ କାରଣରୁ ବ୍ୟାପିଛି, ସେନେଇ ଯଦିଓ ପ୍ରକୃତ କାରଣ ଜଣାପଡ଼ି ନାହିଁ, ତଥାପି ଏହାକୁ ଆମର ଅପାରଗତା କୁହାଯିବ। ଖାଦ୍ୟ ହେଉ ବା ପାନୀୟ ଜଳ ସମସ୍ୟା କାରଣରୁ ଡାଇରିଆ ବ୍ୟାପିଥିବା ସ୍ବାସ୍ଥ୍ୟ ବିଶେ‌ଷଜ୍ଞମାନେ ମତ ଦିଅନ୍ତି। ଯଦି ପାନୀୟ ଜଳ କାରଣରୁ ହୋଇଥାଏ, ତା’ହେଲେ ଓଡ଼ିଶାକୁ ପାନୀୟ ଜଳ କ୍ଷେତ୍ରରେ ଅନ୍ତର୍ଜାତୀୟ ପୁରସ୍କାର କେଉଁ ଆଧାରରେ ମିଳିଲା ତାହା ପ୍ରଶ୍ନବାଚୀ ଛିଡ଼ା କରିପାରେ। 

କିଛି ବର୍ଷ ପୂର୍ବରୁ ଦୁର୍ଗମ ଓ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଡାଇରିଆ ବ୍ୟାପିବା ଖବର ଆସୁଥିଲା। ସେଠାକାର ବ୍ୟବସ୍ଥାରେ ଅନୁନ୍ନତ କାରଣରୁ ଶହଶହ ଲୋକ ପ୍ରାଣ ହରାଉଥିଲେ। ଭିତ୍ତିଭୂମି ନଥିବା ସ୍ଥାନରେ ଡାଇରିଆ କାରଣରୁ ଯେତେବେଳେ ପୋକମାଛି ପରି ଲୋକଙ୍କ ମୃତ୍ୟୁ ହେଉଥିଲା, ତାହା ଆଶ୍ଚର୍ଯ୍ୟ ଲାଗୁ ନଥିଲା। ମାତ୍ର କ୍ଷୋଭର ବିଷୟ ହେଲା ଯେ, ରାଜ୍ୟର ୨ ନମ୍ବର ସ୍ମାର୍ଟସିଟିରେ ଡାଇରିଆ ବ୍ୟାପିବା ଦୁର୍ଭାଗ୍ୟଜନକ। ରାଜ୍ୟ ସରକାର ସ୍ବାସ୍ଥ୍ୟ ଭିତ୍ତିଭୂମି ନେଇ ଯେତେ‌ ଡେଙ୍ଗୁରା ପିଟନ୍ତୁ ପଛେ ଏହାକୁ ଅପାରଗ କୁହାଯିବାରେ କୌଣସି ଭୁଲ ହେବ ନାହିଁ।

ସହରବାସୀଙ୍କ ଚିନ୍ତା


ଗତବର୍ଷ ରାଉରକେଲାରେ ପୁରୁଷ ହକି ବିଶ୍ବକପର ଆୟୋଜନ ହୋଇଥିଲା। ବିଶ୍ବର କୋଣଅନୁକୋଣରୁ ଏଠାକୁ କ୍ରୀଡ଼ାବିତ୍‌, ଦର୍ଶକ ଓ କ୍ରୀଡ଼ା ପ୍ରଶଂସକ ଆସିଥିଲେ। ହକି ପାଇଁ ରାଜ୍ୟ ସରକାର ‌ଶହଶହ କୋଟି ଟଙ୍କା ଖର୍ଚ୍ଚ କରିଥିଲେ। ରାଉରକେଲାରେ ବୃହତ୍‌ ଶିଳ୍ପକାରଖାନା ରହିଛି। ଏନ୍‌ଆଇଟି ସମେତ ଆହୁରି ଅନେକ ଜାତୀୟ ସ୍ତରୀୟ ଅନୁଷ୍ଠାନ ରହିଛି। ତେଣୁ ଏଠାରେ ଦେଶ ବିଦେଶରୁ ଲୋକଙ୍କର ଯାତାୟତ ହୋଇଥାଏ। ଏବେ ଡାଇରିଆ ବ୍ୟାପିବା କାରଣରୁ ସହରବାସୀଙ୍କର ଚିନ୍ତା ବଢ଼ିଯାଇଛି।

ପ୍ରଶାସନର କସରତ

ଝାଡ଼ାବାନ୍ତି ବ୍ୟାପିବା କାରଣରୁ ସ୍ଥିତି ଅଣାୟତ୍ତ ହୋଇଛି। ଏହାର ମୁକାବିଲା କରିବାକୁ ଉଭୟ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ କସରତ୍‌ ଆରମ୍ଭ ହୋଇଛି। ଗତ ୭ ଦିନରେ ୭ ଜଣଙ୍କ ମୃତ୍ୟୁ ଓ ପ୍ରାୟ ୨୦୦ ଡାଇରିଆ ରୋଗୀ ରାଉରକେଲା ସରକାରୀ ଡାକ୍ତରଖାନା (ଆର୍‌ଜିଏଚ୍‌)ରେ ଭର୍ତ୍ତି ହେଲେଣି। ଏମାନଙ୍କ ମଧ୍ୟରୁ କିଛି ରୋଗୀ ଭଲହୋଇ ଘରକୁ ଫେରିଛନ୍ତି। ଆର୍‌ଜିଏଚ୍‌ ଛଡ଼ା ସହରର ହାଇଟେକ୍‌ ମେଡିକାଲ କଲେଜ, ରାଜସ୍ଥାନ ସେବାସଦନ, ଇସ୍ପାତ ଜେନେରାଲ ହସ୍ପିଟାଲ, ଜୟପ୍ରକାଶ ଆଦି ବିଭିନ୍ନ ହସ୍ପିଟାଲରେ ୧୫୦ରୁ ଅଧିକ ରୋଗୀ ଚିକିତ୍ସିତ ହେଉଥିବା ଜଣାପଡ଼ିଛି। ଏହି ସଂଖ୍ୟା ଆହୁରି ବଢ଼ିପାରେ ବୋଲି ଅନୁମାନ କରାଯାଉଛି। ଆର୍‌ଜିଏଚ୍‌ରେ ଏକକାଳୀନ ଏତେ ସଂଖ୍ୟକ ଡାଇରିଆ ରୋଗୀ ଭର୍ତ୍ତି ହୋଇଥିବାରୁ ବେଡ୍‌ ମିଳୁନି। କିଛି ରୋଗୀ ତଳେ ଶୋଇ ଚିକିତ୍ସିତ ହେଉଛନ୍ତି। ପ୍ରାୟ ୮୦% ରୋଗୀ ଜଳାପୋଡ଼ା, ଅସ୍ତ୍ରୋପଚାର, ସଂକ୍ରମଣ, ଡେଙ୍ଗୁ ଓ କ୍ୟାବିନ୍‌ ୱାର୍ଡରେ ଭର୍ତ୍ତି ହୋଇଛନ୍ତି। ଦୂଷିତ ପାଣି ନା ବାସି ଖାଦ୍ୟ ଖାଇବାରୁ ଏଭଳି ସ୍ଥିତି ଉପୁଜିଛି, ତାହା ସ୍ପଷ୍ଟ ହୋଇନି।

ସ୍ବାସ୍ଥ୍ୟ ବିଭାଗର ପଦକ୍ଷେପ

ୱାଟ୍‌କୋ ପକ୍ଷରୁ ଗତ କିଛିଦିନ ହେଲା ପାଇପ୍‌ରେ ମଇଳା ପାଣି ଆସୁଥିବାରୁ ଏଭଳି ସମସ୍ୟା ସୃଷ୍ଟି ହୋଇଥିବା ଅନୁମାନ କରାଯାଉଛି। ଆର୍‌ଜିଏଚ୍‌ କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶରେ ୱାଟ୍‌କୋ ଅଧିକାରୀ ସହରର ବିଭିନ୍ନ ଅଞ୍ଚଳରୁ ପାଣିର ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ଭୁବନେଶ୍ବର ଲ୍ୟାବ୍‌କୁ ପଠାଇଛନ୍ତି। ଏଥିସହ ଆକ୍ରାନ୍ତ ରୋଗୀମାନଙ୍କ ମଳ ମଧ୍ୟ ପରୀକ୍ଷା ପାଇଁ ଭୁବନେଶ୍ବର ପଠାଯାଇଛି। ପରିସ୍ଥିତି ଅଣାୟତ୍ତ ହେଉଥିବାରୁ ସୁନ୍ଦରଗଡ଼ ଜିଲ୍ଲାପାଳ ଡକ୍ଟର ପରାଗ ହର୍ଷଦ ଗାଭାଲି ଶୁକ୍ରବାର ଆଭାସୀ ବୈଠକ ଜରିଆରେ ସ୍ଥିତି ସମୀକ୍ଷା କରିଛନ୍ତି। ଡାଇରିଆ ବ୍ୟାପିବା ଓ ମୃତ୍ୟୁ ପରେ ସଜାଗ ହୋଇଛି ସ୍ବାସ୍ଥ୍ୟ ବିଭାଗ। ଏକ ରାଜ୍ୟସ୍ତରୀୟ ଟିମ୍ ରାଉରକେଲା ଗସ୍ତରେ ଯାଇଛନ୍ତି। ଦୁଇ ଜଣ ଯୁଗ୍ମ ନିର୍ଦ୍ଦେଶକ ପଦବିର ଅଧିକାରୀ ଘଟଣାସ୍ଥଳକୁ ଯିବା ସହିତ ଆରଏମ୍‌ଆରସି ସହ ସମନ୍ବୟ ରକ୍ଷା କରିବେ।

୫ ବର୍ଷରେ ୪୩୦ ମୃତ

ରାୟଗଡ଼ାର କାଶୀପୁର ସମେତ ଆଦିବାସୀ ତଥା ଦୁର୍ଗମ ଅଞ୍ଚଳରେ ପ୍ରତିବର୍ଷ ଡାଇରିଆ କାରଣରୁ ଲୋକଙ୍କର ମୃତ୍ୟୁ ହେଉଛି। ଗତବର୍ଷ ସ୍ବାସ୍ଥ୍ୟମନ୍ତ୍ରୀ ବିଧାନସଭାରେ ଦେଇଥିବା ସୂଚନା ଅନୁସାରେ ରାଜ୍ୟରେ ୨୦୨୨ରେ ୪୩୨ଜଣ ଡାଇରିଆରେ ଆକ୍ରାନ୍ତ ଥିବା ବେଳେ ୧୭ଜଣଙ୍କ ମୃତ୍ୟୁ ହୋଇଥିଲା। କିନ୍ତୁ ୩ବର୍ଷର ବ୍ୟବଧାନ ପରେ ରାଜ୍ୟରେ ପୁଣିଥରେ କଲେରା(ହଇଜା) ଚିହ୍ନଟ ହୋଇଛି ବୋଲି ସ୍ବାସ୍ଥ୍ୟମନ୍ତ୍ରୀ କହିଥିଲେ। ୨୦୧୯ ମସିହାରେ ରାଜ୍ୟରେ ଏଥିରେ ୯ଜଣ ଆକ୍ରାନ୍ତ ହୋଇଥିଲେ। ରାଜ୍ୟରେ ୫ ବର୍ଷରେ ୪୩୦ ଜଣ ଲୋକଙ୍କର ମୃତ୍ୟୁ ହୋଇଥିଲା।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments