Wednesday, November 13, 2024
Homeଖବରପ୍ରମୁଖ ଖବରଚିଲି ଅଗ୍ନିକାଣ୍ଡରେ ଶତାଧିକ ଜୀବନ ହାରିଲେ

ଚିଲି ଅଗ୍ନିକାଣ୍ଡରେ ଶତାଧିକ ଜୀବନ ହାରିଲେ

ଭୁବନେଶ୍ବର: ଜଳବାୟୁ ପରିବର୍ତ୍ତନ ପରିବେଶ ଉପରେ ବ୍ୟାପକ ପ୍ରଭାବ ପକାଉଛି। ଖରା, ବର୍ଷା ଓ ଶୀତର ଠିକ୍‌ ଠିକଣା ରହୁନାହିଁ। କେତେବେଳେ କେଉଁପ୍ରକାରର ପାଗ ରହିବ ତାହା ସୁନିଶ୍ଚିତ ହେଉନାହିଁ। ମାଘ ମାସ ଆରମ୍ଭ ହୋଇଛି। ଏହି ସମୟରେ ପ୍ରବଳ ଶୀତ ହୋଇଥାଏ। ସକାଳୁ ସକାଳୁ ବାହାରକୁ ବାହାରିବା କଷ୍ଟ ହୋଇ ପଡ଼ିଥାଏ। ମାତ୍ର ପରିବେଶ ଉପରେ ଜଳବାୟୁ ଏତେ ପ୍ରଭାବ ପକାଇଛି ଯେ, ରାତିର ତାପମାତ୍ରା ୨୪ ଡିଗ୍ରି ରହୁଛି। ଗତ ୬
ତାରିଖ ଦିନ ସମୟରେ ଓଡ଼ିଶାରେ ସର୍ବାଧିକ ୩୫ ଡିଗ୍ରି ସେଲସିୟସ ରହିଛି।

ଘଞ୍ଚ ଜଙ୍ଗଲ ଓ ପ୍ରାକୃତିକ ପରିବେଶପୂର୍ଣ୍ଣ ମୟୂରଭଂଜ ଓ କନ୍ଧମାଳ ଜିଲ୍ଲାରେ ମଧ୍ୟ ଶୀତ ଉଭାନ ହୋଇଯାଇଛି। ମାଘ ମାସର ଶୀତ ଆଉ ନାହିଁ। ଅତୀତରେ ମାଘ ମାସର ଶୀତକୁ ବାଘ ସହିତ ତୁଳନା କରାଯାଉଥିଲା। ଜାଡ଼କୁ ବରଫ ସହିତ ତୁଳନା କରାଯାଉଥିଲା। ଶ୍ରଦ୍ଧାଳୁମାନେ ଯେତେବେଳେ ମାଘ ବ୍ରତ ରଖୁଥିଲେ, ବୁଡ଼ ପକାଇବା କଷ୍ଟସାଧ୍ୟ ହୋଇଯାଉଥିଲା। ଶ୍ରଦ୍ଧାଳୁମାନେ ଗାଧୋଇ ସାରିବା ପାଖରେ କାଠ ଜାଳି ନିଆଁ ପାଖରେ ବସୁଥିଲେ। ସେହି ଭଳିଆ ଶୀତ ଆଉ କାହିଁ। ଚଳିତ ବର୍ଷ ପାଣିପାଗ ଯେଉଁଭଳି ଭାବେ ଆଭାସ ଦେଉଛି, ସ୍ଥିତି ଅଲଗା ହୋଇପାରେ। ଏଥର ଗ୍ରୀଷ୍ଣଋତୁରେ ସର୍ବାଧିକ ତାପମାତ୍ରା ୪୮ ଡିଗ୍ରି ଛୁଇଁପାରେ ବୋଲି ଆଶଙ୍କା ଦେଖାଯାଇଛି।

ବିଶ୍ବବ୍ୟାପୀ ଲୋକେ ପ୍ରଭାବିତ

ଜଳବାୟୁ ପରିବର୍ତ୍ତନ କେବଳ ଭାରତ ନୁହେଁ। ବରଂ ଅନ୍ୟ ଦେଶର ଲୋକେ ମଧ୍ୟ ଏହା ଦ୍ବାରା ପ୍ରଭାବିତ ହୋଇଛନ୍ତି। କିଛି ଦିନ ହେଲା ଚିଲିର ଜଙ୍ଗଲରେ ଭୟଙ୍କର ନିଆଁ ଲାଗିଛି। ନିଆଁର ଭୟାବହତା ଏତେ ପରିମାଣରେ ବଢ଼ିଯାଇଛି ଯେ, ଏଥିରେ ଶତାଧିକ‌ ଲୋକଙ୍କର ମୃତ୍ୟୁ ହୋଇସାରିଛି। ଅଗ୍ନିଶମ ବାହିନୀ ଯେତେ‌ ଚେଷ୍ଟା କରୁଥିଲେ ମଧ୍ୟ ନିଆଁ ବ୍ୟାପିବା କମୁ ନାହିଁ। ବରଂ ବଢ଼ି ବଢ଼ି ଚାଲିଛି। ରାଷ୍ଟ୍ରପତି ଗେବ୍ରିୟାଲ ଚେତାବନୀ ଦେଇଛନ୍ତି ଯେ, ମୃତକଙ୍କ ସଂଖ୍ୟା ଆହୁରି ବଢ଼ିପାରେ। ଅଗ୍ନିକାଣ୍ଡ କାରଣଣୁ ନୀରିହ ପଶୁପକ୍ଷୀ ଅଧିକ ଯନ୍ତ୍ରଣା ପାଉଛନ୍ତି। ଯେଉଁ ଜନ୍ତୁମାନେ ପ୍ରାଣ ବିକଳରେ ଅନ୍ୟତ୍ର ପଳାଉଛନ୍ତି, ଜଙ୍ଗଲ ନଷ୍ଟ ହେଲା ପ‌ରେ ରହିବେ କେଉଁଠି। ଅଗ୍ନିକାଣ୍ଡ ଘଟଣାକୁ ଗୁରୁତ୍ବର ସହିତ ନେଇ ପ୍ରଶାସନ କିଛି ସହରରେ କର୍ଫ୍ୟୁ ଜାରି କରିଛି।

ଶତାଧିକ ମୃତ, ୧୬୦୦ ବାସହୀନ

ଚିଲିର ଜଙ୍ଗଲରେ ଲାଗିଥିବା ନିଆଁ କାରଣରୁ ଶତାଧିକ ଲୋକଙ୍କର ମୃତ୍ୟୁ ହୋଇସାରିଛି। ଅନ୍ତର୍ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ପ୍ରାୟ ୧୬୦୦ ଲୋକ ଗୃହହୀନ ହୋଇଯାଇଛନ୍ତି। ଦେଶର ପୂର୍ବ ଭାଗରେ ବସବାସ କରୁଥିବା ଅଞ୍ଚଳରେ କେବଳ ଧୂଆଁ ଦେଖାଯାଉଛି। ଏହି କାରଣରୁ ଲୋକେ ଘରୁ ବାହାରି ପାରୁ ନାହାନ୍ତି। ଜଣେ ଅଧିକାରୀ କହିଛନ୍ତି, ଅଗ୍ନିକାଣ୍ଡ ଯୋଗୁଁ ଶତାଧିକ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ଆହୁରି ୨୦୦ରୁ ଅଧିକ ଲୋକ ନିଖୋଜ ଅଛନ୍ତି। ତେଣୁ ମୃତ୍ୟୁ ସଂଖ୍ୟା ବଢ଼ିବା ଆଶଙ୍କା ରହିଛି।

ରାଷ୍ଟ୍ରପତିଙ୍କ ଅପିଲ

ପ୍ରାୟ ୩ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ଭିନା‌ ଡେଲ ମାର ସହର ହେଉଛି ଏକ ଲୋକପ୍ରିୟ ସମୁଦ୍ର କୂଳ ରିସର୍ଟ। ଏଠାରେ ଗ୍ରୀଷ୍ମଋତୁ ଆସିଲେ ଏକ ପ୍ରସିଦ୍ଧ ସଂଗୀତ ସମାରୋହର ଆୟୋଜନ ହୋଇଥାଏ। ରାଷ୍ଟ୍ରପତି ଗେବ୍ରିୟାଲ ବୋରିକ ଦେଶବାସୀଙ୍କୁ ସମ୍ବୋଧିକ କରି କହିଛନ୍ତି, ଅଗ୍ନିକାଣ୍ଡ ଯୋଗୁଁ ମୃତ୍ୟୁ ସଂଖ୍ୟା ବଢ଼ିପାରେ। କାରଣ ଭାଲପରାଇସୋ ଅଞ୍ଚଳର ୪ଟି ସ୍ଥାନରେ ଭୟାବହ ଅଗ୍ନିକାଣ୍ଡ ହୋଇଛି। ଅଗ୍ନିଶମ ବାହିନୀଙ୍କୁ ନିଆଁ ଲିଭାଇବାରେ ବହୁ ସଂଘର୍ଷ କରିବାକୁ ପଡ଼ିଛି। ତେଣୁ ଏଭଳି ସମୟରେ ସମସ୍ତେ ସହଯୋଗ ପାଇଁ ଆଗକୁ ଆସିବା ଦରକାର।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments