‘ଚୈତ୍ର’ରେ ଦେବୀପୀଠ ଚଳଚଂଚଳ

    0
    88

    ଭୁବନେଶ୍ବର: ଓଡ଼ିଆ କ୍ୟାଲେଣ୍ଡରରେ ଆଶ୍ବିନ ଓ ଚୈତ୍ରକୁ ଦେବୀଙ୍କ ମାସ କୁହାଯାଇଥାଏ। ଏହି ଦୁଇ ମାସରେ ଦେବୀପୀଠଗୁଡ଼ିକ ଚଳଚଞ୍ଚଳ ହୋଇ ଉଠିଥାଏ। ଦେବୀମାନେ ଚଳପ୍ରଚଳ କରିଥାନ୍ତି। ଅନ୍ୟମାସଗୁଡ଼ିକ ତୁଳନାରେ ପୂଜାପାଠ ଅଧିକ ହୋଇଥାଏ। ଦେବୀପୀଠଗୁଡ଼ିକରେ ଭକ୍ତଙ୍କର ଭିଡ଼ ଅଧିକ ଆଗମନ ହୋଇଥାଏ। ସେହିପରି ମାନସିକବ୍ରତଧାରୀମାନେ ମା’ଙ୍କ  ଶରଣ ନେଇଥାନ୍ତି। ମନୋସ୍କାମନା ପୂର୍ଣ୍ଣ ହୋଇଥିବା ଶ୍ରଦ୍ଧାଳୁମାନେ ମା’ଙ୍କ ଠାରେ ଭୋଗ ଅର୍ପଣ କରିଥାନ୍ତି। କିଛି ପୀଠରେ ବଳି ଦେବାର ପ୍ରଥା ମଧ୍ୟ ଥାଏ।
    ଚୈତ୍ର ମାସର ମଙ୍ଗଳବାର ଦିନ ମା’ ମଙ୍ଗଳାଙ୍କ ଠାରେ ସ୍ବତନ୍ତ୍ର ପୂଜାର୍ଚ୍ଚନା କରାଯାଇଥାଏ। ପୁରୀ ଜିଲ୍ଲା କାକଟପୁରସ୍ଥିତ ମା’ ମଙ୍ଗଳାପୀଠରେ ମାସସାରା ଭକ୍ତଙ୍କର ଅଧିକ ସମାଗମ ହୋଇଥାଏ। ଏଠାରେ ମଙ୍ଗଳବାର ଦିନଗୁଡ଼ିକରେ ଶ୍ରଦ୍ଧାଳୁଙ୍କର ଭାରି ଭିଡ଼ ଲାଗି ରହିଥାଏ। ସେହିପରି ପୂରା ଓଡ଼ିଶାରେ କେଉଁ ପୂରୁଣାକାଳରୁ ପ୍ରତିଘରେ ମଙ୍ଗଳାଙ୍କ ପୂଜାର୍ଚ୍ଚନାପ୍ରଚଳିତ ହୋଇଆସିଛି। ଗ୍ରାମାଞ୍ଚଳ ଠାରୁ ନେଇ ସହରାଂଚଳ ପର୍ଯ୍ୟନ୍ତ ଆଶ୍ବିନ ଓ ଚୈତ୍ରମାସରେ ମଙ୍ଗଳାଙ୍କୁ ପୂଜା କରାଯାଏ। ଘରେ ଓ ଦାଣ୍ଡରେ ମା’ଙ୍କୁ ପୂଜାର୍ଚ୍ଚନା କରାଯାଇଥାଏ।

    ପଣା ସଂକ୍ରାନ୍ତି ଯାଏଁ ଦଣ୍ଡନାଚ

    ଦଣ୍ଡନାଚ ହେଉଛି ଓଡ଼ିଶାର ଅନ୍ୟତମ ପୁରୁଣା ସଂସ୍କୃତି। ଚୈତ୍ର ମାସରେ ଗଂଜାମ ସମେତ, ବୌଦ୍ଧ, ସୁବର୍ଣ୍ଣପୁର, ଖୋର୍ଦ୍ଧା, ସମ୍ବଲପୁର ଜିଳ୍ଲାଗୁଡ଼ିକରେ ଦଣ୍ଡ ବୁଲିଥାନ୍ତି। ଦଣ୍ଡଯାତ୍ରା ମାଧ୍ୟମରେ ମହାଦେବ ଓ ଦେବୀଙ୍କୁ ମାନସିକବ୍ରତଧାରୀମାନେ ପ୍ରାୟ ଏକମାସ ଯାଏଁ ବୁଲାନ୍ତି। ପଣା ସଂକ୍ରାନ୍ତିରେ ଏହି ଦଣ୍ଡଯାତ୍ରା ଶେଷ ହୋଇଥାଏ। କିଛି ମାନସିକ ଭାବେ ଦଣ୍ଡକୁ ଦିନକ ପାଇଁ ରଖି ପୂଜା କରିଥାନ୍ତି। ଦଣ୍ଡ ପାର୍ଟିରେ ଥିବା ଦଣ୍ଡୁଆଙ୍କୁ ଖାଇବାକୁ ଦିଅନ୍ତି। ଗାଁ ଲୋକେ ମଧ୍ୟ ଦଣ୍ଡପାର୍ଟିଗୁଡ଼ିକ ରଖନ୍ତି। ଏହି ଦଣ୍ଡପାର୍ଟିରେ ୩୦ରୁ ୨୦୦ ଲୋକ ସାମିଲ ହୋଇଥାନ୍ତି।

    ହିଙ୍ଗୁଳା ଯାତ୍ରା ଆରମ୍ଭ

    ଅନୁଗୁଳ ଜିଲ୍ଲା ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା ହିଙ୍ଗୁଳାଙ୍କ ପ୍ରସିଦ୍ଧ ଯାତ୍ରା ଚୈତ୍ରମାସରେ ଅନୁଷ୍ଠିତ ହୋଇଥାଏ। ଚଳିତ ବର୍ଷ ଗୋପାଳଗଡ଼ସ୍ଥିତ ମାଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି। ମା’ଙ୍କ ଯାତ୍ରା ପାଇଁ ସମଗ୍ର ତାଳଚେର ଅଞ୍ଚଳ ଚଳଚଞ୍ଚଳ ହୋଇ ଉଠିଛି। ଚଳିତ ବର୍ଷ ମାଙ୍କ ମନ୍ଦିରଠାରୁ ମାତ୍ର କିଛି ମିଟର ଦୂରରେ ଉଭାସ୍ଥଳ ହୋଇଥିବାରୁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ସମାଗମ ହେବାର ଆଶଙ୍କା ରହିଛି। ଶ୍ରଦ୍ଧାଳୁଙ୍କ ଭିଡ଼କୁ ଦୃଷ୍ଟିରେ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଶୃଙ୍ଖଳିତ ଦର୍ଶନ, ଭିଡ଼ ଓ ଟ୍ରାଫିକ୍ ନିୟନ୍ତ୍ରଣ ଲାଗି ମଧ୍ୟ ବ୍ୟବସ୍ଥା କରାଯାଇଛି। ସମଗ୍ର ପୀଠକୁ ସିସିଟିଭି ନଜରରେ ରଖାଯାଇଛି। ଶାନ୍ତିଶୃଙ୍ଖଳା ରକ୍ଷା କରିବାକୁ ବ୍ୟାପକ ପୁଲିସ ମୁତୟନ କରାଯାଇଛି। ସେହିପରି ଖରା ଓ ଅଂଶୁଘାତକୁ ଦୃଷ୍ଟିରେ ରଖି ମେଡିକାଲ୍ ଟିମ୍ ବ୍ୟବସ୍ଥା କରାଯାଇଛି। ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ ଏହି ମେଳା ଚାଲିବ।

    ବ୍ରହ୍ମପୁରର ବୁଢ଼ୀଠାକୁରାଣୀ ଯାତ୍ରା

    ବ୍ରହ୍ମପୁର କେବଳ ବାଣିଜ୍ୟ କ୍ଷେତ୍ର ପାଇଁ ପ୍ରସିଦ୍ଧି ଲାଭ କରିଛି ତାହାନୁହଁ। ବରଂ ଏଠାକାର ଠାକୁରାଣୀ ଯାତ୍ରା ରାଜ୍ୟ ତଥା ପଡୋଶୀରେ ସୁନାମ ଅର୍ଜନ କରିଛି। ବ୍ରହ୍ମପୁରର ଅଧିଷ୍ଠାତ୍ରୀ ମା’ ବୁଢ଼ୀସାଆନ୍ତଣୀ ଠାକୁରାଣୀଙ୍କ ଦ୍ବିବାର୍ଷିକ ଯାତ୍ର ମଙ୍ଗଳବାର ଆରମ୍ଭ ହୋଇଯାଇଛି। ଯାତ୍ରାର ମୁଖ୍ୟପୁରୋଧା ତଥା ପ୍ରଚଳିତ ମାବୁଢ଼ୀ ଠାକୁରାଣୀଙ୍କ ବାପା ଦେଶୀବେହେରା ଏହି ଆୟୋଜନର ସମସ୍ତ କାର୍ଯ୍ୟ ପାଇଁ ଯୋଜନା କରିଥିବା ଜଣାପଡିଛି। ଠାକୁରାଣୀ ଯାତ୍ରାରେ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶର ଲକ୍ଷାଧିକ ଭକ୍ତଙ୍କର ସମାଗମ ହୋଇଥାଏ।  

    ମା’ ତାରିଣୀ, ମଝିଘରିଆଣୀଙ୍କ ଚଇତି ପର୍ବ

    କେନ୍ଦୁଝର ଜିଲ୍ଲା ଘଟଗାଁର ମା’ ତାରିଣୀଙ୍କ ଚଇତି ପର୍ବ ଆସନ୍ତା ୯ ତାରିଖ ଠାରୁ ଏକ ସପ୍ତାହ ଯାଏଁ ଜାରି ରହିବ। ଏଥିପାଇଁ ମା’ଙ୍କ ପୀଠକୁ ସଜ୍ଜିତ କରାଯାଉଛି। ୯ ତାରିଖରେ ମା’ଙ୍କ ଷୋଡ଼ଶ ଉପଚାର ପୂଜା ସହ ମଙ୍ଗଳ ଆଳତି, ବଡ଼ସିଂହାର ପୂଜା କରାଯିବ। ପ୍ରତିଦିନ ମା’ଙ୍କ ସୁନାବେଶ କରାଯିବ। ଘଟଗାଁ ବ୍ରାହ୍ମଣ ସମାଜ ପକ୍ଷରୁ ଦେବୀସ୍ତୁତି ଓ ଗୀତାପାଠ କରାଯିବ। ଏହାଛଡ଼ା ପୀଠରେ ଭାଗବତ ପାଠ, ଚଣ୍ତୀପାଠ ଓ ପାଲାମଣ୍ତପରେ ସତ୍ୟନାରାୟଣ ପୂଜା ଅନୁଷ୍ଠିତ ହେବ। ସେହିପରି ରାୟଗଡାର ଅଧିଷ୍ଠାତ୍ରୀ ଦେବୀ ମା’ ମଝିଘରିଆଣୀଙ୍କ ଚୈତ୍ର ପର୍ବ ଆରମ୍ଭ ହୋଇଯାଇଛିଛି। ମା’ଙ୍କର ଏହି ପର୍ବ ୧ ତାରିଖ ଠାରୁ ଆରମ୍ଭ ହୋଇଥିଲା ବେଳେ ୫ ତାରିଖ ପର୍ଯ୍ୟନ୍ତ ଜାରି ରହିବ। ଏହି ପାଞ୍ଚ ଦିନ ମା’‘ଶ୍ରଦ୍ଧାଳୁଙ୍କୁ ସୁନା ବେଶରେ ଦର୍ଶନ ଦେଇଛନ୍ତି।  

    LEAVE A REPLY

    Please enter your comment!
    Please enter your name here