Saturday, October 5, 2024
Homeଚୋରଙ୍କ ନଜରରେ ଚନ୍ଦନ ଗଛ
Array

ଚୋରଙ୍କ ନଜରରେ ଚନ୍ଦନ ଗଛ

ଭୁବନେଶ୍ୱର: ଚନ୍ଦନ ଗଛ ହେଉଛି ଦୁର୍ଲଭ । ଏହା ଏକ ଅମୂଲ୍ୟ ପ୍ରାକୃତିକ ସଂପଦ । ହିନ୍ଦୁଧର୍ମର ପୂଜାପାର୍ବଣରେ ଚନ୍ଦନ କାଠର ମହତ୍ତ୍ୱ ଅନ୍ୟ କାଠ ତୁଳନାରେ ନିଆରା । ଦେବାଦେବୀଙ୍କ ପୂଜାରେ ଚନ୍ଦନର ବ୍ୟବହାର ହୋଇଥାଏ । ଚନ୍ଦନ କାଠରୁ ପ୍ରସ୍ତୁତ ଚନ୍ଦନ ମହମହ ବାସ୍ନା ହୋଇଥାଏ । ଜଗତର ନାଥ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅନ୍ୟତମ ପ୍ରିୟ ଜିନିଷ ହେଉଛି ଚନ୍ଦନ । ଠାକୁରଙ୍କ ପାଖରେ ବ୍ୟବହାର ହେଉଥିବାରୁ ଚନ୍ଦନକାଠକୁ ପ୍ରତ୍ୟେକ ଓଡ଼ିଆ ଘରେ ରଖିବାକୁ ଆଗ୍ରହ ପ୍ରକାଶ କରିଥାନ୍ତି । ଦୋକାନରେ ଛୋଟ ଚନ୍ଦନ କାଠ ଖଣ୍ଡେର ମୂଲ୍ୟ ବହୁତ । ତେଣୁ ମାଫିଆମାନେ ଚନ୍ଦନ ଗଛ ଉପରେ ନଜର ରଖିଥାନ୍ତି । ଅତୀତରେ ବିଭିନ୍ନ ସ୍ଥାନରୁ ଚନ୍ଦନ ଗଛ ଚୋରି ହୋଇଥିବା ନଜିର ରହିଛି । ଚନ୍ଦନ କାଠ ବିକ୍ରି କରି କୋଟିପତି ହେବାକୁ ଚାହିଁଥାନ୍ତି ।

ତେବେ କ୍ଷୋଭର ବିଷୟ ହେଲା ଯେ, ପୂର୍ବ ଭଳି ଆଉ ଚନ୍ଦନ ଗଛ ରାଜ୍ୟରେ ଦେଖିବାକୁ ମିଳୁନାହିଁ । ପୂର୍ବରୁ ଦକ୍ଷିଣ ଓଡ଼ିଶାର ଅଧିକାଂଶ ଜଙ୍ଗଲରେ ଦେଖାଯାଉଥିବା ଏହି ଦୁର୍ଲଭ ଚନ୍ଦନ ଗଛ ଦିନକୁ ଦିନ ଲୋପ ପାଇବାକୁ ଯାଉଛି । କେବଳ ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ବନଖଣ୍ଡରେ ରକ୍ତ ଚନ୍ଦନ ଗଛ ରହିଛି । ଏହା ବି ଅଳ୍ପ ସଂଖ୍ୟାରେ । ଲାବଣ୍ୟଗଡ଼ ଜଙ୍ଗଲ ଓ କିଞ୍ଚିଲିଙ୍ଗ ବିଟ୍‌ରେ କିଛି ରକ୍ତଚନ୍ଦନ ଗଛ ରହିଛି । ଅନ୍ୟ ସ୍ଥାନରେ ଯେଉଁ ସାମାନ୍ୟ ଚନ୍ଦନ ଗଛ ରହିଛି, ତା’ ଉପରେ ଚୋର ଓ ମାଫିଆମାନଙ୍କର ନଜର ରହିଛି । ରାଜ୍ୟର ସବୁଠାରୁ ସୁରକ୍ଷିତ ସ୍ଥାନ କୁହାଯାଉଥିବା ରାଜଭବନ ପରିସରରୁ ଦୁର୍ବୃତ୍ତମାନେ ଚନ୍ଦନ ଗଛ ନେଇଗଲେ । ପୁଲିସ ଚୋରମାନଙ୍କୁ ଧରିବାରେ ବିଫଳ ହୋଇଛି ।

ମନ୍ଦିରରୁ ଚନ୍ଦନ ଗଛ ଚୋରି

ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ଥାନା ଅନ୍ତର୍ଗତ ଏକ ଶିବମନ୍ଦିର ପରିସରରୁ ୧୫ ବର୍ଷରୁ ଥିବା ଏକ ଚନ୍ଦନ ଗଛକୁ ଦୁର୍ବୃତ୍ତମାନେ ବୁଧବାର ରାତିରେ ଚୋରି କରିନେଇଛନ୍ତି । ପାଖରେ ଥିବା ଅନ୍ୟ ଏକ ଗଛରୁ ଅଧା କାଟି ନେଇଛନ୍ତି । ଦୁର୍ବୃତ୍ତମାନେ କୋଇଡାର ବରିଷ୍ଠ ନାଗରିକ ବିଶ୍ୱନାଥ ଭଞ୍ଜଙ୍କ ଘରୁ ମଧ୍ୟ ଚନ୍ଦନ ଗଛ ଚୋରି କରିଛନ୍ତି । ଗତବର୍ଷ ଜୁନ ମାସରେ ଚୋରମାନେ ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକର ସ୍ଥାନୀୟ ବାବା ସ୍ୱପ୍ନେଶ୍ୱର ମନ୍ଦିର ପରିସରରୁ ଏକ ଚନ୍ଦନ ଗଛ ରାତାରାତି କାଟି ନେଇଥିଲେ । ୨୦ ଫୁଟର ଏହି ଗଛ ବହୁ ବର୍ଷ ଧରି ଏଠାରେ ଥିଲା । ମନ୍ଦିର ପୂଜକ ମଙ୍ଗଳୁ ମହାପାତ୍ର ଘଟଣାର ପରଦିନ ସକାଳୁ ଏବିଷୟରେ ଅବଗତ ହୋଇଥିଲେ ।

ପୁଲିସ ଓ ବନ ବିଭାଗକୁ ଖାତିର ନାହିଁ

ଚୋରମାନେ ପୁଲିସ ଓ ବନ ବିଭାଗକୁ ଆଦୌ ଖାତିର କରୁନାହାନ୍ତି । ଗତବର୍ଷ ଜୁନ ମାସରେ ତାଳଚେର ଉତ୍ତର କେନ୍ଦ୍ରାଞ୍ଚଳ ଡିଆଇଜିଙ୍କ ସରକାରୀ ବାସଭବନରୁ ଚନ୍ଦନ ଗଛ ଚୋରି ହୋଇଥିଲା । ମାତ୍ର ଘଟଣାର ୨୪ ଘଣ୍ଟା ମଧ୍ୟରେ ପୁଲିସ ଚୋରମାନଙ୍କୁ ଠାବ କରିବାରେ ସଫଳ ହୋଇଥିଲା । ପୁଲିସ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହିତ ସେମାନଙ୍କ ଠାରୁ ୧୧ ଖଣ୍ଡ ଚନ୍ଦନ କାଠ ଗଣ୍ଡି ଜବତ କରିଥିଲା । ୨୦୨୦ ନଭେମ୍ବର ମାସର ଘଟଣା । କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁରସ୍ଥିତ ପୁରୁଣା ବନପାଳଙ୍କ କାର୍ଯ୍ୟାଳୟ ପରିସରୁ ଏକ ଚନ୍ଦନ ଗଛକୁ ଦୁର୍ବୃତ୍ତମାନେ କାଟି ନେଇଥିଲେ । ବନବିଭାଗର ପୁରୁଣା କାର୍ଯ୍ୟାଳୟ ନିକଟରେ ଥିବା ସନ୍ତୋଷ ପଟ୍ଟନାୟକଙ୍କ ଚନ୍ଦନ କଛକୁ ମଧ୍ୟ କାଟି ନୋବକୁ ଚୋରମାନେ ଉଦ୍ୟମ କରିଥିଲେ ।

୪ ବର୍ଷରେ ୩୦ ହଜାର ଘନ ଫୁଟ କାଠ ଜବତ

କେବଳ ଚନ୍ଦନ ଗଛ ନୁହେଁ । ବରଂ କାଠ ମାଫିଆମାନେ ଅନ୍ୟ ମୂଲ୍ୟବାନ ଗଛ ଯଥା, ଶାଗୁଆନ, ଶାଳ, ପିଆଶାଳ ଆଦି ଉପରେ ମଧ୍ୟ ନଜର ରଖୁଛନ୍ତି । ବନ ବିଭାଗ କିଛି ମାଫିଆମାନଙ୍କୁ ଧରିପାରୁଥିବା ବେଳେ ଅନେକ ଖସି ଯିବାରେ ସଫଳ ହେଉଛନ୍ତି । ୨୦୧୭-୧୮ରୁ ୨୦୨୦-୨୦୨୧ ଆର୍ଥିକ ବର୍ଷରେ ୩୦ ହଜାର ୫୮୨ ଘନ ମିଟର କାଠ ଚାଲାଣ କରୁଥିବା ବେଳେ ଧରାପଡ଼ିଛନ୍ତି । ଏହି ସମୟ ମଧ୍ୟରେ ୨୦୮୧ଟି ଗାଡ଼ି ଜବତ ହୋଇଛି । ଅନୁଗୁଳ, କଳାହାଣ୍ଡି, କନ୍ଧମାଳ, କୋରାପୁଟ,  ବଲାଙ୍ଗୀର, ବୌଦ୍ଧ, ସମ୍ବଲପୁର, ସୁନ୍ଦରଗଡ଼, ଗଜପତି, ଗଂଜାମ, ମୟୂରଭଂଜ, ମାଲକାନଗିରି, ଢେଙ୍କାନାଳ ଜିଲ୍ଲାରେ କାଠମାଫିଆମାନେ ଧରାପଡ଼ିଛନ୍ତି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments