ଭୁବନେଶ୍ବର: ରାଜ୍ୟରେ ଏବେ କିଛି ଦିନ ହେଲା ଜିଲ୍ଳାସ୍ତରୀୟ ନୂଆ-ଓ ଉତ୍ସବ ‘ଯୁବ ଓଡ଼ିଶା ନବୀନ ଓଡ଼ିଶା’ କାର୍ଯ୍ୟକ୍ରମ ଜାରି ରହିଛି। ଜିଲ୍ଲାଗୁଡ଼ିକ ପାଇଁ ଭିନ୍ନ ଭିନ୍ନ ତାରିଖରେ ଆୟୋଜନ କରାଯାଉଥିବା ଏହି କାର୍ଯ୍ୟକ୍ରମରେ ଦୃଶ୍ୟମାନ ହେଉଛନ୍ତି ୫-ଟି ତଥା ଆମ ଓଡ଼ିଶା ନବୀନ ଓଡ଼ିଶାର ଅଧ୍ୟକ୍ଷ ଭି କାର୍ତ୍ତିକ ପାଣ୍ଡିଆନ୍। ଛାତ୍ରଛାତ୍ରୀମାନେ କିଭଳି ଭାବେ ଜୀବନରେ ସଫଳତା ହାସଲ କରିବେ ସେଥିପାଇଁ ଶ୍ରୀ ପାଣ୍ଡିଆନ୍ ପରାମର୍ଶ ଦେଉଛନ୍ତି। ସେ କହୁଛନ୍ତି ଯେ, ଛାତ୍ରଛାତ୍ରୀମାନେ ଏବେ ସେମାନଙ୍କର ଜୀବନର ଏକ ଗୁରୁତ୍ବପୂର୍ଣ୍ଣ ପାହାଚରେ ଅଛନ୍ତି। ସେମାନଙ୍କ ଲାଗି ଏଇ ୫ ବର୍ଷ ଅତି ଗୁରୁତ୍ବପୂର୍ଣ୍ଣ। ପିଲାଙ୍କ ଲାଗି ଏହା ସୁବର୍ଣ୍ଣ ସମୟ। ୫ ବର୍ଷରେ ଯାହା କରିବେ ଉଜ୍ଜଳ ଭବିଷ୍ୟତ ଲାଗି କାମ ଦେବ। ସେଥିଲାଗି ଛାତ୍ରଛାତ୍ରୀ ପାଠ ପଢ଼ିବା ନିହାତି ଦରକାର। ଜୀବନରେ ସଫଳତା ହାସଲ କରିବାକୁ ହେଲେ ସାମଗ୍ରିକ ବ୍ୟକିତ୍ବର ବିକାଶ କରିବାକୁ ପଡ଼ିବ। ନିଜ ନିଜ ଭିତରେ ଥିବା ଅନ୍ତର୍ନିହିତ ପ୍ରତିଭାକୁ ବାହାରକୁ ଆଣିବାକୁ ପଡ଼ିବ। ଜୀବନରେ ବହୁତ ବଡ଼ ସଫଳତା ପାଇବାକୁ ହେଲେ ବ୍ୟକ୍ତିତ୍ବର ବିକାଶ ନିହାତି ଆବଶ୍ୟକ।
୫-ଟି ଅଧ୍ୟକ୍ଷ ଶ୍ରୀ ପାଣ୍ଡିଆନ କହୁଛନ୍ତି, ନୂଆ-ଓ କାର୍ଯ୍ୟକ୍ରମ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆରମ୍ଭ କରିଛନ୍ତି । କୌଣସି ପ୍ରତିଯୋଗିତାରେ ଜିତିବା ତୁଳନାରେ ଅଂଶଗ୍ରହଣ ଅତି ଗୁରୁତ୍ବପୂର୍ଣ୍ଣ। ବିଜୟ ଖୁସି ଦେବ ହେଲେ ଅଂଶଗ୍ରହଣ ଆପଣଙ୍କୁ ଜୀବନର ଗୁରୁତ୍ବପୂର୍ଣ୍ଣ ଶିକ୍ଷା ପ୍ରଦାନ କରିବ। ସଫଳତା ହାସଲ ଲାଗି ଛାତ୍ରଛାତ୍ରୀ ଶାରୀରିକ ବ୍ୟାୟାମ ସହ ୧୫ ମିନିଟ ଧ୍ୟାନ କରାଯିବା ଦରକାର। ସଫଳତା ପାଇବାକୁ ଦିନକୁ ୧୪ ଘଣ୍ଟା ପରିଶ୍ରମ କରିବାକୁ ହେବ। କଠିନ ପରିଶ୍ରମର ଅନ୍ୟ କୌଣସି ବିକଳ୍ପ ନାହିଁ। ସାମାଜିକ ଗଣମାଧ୍ୟମରେ କମ ସମୟ ଅପଚୟ କରିବାକୁ ହେବ। ଏହାସହ ବାପା, ମା ଓ ଗୁରୁଜନଙ୍କ କଥା ମାନି ସେମାନଙ୍କୁ ସମ୍ମାନ ପ୍ରଦାନ କରିବାକୁ ହେବ। ୫ ବର୍ଷ ଖଟିଲେ ଆସନ୍ତା ୫୦ ବର୍ଷ ଖୁସିରେ ରହିବେ।
୫ଟି ଅଧ୍ୟକ୍ଷଙ୍କ ଅଦ୍ଭୁତ ପରାମର୍ଶ
ଛାତ୍ରଛାତ୍ରୀମାନଙ୍କୁ ୫ଟି ଅଧ୍ୟକ୍ଷ ୧୪ ଘଣ୍ଟା ପରିଶ୍ରମ କରିବାକୁ ପରାମର୍ଶ ଦେଉଛନ୍ତି। କିନ୍ତୁ ଆମ ଓଡ଼ିଶା କାର୍ଯ୍ୟକ୍ରମରେ ସାମିଲ ହେବାକୁ କହୁଛନ୍ତି। ଯଦି ଜଣେ ଛାତ୍ର ଏହିଭଳି କାର୍ଯ୍ୟକ୍ରମ ପାଇଁ ଦୀର୍ଘ ସମୟ ପର୍ଯ୍ୟନ୍ତ ନିଜର ବହୁ ମୂଲ୍ୟବାନ ସମୟ ଖର୍ଚ୍ଚ କରିବ। ତା’ହେଲେ କେମିତି ୧୪ ଘଣ୍ଟା ପାଠପଢ଼ାରେ ମନ ଲଗାଇବ। ଅନ୍ୟ କାମ କେତେବେଳେ କରିବ ଓ ବିଶ୍ରାମ ନେବ। ପିଲାମାନଙ୍କର ପାଠପଢ଼ାରେ ବ୍ୟାଘାତ ସୃଷ୍ଟି ହେବ ବୋଲି ରାଜ୍ୟ ସରକାର କିଛି ବର୍ଷ ହେଲା ଛାତ୍ର ସଂସଦ ନିର୍ବାଚନ ବାତିଲ କରିଦେଇଥିବା ବେଷଳେ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ମାଧ୍ୟମରେ ସରକାରଙ୍କ ପ୍ରଚାର କରିବା କେତେଦୂର ଯୁକ୍ତିଯୁକ୍ତ। ପିଲାମାନଙ୍କୁ ପାଠ ପଢ଼ିବା ପାଇଁ ସୁଯୋଗ ଦିଆଯିବା ଦରକାର। ପୂର୍ବରୁ କଲେଜ କର୍ତ୍ତୃପକ୍ଷ ଯେଉଁଭଳି ଭାବେ ବାର୍ଷିକ କାର୍ଯ୍ୟକ୍ରମ କରୁଥିଲେ, ସେହିଭଳି କରିବା ଦରକାର। ଛାତ୍ରଛାତ୍ରୀମାନଙ୍କର ବାର୍ଷିକ ପରୀକ୍ଷା ପାଖେଇ ଆସୁଥିବା ବେଳେ ସରକାରୀ କାର୍ଯ୍ୟକ୍ରମରେ ସେମାନଙ୍କୁ ଯୋଗଦେବା ପାଇଁ ଡକାଯାଉଥିବାରୁ ପାଠପଢ଼ାରେ ବ୍ୟାଘାତ ସୃଷ୍ଟି ହୋଇପାରେ ବୋଲି ମଧ୍ୟ ଆଶଙ୍କା କରାଯାଉଛି।
ଘୁଞ୍ଚିଲା ବିଶ୍ବବିଦ୍ୟାଳୟର ପରୀକ୍ଷା
ନୂଆ-ଓ’ କାର୍ଯ୍ୟକ୍ରମ ପାଇଁ ସମ୍ବଲପୁରସ୍ଥିତ ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟରେ ୨୦୨୪ ଜାନୁଆରି ୧୩ ତାରିଖ ଦିନ ହେବାକୁ ଥିବା ବିଭିନ୍ନ ଶ୍ରେଣୀର ପରୀକ୍ଷା ବାତିଲ କରିଦିଆଯାଇଥିଲା। ଏହାର କାରଣ ଥିଲା ଜାନୁଆରି ୧୩ ତାରିଖ ଦିନ ସମ୍ବଲପୁର ମନ୍ଦୋଲିଆ ଗ୍ରାଉଣ୍ଡରେ ନୂଆ-ଓ କାର୍ଯ୍ୟକ୍ରମ। ତେଣୁ ପରୀକ୍ଷା ଘୁଞ୍ଚାଇବାକୁ ଜିଲ୍ଲା ପରିଷଦ ପକ୍ଷରୁ ୟୁନିଭରସିଟିକୁ ଚିଠି ଲେଖାଯାଇଥିଲା। ଏହା ପରେ ସମ୍ବଲପୁର ଜିଏମ୍ ୟୁନିଭରିସିଟିର ପରୀକ୍ଷା ଘୁଞ୍ଚିଥିଲା। ଫଳରେ ଏହି ପରୀକ୍ଷାକୁ ହେବାକୁ ଥିବା ପରୀକ୍ଷା ୨୪ ତାରିଖରେ ହେବ। ଏସଂପର୍କିତ ନିର୍ଦ୍ଦେଶନାମା ମଧ୍ୟ ୟୁନିଭରସିଟି ପକ୍ଷରୁ ଜାରି କରାଯାଇଛି। ଏହା ସହିତ କାର୍ଯ୍ୟକ୍ରମରେ ବହୁତ ଭିଡ଼ ହେବାର ସମ୍ଭାବନା ଥିବାରୁ ଯେଉଁ ଛାତ୍ରଛାତ୍ରୀ ସାମ୍ସ ପୋର୍ଟାଲରେ ପଂଜୀକୃତ ହୋଇଥିବେ, କେବଳ ସେମାନେ ଏହି କାର୍ଯ୍ୟକ୍ରମରେ ଭାଗ ନେଇପାରିବେ ବୋଲି ଜିଲ୍ଲା ପରିଷଦ ସମ୍ବଲପୁର ପକ୍ଷରୁ କୁହାଯାଇଥିଲା। ଆଗରୁ ପଂଜୀକୃତ ହୋଇନଥିବା ପିଲାଙ୍କୁ ମନ୍ଦଲିଆ ପଡ଼ିଆରେ ପ୍ରବେଶ ପାଇଁ ଅନୁମତି ଦିଆଯିବନି ବୋଲି କୁହାଯାଇଥିଲା।
ତେଲ କଢ଼େଇରେ ପଡ଼ିଲେ ଛାତ୍ରୀ
ଗତ ୧୦ ତାରିଖ ଦିନ ରାୟଗଡ଼ାରେ ନୂଆ-ଓ, ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମରେ ଅଘଟଣ ଦେଖିବାକୁ ମିଳିଥିଲା।। ଖାଇବକୁ ନପାଇ ଠେଲାପେଲାରେ ତେଲ କଢେଇରେ ପଡ଼ି ଦୁଇ ଜଣ ଛାତ୍ରୀ ଗୁରୁତର ହୋଇଥିଲେ। ସେମାନଙ୍କୁ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟରେ ଗୁରୁତର ଅବସ୍ଥାରେ ଭର୍ତ୍ତି କରାଯାଇଥିଲା। ନୂଆ-ଓ ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଆସିଥିବା ରାୟଗଡ଼ା ମହିଳା ମହାବିଦ୍ୟାଳୟର ଯୁକ୍ତ ଦୁଇ ଛାତ୍ରୀ ଦୀପାଲି ନାୟକ ଖାଇବାକୁ ଯାଉଥିବା ସମୟରେ ଠେଲାପେଲାରେ ତେଲ କଢ଼େଇରେ ପଡ଼ିଯାଇଥିଲେ। ସେ ଖାଇବା ପାଇଁ ଲାଇନରେ ଯାଉଥିବା ବେଳେ ଠେଲାପେଲାରେ ସେ ତେଲ କଢେଇ ଉପରେ ପଡିଯାଇଥିଲେ। ସେହିପରି ରୋଷେଇ ନିମନ୍ତେ ବ୍ୟବହାର ହୋଇଥିବା ତେଲ କଡ଼େଇରୁ ତେଲ ପଡ଼ି ଗୁଣୁପୁର ମହାବିଦ୍ୟାଳୟ ଯୁକ୍ତ ଦୁଇ କଳା ଛାତ୍ରୀ ମେନକା ଶବର ମଧ୍ୟ ଗୁରୁତର ଆହତ ହୋଇଥିଲେ।
ବିଜେଡିର ପ୍ରଚାର କରୁଛି ପ୍ରଶାସନ: କଂଗ୍ରେସ
ରାୟଗଡ଼ାରେ ଅଘଟଣ ପରେ କଂଗ୍ରେସର ବରିଷ୍ଠ ନେତା ବିଜୟ ପଟ୍ଟନାୟକ ଗସ୍ତ କରିଥିଲେ। ସେ କହିଥିଲେ, ନୂଆ-ଓ ଉତ୍ସବ କାର୍ଯ୍ୟକ୍ରମରେ ଗରମ ତେଲ କଢ଼େଇରେ ପଡ଼ିବାରୁ ଛାତ୍ରୀ ଦୀପାଂଜଳି ନାୟକ ଗୁରୁତର ହୋଇ ଜିଲ୍ଳା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ। ଏହି ଘଟଣା ଦୁର୍ଭାଗ୍ୟଜନକ ନୁହେଁ। ଏହା ମଣିଷକୃତ। ଜିଲ୍ଳାର ବିଭିନ୍ନ କଲେଜଗୁଡିକରୁ ହଜାର ହଜାର ସଂଖ୍ୟାରେ ଛାତ୍ରଛାତ୍ରୀଙ୍କୁ ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେବା ନିମନ୍ତେ ଅନୁଷ୍ଠାନଗୁଡିକର ଅଧ୍ୟକ୍ଷମାନଙ୍କୁ ନାଲି ଆଖି ଦେଖାଇ ବସ ଯୋଗେ ଉପସ୍ଥିତ କରାଇବା ସହ ପରୀକ୍ଷା ପାଖେଇ ଆସୁଥିବା ବେଳେ ସେମାନଙ୍କୁ ପାଠପଢାରୁ ବିରତି କରାଇବା ଏବଂ ସରକାରୀ ଖର୍ଚ୍ଚରେ ବିଭିନ୍ନ ବ୍ୟୟବହୁଳ କାର୍ଯ୍ୟକ୍ରମ କରାଇବା ଆଦୌ ଯୁକ୍ତି ସଂଗତ ନୁହେଁ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ।