Monday, October 14, 2024
Homeଖବରପ୍ରମୁଖ ଖବରଛୁଟି ମିଳୁନି କି ଦରମା ବଢୁନି

ଛୁଟି ମିଳୁନି କି ଦରମା ବଢୁନି

ଭୁବନେଶ୍ବର: ସରକାରୀ ଚାକିରି ଖଣ୍ଡେ ପାଇବା ପାଇଁ ଯୁବପିଢ଼ିଙ୍କ ମଧ୍ୟରେ ବଡ଼ଧରଣର ପ୍ରତିଯୋଗିତା ଚାଲିଛି। ଭଲ ଦରମା ପାଇବା ଆଶାରେ ଯୁବପିଢ଼ି ନିଜକୁ ବହୁତ ଦକ୍ଷ କରିବାରେ ଲାଗିପଡୁଛନ୍ତି। ଅନେକ ଯୁବକ ୧୦ ବର୍ଷରୁ ଊର୍ଦ୍ଧ୍ବ ସମୟ ପର୍ଯ୍ୟନ୍ତ ପ୍ରସ୍ତୁତି କରୁଥିଲେ ମଧ୍ୟ ପ୍ରତିଯୋଗିତାମୂଳକ ପରୀକ୍ଷାରେ କୃତକାର୍ଯ୍ୟ ହୋଇପାରୁ ନାହାନ୍ତି। ଅନ୍ୟପଟରେ ଆହୁରି ଅନେକ ଯୁବପିଢ଼ି ଅସାଧୁ ଉପାୟ ଅବଲମ୍ବନ କରି ଚାକିରି ହାତାଉଥିବା ମଧ୍ୟ ଅଭିଯୋଗ ହେଉଛି। ଯେଉଁମାନେ ସରକାରୀ ଚାକିରି କରୁଛନ୍ତି, ବହୁତ ଚାପଗ୍ରସ୍ତରେ ରହୁଥିବା ମଧ୍ୟ କୁହନ୍ତି। ସରକାରୀ କଳର ଚାପର ବଶବର୍ତ୍ତୀ ହୋଇ କର୍ମଚାରୀମାନେ ଜୀବନ ହାରିବାକୁ ମଧ୍ୟ ପଛାଉ ନାହାନ୍ତି। ସବୁଠାରୁ କ୍ଷୋଭର ବିଷୟ ହେଲା ରାଜ୍ୟ ସରକାରଙ୍କ ଜଣେ ଅଧିକାରୀ ସରକାରୀ କ୍ବାର୍ଟରରେ ଜୀବନ ହାରିବା ଘଟଣା।

ଉପରସ୍ଥ ଅଧିକାରୀ ଓ କର୍ମଚାରୀମାନେ ତାଙ୍କ ତଳସ୍ତରର କର୍ମଚାରୀମାନଙ୍କୁ ମାନସିକ ନିର୍ଯ୍ୟାତନା ଦେଉଥିବା ମଧ୍ୟ ଅଭିଯୋଗ ହେଉଛି। ବାଲେଶ୍ବର ଜିଲ୍ଲା ସିମୁଳିଆ ବିଡିଓ ବିଶ୍ବରଂଜନ ମହାନ୍ତି ଓ ନବରଂଗପୁର ଜିଲ୍ଲା ରାଇଘର ବ୍ଲକ ଅଲେଖ ମହିମା ଉଚ୍ଚବିଦ୍ୟାଳୟର ବିଜ୍ଞାନ ଓ ଗଣିତ ଶିକ୍ଷକ ଆଶିଷ କୁମାର ସ୍ୱାଇଁଙ୍କ ସ୍ତ୍ରୀମାନେ ଏଭଳି ଅଭିଯୋଗ ଆଣିଛନ୍ତି। ଦୁଇ ଜଣ ସରକାରୀ କର୍ମଚାରୀଙ୍କ ସ୍ତ୍ରୀମାନଙ୍କର କହିବା ଅନୁସାରେ ସେମାନଙ୍କ ଉପସ୍ଥ କର୍ମଚାରୀମାନେ ଛୁଟି ଦେଉ ନଥିଲେ। ଫଳରେ ତାଙ୍କ ସ୍ବାମୀମାନେ ମାନସିକ ଭାରସାମ୍ୟ ହରାଇଥିଲେ। ଶେଷରେ ଉପାୟ ଶୂନ୍ୟ ହୋଇ ପ୍ରାଣ ହାରିଥିଲେ।

ଜୀବନ ହାରିଲେ ବିଡିଓ

ସିମୁଳିଆ ବିଡିଓ ବିଶ୍ବରଂଜନ ମହାନ୍ତି (୫୧)ଙ୍କ ଝୁଲନ୍ତା ମୃତଦେହ ଗୁରୁବାର ତାଙ୍କ ସରକାରୀ ବାସଭବନରୁ ଉଦ୍ଧାର ହୋଇଥିଲା। ଜିଲ୍ଲାପାଳ ଛୁଟି ଦେଉ ନଥିବାରୁ ମାନସିକ ଚାପର ଶିକାର ହୋଇ ଶ୍ରୀ ମହାନ୍ତି ଏଭଳି ଚରମ ନିଷ୍ପତ୍ତି ନେଇଥିବା ଚର୍ଚ୍ଚା ହେଉଛି। କାରଣ ସେ ସବୁଦିନ ପରି ଗୁରୁବାର ଦିନ ସକାଳ ୧୦ଟାରେ ବିଶ୍ବରଂଜନ ମହାନ୍ତି ବ୍ଲକ୍ କାର୍ଯ୍ୟାଳୟକୁ ଆସିଥିଲେ। ପ୍ରାୟ ସାଢ଼େ ୧୧ଟା ବେଳକୁ ସେ ଶରୀର ଅସୁସ୍ଥ ଥିବା କହି ୧୦୦ ମିଟର ଦୂର ବ୍ଲକ୍ କଲୋନିସ୍ଥିତ ସରକାରୀ ବାସଭବନକୁ ଚାଲିଯାଇଥିଲେ। ଅପରାହ୍ନ ୫ଟା ଯାଏ ଅଫିସ୍ ନଆସିବାରୁ ଜଣେ ପିଅନ ତାଙ୍କ ପାଖକୁ ଯାଇଥିଲେ। ଶ୍ରୀ ମହାନ୍ତିଙ୍କ ବାସଭବନର କବାଟ ଭିତରୁ ପଟୁ ବନ୍ଦ ଥିବା ଦେଖି ଡାକପକାଇଥିଲେ। ହେଲେ ସେ ଶୁଣି ନଥିଲେ। ଫଳରେ ପିଅନ ଜଣକ କାର୍ଯ୍ୟାଳୟର ଅନ୍ୟ କର୍ମଚାରୀଙ୍କୁ ଜଣାଇଥିଲେ। କର୍ମଚାରୀମାନେ ପହଞ୍ଚି ବହୁ ଡକାଡକି କରିବା ସହ ଫୋନ୍ ଲଗାଇଥିଲେ ଏବଂ କଲିଂ ବେଲ୍ ବଜାଇଥିଲେ। କିନ୍ତୁ କେହି ଫୋନ୍ ଉଠାଇ ନଥିଲେ କି ଘର ଭିତରୁ କୌଣସି ଉତ୍ତର ଆସି ନଥିଲା। ଖବର ପାଇ ସିମୁଳିଆ ତହସିଲଦାର ସୁନୀଲ କୁମାର ଟୁଡୁ ଏବଂ ସିମୁଳିଆ ଥାନା ଆଇଆଇସି ସ୍ୱର୍ଣ୍ଣଲତା ମିଞ୍ଜ ସେଠାରେ ପହଞ୍ଚିଥିଲେ। ବାସଭବନର କବାଟ ଭଙ୍ଗାଯିବାରୁ ବିଡିଓ ଶ୍ରୀ ମହାନ୍ତିଙ୍କର ମରଶରୀର ଏକ କୋଠରିର ଫ୍ୟାନ୍ରେ ଫାଶୀ ଦ୍ବାରା ଝୁଲୁଥିବା ଦେଖିବାକୁ ମିଳିଥିଲା।  

ଗୁରୁତର ଶିକ୍ଷକ ମେଡିକାଲରେ ଭର୍ତ୍ତି

ଶିକ୍ଷକ ଆଶିଷ କୁମାର ସ୍ୱାଇଁଙ୍କୁ ନେଇ ତାଙ୍କ ସ୍ତ୍ରୀ ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି ପ୍ରଧାନଶିକ୍ଷୟିତ୍ରୀ ଭୁବନ ମୋହିନୀ ନାୟକ ମୋ ସ୍ବାମୀଙ୍କୁ ନିର୍ଯାତନା ଦେଉଥିଲେ। ଫଳରେ ଆଶିଷ ଏମିତି ପଦକ୍ଷେପ ନେଇଥିଲେ। ଶିକ୍ଷକଙ୍କ ନିଜ ଘର କଟକ ଜିଲ୍ଲା ନିଆଳି ବ୍ଲକର ଶାସନପଦା। ଦେହ ଖରାପ ରହିଥିବା ସତ୍ତ୍ବେ ଛୁଟି ମିଳୁନଥିଲା। ଗତ ମାସରେ ଦରମା କଟି ଯାଇଥିବାରୁ ମାନସିକ ଚାପରେ ଥିଲେ ବୋଲି ମଧ୍ୟ ପତ୍ନୀ କହିଛନ୍ତି। ଆତ୍ମହତ୍ୟା ଉଦ୍ୟମ କରିଥିବା ଶିକ୍ଷକଙ୍କୁ ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ରାଇଘର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ଅବସ୍ଥା ଗମ୍ଭୀର ଥିବାରୁ ପ୍ରାଥମିକ ଚିକିତ୍ସା ପରେ କଟକ ସ୍ଥାନାନ୍ତର କରାଯାଇଛି।

ଅସନ୍ତୁଷ୍ଟ କର୍ମଚାରୀ

ରାଜ୍ୟରେ ଲକ୍ଷାଧିକ ସରକାରୀ କର୍ମଚାରୀ ଦରମା ବୃଦ୍ଧି ନେଇ ଅସନ୍ତୁଷ୍ଟ ଅଛନ୍ତି। ବିଭିନ୍ନ ସମୟରେ ଏହି ଭଳି ଅଭିଯୋଗ ଆସିଛି। ୬୨୦ ବର୍ଷର ଶତାଧିକ ଅଧ୍ୟାପକ ଦୀର୍ଘ ଦୁଇ ଦଶନ୍ଧି ଧରି କାର୍ଯ୍ୟରତ ଥିବା ବେଳେ ସେମାନଙ୍କର ଦାବି ସରକାର ମାନି ନାହାନ୍ତି। ଅଙ୍ଗନବାଡ଼, ଆଶା କର୍ମୀ, ଗାଁ ସାଥୀ, ବନ ବିଭାଗର କର୍ମଚାରୀମାନେ ଅସନ୍ତୁଷ୍ଟ ଅଛନ୍ତି। ବିଧାନସଭା ଅଧିବେଶନ ଆରମ୍ଭ ହେଲେ ଅସନ୍ତୁଷ୍ଟ ସରକାରୀ କର୍ମଚାରୀମାନେ ରାଜ୍ୟ ବିଧାନସଭା ସମ୍ମୁଖକୁ ଆସି ଦାବି କରୁଛନ୍ତି। କମ୍‌ ଦମାରରେ ସେମାନଙ୍କର ପରିବାର କିଭଳି ଭାବେ ଦୟନୀୟ ଅବସ୍ଥାରେ ଅଛି ତାହା ମଧ୍ୟ କୁହନ୍ତି।  

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments