Monday, September 9, 2024
Homeଜନ୍ମମାଟିରେ ଅନ୍ଧାରରେ ଭାଷଣ ଦେଲେ ରାଷ୍ଟ୍ରପତି
Array

ଜନ୍ମମାଟିରେ ଅନ୍ଧାରରେ ଭାଷଣ ଦେଲେ ରାଷ୍ଟ୍ରପତି

ଭୁବନେଶ୍ବର: ଆମେ ଓଡ଼ିଶାବାସୀ ଭାଗ୍ୟବାନ। ଦେଶକୁ ପ୍ରଥମ ଜନଜାତି ସଂପ୍ରଦାୟର ରାଷ୍ଟ୍ରପତି ଦେଇପାରିଛେ। ଭାରତର ପଞ୍ଚଦଶ ରାଷ୍ଟ୍ରପତି ଭାବେ ଗତବର୍ଷ ଜୁଲାଇ ୨୫ ତାରିଖରେ ଶପଥ ଗ୍ରହଣ କରିବା ଠାରୁ ଦ୍ରୌପଦୀ ମୁର୍ମୁ ୨ଥର ଓଡ଼ିଶା ଗସ୍ତ କରିସାରିଛନ୍ତି। ଦିଲ୍ଲୀରେ ଓଡ଼ିଶାର ବିଭିନ୍ନ ଗୋଷ୍ଠୀଙ୍କୁ ସମୟ ଦେଇଛନ୍ତି। ଓଡ଼ିଶାର ନାମକୁ ଆହୁରି ଉଜ୍ବଳ କରିଛନ୍ତି। ଓଡ଼ିଶାର ପରିଚୟ ଅନ୍ତର୍ଜାତୀୟ ସ୍ତରରେ ବଢ଼ାଇଛନ୍ତି। ହେଲେ କ୍ଷୋଭର କଥା ହେଲା ଯେ, ସେହି ମହୀୟସୀ ନିଜ ଜନ୍ମମାଟି (ମୟୂରଭଂଜ)ରେ ୯ମିନିଟ ଯାଏଁ ଅନ୍ଧାରରେ ରହି ଭାଷଣ ଦେଇଛନ୍ତି। ସେହି ଅନ୍ଧାର ଭିତରେ ଆଲୋକର ପରାମର୍ଶ ଦେଇଛନ୍ତି।

ବାରିପଦାସ୍ଥିତ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟର ଦ୍ବାଦଶ ସମାବର୍ତ୍ତନ ଉତ୍ସବରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶନିବାର ଯେତେବେଳେ ଅଭିଭାଷଣ ରଖୁଥିଲେ, ସେହି ସମୟରେ ବିଦ୍ୟୁତ୍ ସଂଯୋଗ ବିଛିନ୍ନ ହୋଇଯାଇଥିଲା। ଏହା ଥିଲା ପୂର୍ବାହ୍ନ ୧୧ଟା ୫୬ ମିନିଟରୁ ୧୨ଟା ୫ ମିନିଟର ଘଟଣା। ବିଦ୍ୟୁତ ବିଛିନ୍ନ ହେଲା ପରେ ସାରା ଅଡିଟୋରିୟମ ଅନ୍ଧାର ହୋଇଯାଇଥିଲା। କିନ୍ତୁ ଅନ୍ଧାର ଭିତରେ ରାଷ୍ଟ୍ରପତି ନିଜର ସମାବର୍ତ୍ତନ ଭାଷଣ ଜାରି ରଖିଥିଲେ। ଛାତ୍ରଛାତ୍ରୀଙ୍କୁ ଉଦବୋଧନ ଦେବା ବନ୍ଦ କରିନଥିଲେ କି  ତାଙ୍କ ମନରେ ବିରକ୍ତିଭାବ ପରିଲକ୍ଷିତ ହୋଇନଥିଲା। ଆଲୋକ ଓ ଅନ୍ଧକାରକୁ ସମାନ ଭାବରେ ଗ୍ରହଣ କରିବା ଉଚିତ ବୋଲି ପରାମର୍ଶ ଦେଇଥିଲେ।

ସ୍ମରଣୀୟ ରହିବ ମୟୂରଭଂଜ ଗସ୍ତ

ରାଷ୍ଟ୍ରପତି ହେଲା ପରେ ଦ୍ରୌପଦୀ ମୁର୍ମୁ ଓଡ଼ିଶାକୁ ୩ ଥର ଗସ୍ତ କରିଛନ୍ତି। ପ୍ରଥମ ଗସ୍ତ (୨୦୨୨ ନଭେମ୍ବର ୧୦-୧୧))ରେ ସେ ପୁରୀରେ ଶ୍ରୀଜିଉଙ୍କୁ ଦର୍ଶନ କରିଥିଲେ ଏବଂ ଭୁବନେଶ୍ବରରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ଦ୍ବିତୀୟ ଗସ୍ତ (ଗତ ଫେବ୍ରୁଆରି ୧୦ ଓ ୧୧)ରେ ଭୁବନେଶ୍ବର ଆସିଥିଲେ। ରମାଦେବୀ ବିଶ୍ବବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗଦେଇଥିଲେ। ତେବେ ଏହି ୨ଟି ଗସ୍ତ ସ୍ମରଣୀୟ ଥିଲା ବେଳେ ତାଙ୍କର ୩ୟ ଗସ୍ତକୁ ନେଇ ଚର୍ଚ୍ଚା ହେଉଛି। ତିନିଦିନିଆ ମୟୂରଭଂଜ ଗସ୍ତର ଅନ୍ତିମ ଦିବସରେ ଶନିବାର ବାରିପଦାରେ ସେ ୯ମିନିଟ ଯାଏଁ ଅନ୍ଧାରରେ ଭାଷଣ ଦେବାକୁ ନେଇ ପୂରା ଦେଶରେ ଚର୍ଚ୍ଚା ହେଉଛି। ଏଥି ସହିତ ଓଡ଼ିଶାର ବିକାଶ ଉପରେ ପ୍ରଶ୍ନବାଚୀ ଉଠିଛି। ବୁଦ୍ଧିଜୀବୀମାନେ ପ୍ରଶାସନିକ କାର୍ଯ୍ୟଦକ୍ଷତାକୁ ନାପସନ୍ଦ କରୁଛନ୍ତି।

ଗ୍ରହଣୀୟ ନୁହେଁ ଘଟଣା

ରାଜ୍ୟପାଳ ତଥା ବିଶ୍ବବିଦ୍ୟାଳୟର କୁଳାଧିପତି ପ୍ରଫେସର ଗଣେଶୀ ଲାଲ୍, ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଓ କୁଳପତି ସନ୍ତୋଷ ତ୍ରିପାଠୀଙ୍କ ଉପସ୍ଥିତିରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ସମୟରେ ଅଭାବନୀୟ ପରିସ୍ଥିତି ଘଟିଲା ପରେ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ, ଶକ୍ତି ବିଭାଗ, ସୂଚନା ଓ ଲୋକସଂପର୍କ ବିଭାଗ ଦୁଃଖ ପ୍ରକାଶ କରିଛି। ଏହିଅଭାବନୀୟ ଘଟଣାକୁ ଗ୍ରହଣୀୟ ନୁହେଁ ବୋଲି କହିଛନ୍ତି। ଏଭଳି ବିଦ୍ୟୁତ୍ ବିଭ୍ରାଟକୁ କେହି ସହଜରେ ଗ୍ରହଣ କରିପାରୁନାହାନ୍ତି। ଏବେ ଯେତେ ଯାହା ଦୁଃଖ ପ୍ରକାଶ କଲେ ଅଥବା କାର୍ଯ୍ୟାନୁଷ୍ଠାନ ନେଲେ ଚାଲିଯାଇଥିବା ଇଜ୍ଜତ ଫେରି ଆସିବ ନାହିଁ। ପ୍ରଶାସନକୁ ପୂର୍ବରୁ ଏଥି ପାଇଁ ସତର୍କ ହେବାର ଥିଲା।  

ତଦନ୍ତକୁ ଅପେକ୍ଷା

ସମାବର୍ତ୍ତନ ଉତ୍ସବ ଯେଉଠାରେ ଆୟୋଜନ ହୋଇଥିଲା, ସେହି ହଲର ଦାୟିତ୍ୱ ଇଡକୋ ନେଇଥିଲା। ଇଡକୋ ସେଠାରେ ଜେନେରେଟର ଯୋଗେ ବିଦ୍ୟୁତ ଯୋଗାଇଥିଲା। ଘଟଣା ସମୟରେ ୮ ଜଣ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ। ଏପରିକି ପୂର୍ବରୁ ବିଦ୍ୟୁତ୍ ସରବରାହର ବ୍ୟବସ୍ଥାର ଯାଞ୍ଚ ମଧ୍ୟ ସରିଥିଲା। ସମାବର୍ତ୍ତନ ସମାରୋହରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ସମୟରେ ବିଦ୍ୟୁଚ୍ ବିଛନ୍ନ ଘଟଣାରେ ବିଶ୍ୱବିଦ୍ୟାଳୟର ବିଦ୍ୟୁତ୍ କର୍ମଚାରୀ ଜୟନ୍ତ ତ୍ରିପାଠୀ ନିଲମ୍ବିତ ହୋଇଛନ୍ତି। କେନ୍ଦ୍ରାଞ୍ଚଳ ଆରଡିସି ସୁରେଶ ଦଳାଇ କହିଛନ୍ତି ଏହି ଘଟଣା କାହିଁକି ଘଟିଲା ଓ ଏଥିପାଇଁ ଦାୟୀ କିଏ ତାହା ଅନୁସନ୍ଧାନ କରାଯିବ। ଜିଲ୍ଲାପାଳଙ୍କ ସହ ଆଲୋଚନା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ। ଆର୍ଡିସି ସହ ବୈଠକ ପରେ ମୟୂରଭଞ୍ଜ ଜିଲ୍ଲାପାଳ ଭିନିତ୍ ଭରଦ୍ୱାଜ କହିଛନ୍ତି, ଘଟଣାର ତଦନ୍ତ କରାଯିବ। ତେବେ ବୈଷୟିକ ତ୍ରୁଟି ଯୋଗୁଁ ଏଭଳି ଘଟିଛି। ଏହି ଘଟଣାର ତଦନ୍ତ ପାଇଁ ୩ ଜଣିଆ କମିଟି ଗଠିତ ହୋଇଛି। ଏହି କମିଟି ଆସନ୍ତା ୧୨ ତାରିଖରେ ରିପୋର୍ଟ ଦେବା ପରେ ବିଦ୍ୟୁତ ବିଭାଗର ବିଶେଷଜ୍ଞଙ୍କ ସହ ଆଲୋଚନା ପରେ ଏହା ଉପରେ କର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ ବୋଲି କୁଳପତି ଶ୍ରୀ ତ୍ରିପାଠୀ କହିଛନ୍ତି।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments