ଭୁବନେଶ୍ୱର: କିଛି ସରକାରୀ ବାବୁମାନେ ଆଇନକୁ ନିଜ ହାତମୁଠାରେ ରଖିବାକୁ ଚାହାନ୍ତି । ନିଜକୁ ସର୍ବେସର୍ବା ବୋଲି ମନେକରନ୍ତି । ତାଙ୍କ ପାଇଁ ଦେଶର ଆଇନକାନୁନ ବୋଧେ କିଛି ନାହିଁ । ସରକାରୀ ବାବୁମାନେ ନିଜକୁ କ୍ଷମତାର ଅଧିକାରୀ ମନେ କରନ୍ତି, ସଂପର୍କରେ ଏଠାରେ ଏକ ରିପୋର୍ଟ ଉପସ୍ଥାପନ କରାଯାଇଛି । ବେଆଇନ ପରିଚାଳନା ଯୋଗୁଁ ଜବତ ହୋଇଥିବା ବାହନକୁ ସରକାରୀ ବାବୁମାନେ ବ୍ୟବହାର କରୁଛନ୍ତି । ଜବତ ହୋଇଥିବା ବାହାନର ବ୍ୟବହାର କରି ଗତ ଏପ୍ରିଲ ୨୦ ତାରିଖରେ ଯାଜପୁର ଜିଲ୍ଲା ବଡ଼ଚଣା ଆଇଆଇସି ଦୀପକ କୁମାର ଜେନା ଗିରଫ ହୋଇଥିବା ବେଳେ ଏବେ ପୁଣି କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗରରେ ବନ ବିଭାଗର ଅଧିକାରୀମାନେ ଜବତ ହୋଇଥିବା ଟ୍ରଲରରେ ପେଟ୍ରୋଲିଂ କରିଥିବା ନେଇ ଚର୍ଚ୍ଚା ହେଉଛି ।
ଘରୋଇ ଟ୍ରଲରରେ ସରକାରୀ ବାବୁ
ରାଜନଗର ବନବିଭାଗ କିଛି ଦିନ ତଳେ ସମୁଦ୍ରରେ ପାଟ୍ରୋଲିଂ କରିବା ସମୟରେ ବେଆଇନ ଭାବରେ ମାଛ ମାରୁଥିବା ଏକ ଟ୍ରଲରକୁ ଜବତ କରିଥିଲେ । ଏବେ ସେହି ଜବତ ଟ୍ରଲରରେ ଗହୀରମଥା ରେଂଜ ଅଧିକାରୀ ଦେବାଶିଷ ଭୋଇ, ବନପାଳ ପ୍ରଫୁଲ ମାଝି ଓ ଅନ୍ୟ କର୍ମଚାରୀମାନେ ସାମୁଦ୍ରିକ ଅଭୟାରଣ୍ୟକୁ ପାଟ୍ରୋଲିଂ କରିବାକୁ ଯାଇଥିଲେ । କିନ୍ତୁ ଯେତେଦିନ ପର୍ଯ୍ୟନ୍ତ ଜବତ ବାହନ ନେଇ ମାମଲାର ସମାଧାନ ହୋଇନାହିଁ ଏହାକୁ କେହିବି ବ୍ୟବହାର କରିପାରିବେ ନାହିଁ । ଏହା ନିୟମ ରହିଛି । ତେବେ କେଉଁ ଆଧାରରେ ବନ ବିଭାଗ ଜବତ ଟ୍ରଲରେ ପାଟ୍ରୋଲିଂ ପାଇଁ ସମୁଦ୍ର ଅଭୟାରଣ୍ୟକୁ ଯାଇଥିଲେ ବୋଲି ପ୍ରଶ୍ନ ଉଠୁଛି ।
୨ ସରକାରୀ ବୋଟ ଅଚଳ
ସୂଚନାଯୋଗ୍ୟ, ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟରେ ପାଟ୍ରୋଲିଂ ପାଇଁ ୨ଟି ସ୍ପିଡ ବୋଟ ରହିଛି । କିନ୍ତୁ ବର୍ତ୍ତମାନ ପରୀପ୍ରେକ୍ଷିରେ ଏଗୁଡ଼ିକ ଅଚଳ ଅବସ୍ଥାରେ ରହିଛି । ଗୋଟିଏ ସଂପୂର୍ଣ୍ଣ ଭାବେ ଅଚଳ ହୋଇଥିବା ବେଳେ ଅନ୍ୟଟି ମରାମତି ହୋଇଥିଲେ ବି କାର୍ଯ୍ୟକ୍ଷମ ହୋଇପାରି ନାହିଁ । ତେଣୁ ବନ ବିଭାଗର କର୍ମଚାରୀମାନେ ଜବତ ଟ୍ରଲରରେ ପାଟ୍ରୋଲିଂ କରିଛନ୍ତି ବୋଲି ଚର୍ଚ୍ଚା ହେଉଛି । ସୂତ୍ର ଅନୁସାରେ ବନ ବିଭାଗର କର୍ମଚାରୀମାନେ ଶୁକ୍ରବାର ଜବତ ଟ୍ରଲର ‘ମହାମାୟା’ରେ ସମୁଦ୍ରକୁ ପାଟ୍ରୋଲିଂ କରିବାକୁ ଯାଇଥିଲେ । ଏହି ସମୟରେ ସେମାନେ ‘ପାର୍ବତୀ’ ନାମକ ଏକ ଟ୍ରଲର ଉପରେ ଚଢ଼ାଉ କରିଥିଲେ । ‘ପାର୍ବତୀ’ରେ ୭ ଜଣ ମତ୍ସ୍ୟଜୀବୀ ଥିଲେ । ସେମାନଙ୍କୁ ଓ ସେମାନଙ୍କର ଠାରୁ ପ୍ରାୟ ୧ କୁଇଣ୍ଟାଲ ମାଛ ଜବତ ହୋଇଥିଲା । ଏହା ପରେ ବନ ବିଭାଗର ଏହି ଅଧିକାରୀମାନେ ଆହୁରି ୭ ଘଣ୍ଟା କାଳ ସମୁଦ୍ରରେ ପାଟ୍ରୋଲିଂ କରିଥିଲେ । ସେମାନେ ଭାବିଥିଲେ ଯେ, ତାଙ୍କର ଏହି ଗୋପନୀୟ କାମ ବିଷୟରେ କେହି ଜାଣିପାରିବେ ନାହିଁ ।
କିଏ କହୁଛନ୍ତି ସତ?
ବନପାଳ ପ୍ରଫୁଲ୍ଲ ମାଝିଙ୍କ କହିବା ଅନୁସାରେ ସେମାନେ ସରକାରୀ ଟ୍ରଲର ‘ଗହୀରମଥା-୨’ରେ ପାଟ୍ରୋଲିଂ ପାଇଁ ଯାଇଥିଲେ । କିନ୍ତୁ ଏସିଏଫ ବିରଂଚି ସାମଲଙ୍କ କହିବା ଅନୁଯାୟୀ ଗହୀରମଥା-୨ରୁ ପ୍ରବଳ ଧୂଆଁ ବାହାରୁଛି ଓ ଇଂଜିନ ଖୁବ ଶୀଘ୍ର ଗରମ ହୋଇଯାଉଥିବାରୁ ତାକୁ ବ୍ୟବହାର କରାଯାଉ ନାହିଁ । ଏହାର ସ୍ଥିତି ଭଲ ନଥିବାରୁ ସମୁଦ୍ରରେ ଯିବା ସମ୍ଭବ ନୁହେଁ । ଏଠାରେ ପ୍ରଶ୍ନ ଉଠୁଛି ଯେ, ସରକାରୀ ବାବୁ ସମୁଦ୍ର ପାଟ୍ରୋଲିଂ ବେଳେ କେଉଁ ଟ୍ରଲକୁ ବ୍ୟବହାର କରିଥିଲେ । ତଦନ୍ତ ପରେ ଘଟଣା ଲୋକଲୋଚନକୁ ଆସିବ ।
ଜବତ ସ୍କୋର୍ପିଓରେ ଲାଗିଥିଲା ହଳଦିଆ ବତୀ
ବଡ଼ଚଣା ଆଇଆଇସି ଦୀପକ କୁମାର ଜେନା ଜବତ ହୋଇଥିବା ଏକ ସ୍କର୍ପିଓରେ ହଳିଦଆ ବତୀ ଲଗାଇ ଗତ ଏପ୍ରିଲ ୧୯ ତାରିଖରେ ଶ୍ରୀମନ୍ଦିର ଦର୍ଶନ କରିଥିଲେ । ଏହା ପୁଣି ଲକଡାଉନ ସମୟରେ । କରୋନା ଭାଇରସ ମହାମାରୀ ସମୟରେ ସମଗ୍ର ବିଶ୍ୱ ଚିନ୍ତିତ ଥିବା ବେଳେ ଦୀପକ ଜେନା ଲକଡାଉନ ନିୟମ ଭଙ୍ଗ କରି ପରିବାର ଲୋକଙ୍କ ସହିତ ପୁରୀ ଯାଇ ଜଗନ୍ନାଥ ଦର୍ଶନ କରିଥିଲେ । ତାଙ୍କର ଏଭଳି କାର୍ଯ୍ୟ ଲାଗି ତାଙ୍କୁ ପୋଲିସ ଡିଜି ଅଭୟ ନିଲମ୍ବନ କରିଥିଲେ ।