ଭୁବନେଶ୍ବର: ଜନସଂଖ୍ୟା ବଢ଼ି ଚାଲିଛି। ଜନସଂଖ୍ୟା ବୃଦ୍ଧି କେବଳ ଓଡ଼ିଶା କି ଭାରତ ପାଇଁ ନୁହେଁ। ବରଂ ସମଗ୍ର ବିଶ୍ବ ପାଇଁ ଏହା ହେଉଛି ବଡ଼ ଚିନ୍ତାର ପ୍ରସଙ୍ଗ। ଜନସଂଖ୍ୟା ଯେଭଳି ଭାବରେ ଦ୍ରୁତଗତିରେ ବୃଦ୍ଧି ଘଟୁଛି, ସେହି ହିସାବରେ ଖାଦ୍ୟ, ବସ୍ତ୍ର ଓ ବାସଗୃହର ଆବଶ୍ୟକତା ରହୁଛି। ଆବଶ୍ୟକତା ଅନୁସାରେ ଯଦିଓ ଖାଦ୍ୟ ଓ ବସ୍ତ୍ର ମିଳିପାରୁଛି, କିନ୍ତୁ ବାସଗୃହ ଦିନକୁ ଦିନ ସଂକୁଚିତ ହେଉଛି। ଆବାସିକ ସ୍ଥାନ କମ୍ ପଡ଼ିଯିବା ଫଳରେ ଲୋକେ ସରକାରୀ ଜମି ଉପରେ ଜବରଦଖଲ କରୁଛନ୍ତି।
ସାରା ରାଜ୍ୟରେ ଜବରଦଖଲ ମାମଲା ଆସୁଛି। ତାହା ଗ୍ରାମ ହେଉ ଅବା ସହର। ଅବଶ୍ୟ ଗ୍ରାମାଂଚଳ ତୁଳନାରେ ସହରାଞ୍ଚଳରେ ଜବରଦଖଲ ଅଧିକ ଚର୍ଚ୍ଚା ହୋଇଥାଏ। କାରଣ ଗାଁରେ ଖାଲିଥିବା ସରକାରୀ ଜମି ବ୍ୟବହାର ହେଉ ନଥିବାରୁ ଭୂମିହୀନ ଅଥବା କମ ଜମି ଥିବା ଲୋକେ ଜବଦରଖଲ କରୁଛନ୍ତି। କିନ୍ତୁ ସହରାଞ୍ଚଳରେ ଜବରଦଖଲ ଶୈଳୀ ଅଲଗା। ଲୋକେ ରାସ୍ତାକଡ଼ ଓ ଖାଲି ପଡ଼ିଥିବା ଜମିକୁ ନିଜର ଅକ୍ତିଆର କରିବାକୁ ଲାଗନ୍ତି। ଏଥିରୁ କିଛି ଆବାସିକ ଉଦେଶ୍ୟରେ ବ୍ୟବହାର ହେଉଥିବା ବେଳେ ବାକି ସବୁ ବ୍ୟବସାୟ ପାଇଁ ଉପଯୋଗ ହୁଏ। କିନ୍ତୁ ସରକାରୀ ଜମିରୁ ପ୍ରଶାସନ ଯେତେବେଳେ ଜବରଦଖଲ କରିବାକୁ ଯାଆନ୍ତି ଆକ୍ରୋଶର ଶିକାର ହୋଇଥାନ୍ତି।
ଜବରଦଖଲ ଉଚ୍ଛେଦ ବେଳେ ପଥରମାଡ଼
ପ୍ରଶାସନ ଯେତେବେଳେ ସରକାରୀ ଜମିରୁ ଜବରଦଖଲ ଉଚ୍ଛେଦ କରିବାକୁ ଯାଉଛି, ସେହି ସମୟରେ ପ୍ରଶାସନ ଓ ପୁଲିସର ଅଧିକାରୀମାନେ ଆକ୍ରମଣର ଶିକାର ହେଉଛନ୍ତି। ଗତ ୩୧ ତାରିଖ ଦିନ ବାଲେଶ୍ବର ସହରର ମୋତିଗଞ୍ଜ ବଜାରରେ ଜବରଦଖଲ ଉଚ୍ଛେଦ ବେଳେ ଏହି ଭଳି ପରିସ୍ଥିତି ଦେଖାଯାଇଥିଲା। ପ୍ରଶାସନ ତରଫରୁ ଜବରଦଖଲ ଉଚ୍ଛେଦ ବେଳେ ଉତ୍ୟକ୍ତ ଜନତା ଟେକାପଥର ମାଡ଼ କରିଥିଲେ। ପରିସ୍ଥିତି ଅଣାୟତ୍ତ ହୋଇ ପଡ଼ିଥିଲା। ବ୍ୟାପକ ପୁଲିସ ମୁତୟନ ହେଲା ପରେ ପୁଣି ଜବରଦଖଲ ଜାରି ରହିଥିଲା। ସେହିଭଳି ଗତ ନଭେମ୍ବର ମାସରେ ଭୁବନେଶ୍ବର ପାଣ୍ଡରା ଛକରୁ ବ୍ୟାଙ୍କର୍ସ କଲୋନି ରାସ୍ତା ସମ୍ପ୍ରସାରଣ ପାଇଁ ଉଚ୍ଛେଦ ସମୟରେ ବ୍ୟବସାୟୀମାନେ ବିରୋଧ କରିବାରୁ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା। ଏଥିପାଇଁ ଏକ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯାଇଥିଲା। ବିରୋଧ ସତ୍ତ୍ବେ ୯ଟି ଘର ଭଙ୍ଗା ଯାଇଥିଲା।
ମହାପ୍ରଭୁଙ୍କ ଜମି ଛାଡ଼ିଲେନି
ଜବରଦଖଲକାରୀମାନେ ମହାପ୍ରଭୁଙ୍କ ଜମିକୁ ମଧ୍ୟ ଛାଡୁ ନାହାନ୍ତି। ତାହା ପୁରୀ ଶ୍ରୀମନ୍ଦିର ହେଉ ଅବା ରାୟଗଡ଼ାର ପ୍ରତକ୍ଷ୍ୟ ଦେବୀ ମା’ ମଝିଘରିଆଣୀ ହେଉ, ଜମି ମାଫିଆଙ୍କ ନଜର ଭିନ୍ନ। ମୟୂରଭଂଜ ଜିଲ୍ଲାରେ ଠାକୁରଙ୍କ ନାମରେ ଥିବା ଶହ ଶହ ଏକର ସମ୍ପତ୍ତି ଜବରଦଖଲରେ ଥିବା ବେଳେ ସେଗୁଡ଼ିକୁ ଦଖଲମୁକ୍ତ କରିବା ଦିଗରେ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ କୌଣସି ତତ୍ପରତା ପ୍ରକାଶ କରୁନାହାନ୍ତି। ଏହାର ପ୍ରତିବାଦରେ ବାରିପଦାର ଶ୍ରୀଶ୍ରୀ ହରିବଳଦେବଜିଉ ମନ୍ଦିରର ବରିଷ୍ଠ ସେବାୟତ ରାଧାଶ୍ୟାମ ମହାପାତ୍ର ଗତ ମାସ ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ଦାଏର କରିଛନ୍ତି। ବାରିପଦାସ୍ଥିତ ଶ୍ରୀଶ୍ରୀ ହରିବଳଦେବଜିଉ ମନ୍ଦିର ନାଁରେ ଥିବା ୫୦୦ ଏକରରୁ ଅଧିକ ସ୍ଥାବର ସମ୍ପତ୍ତି ଜବରଦଖଲ ମାମଲା ଭିନ୍ନ ମୋଡ଼ ନେଇଛି। ହାଇକୋର୍ଟ ମାମଲାର ଶୁଣାଣି ନକରି ଭୁବନେଶ୍ବର ଦେବୋତ୍ତର କମିସନରଙ୍କୁ ଶୁଣାଣି ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରତିପକ୍ଷଙ୍କୁ ଡକାଇ ଆସନ୍ତା ଏପ୍ରିଲ୍ ୧୭ ତାରିଖ ସୁଦ୍ଧା ମାମଲାର ସମାଧାନ କରିବାକୁ ଜାନୁଆରି ୧୧ ତାରିଖ ଦିନ ହାଇକୋର୍ଟ କହିଥିବା ଆଇନଜୀବୀ ଏସ୍ଏସ୍ ମହାପାତ୍ର ପ୍ରକଶ କରିଛନ୍ତି।
ପ୍ରଶାସନରେ ସ୍ବଚ୍ଛତା ଆବଶ୍ୟକ
ଜବରଦଖଲ ଗତିବିଧି ବଢ଼ିବାର କାରଣ ପାଇଁ ସରକାରୀ କର୍ମଚାରୀ ମଧ୍ୟ ଦାୟୀ। ରାଜସ୍ବ ବିଭାଗରେ କାର୍ଯ୍ୟରତ ତସହସିଲଦାର, ରାଜସ୍ବ ନିରୀକ୍ଷକମାନେ ଅସାଧୁ ଉପାୟରେ ଲାଞ୍ଚ ନେଇ ସରକାରୀ ଜମିକୁ ଜବରଦଖଲ କରାଇବାରେ ପ୍ରୋତ୍ସାହନ ଯୋଗାଉଛନ୍ତି। ଜଙ୍ଗଲ ଜମି, ସରକାରୀ ଜମି ଓ ପତୋରା ଜମିକୁ ଅନ୍ୟ ନାମରେ ରେକର୍ଡ ମଧ୍ୟ କରାଇ ଦେଉଥିବା ଅଭିଯୋଗ ହେଉଛି। ରାଜସ୍ବ ବିଭାଗରେ ସ୍ବଚ୍ଛା ରହୁ ନଥିବାରୁ ଜମି ମାଫିଆମାନେ ରାଜ କରୁଥିବା ମଧ୍ୟ ଅଭିଯୋଗ ହୋଇଥାଏ। ତେଣୁ ରାଜସ୍ବ ବିଭାଗରେ ସ୍ବଚ୍ଛତା ଆସିଲେ ଏବଂ ସରକାରୀ ସଠିକ ଲୋକଙ୍କୁ ଚିହ୍ନଟ କରି ଆବଶ୍ୟକ ବ୍ୟବସ୍ଥା କରିପାରିଲେ ଜବରଦଖଲ ଉଚ୍ଛେଦ ହୋଇପାରିବ।