Wednesday, October 9, 2024
Homeଜମିବାଡ଼ି ହିଂସା: ଆତ୍ମୀୟ ଲୋକଙ୍କ ମୃତ୍ୟୁ
Array

ଜମିବାଡ଼ି ହିଂସା: ଆତ୍ମୀୟ ଲୋକଙ୍କ ମୃତ୍ୟୁ

ଭୁବନେଶ୍ବର: ଜମିବାଡ଼ିକୁ ନେଇ ରାଜ୍ୟରେ ପ୍ରତିବର୍ଷ ହିଂସା ଓ ପରେ ହତ୍ୟାକାଣ୍ଡ ଘଟଣା ଘଟୁଛି। ସ୍ବାର୍ଥପର ମଣିଷ ଆଗରେ ସଂପର୍କ ଛୋଟ ହୋଇଯାଉଛି। ବାପା, ମା’ ଭାଇ, ଭାଉଜ, ପୁତୁରା, ଝିଆରୀ, ମାମୁଁ ଆଦି ସଂପର୍କୀୟ ବଳି ପଡୁଛନ୍ତି। ଜମିବାଡ଼ିକୁ ନେଇ ଅଧିକ ସମୟ ପାରିବାରିକ ହିଂସା ଘଟୁଥିବା ବେଳେ ଗୋଷ୍ଠୀଗତ ଅଘଟଣ ମଧ୍ୟ ଘଟୁଛି। ସେହିପରି ସରକାରୀ ଜମିକୁ ନେଇ ମଧ୍ୟ ହତ୍ୟା ଓ ଆକ୍ରମଣ ଘଟୁଥିବା ନଜିର ରହିଛି। ସରକାରୀ ଜମିରେ କୌଣସି ବ୍ୟକ୍ତିର ଅକ୍ତିଆର କାରଣରୁ ସଂପୃକ୍ତ ବ୍ୟକ୍ତି ଗ୍ରାମବାସୀଙ୍କ ଦ୍ବାରା ଏକଘରକିଆ ହେଉଛନ୍ତି। ଗାଁ ଲୋକେ ମିଳିତ ଭାବେ ଏକତ୍ର ହୋଇ ସଂପୃକ୍ତ ବ୍ୟକ୍ତିର ଘରେ ନିଆଁ ଲଗାଇବା, ଭଙ୍ଗାରୁଜା କରିବା ଭଳି ଅଭାବନୀୟ ଘଟଣା ଘଟୁଛି।
ଜମିବାଡ଼ି ଭାଗବଣ୍ଟା ହେଉ ଅଥବା ମାଲିକାନା ନେଇ କୋର୍ଟରେ ଦୀର୍ଘ ବର୍ଷ ଧରି ମାମଲାଗୁଡ଼ିକ ପଡ଼ିରହୁଛି। ଅନେକ ସମୟରେ ହିଂସାକାଣ୍ଡ ପୂର୍ବରୁ ପୁଲିସ ଯେତେବେଳେ ମାମଲାର ହସ୍ତକ୍ଷେପ କରୁଛି, ସେତିକି ବେଳେ ସମାଧାନ ହୋଇପାରୁ ନାହିଁ। ବରଂ ଉଗ୍ର ରୂପ ନେବା ପାଇଁ ଏହା ପ୍ରୋତ୍ସାହନ ଯୋଗାଉଛି। ଜମିବାଡ଼ି ମାମଲା ନେଇ ପୁଲିସ, କୋର୍ଟ ବ୍ୟବସ୍ଥା ଥିବା ସତ୍ତ୍ବେ ଚଳିତ ବର୍ଷ ୧୦ ଜଣଙ୍କୁ ହତ୍ୟା କରାଯାଇଛି। ଏଥିରେ ୨ ଜଣ ମହିଳା ଓ ୧୦ ବର୍ଷ ବୟସର ଜଣେ ଝିଅ ସାମିଲ ଅଛନ୍ତି। କେନ୍ଦୁଝର, କେନ୍ଦ୍ରାପଡ଼ା, ଯାଜପୁର, ନୟାଗଡ଼, ସୁନ୍ଦରଗଡ଼ ଓ ବଲାଙ୍ଗୀରରେ ଏହି ହତ୍ୟାକାଣ୍ଡଗୁଡ଼ିକ ହେଉଛି।

ପରିବାରର ୪ ଜଣଙ୍କୁ ହତ୍ୟା

ଜମିବାଡ଼ି ବିବାଦକୁ ନେଇ ସୋମବାର ରାତିରେ ବରଗଡ଼ ଜିଲ୍ଲା ଭଟଲି ବ୍ଲକ୍ ଝିକିଝିକି ଗାଁରେ ଗୋଟିଏ ପରିବାରର ୪ଜଣଙ୍କୁ ହତ୍ୟା କରାଯାଇଛି। ଝିକିଝିକି ଗାଁରେ ଦୁଇ ଭାଇଙ୍କ ଭିତରେ କିଛି ଦିନ ଜମିବାଡ଼ି ବଣ୍ଟାକୁ କେନ୍ଦ୍ର କରି ବିବାଦ ଲାଗି ରହିଥିଲା। ଏହି ଜମିବାଡ଼ି ବଣ୍ଟାକୁ ନେଇ ସାନଭାଇ ଶିବ ବାଗ ଅସନ୍ତୁଷ୍ଟ ଥିଲେ। ସୋମବାର ରାତିରେ ଏହି ଘଟଣାକୁ ନେଇ ଉତକ୍ଷିପ୍ତ ହୋଇ ସେ ଶାବଳରେ ପିଟିପିଟି ବଡ଼ଭାଇ, ବଡ଼ଭାଉଜ ଓ ସେମାନଙ୍କର ଏକ ୧୫ ବର୍ଷୀୟ ପୁଅ ଓ ୧୦ ବର୍ଷୀୟା ଝିଅକୁ ମାରି ଦେଇଥିଲା। ପୁଲିସ ମଙ୍ଗଳବାର ଦିନ ସକାଳେ ୪ଜଣଙ୍କର ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ ଉଦ୍ଧାର କରିଥିଲା।

୫ବର୍ଷ ଗାଁ ବାସନ୍ଦ

ଜମିବାଡ଼ି ବିବାଦ ନେଇ ଗୋଟିଏ ପରିବାରକୁ ଗାଁରୁ ୫ ବର୍ଷ ବାସନ୍ଦ କରାଯାଇଥିଲା। ଗାଁରୁ ନିଆଁ, ପାଣି, ଦୋକାନ ବନ୍ଦ କରାଯିବା ସହ ସଂପୃକ୍ତ ପରିବାର ସହ କେହି କଥା ହେଲେ ୫ ଶହ ଟଙ୍କା ଜରିମାନା ଦେବାକୁ କରାଯାଇଥିଲା। ଯେଉଁ ଜମିକୁ ନେଇ ବିବାଦ ଦେଖାଦେଇଥିଲା ସେହି ଜମିକୁ ଗାଁକୁ ନଦେବା ପର୍ଯ୍ୟନ୍ତ ଜମିବାଡିକୁ ଯିବାକୁ ସମସ୍ତ ରାସ୍ତାଘାଟକୁ ବନ୍ଦ କରି ଦିଆଯିବ ବୋଲି ଚେତାବନୀ ଦିଆଯାଇଥିଲା। ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ୍ ଅନ୍ତର୍ଗତ ଡିହଗାଁ ପଞ୍ଚାୟତ ଡିଗିରି ଗ୍ରାମ ବସନ୍ତ ବାଜୁଙ୍କ ପିତା ଶୁକୁରିଆଙ୍କ ନାମରେ ଥିବା ୨ଟି ପ୍ଲଟ୍କୁ ଦୀର୍ଘ ବର୍ଷ ଧରି ଗ୍ରାମର ୨ ଜଣ ବ୍ୟକ୍ତି ଅଧିକାର କରି ରଖିଥିଲେ। ଯାହାକି ୨୦୧୫/୧୬ରେ ଆବାସ ପାଇଥିବା ଜଣେ ବ୍ୟକ୍ତି ଉକ୍ତ ଜାଗା ଉପରେ ଘର କରିବାରୁ ବସନ୍ତ ଏହାକୁ ବିରୋଧ କରିଥିଲେ। ଗ୍ରାମ ସଭାପତିଙ୍କୁ ଏ ସମ୍ପର୍କରେ ଜଣାଇବା ପରେ ବୈଠକ ବସିଥିଲା। ବୈଠକରେ ବସନ୍ତଙ୍କୁ ଜାଗା ରଖିଥିବା ବ୍ୟକ୍ତିମାନେ ୧୫ ଦିନ ମଧ୍ୟରେ ୬୦ ହଜାର ଟଙ୍କା ଦେବାକୁ ନିଷ୍ପତ୍ତି ହୋଇଥିଲା। ନିର୍ଦ୍ଧାରିତ ସମୟରେ ସେ ଟଙ୍କା ନ ପାଇବାରୁ ଗ୍ରାମରେ ବାରମ୍ବାର ଜଣାଇଥିଲେ। କୈାଣସି ନ୍ୟାୟ ନ ମିଳିବାରୁ ଶେଷରେ ସେ ଏକ ମାମଲା ଦାୟର କରିଥିଲେ। ଉକ୍ତ ଜାଗା ଉପରେ ୧୪୪ ଧାରା ଲାଗୁ କରାଯାଇଥିଲା। ଏହା ପରେ ଗ୍ରାମସଭା ଡକାଯାଇ ବସନ୍ତଙ୍କୁ ଗ୍ରାମରୁ ବାସନ୍ଦ ରଖାଯାଇଥିଲା।

ଜାଳିଦେଲେ ଘର

ଜମିବାଡ଼ି ବିବାଦରୁ ଭଦ୍ରକ ସହରାଞ୍ଚଳ ଥାନା ଗବସାହିରେ ଗୋଟିଏ ପରିବାରର ଲୋକେ ଗତବର୍ଷ ଏପ୍ରିଲ ମାସରେ ଭୟଙ୍କର ପରିଣତି ଭୋଗିଥିଲେ। ରାତିରେ ଶୋଇଥିବାବେଳେ ବାହାର ପଟୁ ତାଲା ପକାଇ ଦୁର୍ବୃତ୍ତମାନେ ଘର ଜାଳି ଦେଇଥିଲେ। ନିମିଷକ ମଧ୍ୟରେ ୫ ବଖରା ଘର ସହିତ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳିପୋଡ଼ି ପାଉଁଶ ହୋଇଯାଇଥିଲା। ତେବେ, ମରଣମୁହଁରୁ ବର୍ତ୍ତି ଯାଇଥିଲେ ପରିବାରର ୬ ସଦସ୍ୟ।  ଗବସାହିର ସୁଦର୍ଶନ ଦାସଙ୍କ ପରିବାର ସହିତ ତାଙ୍କ ପଡ଼ୋଶୀ ଗଜେନ୍ଦ୍ର ଦାସ ଓ ଅନ୍ୟମାନଙ୍କ ମଧ୍ୟରେ ଜମିବାଡ଼ି ବିବାଦକୁ ନେଇ ଶତ୍ରୁତା ଲାଗି ରହିଥିବାବେଳେ ଅନେକ ସମୟରେ ଦୁଇ ପରିବାର ଝଗଡ଼ା ଲାଗୁଥିଲେ। ଏପରିକି ସୁଦର୍ଶନଙ୍କ ପରିବାରକୁ ରାସ୍ତାରୁ ହଟାଇବା ପାଇଁ ପୂର୍ବରୁ କୁଆଡ଼େ ଧମକ ଦିଆଯାଇଥିଲା। ରାତିରେ ସୁଦର୍ଶନ ଓ ତାଙ୍କ ପରିବାର ଶୋଇଥିବାବେଳେ ବାହାରପଟୁ କବାଟ ବନ୍ଦ କରି ପଡ଼ୋଶୀ ଗଜେନ୍ଦ୍ର ଓ ଅନ୍ୟମାନେ ଘରେ ନିଆଁ ଲଗାଇ ଦେଇଥିଲେ ବୋଲି ଅଭିଯୋଗ ହୋଇଥିଲା।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments