Tuesday, September 17, 2024
Homeଜମିଲା ନବୀନ-ଧର୍ମେନ୍ଦ୍ରଙ୍କ ପ୍ରଚାର
Array

ଜମିଲା ନବୀନ-ଧର୍ମେନ୍ଦ୍ରଙ୍କ ପ୍ରଚାର

ଭୁବନେଶ୍ବର: ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ଚଳିତ ମାସ ୧୦ ତାରିଖରେ ଭୋଟ ଗ୍ରହଣ ହେବ। ୧ ଲକ୍ଷ ୯୭ ହଜାର ମତଦାତା ସେମାନଙ୍କର ପସନ୍ଦର ପ୍ରାର୍ଥୀଙ୍କୁ ଭୋଟ ଦେଇ ଚୟନ କରିବେ। ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କୁ ଗତ ଜାନୁଆରି ୨୯ ତାରିଖରେ ଜଣେ ପୁଲିସ କର୍ମଚାରୀଙ୍କ ଦ୍ବାରା ହତ୍ୟା କରାଯିବା ପରେ ଏଠାରେ ଉପନିର୍ବାଚନ ହେଉଛି। ନିର୍ବାଚନରେ ଶାସକ ଦଳ ପକ୍ଷରୁ ନବ ଦାସଙ୍କ ଝିଅ ଦୀପାଳି ଅବତୀର୍ଣ୍ଣ ହୋଇଛନ୍ତି। ଟଙ୍କଧର ତ୍ରିପାଠୀଙ୍କୁ ବିଜେପି ଓ ତରୁଣ ପାଣ୍ଡେଙ୍କୁ କଂଗ୍ରେସ ମଇଦାନରେ ଛିଡ଼ା କରାଇଛି।

ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ପ୍ରଚାର ସମୟ ପ୍ରାୟ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି। ମତଦାନର ୨ ଦିନ ପୂର୍ବରୁ ରବିବାର କୋଲାବିରାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଝାରସୁଗୁଡ଼ାରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପ୍ରଚାର କରି ଜନତାଙ୍କୁ ନିଜ ଆଡ଼କୁ ଆକର୍ଷିତ କରିଛନ୍ତି। ଏହି ଆସନରେ ୨୦୧୯ରେ ବିଜେଡି ବିଜୟୀ ହୋଇଥିବାରୁ ଦଳ ପୁଣି ଥରେ ଏହାକୁ ହାତେଇବା ପାଇଁ ନିଶ୍ଚିତ ରହିଛି। ଅପରପକ୍ଷେ ରାଜ୍ୟ ସରକାରଙ୍କ ଅପାରଗତା ଦର୍ଶାଇ ବିଜେପି ବିଜୟୀ ହୋଇ ନିଜର ଉପସ୍ଥିତି ଦର୍ଶାଇବାକୁ ଚାହୁଁଛି। ସେହିପରି ୨୦୦୯ ଓ ୨୦୧୪ରେ ଏଠାରୁ ଜିତିଥିବାରୁ କଂଗ୍ରେସ ଏଠାରେ ବିଜୟୀ ହେବାକୁ ଆଶା ରଖିଛି।

ପଶ୍ଚିମଓଡ଼ିଶାରେ ନବୀନଙ୍କ ପ୍ରତି ଭରସା

ବିଗତ କିଛି ବର୍ଷର ଚିତ୍ର କହୁଛି ପଶ୍ଚିମ ଓଡ଼ିଶାରେ ଯେତେଥର ଉପନିର୍ବାଚନ ହୋଇଛି, ଏଠାକାର ଜନତା ନବୀନଙ୍କ ଉପରେ ଭରସା ରଖିଛନ୍ତି। ବିଜେପୁର, ବ୍ରଜରାଜନଗର ଓ ପଦ୍ମପୁର ଏହାର ଜ୍ବଳନ୍ତ ଉଦାହରଣ। ଝାରସୁଗୁଡ଼ାରେ ଫଳାଫଳ କ’ଣ ରହିବ, ତାହା ଭିନ୍ନ କଥା। କିନ୍ତୁ  ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ, ନିଜେ ଦଳୀୟ ପ୍ରାର୍ଥୀ ଦୀପାଳିଙ୍କ ପାଇଁ ପ୍ରଚାର କରିଛନ୍ତି। ସେ ବ୍ରଜରାଜନଗରରେ ଗତବର୍ଷ ହୋଇଥିବା ଉପନିର୍ବାଚନ ବେଳେ ପ୍ରଚାର କରିବାକୁ ଯାଇନଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ହୋଇଥିବା ପଦ୍ମପୁର ଉପନିର୍ବାଚନରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଥିଲେ। ପଦ୍ମପୁରର ବିଭିନ୍ନ ସ୍ଥାନରେ ଆୟୋଜିତ ସଭାରେ ଯୋଗ ଦେଇ ବିଭିନ୍ନ ପ୍ରତିଶ୍ରୁତି ଦେବା ସହ ବିଜେଡି ପ୍ରାର୍ଥୀଙ୍କ ଭୋଟ ଦେବାକୁ ଅପିଲ କରିଥିଲେ।

ଦୀପାଳିଙ୍କ ପ୍ରତି ବିରୋଧୀଙ୍କ ବ୍ୟବହାର ଦୁଃଖ ଲାଗୁଛି: ନବୀନ

ଦୀପାଳି ଦାସଙ୍କ ପାଇଁ ନିର୍ବାଚନୀ ପ୍ରଚାର ସମୟରେ ନବୀନ ପଟ୍ଟନାୟକ କହିଥିଲେ ଯେ, ନବ ଦାସ ଜଣେ ଲୋକପ୍ରିୟ ନେତା, ଦକ୍ଷ ବିଧାୟକ ଓ ମନ୍ତ୍ରୀ ଭାବରେ ସାରା ଓଡିଶାରେ ପରିଚିତ ଥିଲେ। ସେ ଆଜି ଆମ ଭିତରେ ନଥିଲେ ବି ତାଙ୍କ କାମ ପାଇଁ ଝାରସୁଗୁଡାବାସୀ ସବୁବେଳେ ତାଙ୍କୁ ମନେ ରଖିବେ। ତାଙ୍କ ଝିଅ ଦୀପାଳି ଦାସ ଜଣେ ଉଚ୍ଚ ଶିକ୍ଷିତା। ସମାଜସେବାରେ ତାଙ୍କର ବିଶେଷ ରୁଚି ରହିଛି। ମୋର ବିଶ୍ବାସ, ଝାରସୁଗୁଡାବାସୀଙ୍କ ସେବାର ସୁଯୋଗ ମିଳିଲେ, ସେ ତାକୁ ଦକ୍ଷତାର ସହ ପାଳନ କରିପାରିବେ। ଆପଣମାନେ ବିକାଶରେ ବିଶ୍ବାସ କରନ୍ତି। ସେଥିପାଇଁ ବିଜୁ ଜନତା ଦଳ ସାଥିରେ ରହି ଆସିଛନ୍ତି। ବିଜୁ ଜନତା ଦଳ ମା ମାନଙ୍କ କଲ୍ୟାଣରେ ବିଶ୍ବାସ କରେ। ମା’, ଚାଷୀଭାଇ ଓ ଯୁବଶକ୍ତି ସଶକ୍ତୀକରଣ ଉପରେ ବିଶ୍ବାସ କରେ। ଶିଳ୍ପ କ୍ଷେତ୍ରରେ ଝାରସୁଗୁଡାର ସ୍ବତନ୍ତ୍ର ପରିଚୟ ରହିଛି। ଆପଣମାନଙ୍କ ସହଯୋଗ ଜାରି ରହିଲେ, ଝାରସୁଗୁଡା ଦେଶର ଏକ ନମ୍ବର ଶିଳ୍ପ ସମୃଦ୍ଧ ଜିଲ୍ଲା ହୋଇପାରିବ। ପଦ୍ମପୁର ଉପ ନିର୍ବାଚନରେ ବିରୋଧୀ ଦଳ ବାପାଙ୍କୁ ହରାଇ ଥିବା ଗୋଟିଏ ଝିଅ ପ୍ରତି ଯେଭଳି ବ୍ୟବହାର କଲେ, ତାହା ଆପଣ ଜାଣନ୍ତି । ଦୁଃଖର କଥା, ଏଠାରେ ମଧ୍ୟ ସେମାନେ ଦୀପାଳିଙ୍କ ପ୍ରତି ସେହିଭଳି ବ୍ୟବହାର କରୁଛନ୍ତି । ଗାଳି ଦେଉଛନ୍ତି । ଏହା ମୋତେ ବହୁତ ଦୁଃଖ ଦେଇଛି ।

ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ଧର୍ମେନ୍ଦ୍ର

ଝାରସୁଗୁଡ଼ାରେ ନବୀନଙ୍କ ପ୍ରଚାର ପୂର୍ବରୁ କେନ୍ଦ୍ରମନ୍ତ୍ରୀ ରାଜ୍ୟ ସରକାରଙ୍କୁ ଜୋରଦାର ଟାର୍ଗେଟ କରିଥିଲେ। ସେ କହିଥିଲେ ଯେ, ଝାରସୁଗୁଡ଼ାରେ ଜଣେ ନାବାଳକକୁ ଅପହରଣ ଓ ହତ୍ୟା କରାଗଲା। ସେହିଭଳି ଜଣେ କ୍ୟାବିନେଟ ମନ୍ତ୍ରୀଙ୍କୁ ପୁଲିସ କାହିଁକି ଗୁଳି କଲା ଓ ହତ୍ୟା ପଛର କାରଣ କଣ ଥିଲା ୩ ମାସ ପରେ ବି ଜଣାପଡ଼ିଲା ନାହିଁ। ଝାରସୁଗୁଡ଼ାରେ ଉପନିର୍ବାଚନ ଏକ ବିଶେଷ ପରିସ୍ଥିତିରେ ହେଉଛିl ମୁଁ ପ୍ରାର୍ଥନା କରୁଛି କୋଉ ରାଜ୍ୟର ଭାଗ୍ୟରେ ଉପନିର୍ବାଚନ ନଆସୁl ଦୀପାଳି ଓ ବିଶାଲ ପ୍ରତି ସହାନୁଭୂତି ରହିଛିl ରାଜ୍ୟ ସରକାର ପଛୁଆ ଲୋକଙ୍କ ସର୍ଭେ କରୁଛନ୍ତି ଏବଂ ଏହା ୨୭ ତାରିଖ ଯାଏ ଚାଲିବ। ୨୭ ପ୍ରତିଶତ ଆରକ୍ଷଣ ଅଗ୍ରିଆ, କୁଲତା, ମାଳିଙ୍କ ପାଇଁ ସଂରକ୍ଷଣ ଅଛିl ପଛୁଆ ବର୍ଗଙ୍କୁ ତାଙ୍କ ଅଧିକାରରୁ ବଞ୍ଚିତ କରିବାକୁ ସର୍ଭେ କରିଛନ୍ତି। ସର୍ଭେ ନୁହେଁ ଏହା ଷଡଯନ୍ତ୍ର।  

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments