ଭୁବନେଶ୍ୱର: କୁହାଯାଇ ଥାଏ, ‘ମଦ୍ୟପ ଯେହ୍ନେ ମଦ ଖାଇ, ସତ୍ୟ ଅସତ୍ୟ ନଜାଣଇ’ । ମଦ ପିଉଥିବା ଲୋକ କେବଳ ମଦ ଚିନ୍ତା ହିଁ କରିପାରେ । ଅନ୍ୟ କୌଣସି କାମ ପାଇଁ ମଦ୍ୟପମାନେ ଅଧିକ ମୁଣ୍ଡ ଖର୍ଚ୍ଚ କରି ନଥାନ୍ତି । ମଦ୍ୟପ ଆଗରେ ବାପା-ମା’, ଭାଇ-ଭଉଣୀ, ସ୍ତ୍ରୀ-ପୁତ୍ର, ପରିବାର ଓ ବନ୍ଧୁବାନ୍ଧବ ମୂଲ୍ୟହୀନ । କରୋନା ଭାଇରସ ସଂକ୍ରମଣ ବିଶ୍ୱବାସୀଙ୍କୁ ଭୟଭୀତ କରି ରଖିଥିବା ବେଳେ ମଦ୍ୟପମାନେ ଏଥି ପାଇଁ ଆଦୌ ଚିନ୍ତା କରନ୍ତି ନାହିଁ । ବରଂ ମଦର ମୂଲ୍ୟ ଆକାଶ ଛୁଆଁ ହେଉ ପଛେ, ସେମାନେ ଏହା ପିଇବେ । ଏହାର ଜ୍ୱଳନ୍ତ ଉଦାହରଣ ବିଗତ ୨ ଦିନ ପୂର୍ବରୁ ଦେଖାଯାଇଛି । ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଇବା ପରେ ଚଳିତ ମାସ ୫ ତାରିଖ ଠାରୁ ଲକ୍ଡାଉନ୍ ହୋଇଛି । କିନ୍ତୁ ଏହା ପୂର୍ବରୁ ୩ ଓ ୪ ତାରିଖରେ ପ୍ରାୟ ୮୦ କୋଟି ଟଙ୍କାର ମଦ ବିକ୍ରି ହୋଇଥିବା ଜଣାଯାଇଛି ।
ସବୁଆଡେ ଭଳ ମଦ ବେପାର
ଜୀବନ ଓ ଜୀବିକା ତଥା କରୋନା ସଂକ୍ରମଣ ପାଇଁ ସମଗ୍ର ବିଶ୍ୱବାସୀ ଚିନ୍ତିତ ଥିବା ବେଳେ ମଦ୍ୟପମାନେ କିଭିଳି ମଦ ପାଇପାରିବେ ସେଥିପାଇଁ ଚିନ୍ତା କରୁଥିଲେ । ଲକଡାଉନ୍ ସମୟରେ ମଦ ଦୋକାନ ଗୁଡ଼ିକ ବନ୍ଦ ହେବା ପୂର୍ବରୁ ଅନେକ ଲୋକ ପେଟି ପେଟି ନେଇ ଆଗୁଆ ଘରେ ରଖିଥିଲେ । ଏହା କେବଳ ରାଜଧାନୀ ଭୁବନେଶ୍ୱରରେ ନୁହେଁ, ବରଂ ରାଜ୍ୟର ଛୋଟ ଛୋଟ ସହରରେ ମଧ୍ୟ ଏଭଳି ନଜିର ଦେଖିବାକୁ ମିଳିଥିଲା । ରାଜ୍ୟରେ ଥିବା ମଦ ଦୋକାନ ଗୁଡ଼ିକରେ ସୋମବାର ଓ ମଙ୍ଗଳବାର ଲମ୍ବା ଲମ୍ବା ଲାଇନ୍ ଲାଗିଥିଲା । କିନ୍ତୁ କଟକ, ଭୁବନେଶ୍ୱର, ପୁରୀ, ବାଲେଶ୍ୱର, ସମ୍ବଲପୁର, ରାଉରକେଲା ଓ ବ୍ରହ୍ମପୁରରେ ଅଧିକ ଭିଡ ପରିଲକ୍ଷିତ ହୋଇଥିଲା ।
ଦିନକୁ ୧୦ କୋଟି ଟଙ୍କା ଅଧିକ ବିକ୍ରି
ରାଜ୍ୟରେ ଦିନକୁ ପ୍ରାୟ ୩୦ କୋଟି ଟଙ୍କାର ମଦ ବିକ୍ରି ହୋଇଥାଏ । କିନ୍ତୁ ଲକ୍ଡାଉନ୍ର ପୂର୍ବ ୨ ଦିନ ପ୍ରାୟ ୮୦ କୋଟି ଟଙ୍କାର ମଦ ବ୍ୟବସାୟ ହୋଇଥିଲା । ଅର୍ଥାତ ଦୈନିକ ହାରରେ ୧୦ କୋଟି ଟଙ୍କାରୁ ଅଧିକ ବେପାର ହୋଇଥିଲା । ଜଣେ ବ୍ୟକ୍ତି ସର୍ବାଧିକ କେତେ ଟଙ୍କାର ମଦ କିଣିପାରିବ, ସେଭଳି କିଛି ନିୟମ ନଥିବାରୁ ଲୋକଙ୍କର ସାମର୍ଥ୍ୟ ଅନୁସାରେ ମଦ କିଣିଥିଲେ । ଚୋରା ବେପାର ଉଦ୍ଦେଶ୍ୟରେ ଲୋକେ ଲକ୍ଷ ଲକ୍ଷ ଟଙ୍କାର ମଦ କିଣିଥିଲେ । ଏହାକୁ ସେମାନେ ଦେଢ଼ ଗୁଣରୁ ଅଧିକ ଦରରେ ବିକ୍ରି କରିବାର ଲକ୍ଷ୍ୟ ରଖିଛନ୍ତି ।
୨୦ ଟଙ୍କିଆ ମଦ ୫୦ ଟଙ୍କାରେ ବିକ୍ରି
ଲକଡାଉନ୍ ପୂର୍ବରୁ ଦେଶୀ ମଦ ପ୍ୟାକେଟ (୧୮୦ ମିଲି ଲିଟର) ୨୦ ଟଙ୍କାରେ ବିକ୍ରି ହେଉଥିଲା । ଏବେ ୪୦ରୁ ୫୦ ଟଙ୍କାରେ ବିକ୍ରି ହେଉଛି । ୧୫୦ ଟଙ୍କାରେ କିଣାଯାଇଥିବା ବିୟର ଗୁଡ଼ିକ ଚଢ଼ା ଦରରେ ବିକ୍ରି ହେଉଛି । ବିଅର ପିଛା ସର୍ବାଧିକ ୨୫୦ ଟଙ୍କାରେ ବିକ୍ରି ହେଉଛି । ଯେଉଁମାନେ ଏତେ ଚଢ଼ା ଦରରେ ମଦ ବିକ୍ରି କରୁଛନ୍ତି, ସେହି ବ୍ୟବସାୟୀମାନେ ୨ ଦିନ ପୂର୍ବରୁ ନିର୍ଦ୍ଧାରିତ ଦରରେ ମଦ ଦୋକାନରୁ ଏହା କିଣିଥିଲେ । ଗ୍ରାହକମାନେ ମଧ୍ୟ ୨୦ ଟଙ୍କିଆ ମଦ ପ୍ୟାକେଟକୁ ୫୦ ଟଙ୍କାରେ ଏବଂ ୧୫୦ ଟଙ୍କିଆ ବିଅରକୁ ୨୫୦ ଟଙ୍କାରେ କିଣିବାକୁ ପଛଘୁଂଚା ଦେଉ ନାହାନ୍ତି । ମଦ ପ୍ରିୟ ମଣିଷ ଟଙ୍କାକୁ ଦେଖେ ନାହିଁ, ବରଂ ନିଜର ଆଶା ପୂରଣ କରିବା ପାଇଁ ଯେତେ ଟଙ୍କା ପଡୁ ପଛେ, ଏହା କିଣିଥାଏ ।