ଭୁବନେଶ୍ବର: କରୋନାର ଦ୍ବିତୀୟ ଲହରରେ ସୁଧାର ଆସିଛି। କିଛି ମାସ ବ୍ୟବଧାନରେ ଭାରତକୁ ପୁଣି ଥରେ ଆଉ ଏକ ସଂକଟ ଆସିଯାଇଛି। କୋଭିଡ-୧୯ର ନୂଆ ଭାରିଆଣ୍ଟ ଭାରତ ସମେତ ପ୍ରାୟ ୪୦ଟି ଦେଶକୁ ଡରାଉଛି। ନୂଆ ଭାରିଆଣ୍ଟ ଓମିକ୍ରନ୍ ଭାରତରେ ମଧ୍ୟ ପ୍ରଭାବ ଦେଖାଇବା ଆରମ୍ଭ କରିଦେଇଛି। ଦକ୍ଷିଣ ଆଫ୍ରିକାରେ ନଭେମ୍ବର ୨୪ରେ ଓମିକ୍ରନ୍ର ପ୍ରଥମ ପଜିଟିଭ ବ୍ୟକ୍ତି ଚିହ୍ନଟ ହେବା ପରେ ଏପର୍ଯ୍ୟନ୍ତ ମାତ୍ର ୧୨ ଦିନ ମଧ୍ୟରେ ୪୦୦ରୂ ଅଧିକ ଲୋକ ସଂକ୍ରମିତ ହୋଇସାରିଛନ୍ତି। ସଂକ୍ରମଣ ବଢ଼ି ଚାଲିଲେ ପୁଣି ଥରେ ଆରମ୍ଭ ହୋଇଯାଇପାରେ ଲକ୍ଡାଉନ୍, ସଟଡାଉନ୍, ପରିବହନ, ଦୋକାନ-ବଜାର ଖୋଲିବା ନେଇ କଟକଣା।
ମାରାତ୍ମକ ଭାଇରସ୍ର ଅନ୍ୟତମ ଭାରିଆଣ୍ଟ ଓମିକ୍ରନ୍ ସର୍ବ ପ୍ରଥମେ ଦକ୍ଷିଣ ଆଫ୍ରିକାରେ ଚିହ୍ନଟ ହୋଇଥିଲା। ସମୟ କ୍ରମେ ବିଦେଶୀ ଯାତ୍ରୀଙ୍କ ମାଧ୍ୟମରେ ଏହା ଅନ୍ୟ ଦେଶକୁ ବ୍ୟାପିବାରେ ଲାଗିଛି। ଦକ୍ଷିଣ ଆଫ୍ରିକାରେ ଏପର୍ଯ୍ୟନ୍ତ ପ୍ରାୟ ୨୦୦ ଲୋକ ଓମିକ୍ରନ୍ ଭାରିଆଣ୍ଟର ଶିକାର ହୋଇସାରିଛନ୍ତି। ବ୍ରିଟେନ୍ରେ ୩୨ ଜଣ, ବୋତ୍ସୱାନା ଓ ନେଦରଲାଣ୍ଡରେ ୧୯ ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି। ପ୍ରଥମ ଓ ଦ୍ବିତୀୟ ଲହର ନେଇ ପୂର୍ବାନୁମାନ କରିଥିବା ଆଇଆଇଟି କାନପୁରର ପ୍ରଫେସର ମନିନ୍ଦର ଅଗ୍ରୱାଲ କହିଛନ୍ତି ଯେ, ୩ୟ ଲହର ଜାନୁଆରୀ-ଫେବୃଆରୀରେ ପିକ୍ ସ୍ତରରେ ପହଞ୍ଚିବ।
ଉତ୍ତର-ଦକ୍ଷିଣ-ପଶ୍ଚିମରେ ଓମିକ୍ରନ୍
ଦକ୍ଷିଣ ଭାରତୀୟ ରାଜ୍ୟ କର୍ଣ୍ଣାଟକରେ ଓମିକ୍ରନ୍ ପ୍ରଥମେ ଚିହ୍ନଟ ହେବା ପରେ ଏବେ ଗୁଜରାଟ, ମହାରାଷ୍ଟ୍ର ଓ ଦିଲ୍ଲୀ ଏହି ତାଲିକାରେ ଯୋଡ଼ି ହୋଇଯାଇଛି। ରବିବାର ଅପରାହ୍ନ ସୁଦ୍ଧା ଦେଶରେ ୫ ଜଣ ଓମିକ୍ରନ୍ରେ ପୀଡିତ ଥିବା ଜଣାଯାଇଛି। ନଭେମ୍ବର ୩ ତାରିଖରେ ପ୍ରଥମ ଥର ପାଇଁ କର୍ଣ୍ଣାଟକରେ ୨ ଜଣ ଓମିକ୍ରନ୍ର ଶିକାର ହୋଇଥିବା ବେଳେ ୪ ତାରିଖରେ ଗୁଜରାଟର ଜାମନଗରରେ ଜିମ୍ବାୱେ ଫେରନ୍ତା ଏବଂ ମୁମ୍ବାଇରେ ଜଣେ କେପଟାଉନ୍ ଫେରନ୍ତା ଜଣେ ଲେଖାଏଁ ବ୍ୟକ୍ତି ଓମିକ୍ରନ୍ର ଶିକାର ହୋଇଛନ୍ତି। ୫ ତାରିଖରେ ତାଞ୍ଜାନିଆରୁ ଦିଲ୍ଲୀ ଫେରିଥିବା ବ୍ୟକ୍ତି ଓମିକ୍ରନ୍ ଚିହ୍ନଟ ହୋଇଛନ୍ତି।
କେତେ କାମ କରିବ ଟିକା?
ଯେଉଁ ଭଳି ଭାବରେ ଓମିକ୍ରନ୍ ବିଶ୍ବର ଚାରିଆଡେ ଦ୍ରୁତଗତିରେ ବ୍ୟାପିବାରେ ଲାଗିଛି, ମନରେ ଅନେକ ପ୍ରଶ୍ନ ମଧ୍ୟ ଉଠୁଛି ଯେ, ଏହା କରୋନାର ୩ୟ ଲହର ନୁହେଁ ତ? କିନ୍ତୁ ଗବେଷଣା ଯେତେଦିନ ପର୍ଯ୍ୟନ୍ତ ପୂରା ନ ହୋଇଛି ଅଥବା କୌଣସି ସଂକ୍ରମିତଙ୍କର ମୃତ୍ୟୁ ହୋଇ ନାହିଁ, ଏବାବଦରେ କହିହେବ ନାହିଁ। ଅନ୍ୟପଟରେ ବୈଜ୍ଞାନିକମାନେ କହୁଛନ୍ତି ଯେ, ଓମିକ୍ରନ୍ ଭାରତରେ କୋଭିଡ-୧୯ର ୩ୟ ଲହର ଆଣିପାରେ। ସେ ଯାହା ହେଉ ସମସ୍ତଙ୍କୁ ସତର୍କତାର ସହିତ ବର୍ତ୍ତିହେବ ତେଣୁ ସମସ୍ତଙ୍କୁ ସତର୍କତା ଅବଲମ୍ବନ କରିବାକୁ ହେବ। ଦେଶରେ କରୋନା ଟିକାକରଣ ଦ୍ରୁତଗତିରେ ଚାଲିଛି। ୧୦୦ କୋଟିରୁ ଅଧିକ ଡୋଜର ଟିକାକରଣ ହୋଇସାରିଛି। ଟିକା ଯଦି ଠିକ୍ ଭାବରେ କାମ କରେ, ତା’ହେଲେ ୨ୟ ଲହର ଭଳି ୩ୟ ଲହର ବିପଦ ହୋଇ ନପାରେ।
ଏପର୍ଯ୍ୟନ୍ତ କ’ଣ ରହିଛି ଗବେଷଣା
ଓମିକ୍ରନ୍ ଦ୍ବାରା ଏପର୍ଯ୍ୟନ୍ତ ୪୦୦ରୁ ଊର୍ଦ୍ଧ୍ବ ଲୋକ କରୋନା ପଜିଟିଭ୍ ଚିହ୍ନଟ ହୋଇସାରିଥିବା ବେଳେ କେହି ଗୁରୁତର ହୋଇନାହାନ୍ତି। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ତରଫରୁ କୁହାଯାଇଛି ଯେ, ନୂଆ ଭାରିଆଣ୍ଟ ଯୋଗୁଁ କାହାର ମୃତ୍ୟୁ ହୋଇନାହିଁ। କିନ୍ତୁ ଭୟ ଏଇଥି ପାଇଁ ଲାଗୁଛି ଯେ, ଡେଲଟା ତୁଳନାରେ ଓମିକ୍ରନ୍ ଶୀଘ୍ର ବ୍ୟାପୁଛି। ପୁଣି ଶୀଘ୍ର ବ୍ୟାପିପାରୁଥିବାରୁ ଶୀଘ୍ର ଶେଷ ନହେବ ତାହାକୁ ମଧ୍ୟ ଅସ୍ବୀକାର କରାଯାଇ ପାରିବ ନାହିଁ। କାରଣ ପ୍ରତ୍ୟେକ ଜିନିଷ ଯେତିକି ଦ୍ରୁତ ଗତିରେ ମାଡ଼ିଚାଲେ, ସେହି ହିସାବରେ ମଧ୍ୟ ଶେଷ ହୋଇଥାଏ।
ଦିଲ୍ଲୀରେ ଓମିକ୍ରନ୍ ଭାରିଆଣ୍ଟ
ହାଇରିକ୍ସ ଦେଶରୁ ଫେରିଥିବା ୧୫ ଜଣ ଯାତ୍ରୀଙ୍କୁ ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀର ଲୋକନାୟକ ଜୟପ୍ରକାଶ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏଥିରୁ ୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହି ୯ ଜଣଙ୍କ ମଧ୍ୟରୁ ଜଣେ ଓମିକ୍ରନ୍ ଚିହ୍ନଟ ହୋଇଛନ୍ତି। ସମସ୍ତଙ୍କ ନମୁନା ଜିନୋମ ସିକ୍ବେନ୍ସିଂ ପାଇଁ ପଠାଯାଇ ରିପୋର୍ଟକୁ ଅପେକ୍ଷା କରାଯାଇଛି। ଏଲ୍ଏନ୍ଜେପି ହସ୍ପିଟାଲର ମେଡିକାଲ ନିର୍ଦ୍ଦେଶକ ଡ. ସୁରେଶ କୁମାର କହିଛନ୍ତି, ଏବେ ବିଦେଶ ଫେରନ୍ତା ୧୫ ଜଣ ରୋଗୀଙ୍କୁ ଭର୍ତ୍ତି କରାଯାଇଛି। ଏମାନଙ୍କ ମଧ୍ୟରୁ ୩ ନୂଆ ରୋଗୀ ବ୍ରିଟେନ୍ରୁ ଆସିଛନ୍ତି।