Monday, September 9, 2024
Homeଖବରପ୍ରମୁଖ ଖବରଜିଲ୍ଲା ହେବ ପଦ୍ମପୁର; ବାକି ଦାବି ପୂରା ନେଇ ସନ୍ଦେହ

ଜିଲ୍ଲା ହେବ ପଦ୍ମପୁର; ବାକି ଦାବି ପୂରା ନେଇ ସନ୍ଦେହ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଘୋଷଣା ଯଦି ସତ ହେବ, ତା’ହେଲେ ଚଳିତ ମାସ ଶେଷ ସୁଦ୍ଧା ଓଡ଼ିଶାବାସୀଙ୍କୁ ୩୧ ତମ ଜିଲ୍ଲା ମିଳିଯିବ। ଏଥି ସହିତ ପଦ୍ମପୁର ଅଞ୍ଚଳବାସୀଙ୍କର ବହୁଦିନର ସ୍ବପ୍ନ ପୂରା ହୋଇଯିବ। ଅର୍ଥାତ ବରଗଡ଼ରୁ ବିଭାଜିତ ହୋଇ ପଦ୍ମପୁର, ପାଇକମାଳ ଓ ଝାରବନ୍ଧ ଅଞ୍ଚଳକୁ ନେଇ ନୂଆ ଜିଲ୍ଲା (ପଦ୍ମପୁର) ଗଠନ ହୋଇଯିବ। ତେବେ ପଦ୍ମପୁର ସ୍ବତନ୍ତ୍ର ଜିଲ୍ଲା ହେବା ପୂର୍ବରୁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଉତ୍ତରାଞ୍ଚଳ ରାଜସ୍ବ ଆୟୁକ୍ତ ଡ. ସୁରେଶଚନ୍ଦ୍ର ଦଳାଇଙ୍କ ଅଧ୍ୟକ୍ଷତାରେ ଏକ କମିଟି ସୋମବାର କ୍ଷେତ୍ର ପରିଦର୍ଶନ କରିଛି।

ତେବେ ପଦ୍ମପୁରକୁ ଜିଲ୍ଲା ମାନ୍ୟତା ପ୍ରସଙ୍ଗରେ ପ୍ରଶାସନ କ୍ଷେତ୍ର ପରିଦର୍ଶନ କରି ସମୀକ୍ଷା କରିବା ଦ୍ବାରା ରାଜ୍ୟର ବିଭିନ୍ନ ଅଞ୍ଚଳରେ ପ୍ରତିକ୍ରିୟା ପ୍ରକାଶ ପାଇଛି। ବଲାଙ୍ଗୀର ଜିଲ୍ଲାକୁ ବିଭାଜନ କରିବା ପାଇଁ ଦାବି ହୋଇଛି। ବଲାଙ୍ଗୀରକୁ କଣ୍ଟାବାଞ୍ଜି, ବଙ୍ଗୋମୁଣ୍ଡା, ତୁରେକେଲା ଆଦି ଅଞ୍ଚଳ ଦୂର ଥିବାରୁ ନୂତନ ଜିଲ୍ଲା ଦାବି କରାଯାଉଛି। କଣ୍ଟାବାଞ୍ଜିକୁ ଜିଲ୍ଲା କରାଯାଉ ବୋଲି ଅନେକ ଥର ଆନ୍ଦୋଳନ ହୋଇଛି। ସେହିପରି ଅତୀତରେ ଟିଟିଲାଗଡ଼କୁ ମଧ୍ୟ ନୂଆ ଜିଲ୍ଲା କରିବାକୁ ଦାବି ହୋଇଛି। କେବଳ ଏତିକି ନୁହେଁ, ଲୋକସଂଖ୍ୟା ବୃଦ୍ଧି, ଭୌଗଳିକ ଅବସ୍ଥିତି ଓ ପ୍ରଶାସନିକ ସୁବିଧାକୁ ନେଇ ଭୁ‌ବନେଶ୍ବର, ରାଉରକେଲା, ରାଇରଂଗପୁର, ଭଂଜନଗରକୁ ମଧ୍ୟ ନୂଆ ଜିଲ୍ଲା ଦାବି କରାଯାଉଛି। କିନ୍ତୁ ରାଜନୈତିକ ଲାଭ ଉଠାଇବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ ଡିସେମ୍ବର ୨ ତାରିଖରେ ପଦ୍ମପୁର ଉପନିର୍ବାଚନ ପରିପ୍ରେକ୍ଷୀରେ ପଦ୍ମପୁରକୁ ନୂଆ ଜିଲ୍ଲା କରାଯିବା ବୋଲି ଘୋଷଣା କରିଥିଲେ। ଏହାକୁ ବୁଦ୍ଧିଜୀବୀ ମହଲରେ ପସନ୍ଦ କରୁନାହାନ୍ତି।

କଣ୍ଟାବାଞ୍ଜି ୧୨ ଘଣ୍ଟା ବନ୍ଦ

ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜିକୁ ନୂତନ ଜିଲ୍ଲା ମାନ୍ୟତା ଦାବି ‌ହୋଇଛି। ଏନେଇ ମଙ୍ଗଳବାର ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଇଛି। ଜିଲ୍ଲା ସଙ୍ଘର୍ଷ ସମିତିର ଆହ୍ବାନକ୍ରମେ ଏହି ବନ୍ଦ ଡାକରାରେ ସମସ୍ତ ବ୍ୟାବସାୟିକ ପ୍ରତିଷ୍ଠାନ, ଦୋକାନ ବଜାର, ସ୍କୁଲ କଲେଜ ଓ ସରକାରୀ କାର୍ଯ୍ୟାଳୟ ବନ୍ଦ ରହିଥିଲା। ଲୋକଙ୍କର ଅସୁବିଧାକୁ ନଜର ରଖି ଯାନବାହନ ଚଳାଚଳ ସ୍ୱାଭାବିକ ଥିଲା। ସ୍ଥାନୀୟ ଇନ୍ଦିରା ଛକ ନିକଟର ଜିଲ୍ଲା ସଙ୍ଘର୍ଷ ସମିତିର କର୍ମକର୍ତ୍ତାମାନେ ରସ୍ତା ଉପରେ ବିକ୍ଷୋଭ ପ୍ରଦଶନ କରିଥିଲେ। ଏହି ବନ୍ଦରେ ସହରର ୨୦ରୁ ଅଧିକ ସଂଗଠନ ସାମିଲ ହୋଇଥିଲେ। ଏହା ସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଦିଆଯାଇଥିଲା।

ଆଉ ୪ ଜିଲ୍ଲାର ଆବଶ୍ୟକତା

ପଦ୍ମପୁର ଉପନିର୍ବାଚନ ବେଳେ ବିଜେଡି ପ୍ରାର୍ଥୀ ବର୍ଷା ସିଂହ ବରିହାଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତବର୍ଷ ଡିସେମ୍ବର ୨ ତାରିଖରେ ବରଗଡ଼ ଗସ୍ତ କରିଥିଲେ। ସେଦିନ ସେ ପଦ୍ମପୁର, ପାଇକମାଳ ଓ ଝାରବନ୍ଧ‌େ ନିର୍ବାଚନୀ ସଭା କରିଥିଲେ। ଏହି ଅବସରରେ ସେ ୨୦୨୩ ଡିସେମ୍ବର ଶେଷ ସୁଦ୍ଧା ପଦ୍ମପୁର ନୂଆ ଜିଲ୍ଲା ହେବ ବୋଲି କହିଥିଲେ। ଏହି ଘୋଷଣାକୁ ଏକ ବର୍ଷ ଦୁଇ ଦିନ ବିତିଥିବା ବେଳେ ପଦ୍ମପୁରବାସୀ ନୂଆ ଜିଲ୍ଲା ନେଇ ଅନେକ ଆଶାବାଦୀ ଅଛନ୍ତି। ପଦ୍ମପୁର ନୂଆ ଜିଲ୍ଲା ହେଲା ପରେ କ’ଣ ବିକାଶ ହେବ, ତାହା ଭିନ୍ନ କଥା। କିନ୍ତୁ ‌ପ୍ରଶାସନିକ କାର୍ଯ୍ୟରେ ଲୋକଙ୍କୁ ବର୍ତ୍ତମାନ ଅପେକ୍ଷା ସୁବିଧା ହେବା ନିଶ୍ଚିତ। ଏହା କେବଳ ପଦ୍ମପୁରବାସୀଙ୍କ ପାଇଁ ନୁହେଁ। ବରଂ ରାଜ୍ୟର ଅନ୍ୟ ଉପାନ୍ତ ଓ ଦୁରବର୍ତ୍ତୀ ସ୍ଥାନରେ ରହୁଥିବା ଲୋକଙ୍କ ପାଇଁ ମଧ୍ୟ ପ୍ରଯୁଜ୍ୟ। ପଦ୍ମପୁର ଯେପରି ଭୌଗଳିକ, ପ୍ରଶାସନିକ ଓ ଲୋକସଂଖ୍ୟା ଦୃଷ୍ଟିରୁ ନୂଆ ଜିଲ୍ଲାର ଆବଶ୍ୟକତା କରୁଛି, ଅନୁରୂପ ଭାବେ ଭୁବନେଶ୍ବର, ରାଉରକେଲା, ରାଇରଂଗପୁର ଓ ଭଂଜନଗର ପାଇଁ ମଧ୍ୟ ଦରକାର ଅଛି। ପଦ୍ମପୁର ତୁଳନାରେ ଏହି ୪ଟି ଅଞ୍ଚଳର ଲୋକସଂଖ୍ୟା ଅଧିକ। ସେହିପରି ଭୌଗଳିକ ଦୃଷ୍ଟିକୋଣରୁ ରାଇରଂଗପୁର ଓ ଭଂଜନଗରକୁ ମଧ୍ୟ ଜିଲ୍ଲା କରାଯିବାର ଦରକାର ଅଛି।

ପଦ୍ମପୁରରେ ଆରଡିସିଙ୍କ ସମୀକ୍ଷା

ପଦ୍ମପୁରଠାରେ ନୂତନ ଜିଲ୍ଲାପାଳ କାର୍ଯ୍ୟାଳୟର ସ୍ଥାନ ନିରୂପଣ ପାଇଁ ଉତ୍ତରାଞ୍ଚଳ ରାଜସ୍ବ କମିସନର ଡ. ସୁରେଶଚନ୍ଦ୍ର ଦଳାଇଙ୍କ ଅଧ୍ୟକ୍ଷତାରେ ଏକ କମିଟି କ୍ଷେତ୍ର ପରିଦର୍ଶନ କରିଛି। ଶ୍ରୀ ଦଳାଇ ଚିରୋଲି, ଅନ୍ବେଷା ହଷ୍ଟେଲ ପଡ଼ିଆ ଓ ବରିକେଲ ଗାଁ ପରିଦର୍ଶନ କରିଛନ୍ତି। ଜିଲ୍ଲାପାଳ କାର୍ଯ୍ୟାଳୟ ସମେତ ଅନ୍ୟ ସମସ୍ତ କାର୍ଯ୍ୟାଳୟ ଓ କୋଠାବାଡ଼ି ନିର୍ମାଣ ପାଇଁ କେତେ ଭିତ୍ତିଭୂମି ଜରୁରି ତାହା କମିଟି ସମୀକ୍ଷା କରିଥିଲେ। ୧୧ ଜଣିଆ କମିଟିରେ ଜିଲ୍ଲାପାଳ ମୋନୀଷା ବାନାର୍ଜୀ, ଅତିରିକ୍ତ ଜିଲ୍ଲାପାଳ ଲଲାଟ ଲୁହା, ଉପଜିଲ୍ଲାପାଳ ଆଲୋକ ପଟେଲଙ୍କ ସମେତ ବିଭିନ୍ନ ବିଭାଗଗର ବରିଷ୍ଠ ଅଧିକାରୀମାନେ ସାମିଲ ଥିଲେ। ଏହି କମିଟି ବିସ୍ତୁତ ରିପୋର୍ଟ ସରକାରଙ୍କୁ ପ୍ରଦାନ କରିବ ବୋଲି ଜଣାପଡ଼ିଛି।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments