ଭୁବନେଶ୍ୱର: ମନୁଷ୍ୟ ଜୀବନର ସବୁଠାରୁ ବଡ଼ ଅମୂଲ୍ୟ ସଂପତି ହେଉଛି ସ୍ୱାସ୍ଥ୍ୟ । ଯଦି ଆମର ସ୍ୱାସ୍ଥ୍ୟ ଭଲ ଅଛି, ତାହାହେଲ ଆମକୁ ଭାବିବାକୁ ହେବ ଯେ, ଶ୍ରେଷ୍ଠ ସଂପତ୍ତି ଆମ ପାଖରେ ରହିଛି । ସ୍ୱାସ୍ଥ୍ୟ ସୁସ୍ଥ ଥିଲେ ମନକୁ ଶାନ୍ତି ମିଳିଥାଏ । ସବୁ କାମ କରିବାକୁ ମନରେ ଆଗ୍ରହ ବଢ଼ିଥାଏ । ଦୈନନ୍ଦିନ ଜୀବନରେ ଆମର ପେଶାଗତ ଧନ୍ଦାକୁ ଆମେ ଯେତିକି ସମୟ ଦେଉଛେ, ଶରୀରକୁ ମଧ୍ୟ ସେହି ହିସାବରେ ଧ୍ୟାନ ଦେବାର ଦରକାର ଅଛି । ଏକ ସୁସ୍ଥ ଜୀବନଯାପନ ପାଇଁ ଅତିକମରେ ଚାଲିବା, ବ୍ୟାୟାମ ଓ ଯୋଗ କରିବା ଆବଶ୍ୟକ । କାରଣ ଏଗୁଡ଼ିକ କରାଯିବା ଫଳରେ ଆମକୁ ଔଷଧ ସେବନ ଓ ହସ୍ପିଟାଲକୁ ଯିବା ହ୍ରାସ କରିବ ।
ସ୍ୱାସ୍ଥ୍ୟ ପ୍ରତି ଲୋକଙ୍କ ମନରେ ସଚେତନତା ଆଣିବା ପାଇଁ ଏବଂ ସ୍ୱାସ୍ଥ୍ୟ ଜୀବନକୁ ପ୍ରୋତ୍ସାହନ ଦେବା ପାଇଁ ପ୍ରତିବର୍ଷ ଏପ୍ରିଲ ୭ ତାରିଖରେ ‘ବିଶ୍ୱ ସ୍ୱାସ୍ଥ୍ୟ ଦିବସ’ ପାଳନ କରାଯାଉଛି । ତେଣୁ ଏହି ଦିବସକୁ ଗୁରୁତ୍ୱ ଦେଇ ସମସ୍ତଙ୍କୁ ସ୍ୱାସ୍ଥ୍ୟର ଯତ୍ନ ଓ ସତର୍କ ରହିବାକୁ ହେବ । କାରଣ ସ୍ୱାସ୍ଥ୍ୟର ଧ୍ୟାନ ରଖିବାକୁ ଆମକୁ ନିଜର ଶରୀର ପ୍ରତି ଜାଣିବା ଜରୁରୀ । ଅତିକମରେ ସମସ୍ତଙ୍କୁ ସଂପୂର୍ଣ୍ଣ ଶରୀର ଚେକ୍ଅପ୍ କରିବାର ଆବଶ୍ୟକତା ରହିଛି । ଏହା ଦ୍ୱାରା କୌଣସି ରୋଗ ଗୁରୁତ୍ୱର ସ୍ଥିତିକୁ ପହଞ୍ଚିବା ପୂର୍ବରୁ ସଂକେତ ମିଳିଯାଇଥାଏ । ଏହା ଦ୍ୱାରା ଚିକିତ୍ସା କରିବା ସହଜ ହୁଏ । ଡାଇବେଟିସ୍, ଉଚ୍ଚ ରକ୍ତଚାପ ଓ ହୃତରୋଗ ଭଳି ପୁରୁଣା ରୋଗ ସଂପର୍କରେ ଶରୀର ଚେକ୍ଅପ୍ ଦ୍ୱାରା ଜାଣିହୁଏ । କେବଳ ସେତିକି ନୁହେଁ ଜୀବନଶୈଳୀ ସଂପର୍କିତ ଜିନିଷ, ଯେପରିକି ଖରାପ ଖାଦ୍ୟାଭ୍ୟାସ, ବ୍ୟାୟାମ କମ, ଟ୍ରେସ ଆଦି ଚିହ୍ନଟ କରିବାକୁ ସହଜ ହୁଏ । ଭବିଷ୍ୟତରେ ହେବାକୁ ଥିବା ସମ୍ଭାବିତ ରୋଗ ସଂପର୍କରେ ସୂଚନା ମିଳିଥାଏ । ଏହି ଅନୁସାରେ ଜୀବନଶୈଳୀକୁ ପରିବର୍ତ୍ତନ କରାଯାଇପାରିବ ।
ବଦଳିଛି ଖାଇବା ଶୈଳୀ
ଆଜିକାଲି ଲୋକଙ୍କର ଜୀବନଶୈଳୀରେ ପରିବର୍ତ୍ତନ ଯୋଗୁଁ ଅଧିକ ରୋଗ ଓ ରୋଗୀ ଦେଖାଯଉଛନ୍ତି । ୧୦ ବର୍ଷ ତଳକୁ ଯଦି ଫେରିଯିବା, ସେହି ସମୟରେ ଯେପରି ଖାଦ୍ୟ ମିଳୁଥିଲା, ସେଥିରେ ଆଜି ବହୁ ପରିବର୍ତ୍ତନ ଦେଖାଯାଇଛି । ସବୁ ଖାଦ୍ୟରେ କୌଣସି ପ୍ରକାରରେ ରାସାୟନିକ ମିଶୁଛି । ପ୍ରାକୃତିକ ଉପାୟରେ ଆମେ ଖାଦ୍ୟ କମ୍ ପରିମାଣରେ ଗ୍ରହଣ କରୁଛେ । ସମୟର ଅଭାବ କହି ଆମେ ଘରୋଇ ଖାଦ୍ୟ ବଦଳରେ ଅଧିକାଂଶ ସମୟରେ ବାହାର ଖାଦ୍ୟ ଖାଉଛେ । ବାହାର ଖାଦ୍ୟରେ ବ୍ୟବସାୟୀମାନେ ଆର୍ଥିକ ଲାଭକୁ ଦୃଷ୍ଟି ଦିଅନ୍ତି । ଲୋକଙ୍କ ସ୍ୱାସ୍ଥ୍ୟ କଥା ଚିନ୍ତା କରନ୍ତି ନାହିଁ । ଖାଦ୍ୟପେୟକୁ ନିୟନ୍ତ୍ରଣ ରଖିବା ସହିତ ନିୟମିତ ଯୋଗ, ବ୍ୟାୟାମ ଓ ଶୋଇବାକୁ ଗୁରୁତ୍ୱ ଦେଲେ ଡାକ୍ତରଖାନାକୁ କମ ଯିବାକୁ ପଡ଼ିବ ।
କରୋନା ପରେ ବଢ଼ିଛି ରୋଗ
ବିଶ୍ୱ ସ୍ୱାସ୍ଥ୍ୟ ଦିବସ ୧୯୫୦ ମସିହା ଠାରୁ ପ୍ରତି ବର୍ଷ ପାଳନ ହୋଇ ଆସୁଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ପୃଥିବୀରେ ସ୍ୱାସ୍ଥ୍ୟ ସଂପର୍କିତ ସଚେତନତା ବାର୍ତ୍ତା ବାଣ୍ଟିବା ଏହାର ମୂଳ ଉଦ୍ଦେଶ୍ୟ । ବିଶ୍ୱର ପ୍ରତି ମୁହୂର୍ତ୍ତରେ ନୂଆନୂଆ ରୋଗ ଦେଖିବାକୁ ମିଳୁଛି । ଚଳିତ ଦଶନ୍ଧିରେ କୋଭିଡ-୧୯ ବିଶ୍ୱବ୍ୟାପି ଆତଙ୍କ ଖେଳାଇଛି । ୨୦୨୦ ମାର୍ଚ୍ଚ ମାସ ଠାରୁ ଏପର୍ଯ୍ୟନ୍ତ ବିଶ୍ୱବ୍ୟାପି ୬୮ କୋଟି ୪୫ ଲକ୍ଷ ଲୋକ କରୋନା ରୋଗରେ ପୀଡିତ ହୋଇଥିଲେ । ସେଥିରୁ ୬୮ ଲକ୍ଷ ୩୬ ହଜାର ଲୋକଙ୍କର ମୃତ୍ୟୁ ହୋଇଛି । କରୋନା ପୁଣି ଥରେ ମୁଣ୍ଡ ଟେକିଛି । କରୋନା ରୋଗ ଯୋଗୁ ଲୋକଙ୍କର ମାନସିକ ରୋଗ, କର୍କଟ, ଶ୍ୱାସ ସମ୍ବନ୍ଧୀୟ, ରକ୍ତଚାପ, ହୃଦ୍ଘାତ, ଡାଇବେଟିସ, ଅସ୍ଥମା ଆଦି ବଢ଼ିଛି ।