ଭୁବନେଶ୍ବର: ଦେଶରେ ପ୍ରତି ୬ ସେକେଣ୍ଡରେ ଜଣେ ବ୍ୟକ୍ତି ଷ୍ଟ୍ରୋକରେ ମୃତ୍ୟୁବରଣ କରୁଛନ୍ତି। ଅଧିକାଂଶ କ୍ଷେତ୍ରରେ ରୋଗୀମାନଙ୍କୁ ବହୁ ବିଳମ୍ୱରେ ଡାକ୍ତରଖାନାକୁ ନିଆଯାଉଥିବାରୁ ସେମାନଙ୍କ ଚିକିତ୍ସା ବିଶେଷ ପ୍ରଭାବଶାଳୀ ହୋଇପାରୁ ନାହିଁ। ଅତ୍ୟାଧୁନିକ ଜୀବନଶୈଳୀ କାରଣରୁ ଆଜିକାଲି ସଂକ୍ରାମକ ରୋଗ ଯଥା ହଇଜା, ଡାଇରିଆ ତୁଳନାରେ ଅଣସଂକ୍ରାମକ ରୋଗ (ମଧୁମେହ, ଉଚ୍ଚରକ୍ତଚାପ, ହୃଦରୋଗ ଏବଂ ଷ୍ଟ୍ରୋକ) ପ୍ରମୁଖ ସ୍ୱାସ୍ଥ୍ୟ ସମସ୍ୟା ଭାବେ ଦେଖାଦେଇଛି। ଷ୍ଟ୍ରୋକ ବର୍ତ୍ତମାନ ଲୋକଙ୍କ ଜୀବନକୁ ଅଧିକ ମାତ୍ରରେ ପ୍ରଭାବିତ କରୁଛି। ଷ୍ଟ୍ରୋକରୁ ବଞ୍ଚିବା ପାଇଁ ଲୋକମାନଙ୍କୁ ନିଜର ଜୀବନଶୈଳୀରେ ପରିବର୍ତ୍ତନ କରିବାକୁ ପଡ଼ିବ। ଜନସାଧାରଣ ଏ ଦିଗରେ ଅଧିକ ସଚେତନ ହେବାର ଆବଶ୍ୟକତା ରହିଛି। ସେହିପରି ହୃଦଘାତ ସାଧାରଣତଃ ୪୦ ବର୍ଷରୁ କମ୍ ବୟସର ଲୋକଙ୍କୁ ହୋଇନଥାଏ ବୋଲି ଲୋକେ କହନ୍ତି। କିନ୍ତୁ ବର୍ତ୍ତମାନ ୩୦-୪୦ ବର୍ଷ ବୟସର ଯୁବକମାନଙ୍କ କ୍ଷେତ୍ରରେ ବି ହୃଦ୍ଘାତ ଘଟୁଥିବା ଦେଖିବାକୁ ମିଳୁଛି। ଏହା ଚିନ୍ତାଜନକ। ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ, ମାନସିକ ଚାପ, ଜୀବନଶୈଳୀ, ଶାରୀରିକ ପରିଶ୍ରମର ଅଭାବ ଏବଂ ନିଦ୍ରାଭାବ ହେତୁ ଏସବୁ ଦେଖାଯାଏ।
ହୃଦ୍ଘାତ ପାଇଁ ପରିବର୍ତ୍ତିତ ଜୀବନ ଶୈଳୀ ଦାୟୀ
ବିଶେଷଜ୍ଞ ଡାକ୍ତରମାନେ କୁହନ୍ତି ଯେ, ସାମାନ୍ୟ ଖାଦ୍ୟରୁ ବି ହୃଦ୍ରୋଗ ହୋଇପାରେ। ହୃଦଘାତକୁ ଏଡାଇବା ପାଇଁ ଆମେମାନେ ନିଜର ଖାଦ୍ୟଗତ ଶୈଳୀକୁ ବଦଳାଇବା ଦରକାର। ଶରୀର ପାଇଁ ଆବଶ୍ୟକୀୟ ପୋଷକ ତତ୍ୱ ଓ ଅମ୍ଲଜାନ ନିହାତି ଦରକାର ପଡ଼ିଥାଏ। ଆଜିକାଲି ଆମେ ଯେଉଁ ଖାଦ୍ୟ ସବୁ ଖାଉଛନ୍ତି ସେଥିରେ ମାତ୍ରାଧିକ ରାସାୟନିକ ସାମଗ୍ରୀ ମିଳିଥାଏ। ବ୍ୟବସାୟୀମାନେ ଗ୍ରାହକଙ୍କୁ ଆକର୍ଷିତ କରିବା ପାଇଁ ସେହିଭଳି ପ୍ରସ୍ତୁତ କରିଥାନ୍ତି ଯାହା ମଣିଷର ରୋଗ ପ୍ରତିରୋଧକ ଶକ୍ତିକୁ ହ୍ରାସ କରିବା ସହ ଆମକୁ ହୃଦଘାତ ଭଳି ମାରାତ୍ମକ ରୋଗର ନିକଟବର୍ତ୍ତୀ କରାଉଛି। କେବଳ ସେତିକି ନୁହେଁ ଖାଦ୍ୟରେ ଅଧିକ ମାତ୍ରାରେ ଲୁଣ ମଣିଷକୁ ସିଧାସଳଖ ହୃଦଘାତର ନିକଟତର କରାଇଥାଏ। ଏପରିକି ମଣିଷର ଜୀବନ ମଧ୍ୟ ନେବାକୁ ପଛାଇ ନଥାଏ। ତେଣୁ ଖାଦ୍ୟରେ କମ୍ ଲୁଣ ବ୍ୟବହାର କରିବା ପାଇଁ ଡାକ୍ତରମାନେ ପରାମର୍ଶ ଦେଇଥାନ୍ତି। ଅଧିକ ପରିମାଣରେ ଲୁଣ ଖାଇଲେ କେବଳ ହୃଦ୍ରୋଗ ନୁହେଁ ବରଂ ରକ୍ତଚାପ ସମସ୍ୟାର ମଧ୍ୟ କାରଣ ବନିଥାଏ।
ବିଳମ୍ବରେ ପହଞ୍ଚିବା ମୃତ୍ୟୁର ଅନ୍ୟ କାରଣ
ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ପ୍ରତିଷ୍ଠାନ (ଏମ୍ସ) ପକ୍ଷରୁ କରାଯାଇଥିବା ଏକ ଅଧ୍ୟୟନ ଅନୁଯାୟୀ ମାତ୍ର ୧୦ ପ୍ରତିଶତ ରୋଗୀ ହୃଦଘାତର ଏକଘଣ୍ଟା ଭିତରେ ହସ୍ପିଟାଲରେ ପହଞ୍ଚିଥାନ୍ତି, ଯାହା ସେମାନଙ୍କ ଜୀବନ ରକ୍ଷା ପାଇଁ ଗୁରୁତ୍ବପୂର୍ଣ୍ଣ। ଏମ୍ସର କମ୍ୟୁନିଟି ମେଡିସିନ ସେଣ୍ଟରର ପ୍ରଫେସର ଡ ଆନନ୍ଦ କୃଷ୍ଣନଙ୍କ କହିବା ଅନୁସାରେ, ହରିୟାଣା ଫରିଦାବାଦର ବଲ୍ଲବଗଡ଼ ବ୍ଲକ୍ରେ ହୃଦ୍ଘାତରେ ମରିଥିବା ଲୋକମାନଙ୍କ ଉପରେ ଏହି ଅଧ୍ୟୟନ କରାଯାଇଥିଲା। ଅଧ୍ୟୟନରୁ ଜଣାପଡ଼ିଥିଲା ଯେ ୩୦ରୁ ୪୦ ପ୍ରତିଶତ ଲୋକ ପରିସ୍ଥିତି କାରଣରୁ ହସ୍ପିଟାଲରେ ରୋଗୀକୁ ବିଳମ୍ବରେ ପହଞ୍ଚାଇ ନ ଥିଲେ। ୫୫ ପ୍ରତିଶତ ଲୋକ କ’ଣ ହୋଇଛି ଜାଣିପାରି ନ ଥିଲେ। ରୋଗୀର ହୃଦ୍ଘାତ ହୋଇଛି ନା ଷ୍ଟ୍ରୋକ୍ ହୋଇ ନା ଆଉ କିଛି ସେମାନେ ଜାଣିପାରି ନ ଥିଲେ। ଏଣୁ ତୁରନ୍ତ ହସ୍ପିଟାଲ ନେବାର ଆବଶ୍ୟକତା ସେମାନେ ବୁଝିପାରି ନ ଥିଲେ। ୨୦ରୁ ୩୦ ପ୍ରତିଶତ ଲୋକ ରୋଗୀକୁ ହସ୍ପିଟାଲ ନେବା ପାଇଁ ଗାଡ଼ି, ଟଙ୍କା ଆଦି ଅଭାବର ସମ୍ମୁଖୀନ ହୋଇଥିଲେ। ପ୍ରାୟ ୧୦ ପ୍ରତିଶତ ଲୋକ ରୋଗୀକୁ ହସ୍ପିଟାଲରେ ଠିକ୍ ସମୟରେ ପହଞ୍ଚାଇଥିଲେ ମଧ୍ୟ ହସ୍ପିଟାଲରେ ଅନ୍ୟ କାରଣରୁ ଚିକିତ୍ସାରେ ବିଳମ୍ବ ଘଟିଥିଲା।
ଗୁଜରାଟରେ ୨୪ ଘଣ୍ଟାରେ ୧୦ ଜଣଙ୍କ ମୃତ୍ୟୁ
ଶାରଦୀୟ ଦୁର୍ଗାପୂଜା ଶେଷ ହୋଇଛି। ପୂରା ଭାରତରେ ଦଶହରା ପର୍ବ ଧୁମଧାମରେ ପାଳିତ ହୋଇଯାଇଛି। ଗୁଜୁରାଟରେ ଏହି ପର୍ବକୁ ଅଧିକ ଆକର୍ଷଣୀୟ କରାଯାଇଛି। ଦାଣ୍ଡିଆ ଓ ଗରବ ନୃତ୍ୟରେ ପୂରା ଗୁଜରାଟବାସୀ ବିଭୋର ହୋଇଯାଇଛନ୍ତି। କେବଳ ଗୁଜରାଟ ନୁହେଁ, ପୂରା ଭାରତର ଅନ୍ୟ ସହରଗୁଡ଼ିକରେ ମଧ୍ୟ ଦାଣ୍ଡିଆ ଓ ଗରବା ନୃତ୍ୟ ହୋଇଛି। କିନ୍ତୁ ଚଳିତ ବର୍ଷ ନବରାତ୍ରୀ ସମୟରେ ଗୁଜରାଟରେ ହୃଦରୋଗରେ ୧୦ ଜଣଙ୍କର ମୃତ୍ୟୁ ହୋଇଛି। ଏହି ଘଟଣା ମାତ୍ର ୨୪ ଘଣ୍ଟା ମଧ୍ୟରେ ହୋଇଛି। ଏହି ମୃତକମାନଙ୍କ ମଧ୍ୟରେ ଦଭୋଇ, ବଡୋଦାର ଜଣେ ୧୩ ବର୍ଷିୟ ବାଳକ ବି ସାମିଲ ଅଛି। ଜାତୀୟ ଗଣମାଧ୍ୟମର ରିପୋର୍ଟ ମୁତାବକ ଗୁଜରାଟରେ ୧୦୮ ଆମ୍ବୁଲାନ୍ସ ସେବାକୁ ନବରାତ୍ରୀର ପୂର୍ବ ୬ ଦିନ ମଧ୍ୟରେ ହୃଦଘାତ ରୋଗୀଙ୍କୁ ମେଡିକାଲ ନେବାକୁ ୫୨୧ଟି କଲ ଆସିଛି।
ପ୍ରତି ୬ ସେକେଣ୍ଡରେ ଜଣେ ବ୍ୟକ୍ତି ଷ୍ଟ୍ରୋକରେ ମୃତ୍ୟୁ
ବିଭିନ୍ନ ଅଣସଂକ୍ରାମକ ରୋଗ ମଧ୍ୟରେ ଷ୍ଟ୍ରୋକ ବା ମସ୍ତିଷ୍କାଘାତ ଆଜି ମୃତ୍ୟୁ ଓ ଅକ୍ଷମତା ସୃଷ୍ଟିର ଏକ ପ୍ରମୁଖ କାରଣ ହୋଇଛି। ଏହା ଆଜି ସାରା ପୃଥିବୀ ପାଇଁ ବିରାଟ ଜନସ୍ୱାସ୍ଥ୍ୟ ଆହ୍ୱାନ ଭାବେ ଦେଖାଦେଇଛି। ତେଣୁ ଏ ସଂପର୍କରେ ବ୍ୟାପକ ସଚେତନତା କରାଯାଇପାରିଲେ ଆମେ ଆଗାମୀ ଦିନରେ ଷ୍ଟ୍ରୋକକୁ ନିୟନ୍ତ୍ରଣ କରିପାରିବା ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ମତ ଦେଇଛନ୍ତି। “ଦେଶରେ ପ୍ରତି ୬ ସେକେଣ୍ଡରେ ଜଣେ ବ୍ୟକ୍ତି ଷ୍ଟ୍ରୋକରେ ମୃତ୍ୟୁବରଣ କରୁଛନ୍ତି। ଅଧିକାଂଶ କ୍ଷେତ୍ରରେ ରୋଗୀମାନଙ୍କୁ ବହୁ ବିଳମ୍ୱରେ ଡାକ୍ତରଖାନାକୁ ନିଆଯାଉଥିବାରୁ ସେମାନଙ୍କ ଚିକିତ୍ସା ବିଶେଷ ପ୍ରଭାବଶାଳୀ ହୋଇପାରୁ ନାହିଁ। ତେଣୁ କୌଣସି ବ୍ୟକ୍ତିଙ୍କ ମସ୍ତିଷ୍କାଘାତର ସନ୍ଦେହ ହେଲେ ତାଙ୍କୁ ଚାରିରୁ ସାଢ଼େ ଚାରି ଘଣ୍ଟା ମଧ୍ୟରେ ଷ୍ଟ୍ରୋକ ଚିକିତ୍ସା ଉପଲବ୍ଧ ଥିବା ଡାକ୍ତରଖାନାରେ ପହଞ୍ଚାଇବା ଜରୁରୀ।