Thursday, March 20, 2025
Homeଜେଲ୍‌ରେ ଆମରଣ ଅନଶନ
Array

ଜେଲ୍‌ରେ ଆମରଣ ଅନଶନ

ଭୁବନେଶ୍ୱର: ମନୁଷ୍ୟ ସ୍ୱତନ୍ତ୍ର ଅଧିକାର ଦାବି ନେଇ ଅନଶନ କରୁଛି। ଯେତେବେଳେ ସେ ଅନଶନରେ ବସୁଛି, ନିଜର ଅଧିକାର ଦାବି କରୁଛି। ଏହି ଦାବି ବ୍ୟକ୍ତିଗତ ଓ ସାମୁହିକ ହୋଇପାରେ। ସାମୁହିକ ଅନଶନରେ ହିଂସା ମଧ୍ୟ ସୃଷ୍ଟି ହେଉଛି। ମାତ୍ର ବ୍ୟକ୍ତିଗତ ଅନଶନରେ   ସଂପୃକ୍ତ ବ୍ୟକ୍ତିର ଜୀବନକୁ କ୍ଷତି ପହଞ୍ଚାଉଛି। ଅନେକ ସମୟରେ ନିରର୍ଥକ ଅନଶନ ମଧ୍ୟ ଦେଖିବାକୁ ମିଳିଥାଏ। ସମାଜରେ ଅନେକ ସମୟରେ ବେଳେ ବେଳେ ଅନଶନ ‘ଆମରଣ ଅନଶନ’ରେ ମଧ୍ୟ ରୂପାନ୍ତରିତ  ହେଉଥିବା ଦେଖାଯାଉଛି। ଆମରଣ ଅନଶନରେ ଜୀବନ ମଧ୍ୟ ଚାଲିଯାଉଛି।

ଭୋଟର ତାଲିକାରୁ ବାଦ୍‌ ପଡ଼ିଲେ, ସ୍କୁଲ ଫି’ ବଢ଼ିଗଲେ, କଂପାନୀରେ କାର୍ଯ୍ୟରତ କର୍ମଜୀବୀଙ୍କ ମୃତ୍ୟୁ ହେଲେ ପରିବାର ଲୋକେ କ୍ଷତିପୂରଣ ଦାବିରେ, ସରକାରୀ ଚାକିରି, ଦରମା ବୃଦ୍ଧି ଓ ନିୟମିତ ପାଇଁ, ମଦ ଦୋକାନ ଖୋଲିବା, ମଦ ଦୋକାନ ଉଚ୍ଛେଦ, ପୂଜା ପାଇଁ ଅନୁମତି ଦାବି, ସରକାରୀ ଆଇନ ପ୍ରତ୍ୟାହାର ଦାବି, ଧାନ କିଣା ନେଇ ଅନଶନ ହେଉଛି। କିନ୍ତୁ ଅନଶନ ତୁଳନାରେ ଆମରଣ ଅନଶନ ଅଧିକ ବିପଦ ଦେଖାଯାଉଛି। ଆମ ଦେଶରେ ଆମରଣ ଅନଶନକାରୀଙ୍କ ମଧ୍ୟରେ ତିନି ଜଣ ବ୍ୟକ୍ତି ସର୍ବାଧିକ ଚର୍ଚ୍ଚାକୁ ଆସିଥିଲେ। ସେମାନେ ହେଲେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ ଓ ସମାଜସେବୀ ଆନ୍ନା ହଜାରେ।

ପତ୍ନୀଙ୍କୁ ଭେଟିବା ପାଇଁ ଆମରଣ ଅନଶନ

୨୦୦ କୋଟି ଟଙ୍କାର ଠକେଇ ମାମଲାର ଅଭିଯୁକ୍ତ ସୁକେଶ ଚନ୍ଦ୍ରଶେଖର ଦିଲ୍ଲୀ ତିହାର ଜେଲ୍‌ରେ ଦିନ କାଟୁଛନ୍ତି। କିନ୍ତୁ ସେ ଏବେ ଜେଲ୍‌ର ୬ନମ୍ବର ସେଲ୍‌ରେ ଦିନ କାଟୁଥିବା ଅଭିନେତ୍ରୀ ପତ୍ନୀ ଲୀନା ମାରିୟା ପଲ୍‌ଙ୍କୁ ସପ୍ତାହରେ ୨ରୁ ଅଧିକ ଥର ଭେଟିବା ଦାବିରେ ଦୀର୍ଘ ୨୦ ଦିନ ହେଲା ଆମରଣ ଅନଶନ ଜାରି ରଖିଛନ୍ତି। ସୁକେଶ ଗତ ଏପ୍ରିଲ ୨୩ ତାରିଖ ଠାରୁ ଆମରଣ ଅନଶନ ଆରମ୍ଭ କରିଥିଲେ। ଅନଶନ ଆରମ୍ଭରୁ ସୁକେଶ ତରଳ ଖାଦ୍ୟ ଗ୍ରହଣ କରୁଥିଲେ। କିନ୍ତୁ ଏବେ ୨୦ ଦିନ ହେଲା ଆଦୌ ଖାଦ୍ୟ ଗ୍ରହଣ କରିନାହାନ୍ତି। ଜେଲ ନିୟମ ଅନୁସାରେ ଜଣେ କଏଦୀ ପତ୍ନୀଙ୍କୁ ମାସକୁ ୨ ଥର ଭେଟିପାରିବେ। କିନ୍ତୁ ସୁକେଶ ପତ୍ନୀଙ୍କୁ ଜେଲରେ ୨ରୁ ଅଧିକ ଥର ଭେଟିବାକୁ ଚାହୁଁଛନ୍ତି, ଯାହାକି ସମ୍ଭବ ନୁହେଁ। ସେ ପୂର୍ବରୁ ୭୨କିଲୋ ଓଜନ ଥିଲେ।ଏବେ ତାଙ୍କର ଓଜନର ୬୭ କିଲୋ ଅଛି।

ମଦ ପାଇଁ ଅନଶନରେ ମୃତ୍ୟୁ

୨୦୨୧ ଅକ୍ଟୋବର ୨୬ ତାରିଖର ଘଟଣା। ରାଜସ୍ଥାନରେ ଜଣେ କଏଦୀ ମଦ ପିଇବା ପାଇଁ ଜେଲରେ ଅନଶନ କରିଥିଲେ। ବଂଶବାଡା ଜିଲ୍ଲାରେ ଜଣେ କଏଦୀ ମଦ ଯୋଗାଇବାକୁ ଦାବି କରି ଭୋକ ଉପାସରେ ଅନଶନ କରୁଥିଲେ। ପ୍ରାୟ ୨୦ ଦିନ ପରେ ଚିକିତ୍ସା ସମୟରେ କଏଦୀଙ୍କର ମୃତ୍ୟୁ ହୋଇଯାଇଥିଲା। କଏଦୀଙ୍କୁ ମାରପିଟ ଅଭିଯୋଗରେ ଗିରଫ କରାଯାଇଥିଲା ଓ ଜଣେ ବିଚାରାଧୀନ ବନ୍ଦୀ ଭାବରେ ସେ ଦିନ କାଟୁଥିଲେ। ଜେଲରେ ମଦ ଯୋଗାଇଦେବାକୁ ସେ ଜେଲରଙ୍କୁ କହିଥିଲେ। କିନ୍ତୁ ଜେଲ କର୍ମଚାରୀ ତାଙ୍କ କଥା ଶୁଣିନଥିଲେ। ଶେଷରେ କଏଦୀ ଜଣକ ଖାଇବା-ପିଇବା ବନ୍ଦ କରିଦେଇଥିଲେ। ଏହି କାରଣରୁ ସେ ବହୁତ ଦୁର୍ବଳ ହୋଇଯାଇଥିଲେ ।   ସ୍ୱାସ୍ଥ୍ୟାବସ୍ଥା ଅବନତି ହୋଇଥିବାର ଦେଖି ଦୁଇ ଦିନ ତାଙ୍କୁ ଚିକିତ୍ସା ପାଇଁ ଉଦୟପୁରର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା  । କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା।

ନଳିନୀଙ୍କ ଆମରଣ ଅନଶନ

ସେହିପରି ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ହତ୍ୟା ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ନଳିନୀ ଶ୍ରୀହରନ ଜେଲରୁ ମୁକୁଳିବା ଦାବିରେ ୨୦୧୯ ଅକ୍ଟୋବର ୨୬ରେ ଆମରନ ଅନଶନ ଆରମ୍ଭ କରିଦେଇଥିଲେ। ଏହି ଅନଶନ ସଂପର୍କରେ ସେ ଏକ ପତ୍ର ଲେଖି ଜେଲ କର୍ତ୍ତୃପକ୍ଷଙ୍କୁ ଅବଗତ କରିଥିଲେ। ଏଥିରେ ଉଲ୍ଲେଖ ଥିଲା ଯେ, ତାଙ୍କ ସ୍ୱାମୀ ଭି.ଶ୍ରୀହରନ ଓରଫ ମୁରୁଗନ ଗତ ୨୮ ବର୍ଷ ହେଲା ଜେଲଦଣ୍ଡ ଭୋଗୁଛନ୍ତି। ଏବେ ମୁରୁଗନଙ୍କ ପିତାଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲନାହିଁ। ଏଣୁ ତାଙ୍କୁ ଜେଲରୁ ମୁକ୍ତ କରାଯାଉ ବୋଲି ନଳିନୀ ଅନୁରୋଧ କରିଥିଲେ। ୨୦୧୯ ଜୁଲାଇ ୫ ତାରିଖରେ ମାଡ୍ରାସ ହାଇକୋର୍ଟ ତାଙ୍କୁ ୧ ମାସର ପ୍ୟାରୋଲ ପ୍ରଦାନ କରିଥିଲେ। ସୂଚନାଯୋଗ୍ୟ, ୧୯୯୧ ମେ’ ୨୧ ତାରିଖରେ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କୁ ତାମିଲନାଡୁର ଶ୍ରୀପେରୁମୁନ୍ଦୁରଠାରେ ଆତ୍ମଘାତି ବୋମା ବିସ୍ଫୋରଣ କରି ହତ୍ୟା କରାଯାଇଥିଲା। 

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments