ଭୁବନେଶ୍ୱର: ୧୦୦ ବର୍ଷ ପୂର୍ବରୁ ଓଡ଼ିଆ ଭାଷା ନିଜର ସ୍ଥିତି ମଜବୁତ ପାଇଁ ଲଢ଼େଇ କରିଥିବା ବେଳେ ଏବେ ବିଗତ ୨ ସପ୍ତାହ ହେଲା ପୁଣି ସଂକଟ ପରିସ୍ଥିତି ଦେଇ ଗତି କରୁଛି। ଫରକ ମାତ୍ର ଏତିକି ଯେ, ବିଂଶ ଶତାବ୍ଦୀରେ ସମଗ୍ର ଉତ୍କଳ ପ୍ରଦେଶ ପାଇଁ ଓଡ଼ିଆ ଭାଷା ପାଇଁ ଆମର ମହାପୁରୁଷମାନେ ଲଢ଼େଇ କରୁଥିଲେ। କିନ୍ତୁ ଏବେ ଓଡ଼ିଶା ବାହାରେ ଓଡ଼ିଆ ଭାଷାର ସୁରକ୍ଷା ସଂକଟରେ ପଡ଼ିଛି। ଝାଡ଼ଖଣ୍ଡର ହେମନ୍ତ ସୋରେନ ସରକାର ନିଜ ରାଜ୍ୟର ସ୍କୁଲ ଗୁଡ଼ିକରେ ଓଡ଼ିଆ ଭାଷାକୁ ଉଚ୍ଛେଦ କରିବା ପାଇଁ ନିଷ୍ପତ୍ତି ନେବା ପରେ ଓଡ଼ିଶା ଓ ଝାଡ଼ଖଣ୍ଡରେ ବିରୋଧର ସ୍ୱର ଉଠିଛି। ଝାଡ଼ଖଣ୍ଡ ସରକାର ତୁରନ୍ତ ନିଷ୍ପତ୍ତି ପ୍ରତ୍ୟାହାର କରନ୍ତୁ ବୋଲି ଦାବି ହୋଇଛି। ଝାଡ଼ଖଣ୍ଡରେ ଓଡ଼ିଆ ଭାଷାଭାଷୀ ଲୋକ ରାଜରାସ୍ତାକୁ ଓହ୍ଲାଇଥିବା ବେଳେ ଓଡ଼ିଶାରେ ବିଭିନ୍ନ ରାଜନେତିକ ଏବଂ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଏହାକୁ ସମର୍ଥନ ଜଣାଇଛନ୍ତି। ଷଢ଼େଇକଳା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଓଡ଼ିଆ ଭାଷାଭାଷୀ ଗଣଧାରଣା ଦେବା ସହିତ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ସେମାନେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଛନ୍ତି ଏବଂ ଦାବି ପୂରଣ ନହେଲେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି।
ଝାଡ଼ଖଣ୍ଡ ପଡୋଶୀ ରାଜ୍ୟ ଏବଂ ଏହାର କିଛି ଅଂଚଳ ଏକଦା ଓଡ଼ିଶାର ଅଂଶବିଶେଷ ହୋଇଥିବାରୁ ଏଠାରେ ଲକ୍ଷାଧିକ ଲୋକ ଓଡ଼ିଆ ଭାଷା କୁହନ୍ତି। ଉଭୟ ରାଜ୍ୟର ସୀମା ନିକଟରେ ରହୁଥିବା ଲୋକେ ବ୍ୟବସାୟିକ, ସାମାଜିକ ଓ ବୈବାହିକ ସଂପର୍କ ରଖିଥାନ୍ତି। ଏହା ମଧ୍ୟ ଓଡ଼ିଆ ଭାଷା ବିକାଶରେ ସହାୟକ ହୋଇଥାଏ। କିନ୍ତୁ ସରକାର ନିକଟରେ ନେଇଥିବା ନିଷ୍ପତ୍ତିକୁ ସୀମାନ୍ତରେ ରହୁଥିବା ଓଡ଼ିଆ ବିରୋଧ କରିଛନ୍ତି। ସେମାନେ କୁହନ୍ତି ଯେ, ସରକାର ଏପରି ଏକଚାଟିଆ ପଦକ୍ଷେପ ନେବା ଠିକ୍ ନୁହେଁ।
ଓଡ଼ିଆ ଭାଷା ସୁରକ୍ଷା
ଓଡ଼ିଆ ଭାଷାକୁ ନେଇ ବିବାଦ ସୃଷ୍ଟି ହେବା ପରେ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଗଣମାଧ୍ୟମକୁ କହିଛନ୍ତି, ଝାଡ଼ଖଣ୍ଡ ସହିତ ଆମର ଭଲ ସମ୍ପର୍କ ଅଛି। ସେଠାରେ ୧୫୦ଟି ଓଡ଼ିଆ ସ୍କୁଲ ପରିଚାଳିତ ହେଉଛି। ଓଡ଼ିଆ ଭାଷାକୁ ସେଠାରେ କିଭଳି ଗୁରୁତ୍ୱ ଦିଆଯିବ ସେଥିପ୍ରତି ଆମେ ନଜର ରଖିଛୁ। ଝାଡ଼ଖଣ୍ଡ ଶିକ୍ଷାମନ୍ତ୍ରୀଙ୍କ ସହ ମୁଁ କଥା ହୋଇ ପ୍ରତିକାର ସଂପର୍କରେ ଆବଶ୍ୟକ ପଦକ୍ଷେପ ନେବି। ଓଡ଼ିଆ ଭାଷାକୁ ସୁରକ୍ଷା ଦେବା ସହ ସୀମାନ୍ତ ରାଜ୍ୟଗୁଡିକରେ ଓଡ଼ିଆ ଭାଷା ରହିବ ଓ ଓଡ଼ିଆ ପିଲା ଯେପରି ଓଡ଼ିଆ ଭାଷା ପଢ଼ିିପାରିବେ ସେଥିପାଇଁ ରାଜ୍ୟ ସରକାର ସବୁ ସମୟରେ ଠୋସ ପଦକ୍ଷେପ ନେଇଛନ୍ତି ବୋଲି ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି।
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ପତ୍ର
ଝାଡ଼ଖଣ୍ଡରେ ଓଡ଼ିଆ ଭାଷାକୁ ନେଇ ବିବାଦ ସୃଷ୍ଟି ହେବା ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଆ ଭାଷାର ସୁରକ୍ଷା ନେଇ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଚିଠି ଲେଖିଛନ୍ତି। ଏଥି ସହିତ ଶ୍ରୀ ପ୍ରଧାନ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀଙ୍କୁ ମଧ୍ୟ ପତ୍ର ଲେଖି ହସ୍ତକ୍ଷେପ ଲୋଡ଼ିଛନ୍ତି। କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ଓଡ଼ିଶାରେ ୨ ପଡୋଶୀ ଝାଡ଼ଖଣ୍ଡ ଓ ଆନ୍ଧ୍ରପ୍ରଦେଶ ହୋଇଥିବାରୁ ଏଠାରେ ଓଡ଼ିଆ ଭାଷାର ଗୁରୁତ୍ୱ ରହିଛି। ଏହି ୨ ରାଜ୍ୟରେ ସଂଖ୍ୟାଲଘୁ ଛାତ୍ରଛାତ୍ରୀଙ୍କୁ ଓଡ଼ିଆ ପଢ଼ାରେ ବ୍ୟାଘାତ ଦେଖାଯାଇଥିବାରୁ କେନ୍ଦ୍ରମନ୍ତ୍ରୀ ଉଦ୍ବେଗ ପ୍ରକାଶ କରିଛନ୍ତି। ଆନ୍ଧ୍ରପ୍ରଦେଶର ସୀମାନ୍ତବର୍ତ୍ତୀ କେତେକ ବିଦ୍ୟାଳୟ ଯଥାକ୍ରମେ ଆନ୍ଧ୍ରପ୍ରଦେଶ ଏବଂ ଓଡିଶାର ବିଦ୍ୟାଳୟ ବ୍ୟବସ୍ଥାରେ ମିଶି ଯାଇଛି। ଦୁଇ ରାଜ୍ୟର ବିଦ୍ୟାଳୟରେ ଅନେକ ଓଡ଼ିଆ ଏବଂ ତେଲୁଗୁ ଭାଷାଭାଷୀ ପିଲା ସଂଖ୍ୟାଲଘୁ ଗୋଷ୍ଠୀରେ ପରିଣତ ହୋଇଛନ୍ତି, ସେମାନଙ୍କ ମାତୃଭାଷାକୁ ସହଯୋଗ ଦେବାର ଆବଶ୍ୟକତା ରହିଛ।
ଝାଡ଼ଖଣ୍ଡର ୨ୟ ଭାଷା ଓଡ଼ିଆ
ସୂଚନାଯୋଗ୍ୟ ୨୦୧୧ ମସିହା ସେପ୍ଟେଟର ୧ ତାରିଖରେ ଅର୍ଜୁନ ମୁଣ୍ଡାଙ୍କ ସରକାର ଝାଡ଼ଖଣ୍ଡରେ ଓଡ଼ିଆକୁ ଦ୍ଵିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ କରିଥିଲେ। ଦୀର୍ଘ ୧୦ ବର୍ଷ ହେବ ଓଡ଼ିଆ ଭାଷା ଝାଡ଼ଖଣ୍ଡରେ ଦ୍ୱିତୀୟ ସରକାରୀ ଭାଷା ଭାବେ ପରିଚାଳିତ ହେଉଥିବା ବେଳେ ଏବେ ୨୦୨୧-୨୨ ଶିକ୍ଷାବର୍ଷରୁ ଏହାକୁ ଉଚ୍ଛେଦ କରିବାପାଇଁ ଝାଡ଼ଖଣ୍ଡ ସରକାରଙ୍କ ସ୍କୁଲ ଓ ଗଣଶିକ୍ଷା ବିଭାଗ ନିଷ୍ପତ୍ତି ନେଇଛି ବୋଲି ଚର୍ଚ୍ଚା ହେଉଛି, ଯାହାକୁ ନେଇ ଉଭୟ ରାଜ୍ୟରେ ଅଶାନ୍ତି ସୃଷ୍ଟି ହୋଇଛି। ଯଦି ଝାଡ଼ଖଣ୍ଡ ସରକାର ନିଷ୍ପତ୍ତିରେ ପରିବର୍ତ୍ତନ ନଆଣନ୍ତି ତା’ହେଲେ ଷଢ଼େଇକଳା-ଖରସୁଆଁ, ପୂର୍ବ ସିଂହଭୂମ, ପଶ୍ଚିମ ସିଂହଭୂମ ସମେତ ଅନ୍ୟ କିଛି ଜିଲ୍ଲାରେ ବସବାସ କରୁଥିବା ୭୦ ପ୍ରତିଶତରୁ ଊର୍ଦ୍ଧ୍ଵ ଓଡ଼ିଆ ଭାଷାଭାଷୀଙ୍କ ପିଲାମାନେ ଚାହିଁଲେ ବି ନିଜ ମାତୃଭାଷାରେ ପାଠ ପଢ଼ିପାରିବେ ନାହିଁ।