ଭୁବନେଶ୍ବର: ଆଗାମୀ ଦୁଇ ମାସ ପରେ ଦେଶରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବ। ଏହି ନିର୍ବାଚନରେ ବିଜୟ ହାସଲ କରି ବିଜେପି ନେତୃତ୍ବାଧୀନ ଏନ୍ଡିଏ କ୍ରମାଗତ ଭାବେ ତୃତୀୟ ଥର ସରକାର ଗଢ଼ିବା ପାଇଁ ପ୍ରସ୍ତୁତି କରିଛି। ଏଥି ପାଇଁ ଦଳ ତୃଣମୂଳ ସ୍ତରକୁ ଅଧିକ ମଜବୁତ କରିବା ପାଇଁ ରଣନୀତି ବହୁ ପୂର୍ବରୁ ଆରମ୍ଭ କରିସାରିଛି। ଅନ୍ୟପଟରେ କଂଗ୍ରେସ ନେତୃତ୍ବ ଇଣ୍ଡିଆ ମେଣ୍ଟ ଦଶ ବର୍ଷ ପରେ କ୍ଷମତାକୁ ପୁଣି ଥରେ ଫେରିବା ପାଇଁ ପ୍ରୟାସ କରୁଛି। କେନ୍ଦ୍ର ସରକାରଙ୍କ ଦରବୃଦ୍ଧି ଓ ଅନ୍ୟ ପ୍ରସଙ୍ଗକୁ ଆଧାର କରି କଂଗ୍ରେସ ଏବେ ଦେଶରେ ଭାରତ ଯୋଡୋ ନ୍ୟାୟ ଯାତ୍ରା କରୁଛି। ସାଂସଦ ରାହୁଲ ଗାନ୍ଧି ଏହାର ନେତୃତ୍ବ ନେଉଛନ୍ତି।
ରାହୁଲ ଗାନ୍ଧି ଭାରତ ଯୋଡ଼ୋ ଯାତ୍ରା ଜାରି ରଖିଥିବା ବେଳେ ନିଜ ଦଳର ନେତାଙ୍କ ବୟାନ ଯୋଗୁଁ କଂଗ୍ରେସ ଭିତ୍ତିଭୂମି ଦୁର୍ବଳ ହେଉଛି। ଇଣ୍ଡିଆ ମେଣ୍ଟର ଶକ୍ତି କୁହାଯାଉଥିବା ଅନ୍ୟ ଦୁଇଟି ଦଳ ଯଥାକ୍ରମେ ତୃଣମୂଳ କଂଗ୍ରେସ (ଟିଏମ୍ସ) ଓ ଆମ ଆଦମୀ ପାର୍ଟି (ଆପ୍) କଂଗ୍ରେସର ହାତ ଛାଡ଼ିଛନ୍ତି। ଲୋକସଭା ନିର୍ବାଚନ ପାଇଁ ପଶ୍ଚିମବଙ୍ଗ ଓ ପଂଜାବରେ ଆସନ ବୁଝାମଣା ହୋଇନପାରିବା ଇଣ୍ଡିଆ ମେଣ୍ଟ ପାଇଁ ଜଟିଳ ସ୍ଥିତି ସୃଷ୍ଟି କରିବାର କାରଣ ବୋଲି ଗଣମାଧ୍ୟମରେ ଚର୍ଚ୍ଚା ହେଉଛି। ମେଣ୍ଟର ଦୁଇ ପ୍ରମୁଖ ନେତାଙ୍କ ଏଭଳି ଆଭିମୁଖ୍ୟ କଂଗ୍ରେସ ପାଇଁ ବଡ଼ ଝଟ୍କା ହୋଇଥିବା ବେଳେ ଏହା ଇଣ୍ଡିଆ ମେଣ୍ଟର ରଣନୀତିକୁ ଦୁର୍ବଳ କରିଦେବ ବୋଲି କୁହାଯାଉଛି।
କ’ଣ କହିଲେ ମମତା-କେଜ୍ରି
ତୃଣମୂଳ କଂଗ୍ରେସ ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି ପଶ୍ଚିମବଂଗରେ କଂଗ୍ରେସ ସହ କୌଣସି ସ୍ଥିତିରେ ବି ମେଣ୍ଟ କରାଯିବ ନାହିଁ। ଦଳ ପଶ୍ଚମବଂଗରେ ଆଗାମୀ ଲୋକସଭା ନିର୍ବାଚନ ଏକାକୀ ଲଢ଼ିବ। କଂଗ୍ରେସ ସହ ଆସନ ବୁଝାମଣା ବିଫଳ ହୋଇଛି ଏବଂ ରାଜ୍ୟରେ ମେଣ୍ଟ ହେବନାହିଁ। ମମତାଙ୍କ ପରି କେଜ୍ରିୱାଲ ମଧ୍ୟ କଂଗ୍ରେସ ଠାରୁ ସଂପର୍କ ଦୂରରେ ରଖିବା ପାଇଁ ଚାହିଁଛନ୍ତି। ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ମଧ୍ୟ ପଂଜାବରେ କଂଗ୍ରେସ ସହ ଦଳ ମେଣ୍ଟ କରିବ ନାହିଁ ବୋଲି ସ୍ପଷ୍ଟ କରିଦେଇଛନ୍ତି।
ମମତା ରାଗିବାର କାରଣ
କଂଗ୍ରେସ ନେତା ଅଧୀର ରଂଜନ ଚୌଧୁରୀ ଗତ ମଙ୍ଗଳବାର ଦିନ ଶ୍ରୀମତୀ ବାନାର୍ଜୀଙ୍କୁ ସମାଲୋଚନା କରିଥିଲେ। ମମତାଙ୍କୁ ସୁବିଧାବାଦୀ ବୋଲି କହିଥିଲେ। ମମତାଙ୍କ ବିନା ସହାୟତାରେ ଦଳ ଲୋକସଭା ନିର୍ବାଚନ ଲଢ଼ିବ ବୋଲି ଅଧୀର ରଂଜନଙ୍କ ଦୃଢ଼ୋକ୍ତି ସହିତ କହିଥିଲେ। ଶ୍ରୀ ଚୌଧୁରୀଙ୍କ ବୟାନ ପରେ ମମତା ଟିଏମ୍ସିର ଆଭିମୁଖ୍ୟ ସ୍ପଷ୍ଟ କରିଥିଲେ। ମମତା କହିଥିଲେ ଯେ କଂଗ୍ରେସ ଦଳ ମନକୁ ମନ ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା କରୁଛି ଏବଂ ରାଜ୍ୟରେ ଏହି ଯାତ୍ରା ବାବଦରେ ତାଙ୍କୁ ସୂଚନା ଦିଆଯାଇନାହିଁ।
ପଶ୍ଚିମବଙ୍ଗରେ ୫ଦିନ କଂଗ୍ରେସ ରଥ
ରାହୁଲ ଗାନ୍ଧିଙ୍କ ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା ଆସାମରେ ଶେଷ ହୋଇ ଜାନୁଆରି ୨୫ରେ ପଶ୍ଚିମବଙ୍ଗ ପହଞ୍ଚିଛି। ରାହୁଲଙ୍କ ରଥ ଜାନୁଆରି ୨୫ ତାରିଖରେ କୁଚବିହାର ଜିଲ୍ଲାର ବକ୍ସିରହାଟ ଦେଇ ପଶ୍ଚିମବଙ୍ଗରେ ପ୍ରବେଶ କରିଛି। ୫ ଦିନିଆ ଯାତ୍ରା କାଳରେ ରାହୁଲ କେନ୍ଦ୍ରର ବିଫଳତା ସଂପର୍କରେ ଲୋକଙ୍କୁ ଅବଗତ କରାଇ ନିଜ ସମର୍ଥନରେ ଲୋକଙ୍କୁ ଆଣିବାକୁ ଚେଷ୍ଟା କରିବେ। ଜାନୁଆରି ୨୯ରେ ରାହୁଲଙ୍କ ଏହି ଯାତ୍ରା ବିହାରରେ ପହଞ୍ଚିବ। ତେବେ ପଶ୍ଚିମବଙ୍ଗରେ ମମତା ବାନାର୍ଜୀଙ୍କ ବଡ଼ ପ୍ରଭାବ ରହିଛି। ସାଧାରଣ ନିର୍ବାଚନରେ ବିରୋଧୀ ଦଳ ଟିଏମ୍ସିକୁ ନେଇ ନିଜର ସଂଗଠନକୁ ଅଧିକ ମଜବୁତ କରିବାକୁ ଉଦ୍ୟମ କରୁଛି।
ଟିଏମ୍ସି ଇଣ୍ଡିଆ ମେଣ୍ଟର ଏକ ଶକ୍ତିଶାଳୀ ସ୍ତମ୍ଭ: କଂଗ୍ରେସ
ପଶ୍ଚିମବଙ୍ଗରେ ଲୋକସଭା ନିର୍ବାଚନ ମମତା ବାନାର୍ଜୀ ଏକାକୀ ଲଢ଼ିବେ ବୋଲି ଘୋଷଣା କରିବା ପରେ କଂଗ୍ରେସର ଚିନ୍ତା ବଢ଼ିଛି। ମମତାକୁ ମନାଇବା ପାଇଁ କଂଗ୍ରେସ କସରତ ମଧ୍ୟ କରିଛି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ବିନା ବିରୋଧୀ ମେଣ୍ଟର କଳ୍ପନା କରାଯାଇପାରିବ ନାହିଁ ବୋଲି ମଧ୍ୟ କଂଗ୍ରେସ କହିଛି। ଦଳ ତୃଣମୂଳ କଂଗ୍ରେସ (ଟିଏମ୍ସି)କୁ ଇଣ୍ଡିଆ ମେଣ୍ଟର ଏକ ଶକ୍ତିଶାଳୀ ସ୍ତମ୍ଭ ବୋଲି ବର୍ଣ୍ଣନା କରିଛି। ବରିଷ୍ଠ କଂଗ୍ରେସ ନେତା ଜୟରାମ ରମେଶ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ପଶ୍ଚିମବଙ୍ଗରେ ଇଣ୍ଡିଆ ମେଣ୍ଟ ଏକ ମେଣ୍ଟ ଭଳି ଲଢ଼ିବ ଏବଂ ଟିଏମ୍ସି ସହ ଭବିଷ୍ୟତରେ ଆସନ ବୁଝାମଣା ଫଳପ୍ରଦ ହେବ । ଆମେ ବିଜେପିକୁ ପରାସ୍ତ କରିବାକୁ ଚାହୁଛୁ ଏବଂ ବିଜେପିକୁ ପରାସ୍ତ କରିବା ପାଇଁ ଆମେ କିଛି ବି କରିବୁ ବୋଲି ସେ କହିଛନ୍ତି। ସେହିପରି ରାହୁଲ ଗାନ୍ଧି ସ୍ପଷ୍ଟ ଭାବେ କହିଛନ୍ତି ଯେ ମମତାଜୀ ଏବଂ ଟିଏମ୍ସି ଇଣ୍ଡିଆ ମେଣ୍ଟର ଶକ୍ତିଶାଳୀ ସ୍ତମ୍ଭ। ମମତାଙ୍କ ବିନା ଆମେ ବିରୋଧୀ ମେଣ୍ଟର କଳ୍ପନା କରିପାରିବୁ ନାହିଁ।