Monday, February 17, 2025
Homeଠକ ପ୍ରେମିକ, ନୀରିହ ପ୍ରେମିକା
Array

ଠକ ପ୍ରେମିକ, ନୀରିହ ପ୍ରେମିକା

ଭୁବନେଶ୍ବର: ଆଜିର ଦିନରେ ଭଲ ମଣିଷଟିଏ ଚିହ୍ନିବା ବଡ଼ କଷ୍ଟସାଧ୍ୟ ଭଳି ମନେ ହେଉଛି। ଉପରେ ଉପରେ ମିଠା ମିଠା କଥା କହୁଥିବା ମଣିଷର ଭିତରଟା ଏତେ ପିତା ଯେ, ତାହା ଜାଣିବା ପରେ ଘୃଣା ଲାଗୁଛି। ମିଛ, ଠକ, ପ୍ରତାରଣା, ନିର୍ଯାତନାର ସୀମା ଟପିଯାଇଛି। ଆଉ ସେସବୁକୁ ଅଧିକ ସାମ୍ନା କରୁଛନ୍ତି ନିରୀହ ମହିଳା ଓ ଯୁବତୀମାନେ। ବିଗତ କିଛି ମାସ ମଧ୍ୟରେ ରାଜ୍ୟରେ ଅନେକଗୁଡ଼ିଏ ମହିଳା ଓ ଯୁବତୀ ଏହି ଭଳି ପରିସ୍ଥିତିର ସାମ୍ନା କରିଛନ୍ତି। ସେଥି ମଧ୍ୟରୁ କିଛି ଆତ୍ମହତ୍ୟା କରିଥିବା ବେଳେ ଆହୁରି ଅନେକ ନିଜର ଅଧିକାର ପାଇଁ ସଂଘର୍ଷ କରିଛନ୍ତି।

ପୁରୁଷର ମିଠା ମିଠା କଥାରେ ଆଜିକାଲିର ନୀରିହ ଯୁବତୀ ଓ ମହିଳାମାନେ ଫସି ଯାଉଛନ୍ତି। ବିଶ୍ବାସ କରି ନିଜ ଜୀବନକୁ ଉତ୍ସର୍ଗ କରିଦେଉଛନ୍ତି। ଶାରୀରିକ ଓ ମାନସିକ ନିର୍ଯାତନାର ଶିକାର ହେଲା ପରେ ଅନୁତାପ କରୁଛନ୍ତି। କିନ୍ତୁ ସେତେବେଳେକୁ ନିଜର ଅବସ୍ଥା ପୂରାପୁରି ଖରାପ ସ୍ତରରେ ପହଞ୍ଚି ଯାଉଛି। ପତ୍ନୀର ଅଧିକାର ପାଇବା ପାଇଁ କିଛି ମାସ ମଧ୍ୟରେ ଗଂଜାମ ଜିଲ୍ଲାରେ ୩ ଜଣ ଯୁବତୀ ଧାରଣା ଦେଇଛନ୍ତି। କେବଳ ଗଂଜାମ ନୁହେଁ। ବରଂ ରାଜ୍ୟର ଅନ୍ୟ ସ୍ଥାନରେ ମଧ୍ୟ ଏହିଭଳି ଅଭାବନୀୟ ପରିସ୍ଥିତି ଦେଖିବାକୁ ମିଳିଛି।

ସ୍ବାମୀଙ୍କୁ ପାଇବା ପାଇଁ ୮ ବର୍ଷ ଅପେକ୍ଷା

ସ୍ବାମୀର ମାନ୍ୟତା ପାଇବା ପାଇଁ ଆଠ ବର୍ଷ ହେବ ଅପେକ୍ଷା କରିଥିବା ଦେବଗଡ଼ ଜିଲ୍ଲା ରିଆମାଳ ଅଞ୍ଚଳର ଜଣେ ଯୁବତୀ ପ୍ରତାରଣାର ଶିକାର ହୋଇଛନ୍ତି। ସିନ୍ଦୂର ପାଇଁ ସେ ଦାଣ୍ଡ ଦୁଆରେ ବସିବାକୁ ବାଧ୍ୟ ହୋଇଛନ୍ତି। ଲଗାତାର ଚଳିତ ମାସ ୫ ତାରିଖ ଠାରୁ ତିନି ଦିନ ହେଲା ସେ ଧାରଣାରେ ବସିଛନ୍ତି। ଆଉ ବୋହୂର ସ୍ୱୀକୃତି ପାଇଁ ଗୁହାରୀ କରୁଛନ୍ତି। ବାବରାକୋଟ ଗ୍ରାମରେ ସଂଜୟ ସାହୁ ସମ୍ବଲପୁର ଜିଲ୍ଲା ନାକଟିଦେଉଳ ଥାନା ଅଞ୍ଚଳର ଅଲି ସାହୁଙ୍କୁ ପ୍ରେମ କରୁଥିଲେ। ଅଲି ମଧ୍ୟ ସଞ୍ଜୟଙ୍କୁ ଭଲ ପାଉଥିଲେ। ଉଭୟ ବାହା ହେବେ ବୋଲି ପରସ୍ପରକୁ କଥା ଦେଇଥିଲେ। ଏହାର ସୁଯୋଗ ନେଇ ଅଲିଙ୍କ ସହିତ ସଂଜୟ ଶାରୀରିକ ସମ୍ପର୍କ ରଖିଥିଲେ। ମାତ୍ର ସମୟ କ୍ରମରେ ସଂଜୟ ଠକି ଦେଇଥିଲେ।  

ତପସ୍ବିନୀ-ସୁମିତ ମାମଲା କୋର୍ଟରେ

ବ୍ରହ୍ମପୁରର ତପସ୍ବିନୀ ଦାସ ଓ ଡାକ୍ତର ସୁମିତ ସାହୁ ମାମଲା ଗତବର୍ଷ ନଭେମ୍ବର ମାସରେ ସାରା ରାଜ୍ୟରେ ଚହଳ ପକାଇଥିଲା। ଏହି ଖବର ରାଜ୍ୟବ୍ୟାପୀ ଗଣମାଧ୍ୟମରେ ଜୋରଦାର ପ୍ରଚାର-ପ୍ରସାର ହୋଇଥିଲା। ବାହାଘର ଦିନ ବର ନ ଆସିବାରୁ ବ୍ରହ୍ମାନଗର ସମେତ ପୂରା ଓଡ଼ିଶାର ଅନ୍ୟତମ ମୁଖ୍ୟ ଖବର ପାଲଟିଥିଲା। ତପସ୍ବିନୀ ଅଭିଯୋଗ ଆଣିଥିଲେ ଯେ, ସେ ୨୦୨୦ ମସିହାରେ ସୁମିତ ସାହୁ ନାମକ ଜଣେ ଡାକ୍ତରଙ୍କୁ କୋର୍ଟରେ ବିବାହ କରିଥିଲେ । ଦୀର୍ଘ ୬ ମାସ ଏକାଠି ରହିବା ପରେ ତପସ୍ୱିନୀଙ୍କୁ ତାଙ୍କ ବାପ ଘରେ ଛାଡ଼ିଦେଇଥିଲେ ଏବଂ ରୀତିନୀତି ଅନୁଯାୟୀ ବିବାହ କରି ଘରକୁ ଆଣିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ବିବାହ ପାଇଁ ଦିନ ଠିକ ହୋଇଥିଲା । କାର୍ଡ଼ ମଧ୍ୟ ବଣ୍ଟା ସରିଥିଲା । କିନ୍ତୁ ଦୀର୍ଘ ସମୟ ଅପେକ୍ଷା ପରେ ବି ଝିଅ ଘରକୁ ଆସନଥିଲେ ବର । ଏହାର ପ୍ରତିବାଦ କରି ବୋହୂ ବେଶରେ ଶଶୁର ଘରେ ପହଁଚି ଯାଇଥିଲେ କନ୍ୟା।

୭ ମାସର ଗର୍ଭବତୀ ଦେଲେ ଧାରଣା

ଗତ ମେ’ ମାସରେ ମିଥ୍ୟା ପ୍ରତିଶ୍ରୁତିର ଶିକାର ହୋଇଥିଲେ ନବରଂଗପୁର ଜିଲ୍ଲା ପାପଡାହାଣ୍ଡି ଥାନା ଅଞ୍ଚଳର ଜଣେ ୨୪ ବର୍ଷୀୟ ଯୁବତୀ। ଘାଟଗୁଡା ଗ୍ରାମପଞ୍ଚାୟତର ଯୁବତୀ ଅଜାଣତରେ ବିବାହିତ ଯୁବକଙ୍କୁ ଭଲ ପାଇଁ ଭୁଲ କରିଥିଲେ। ୭ ମାସର ଗର୍ଭବତୀ ପ୍ରେମିକା ନିଜ ସନ୍ତାନର ପିତୃ ପରିଚୟ ଦେବାପାଇଁ ଲଢ଼େଇ କରିଥିଲେ। ସ୍ତ୍ରୀର ଅଧିକାର ଦାବିରେ ପ୍ରେମିକ ଘର ସମ୍ମୁଖରେ ଧାରଣା ଦେଇଥିଲେ। ଲାଇଜର ଖରା ନାମକ ଜଣେ ବିବାହିତ ବ୍ୟକ୍ତି ତେନ୍ତୁଳିଖୁଣ୍ଟି ଥାନା ଅଞ୍ଚଳର ଜଣେ ଯୁବତୀଙ୍କ ସହ ୭ ବର୍ଷ ପୂର୍ବରୁ ସଂପର୍କ ରଖି ଆସିଥିଲା। ଲାଇଜର ବିବାହିତ ହୋଇଥିଲେ ମଧ୍ୟ ନିଜ ସ୍ତ୍ରୀ ଓ ପରିବାର ଲୋକଙ୍କୁ ମିଛ କହି ବିବାହର ମିଥ୍ୟା ପ୍ରଲୋଭନ ଦେଖାଇ ଯୁବତୀଙ୍କ ସହିତ ଶାରୀରିକ ସମ୍ପର୍କ ରଖି ଆସୁଥିଲା।  

ଠକି ଦେଲେ ପୁଲିସ ବାବୁ!

୨୦୨୧ ଡିସେମ୍ବର ମାସର ଘଟଣା। ନିଜ ପ୍ରେମକୁ ପାଇବା ପାଇଁ ଜଣେ ଯୁବତୀ ଅନଶନ କରିଥିଲେ। ପୁଲିସ ପ୍ରେମିକ ବିବାହ ପାଇଁ ଅରାଜି ହୋଇଥିବାରୁ ଏବଂ ତାଙ୍କୁ ଗିରଫ ଓ ଚାକିରିରୁ ହଟାଇବା ଦାବିରେ ସୁନ୍ଦରଗଡ଼ ଏସପି ଅଫିସ ଆଗରେ ଯୁବତୀ ଜଣକ ଧାରଣାରେ ବସିଥିଲେ। ନ୍ୟାୟ ପାଇଁ ଥାନା ପୁଲିସ ଠାରୁ ଏସପିଙ୍କ ପାଖକୁ ଦୌଡ଼ି ଦୌଡ଼ି ନୟାନ୍ତ ଯୁବତୀ କାର୍ଯ୍ୟାନୁଷ୍ଠାନ ନହେବାରୁ ଏହି ଭଳି ପଦକ୍ଷେପ ନେଇଥିଲେ। ପ୍ରେମ ପରେ ପ୍ରତାରଣା, ହତ୍ୟା ଧମକ ଓ ସାମାଜିକ ଗଣମାଧ୍ୟମରେ ଯୁବତୀଙ୍କ ଫଟୋ ସହ ଅଶ୍ଲୀଳ, ଅରୁଚିକର ଟିପ୍ପଣୀ ଭାଇରାଲ କରିବାର ସମ୍ବେଦନଶୀଳ ଅଭିଯୋଗକ୍ରମେ ପ୍ରେମିକ ଲେଫ୍ରିପଡ଼ା ଥାନାରେ କାର୍ଯ୍ୟରତ ପୁଲିସ କନଷ୍ଟେବଳ ମୁକେଶ ବିରଗଣ୍ଠିଆଙ୍କ ନାମରେ ମାମଲା ରୁଜୁ କରି ପୁଲିସ ନିରବ ରହିଥିଲା।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments