ଭୁବନେଶ୍ବର: ଯଦି ଗୁରୁତ୍ବର ସହିତ ନିଆଯିବ ବିବାହ ଏକ ଜଟିଳ କାମ। ଦୁଇଟି ମନକୁ ଏକାଠି ଯୋଡ଼ିବା ଓ ଦୁଇଟି ପରିବାର ମଧ୍ୟରେ ତାଳ ମେଳାଇ ଦୁନିଆ ହାଟରେ ଚଳିବା ସାଧାରଣ କଥା ନୁହେଁ। ଅନିଶ୍ଚିତତାର ସଂସାର ମଧ୍ୟରେ ଜୀବନରେ କେବେ ଝୁଣ୍ଟିବାକୁ ପଡ଼ିଥାଏ, ତାହା ବହୁ ଆଗରୁ ଜଣାପଡ଼ି ନଥାଏ। ତେଣେୁ ଅନେକ ଲୋକଙ୍କୁ ହାରି ଯିବାକୁ ପଡ଼ିଥାଏ। ତେଣୁ ଅନେକ ଲୋକ କହିଥାନ୍ତି ଯେ, ବିବାହ ସ୍ବର୍ଗରେ ଠିକ୍ ହୋଇଥାଏ। କିନ୍ତୁ କିଛି ଖଳ ପ୍ରକୃତିର ଲୋକ ଭିନ୍ନ ଉଦ୍ଦେଶ୍ୟ ରଖି ମିଛ କହି ବିବହା କରିଥାନ୍ତି ଅଥଚ ମିଥ୍ୟା ପ୍ରତିଶ୍ରୁତି ଦେଇ ବିବାହର ବାହାନ କରି ଅନ୍ୟର କ୍ଷତି ପହଞ୍ଚାଇ ଥାନ୍ତି।
ମିଛ କହି ଗଢ଼ାଯାଉଥିବା ସଂପର୍କ ଅଧିକ ଦିନ ପର୍ଯ୍ୟନ୍ତ ତିଷ୍ଠି ରହିପାରେ ନାହିଁ। ଏକଥା ସମସ୍ତଙ୍କୁ ଜଣା। ତଥାପି ଅନେକ ଲୋକ ‘ବିବାହ’କୁ ଖେଳଘର ଭାବି ମିଛ କହିଥାନ୍ତି। କିନ୍ତୁ ସରଳ ବିଶ୍ବାସୀ ମଣିଷ ମିଛର ବଶବର୍ତ୍ତୀ ହୋଇ ଯେତେବେଳେ ସତ୍ୟର ଉନ୍ମୋଚନ କରନ୍ତି, ସେତେବେଳକୁ ଅନେକ ହରାଇ ସାରିଥାନ୍ତି। ଯୁବକ-ଯୁବତୀମାନେ ସ୍ବାର୍ଥ ପାଇଁ ମିଛର ଆଶ୍ରୟ ନେଉଛନ୍ତି। କମ ବେତନ ପାଉଥିବା ଯୁବକମାନେ ଭଲ ଦରମା ପାଉଛି କହି ଯୁବତୀମାନଙ୍କୁ ଫସାଇବା ସାଧାରଣ କଥା। ସେହିପରି ଯେଉଁଠାରେ ପ୍ରସ୍ତାବିତ ବିବାହ ହେଉଛ, ସେଠାରେ ମଧ୍ୟ ମିଛର ଆଶ୍ରୟ ନିଆଯାଉଛି। ଯୁବତୀମାନେ ମଧ୍ୟ ମିଛ କହି ଯୁବକମାନଙ୍କୁ ଜାଲରେ ଫସାଇ ଦେଉଛନ୍ତି। ଆଜିର ସୂଚନା ଓ ପ୍ରଯୁକ୍ତିବିଦ୍ୟାର ଯୁଗରେ ମଧ୍ୟ ଯୁବକ-ଯୁବତୀମାନେ ଠକେଇର ଶିକାର ହେଉଛନ୍ତି। ପୁଲିସ ଓ ସାଇବର ଥାନାରେ ଏଭଳି ଅଭିଯୋଗ ଆସୁଛି।
ଠକରେ ପଡ଼ିଲେ ପୁଲିସ ଅଧିକାରୀ
ସାଧାରଣ ଲୋକଙ୍କ ଠାରୁ ବିବାହ ନାମରେ ଠକେଇ ଖବର ଅନେକ ଶୁଣିବାକୁ ମିଳିଛି। କିନ୍ତୁ ସଶକ୍ତ ମହିଳା ପୁଲିସ ଅଧିକାରୀ ତଥା ଉତ୍ତରପ୍ରଦେଶର ଲେଡି ସିଂଘମ ନାମରେ ଜଣାଶୁଣା ଶ୍ରେଷ୍ଠା ଠାକୁର ମଧ୍ୟ ଏହାର ଶିକାର ହୋଇଥିଲେ। ସେ ଯେଉଁ ବ୍ୟକ୍ତିଙ୍କୁ ଆଇଆରଏସ୍ ଅଧିକାରୀ ଭାବି ବିବାହ କରିଥିଲେ, ସେ ଜଣେ ଠକ ଥିଲେ। ଶ୍ରେଷ୍ଠା ଠାକୁର ମେଟ୍ରୋମୋନିଆଲ ସାଇଟ୍ ମାଧ୍ୟମରେ ରୋହିତ ରାଜ ନାମକ ଜଣେ ବ୍ୟକ୍ତିଙ୍କୁ ଭେଟିଥିଲେ। ସେ ନିଜକୁ ୨୦୦୮ ବ୍ୟାଚ୍ର ଆଇଆରଏସ୍ ଅଧିକାରୀ ବୋଲି ପରିଚୟ ଦେଇଥିଲେ ଏବଂ ଝାଡ଼ଖଣ୍ଡର ରାଞ୍ଚିରେ କମିସନର ପଦବିରେ ଅଛନ୍ତି ବୋଲି କହିଥିଲେ। ମହିଳା ଅଧିକାରୀ ଯେତେବେଳେ ଯାଞ୍ଚ କଲେ, ରାଞ୍ଚିରେ ଏହିନାମରେ ଜଣେ ଅଧିକାରୀଙ୍କ ପୋଷ୍ଠିଂ ହୋଇଛି। ଗୋଟିଏ ନାମରେ ଜଣେ ଅଧିକାରୀ ଥିବାରୁ ଠକ ବ୍ୟକ୍ତି ଏଥିରୁ ଲାଭ ଉଠାଇଥିଲେ। ଚାକିରିର ୬ ବର୍ଷ ପରେ ୨୦୧୮ରେ ଶ୍ରେଷ୍ଠାଙ୍କ ସହିତ ଠକ ଆଇଆରଏସ୍ ରୋହିତ ରାଜଙ୍କ ବିବାହ ହୋଇଥିଲା। ମାତ୍ର ଏହି ମିଛ ବିବାହ ଖୁବ୍ କମ ଦିନ ଭିତରେ ଜଣାପଡ଼ିଥିଲା। ଅଭିଯୁକ୍ତ ରୋହିତ୍ ଗିରଫ ହୋଇଥିଲା।
୧୮ ମହିଳାଙ୍କୁ ବିବାହ କରିଥିଲା ରମେଶ
୨୦୨୨ ମସିହା ଫେବ୍ରୁଆରି ୨୪ ତାରିଖର ଘଟଣା। ନକଲି ଡାକ୍ତର ରମେଶ ସ୍ୱାଇଁ ଜାଲି କାରବାର କରି, ଜଣେ ଅସଲି ଡାକ୍ତରାଣୀଙ୍କୁ ବିବାହ କରିବା ଘଟଣାକୁ ନେଇ ରାଜ୍ୟବ୍ୟାପୀ ଚର୍ଚ୍ଚା ହୋଇଥିଲା। କାରଣ ରମେଶ ସ୍ବାଇଁ ୧୮ ଜଣ ମହିଳାଙ୍କୁ ବିବାହ କରିଥିଲେ। ରମେଶ ୨୦୨୧ରେ ଆସାମ ଗୁଆହାଟୀ କାମାକ୍ଷା ମନ୍ଦିରରେ ଜଣେ ସରକାରୀ ମହିଳା ଡାକ୍ତରଙ୍କୁ ବିବାହର ଜାଲ ବିଛାଇଥିଲା। ଏଥିପାଇଁ ଠକ ରମେଶ ବିବାହ କାର୍ଡ ଛପାଇବା ବେଳେ ନିଜକୁ ବିଜୟଶ୍ରୀ ରମେଶ କୁମାରର ପରିଚୟ ଦେଇଥିଲା । କାର୍ଡ ଛପାଗଲା, ଅତିଥିଙ୍କୁ ନିମନ୍ତ୍ରଣ କରାଗଲା । ଆଉ କୋଭିଡ କଟକଣାର ବାହାନା ଦେଖାଇ ପରିବାର-ପରିବାର ଭିତରେ ବାହାଘର କରାଗଲା। ଏହି ବାହାଘରରେ ଠକ ସର୍ଦ୍ଦାର କ୍ରାଇମ ପାର୍ଟନର ପାଲଟିଥିଲେ ତାର ଭିଣୋଇ ଗଣେଶ ଓ ଡ୍ରାଇଭର ପପୁ। ଗୁଆହାଟୀରୁ ଭୁବନେଶ୍ୱର ଫେରିବା ପରେ ଏକ ଆପାର୍ଟମେଣ୍ଟରେ ଠକକୁ ଠକେଇରେ ସହଯୋଗ କରିବା ପାଇଁ ଅପେକ୍ଷା କରି ରହିଥିଲେ ଠକର ସାବତ ମା’, ଭଉଣୀ ଓ ପୂରୋହିତ। ଆଉ ଭୁବନେଶ୍ୱର ପହଞ୍ଚିବା ପରେ ରମେଶ ଆରମ୍ଭ କରିଥିଲା ଅପରେସନ ଲୁଟ୍। ଗୁଆହାଟୀରେ ଫ୍ଲାଟ୍ ଦେବା ନାଁରେ ମହିଳା ଡାକ୍ତରଙ୍କଠାରୁ ୨୧ ଲକ୍ଷର ଚୂନା ଲଗାଇଥିଲା। ରମେଶର ୧୮ ପତ୍ନୀଙ୍କ ୫ ଜଣ ମହିଳା ଥାନାରେ ଅଭିଯୋଗ କରିଥିବା ବେଳେ ଅନ୍ୟମାନେ ଲୋକଲଜ୍ୟା ଭୟରେ ସାମ୍ନାକୁ ଆସିନଥିଲେ।