Tuesday, October 15, 2024
Homeତୀର୍ଥସ୍ଥଳୀରେ ଆମର ବ୍ୟବସ୍ଥା କେତେ ଉନ୍ନତ
Array

ତୀର୍ଥସ୍ଥଳୀରେ ଆମର ବ୍ୟବସ୍ଥା କେତେ ଉନ୍ନତ

ଭୁବନେଶ୍ୱର: ଓଡ଼ିଶାର ମହାନ କଳା ଓ ସଂସ୍କୃତି ଦେଶବିଦେଶରେ ସୁନାମ ଅର୍ଜନ କରିଛି । ଏଠାକାର କଳା ଓ ସଂସ୍କୃତି ଦେଖିବାକୁ ହଜାର ହଜାର କିଲୋମିଟର ଦୂରରୁ ପର୍ଯ୍ୟଟକମାନେ ଧାଇଁ ଆସିଥାନ୍ତି। ପୁରୀ ଶ୍ରୀମନ୍ଦିର, କୋଣାର୍କର ସୂର୍ଯ୍ୟମନ୍ଦିର ଓ ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର ବ୍ୟତୀତ ରାଜ୍ୟର ଆହୁରି ଅନେକଗୁଡ଼ିଏ ଐତିହାସିକ ମନ୍ଦିର ତଥା ଦେବାଳୟ ଭକ୍ତଙ୍କୁ ଟାଣି ଆଣିଥାଏ । ଭକ୍ତମାନେ ରାଜ୍ୟର ଦେବାଳୟକୁ ପହଞ୍ଚିବା ପାଇଁ ଯେଭଳି ଉତ୍କଣ୍ଠାର ସହିତ ଅପେକ୍ଷା କରିଥାନ୍ତି, ଏଠାରୁ ଫେରିବା ବେଳେ କିଛି କଷ୍ଟ ମଧ୍ୟ ଅନୁଭବ କରିଥାନ୍ତି । ରାଜ୍ୟର ଦେବାଳୟଗୁଡ଼ିକରେ ଭକ୍ତ ଓ ପର୍ଯ୍ୟଟକଙ୍କୁ ଉତ୍ତମ ବ୍ୟବହାର, ସେବା ମନୋଭାବ ଦେଖାଇବା ପାଇଁ ସରକାର ଅଟୋଚାଳକ, ସେବାୟତ, ଅଧିକାରୀ, ହୋଟେଲ ମାଲିକ ଆଦିଙ୍କୁ ତାଲିମ ଦେବାର ଆବଶ୍ୟକତା ରହୁଛି।   

କିଛି ବର୍ଷ ହେଲା ରାଜ୍ୟ ସରକାର ଦେବାଳୟଗୁଡ଼ିକର ବିକାଶ ପାଇଁ ପଦକ୍ଷେପ ନେଇଛନ୍ତି । କୋଟି କୋଟି ଟଙ୍କା ବ୍ୟୟରେ ବିକାଶମୂଳକ କାର୍ଯ୍ୟ ଆରମ୍ଭ କରିଛନ୍ତି । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ସମେତ କଟକ ଚଣ୍ଡି ମନ୍ଦିର, ମା ସମଲେଶ୍ୱରୀ ମନ୍ଦିର, ହରିଶଙ୍କର, ନରସିଂହନାଥ, ତାରିଣୀ ପୀଠର ବିକାଶ କାର୍ଯ୍ୟ ଚାଲିଛି । ନିର୍ମାଣ କାର୍ଯ୍ୟ ଏତେ ମନ୍ଥର ଗତିରେ ଚାଲିଛି ଯେ, ଏଗୁଡ଼ିକ ଶେଷ ହେବା ପାଇଁ ଆହୁରି କିଛି ବର୍ଷ ଲାଗିପାରେ । କିଛି ମନ୍ଦିରର ନିର୍ମାଣ କାମରେ ମେସିନର ବ୍ୟବହାର ନେଇ କଟକଣା ଥିବାରୁ ମାନବ ସମ୍ବଳର ଆବଶ୍ୟକତା ରହିଛି । ତେବେ ଆବଶ୍ୟକ ହିସାବରେ ମାନବ ସମ୍ବଳ ବ୍ୟବହାର ହେଉ ନଥିବାରୁ କାର୍ଯ୍ୟରେ ବିଳମ୍ବ ଦେଖାଯାଉଛି ।

ଶ୍ରୀକ୍ଷେତ୍ରରେ ବେଶୀ ଅବ୍ୟବସ୍ଥା

ପୁରୀ ଶ୍ରୀମନ୍ଦିର କଥା ଧରାଯାଉ । ଏଠାକୁ ଭକ୍ତମାନେ ବଡ଼ ଶ୍ରଦ୍ଧାର ସହିତ ଆସିଥାନ୍ତି । ପୁରୀରେ ଶ୍ରୀମନ୍ଦିର ସମେତ ବିଶାଳ ବେଳାଭୂମି ଓ ଅନେକ ଐତିହାସିକ ମଠ ଭକ୍ତ ଓ ପର୍ଯ୍ୟଟକମାନଙ୍କୁ ଆକର୍ଷିତ କରିଥାଏ । ତେବେ ଭକ୍ତମାନେ ଯେତେବେଳେ ପୁରୀ ବସ୍‌ଷ୍ଟାଣ୍ଡ ଓ ରେଳଷ୍ଟେସନରେ ପହଞ୍ଚି ସେଠାରୁ ଶ୍ରୀମନ୍ଦିର ଅଥବା ବେଳାଭୂମିକୁ ଅଟୋ କିମ୍ବା ବସ୍‌ରେ ଯିବାକୁ ଚାହାନ୍ତି, ସାମ୍ନା କରନ୍ତି ଆର୍ଥିକ ନିର୍ଯାତନା । ଅଟୋ ଗୁଡ଼ିକରେ କେଉଁ ସ୍ଥାନକୁ କେଉଁଠିକୁ ଯିବା ପାଇଁ ଭଡ଼ା ଦର ଉଲ୍ଲେଖ ରହିଛି । କିନ୍ତୁ ବାହାରୁ ଆସୁଥିବା ପର୍ଯ୍ୟଟକମାନେ ଦୂରତା ସଂପର୍କରେ ଅଜ୍ଞ ଥିବାରୁ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡ଼ିଥାଏ । ଅଟୋ ଚାଳକଙ୍କର ବ୍ୟବହାର ଲୋକଙ୍କୁ ଆଘାତ ମଧ୍ୟ ଦେଇଥାଏ । ପ୍ରଶାସନ ତରଫର ଲୋକଙ୍କ ବ୍ୟାଗ୍‌, ଜୋତା ଓ ମୋବାଇଲ ରଖିବା ପାଇଁ ବ୍ୟବସ୍ଥା କରାଯାଇନାହିଁ। ଫଳରେ ବଡ଼ଦାଣ୍ଡରେ ଥିବା ଦୋକାନଗୁଡ଼ିକରେ ମୋବାଇଲ ପିଛା ୨୦ଟଙ୍କା, ବ୍ୟାଗ୍‌ ୨୦ଟଙ୍କା ଓ ଚପଲ ୧୦ଟଙ୍କା ଦେବାକୁ ପଡ଼ିଥାଏ। କେହି‌ କେହି ରାସ୍ତାକଡ଼ରେ ଚପଲ ଫିଙ୍ଗି ଦେଇ ମନ୍ଦିରକୁ ପ୍ରବେଶ କରିଥାନ୍ତି। 

ଟାଣ ଖରାରେ ଶ୍ରୀଜିଉଙ୍କୁ ଦର୍ଶନ

ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କୁ ସାଧାରଣ ଦର୍ଶନ ପାଇଁ ଲାଇନରେ ରହିବାକୁ ପଡ଼ିଥାଏ । ପୁରୀରେ ତାପମାତ୍ରା ୪୦ ଡିଗ୍ରିରୁ ଅଧିକ ଥିଲେ ବି, ସେଠାରେ ଦର୍ଶକଙ୍କର ଆବଶ୍ୟକତା ଅନୁସାରେ ଛାଇ ବ୍ୟବସ୍ଥା କରାଯାଇ ନାହିଁ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣାଧୀନ ଥିବାରୁ ଭକ୍ତଙ୍କୁ ଅଧିକ ହଇରାଣ ହେବାକୁ ପଡୁଛି। ପ୍ରବଳ ଖରାରେ ଧାଡ଼ିରେ ଠିଆ ହୋଇ ଠାକୁରଙ୍କୁ ଦର୍ଶନ କରିବାକୁ ହୋଇଥାଏ । ମନ୍ଦିର ଭିତରେ ଉପଯୁକ୍ତ ବେରିକେଡ ବ୍ୟବସ୍ଥା ନଥିବାରୁ ପ୍ରବଳ ଗହଳି ହୋଇଥାଏ । ଫଳରେ ଦଳାଚକଟା ହେବାର ଆଶଙ୍କା ଥାଏ । ଅତୀତରେ ଏଭଳି ଅପ୍ରିତିକର ଘଟଣା ଘଟିଥିବା ନଜିର ମଧ୍ୟ ରହିଛି ।  

ପର୍ଯ୍ୟଟକ ହେଉଛନ୍ତି ଖର୍ଚ୍ଚାନ୍ତ 

ପୁରୀ ସହରରେ ସର୍ବସାଧାରଣ ଲୋକଙ୍କ ପାଇଁ ପାନୀୟ ଜଳ ବ୍ୟବସ୍ଥାକୁ ପ୍ରଶଂସା କରାଯିବାର ଆବଶ୍ୟକତା ରହିଛି । ପୂରା ବଡ଼ଦାଣ୍ଡ, ସମୁଦ୍ରକୂଳ ଓ ଶ୍ରୀମନ୍ଦିର ପରିସରରେ ବିଶୁଦ୍ଧ ପାନୀୟ ଜଳ ବ୍ୟବସ୍ଥା କରାଯାଇଛି । କମ ଦୂରରେ ଟେପ୍ ଲାଗିଛି । ୨୪ ଘଣ୍ଟା ପାଣି ମିଳିପାରୁଛି । ତେବେ ଭୋଜନ ବ୍ୟବସ୍ଥାରେ ସେମିତି ସଂସ୍କାରମୂଳକ ପଦକ୍ଷେପ ନିଆଯାଇ ନାହିଁ । ଆନନ୍ଦବଜାରରେ ଲୋକେ ମହାପ୍ରଭୁଙ୍କ ପ୍ରସାଦକୁ ଅତି ଆଦର ସହିତ ନେଇଥାନ୍ତି । କିନ୍ତୁ ଦରଦାମରେ ଠିକ୍ ଠିକଣା ନଥାଏ । ମନ୍ଦିର ବାହାରେ ହୋଟେଲଗୁଡ଼ିକର ଅବସ୍ଥା ଖରାପ । ପରିଷ୍କାର ପରିଚ୍ଛନ୍ନ ନଥାଏ । ମନ ଇଚ୍ଛା ଦର । ରେଷ୍ଟୁରାଣ୍ଟଗୁଡ଼ିକରେ ଅଧିକ ଖର୍ଚ୍ଚାନ୍ତ ହୋଇଥାଏ । ଭଲ ଶାକାହାରୀ ଭୋଜନଟି କରିବାକୁ ହେଲେ ଜଣପିଛା ପ୍ରାୟ ୫୦୦ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଥାଏ ।

ଦକ୍ଷିଣ ଭାରତରେ ଭଲ ସୁବିଧା

ଦକ୍ଷିଣ ଭାରତୀୟ ରାଜ୍ୟଗୁଡ଼ିକର ଦେବାଳୟଗୁଡ଼ିକରେ ଦର୍ଶକଙ୍କ ପାଇଁ ସୁନ୍ଦର ବ୍ୟବସ୍ଥା ରହିଛି । ରାମେଶ୍ୱରମ, ମୀନାକ୍ଷୀ ମନ୍ଦିର, ତିରୁପତି, ସୀମାଞ୍ଚଳମ, ଶବରୀମାଳା ଆଦି ମନ୍ଦିରରେ ଭକ୍ତମାନେ ଶୃଙ୍ଖଳିତ ଭାବେ ମନ୍ଦିର ଭିତରକୁ ପ୍ରବେଶ କରିଥାନ୍ତି । ଅଟୋ ଚାଳକ, ହୋଟେଲମାଲିକ, ପୁଲିସ, ପ୍ରଶାସନିକ ଅଧିକାରୀମାନେ ପର୍ଯ୍ୟଟକଙ୍କ ସହିତ ଭଲ ବ୍ୟବହାର କରିଥାନ୍ତି । ତେବେ ୫-ଟି ସଚିବ ଓଡ଼ିଶାର ଦେବାଳୟଗୁଡ଼ିକରେ ସୁବ୍ୟବସ୍ଥା କଲେ ଭଲ ହୁଅନ୍ତା ବୋଲି ବୁଦ୍ଧିଜୀବୀମାନେ ମତପୋଷଣ କରନ୍ତି ।  

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments