Tuesday, September 10, 2024
Homeଖବରପ୍ରମୁଖ ଖବରଦିନକରେ ଦୁର୍ଘଟଣା ନେଲା ୧୫ ଜୀବନ 

ଦିନକରେ ଦୁର୍ଘଟଣା ନେଲା ୧୫ ଜୀବନ 

ଭୁବନେଶ୍ବର: ରାସ୍ତାରେ ଯିବା ବେଳେ ଅନେକ ଚାଳକମାନେ ସତର୍କ ରହୁ ନାହାନ୍ତି। ଜୀବନକୁ ସୁରକ୍ଷିତ ରଖିବା ପାଇଁ ଆଦୌ ଚିନ୍ତା କରୁନାହାନ୍ତି। ନିଜ ଜୀବନ ବଞ୍ଚାଇବା ସହିତ ନିଜ ପରିବାର ଲୋକଙ୍କର ଚିନ୍ତା କରୁନାହାନ୍ତି। ଫଳରେ ଗାଡ଼ିଚାଳକମାନେ ଭାରସାମ୍ୟ ହରାଇ ଗାଡ଼ି ନିୟନ୍ତ୍ରଣ ହରାଉଛନ୍ତି। ଗୋଟିଏ ଦିନରେ ଶନିବାର ରାଜ୍ୟର ଭିନ୍ନ ଭିନ୍ନ ସ୍ଥାନରେ ସଡ଼କରେ କାର, ବାଇକ୍‌, ଟ୍ରକ୍‌, ଟିପ୍ପର ଓ ଟ୍ରାକ୍ଟର ଦୁର୍ଘଟଣା କାରଣରୁ ୧୫ ଜଣଙ୍କର ମୃତ୍ୟୁ ହୋଇଛି। ଦୁର୍ଘଟଣାର ସାମ୍ନା କରି ୧୭ ଜଣ ଲୋକଙ୍କୁ ଡାକ୍ତରଖାନା ଯିବାକୁ ପଡ଼ିଛି। ଲୋକେ ପରିବହନ ନିୟମକୁ ଅଣଦେଖା କରୁଥିବାରୁ ମୃତ୍ୟୁ ସଂଖ୍ୟାରେ ନିୟନ୍ତ୍ରଣ ଆସୁନାହିଁ। ନିଶ୍ଚିତ ଭାବେ ଏହା ସମ୍ବେଦନଶୀଳ ଘଟଣା।

ଓଲଟିଲା ଟ୍ରିପର, ୬ ମୃତ

ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ସ୍ବାଭିମାନ ଅଞ୍ଚଳର ହନ୍ତାଳଗୁଡା ଘାଟିରେ ଶନିବାର ସକାଳୁ ଘଟିଥିବା ମର୍ମନ୍ତୁଦ ଦୁର୍ଘଟଣାରେ ୬ ଜଣଙ୍କର ମୃତ୍ୟୁ ହୋଇଛି। ଏକ ସିମେଣ୍ଟ ଓ ଲୁହା ରଡ ବୋଝେଇ ଟିପର ଗାଡ଼ି ଓଲଟିବା କାରଣରୁ ୬ ଜଣ ଶ୍ରମିକର ମୃତ୍ୟୁ  ହୋଇଥିବା ବେଳେ ଅନ୍ୟ ୭ ଜଣ ଶ୍ରମିକ ଆହତ ହୋଇଛନ୍ତି। ଦୁର୍ଘଟଣାର ଶିକାର ହୋଇଛନ୍ତି ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ ଅନ୍ତର୍ଗତ ମାଟିଗାଁର ସୁନାଧର ଭତ୍ରା (୩୨), ପୂର୍ଣ୍ଣ ଭତ୍ରା(୩୦), ଜୀବରଧନ ଭତ୍ରା (୨୨), ପୁଲସିଂ ଭତ୍ରା (୨୬), ସୁନାଧର ଭତ୍ରା (୨୮) ଓ ଦୁର୍ଯ୍ୟଧନ ଭତ୍ରା (୨୩)। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିବା ସହ ମୃତକଙ୍କ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ମୃତକଙ୍କ ପରିବାରବର୍ଗଙ୍କୁ ୩ ଲକ୍ଷ ଲେଖାଏଁ ଟଙ୍କା ପ୍ରଦାନ ପାଇଁ ଘୋଷଣା କରିଛନ୍ତି। ଆହତମାନଙ୍କୁ ଆଶୁ ଆରୋଗ୍ୟ କାମନା କରି ଉପଯୁକ୍ତ ଚିକିତ୍ସା ଯୋଗାଇ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।  

୩ ଯୁବକଙ୍କ ଉପରେ ଚଢ଼ିଗଲା କାର୍

ଦ୍ବିତୀୟ ସଡ଼କ ଦୁର୍ଘଟଣା ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥର ନୟାଗଡ଼ ଜିଲ୍ଲା ଦଶପଲ୍ଲା ଥାନା ଅଧୀନ ସୁବଳୟା ଛକ ନିକଟରେ ଘଟିଥିଲା। ଶନିବାର ଅପରାହ୍ନ ପ୍ରାୟ ୩ଟା ବେଳେ ଘଟିଥିବା ଦୁର୍ଘଟଣା ପାଇଁ  ଛତିଶଗଡ଼ ନମ୍ବର (ସିଜି୦୭ବିପି୨୯୭୧)ର ଏକ କାର ଦାୟୀ ଥିଲା। ଦଶପଲ୍ଲା ପାର୍ଶ୍ବରୁ ନୟାଗଡ଼ ଅଭିମୁଖେ ଯାଉଥିବା ବେଳେ ଭାରସାମ୍ୟ ହରାଇ ବିପରୀତ ଦିଗରୁ ଆସୁଥିବା ୩ ଜଣ ବାଇକ୍ ଆରୋହୀ ଯୁବକଙ୍କୁ ମୁହାଁମୁହିଁ ଧକ୍କା ଦେଇଥିଲା। ଦୁର୍ଘଟଣାର ଶିକାର ହୋଇଥିବା ଦଶପଲ୍ଲା ଏନ୍ଏସି ଅଧୀନସ୍ଥ ଖଣ୍ଡପଡ଼ା ଗ୍ରାମର ଦୀପକ ମେଡିନିରା, ତଅଁଳାସାହିର ପରମେଶ୍ବର ଜାନି ଓ ପଟ୍ଟାମାଳ ଗାଁର ଗୋକୁଳା ନନ୍ଦ ନାୟକ  ଘଟଣାସ୍ଥଳରେ ଗୁରୁତର ହୋଇଥିଲେ। ସମସ୍ତ ଗୁରୁତର ବ୍ୟକ୍ତିମାନଙ୍କୁ ସ୍ଥାନୀୟ ଲୋକଙ୍କର ସହାୟତାରେ ଦଶହପଲ୍ଲା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା। ସେଠାର ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ।

ଜଣେ ମୃତ, ୨ ଗୁରୁତର

ଅନ୍ୟ ଏକ ସଡ଼କ ଦୁର୍ଘଟଣା ବଲାଙ୍ଗିର ଜିଲ୍ଲା ଲୋଇସିଂହା-ଭରସୁଜା ରାସ୍ତାର ପତରାପାଲି ଛକରେ ଘଟିଥିଲା। ସମ୍ମୁଖରୁ ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରକ୍ ସେମାନଙ୍କୁ ଧକ୍କା ଦେଇ ପଳାଇ ଯାଇଥିଲା। ଘଟଣାସ୍ଥଳରେ ବରଗଡ଼ ଜିଲ୍ଲା ଗାଇସିଲେଟ ଅଂଚଳର ରିଭ୍ୟୁ ପାଣ୍ଡେଙ୍କର ମୃତ୍ୟୁ ଘଟିଥିବା ବେଳେ ତାଙ୍କର ଦୁଇ ସାଙ୍ଗ ଗୁରୁତର ହୋଇଥିଲେ। ଲୋଇସିଂହା ବ୍ଲକ୍ ଅଧ୍ୟକ୍ଷ ଯତୀନ୍ଦ୍ର ପଟେଲ ସେମାନଙ୍କୁ ଉଦ୍ଧାରକରି ଲୋଇସିଂହା ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସେଠାରେ ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ବାଇକକୁ ଧକ୍କାଦେଇ ଟ୍ରକ୍ ଫେରାର ମାରିଥିଲା। ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ସାନକୁଶକିଳା ପ୍ରାଥମିକ ବିଦ୍ୟାଳୟ ନିକଟରେ କାର୍‌ ଓଲଟି କୁଶକିଳା ଗ୍ରାମର ଦୁର୍ଲଭ ସାହୁ (୫୧)ଙ୍କ ମୃତ୍ୟୁ ହୋଇଥିବା ବେଳେ ଢେଙ୍କାନାଳ ଜିଲ୍ଲା ବାଲିମି ଥାନା ଅନ୍ତର୍ଗତ ଓଡି୧୯ ହୋଟେଲ ନିକଟରେ ବାଇକ୍‌ ଭାରସାମ୍ୟ ହରାଇବା ଫଳରେ ଦୁର୍ଘଟଣାରେ ଯାଜପୁର ଜିଲ୍ଲାର ଦିବ୍ୟରଞ୍ଜନ ପ୍ରଧାନଙ୍କ ମଧ୍ୟ ମୃତ୍ୟୁ ହୋଇଛି।

କେନ୍ଦୁଝରରେ ୩ ମୃତ, ୮ ଗୁରୁତର

କେନ୍ଦୁଝର ଜିଲ୍ଲାରେ ଶନିବାର ୪ଟି ଦୁର୍ଘଟଣା ଘଟିଛି। ଏଥିରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୮ ଜଣ ଗୁରୁତର ହୋଇଥିଲେ। ୨୨୦ ନମ୍ବର ଜାତୀୟ ରାଜପଥ ଧାନବେଣି ସ୍କୁଲ ଛକ ନିକଟରେ ମିନିଟ୍ରକ୍‌ ସହ ଏକ କାର୍‌ ମୁହାଁମୁହିଁ ଧକ୍କା ହେବାରୁ ୬ଜଣ ଗୁରୁତର ଆହତ ହୋଇଥିଲେ। ଝାଡ଼ଖଣ୍ଡ ପଶ୍ଚିମସିଂହଭୂମ ଜିଲ୍ଲା କରାଣ୍ଡି ଥାନା ଅଞ୍ଚଳର କିଛି ଲୋକ ଘଟଗାଁ ମା’ ତାରିଣୀଙ୍କ ଦର୍ଶନ ପାଇଁ କାର୍‌ରେ ଆସୁଥିଲେ। ୨୨୦ ନମ୍ବର ଜାତୀୟ ରାଜପଥର ଢେଙ୍କିକୋଟ-ପାଟଣା ରାସ୍ତାର କପାସପଡ଼ା ନିକଟରେ ସନ୍ଧ୍ୟାରେ ଦୁଇ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ମୂଷାଖୋରୀ ପଞ୍ଚାୟତ ଅନ୍ତର୍ଗତ ରଥପଡ଼ା ଗ୍ରାମର ତ୍ରିଲୋଚନ ମହାନ୍ତଙ୍କ ଏକମାତ୍ର ପୁଅ ସୁଦର୍ଶନ ମହାନ୍ତ (୧୭)।ଙ୍କ ମୃତ୍ୟୁ ହୋଇଥିଲା। ଗୁରୁତରମାନେ ହେଲେ ପାଟଣା ଥାନା ସାଧୁପଡ଼ା ଗ୍ରାମର ଘନଶ୍ୟାମ ମହାନ୍ତ ଓ କରଞ୍ଜିଆ ଅଞ୍ଚଳର ବୀରକିଶୋର ମାଟିଆ। ସେହିପରି ସଦର ଥାନା ଅନ୍ତର୍ଗତ ୪୯ ନମ୍ବର ଜାତୀୟ ରାଜପଥର ଝାଡ଼ବେଲଦା ନିକଟରେ ସନ୍ଧ୍ୟା ୭ଟାବେଳେ ଏକ ବୋରୱେଲ୍‌ ଟ୍ରକ୍ ପଛରେ ବାଇକ୍ ପିଟି ହେବାରୁ ପଣ୍ତାପଡ଼ା ଥାନା ଖୁଣ୍ଟାପଡ଼ା ଗ୍ରାମର ପ୍ରଫୁଲ୍ଲ ନାଏକଙ୍କ ପୁଅ ବସନ୍ତ ନାଏକ (୨୭)ଙ୍କ ମୃତ୍ୟୁ ହୋଇଥିଲା। ଚମ୍ପୁଆ ଥାନା ରାମଚନ୍ଦ୍ରପୁର ଗ୍ରାମରେ ଟ୍ରାକ୍ଟରରୁ ଖସିପଡ଼ି  ନନ୍ଦ ମୁଣ୍ଡାଙ୍କ ମୃତ୍ୟୁ ହୋଇଥିଲା।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments