ଭୁବନେଶ୍ୱର: ବନ୍ଧୁକଧାରୀ ଲୁଟେରାମାନେ ପୁଣି ଥରେ ଆତଙ୍କରାଜ ସୃଷ୍ଟି କରିଛନ୍ତି । କଟକ ସହରରେ ଦିବାଲୋକରେ କୋଟି କୋଟି ଟଙ୍କାର ସୁନା ଗହଣା ଓ ଟଙ୍କା ଲୁଟି ନେଇ ଫେରାର ହୋଇଯାଇଛନ୍ତି । ଗୁରୁବାର ପୂର୍ବାହ୍ନରେ ଲାଲବାଗ ଥାନା ଅଧୀନ ନୟାସଡ଼କସ୍ଥିତ ଋଣ ଓ ନିବେଶ ସଂସ୍ଥା ‘ଆଇଆଇଏଫଏଲ ଫାଇନାନ୍ସ’ରୁ ପ୍ରାୟ ୧୦ଟା ସମୟରେ ୪ ଜଣ ଲୁଟେରା ପ୍ରାୟ ୧୨ କୋଟିର ସୁନାଗହଣା ଓ ୪ ଲକ୍ଷ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି । ଘଟଣା ଭୟଙ୍କର ଥିଲା । ଲୁଟେରାମାନେ ବନ୍ଧୁକ ଦେଖାଇ ସଂସ୍ଥାର କର୍ମଚାରୀମାନଙ୍କୁ ଭୟଭୀତ କରାଉଥିବା ବେଳେ ବିରୋଧ କରିବାକୁ କାହାର ସାହାସ ଜୁଟିପାରି ନଥିଲା । ଲୁଟେରାମାନେ କର୍ମଚାରୀମାନଙ୍କର ମୋବାଇଲ ମଧ୍ୟ ଛଡ଼ାଇ ନେଇଥିବା ଲାଲବାଗ ଥାନାରେ ଅଭିଯୋଗ ହେଉଛି । ପୋଲିସକୁ ଲୁଟେରାମାନଙ୍କର ସିସିଟିଭି ଫୁଟେଜ ମିଳିସାରିଛି । ଖୁବ ଶୀଘ୍ର ଘଟଣାର ପର୍ଦ୍ଦାଫାସ ହେବ ବୋଲି ଆଶା କରାଯାଉଛି ।
ଲୁଟ ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହୋଇଥିଲା
ଲୁଟେରାମାନେ ଉଭୟ ହିନ୍ଦୀ ଓ ଓଡ଼ିଆ ଭାଷାରେ କଥା ହେଉଥିବା ପୋଲିସ ଜାଣିବାକୁ ପାଇଛି । ଏହି ଘଟଣାରେ ଅନ୍ତଃରାଜ୍ୟ ଡକାୟତ ଗୋଷ୍ଠୀର ଲିଙ୍କ ଥିବାର ଅନୁମାନ କରାଯାଉଛି । ଲୁଟ ପୂର୍ବରୁ ଦୁର୍ବୃତ୍ତମାନେ ବିସ୍ତୁତୃ ଯୋଜନା କରିଥିଲେ । ସେମାନେ କ୍ୟାମେରାର ଦିଗ ପରିବର୍ତ୍ତନ କରିଦେଇଥିଲେ । ତେଣୁ ସଂସ୍ଥା ପାଖରେ ଲୁଟର କୌଣସି ଭିଡିଓ ତଥ୍ୟ ନାହିଁ । ପୋଲିସ ମୁମ୍ବାଇସ୍ଥିତ ସେଣ୍ଟ୍ରାଲ ଷ୍ଟୋରେଜକୁ ତଥ୍ୟ ମାଗିଛି । ନୟାସଡ଼କ ଅଂଚଳରେ ଥିବା ଦୋକାନ ଓ ବ୍ୟାଙ୍କର ସିସିଟିଭି ଅନୁଧ୍ୟାନ କରୁଛି ପୋଲିସ ।
ଅସୁରକ୍ଷିତ କଟକ
ଗୁରୁବାର ଦିବାଲୋକରେ ପୋଲିସକୁ ଚ୍ୟାଲେଞ୍ଜ କରିଛନ୍ତି ଲୁଟେରା । ଯେଭଳି ଭାବେ ଲୁଟ ହୋଇଛି । ସାଧାରଣ ଲୋକ ଘରୁ ବାହାରିବା ପୂର୍ବରୁ ଅନେକ କଥା ଚିନ୍ତା କରୁଛନ୍ତି । ଲୁଟେରାମାନେ ସୁନା ଓ ଟଙ୍କା ଛଡେଇ ନେବାରେ ସାଧାରଣ ଲୋକଙ୍କୁ ଟାର୍ଗେଟ ନକରିବେ ସେ କଥା କେହି କହିପାରିବେ ନାହିଁ । ଆଇଆଇଏଫଏଲରେ ବନ୍ଧୁକଧାରୀ ସୁରକ୍ଷାକର୍ମୀ ନଥିଲେ । ସେଥିପାଇଁ ଲୁଟେରାମାନେ ନିର୍ଭୟରେ ପ୍ରବେଶ କରିଥିଲେ । ସୁରକ୍ଷା ବ୍ୟବସ୍ଥା ଥାଇ ମଧ୍ୟ ଲୁଟେରାମାନେ ଏହାକୁ ଖାତିର କରି ନାହାନ୍ତି ।
୪ଦିନ ତଳେ ଭୁବନେଶ୍ୱର ଉପକଣ୍ଠରେ ଲୁଟ
ରାଜଧାନୀ ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତାରେ ୪ ଦିନ ତଳେ ଅର୍ଥାତ ୧୭ ତାରିଖ ଦିନ ଲୁଟ ହୋଇଥିଲା । ଅର୍ଥଲଗାଣକାରୀ ସଂସ୍ଥାର ୨ ଜଣ କର୍ମଚାରୀଙ୍କ ଠାରୁ ବାଇକ ଆରୋହୀ ୨ ଜଣ ଦୁର୍ବୃତ୍ତ ୨ଲକ୍ଷ ୨୦ ହଜାର ଟଙ୍କା ଝାମ୍ପି ନେଇ ଫେରାର ହୋଇଯାଇଥିବା ବାଲିଅନ୍ତା ଥାନାରେ ଅଭିଯୋଗ ହୋଇଥିଲା । ଘଟଣଦିନ ଅର୍ଥଲଗାଣକାରୀ ସଂସ୍ଥାର ୨ ଜଣ କର୍ମଚାରୀ ସ୍ମୃତିରଂଜନ ଜେନା ଓ ଶରତ ବରାଡ଼ ଗ୍ରାହଙ୍କ ଠାରୁ ଟଙ୍କା ସଂଗ୍ରହ କରି ଫେରୁଥିଲେ । କିନ୍ତୁ ଏହା ପୂର୍ବରୁ ସେମାନେ ଲୁଟେରାଙ୍କ ଦ୍ୱାରା ଟାର୍ଗେଟ ହୋଇସାରିଥିଲେ ।
୨୦ଦିନରେ ୧୨ରୁ ଅଧିକ ଲୁଟ
ରାଜ୍ୟର ବିଭିନ୍ନ ସ୍ଥାନରେ ଚଳିତ ନଭେମ୍ବର ମାସରେ ୧୨ ଅଧିକ ଲୁଟ ଘଟଣା ଘଟିସାରିଛି । ଏହାରି ମଧ୍ୟରେ ଲୁଟେରାମାନେ ଏଟିଏମ, ବ୍ୟବସାୟୀ, ବରିଷ୍ଠ ନାଗରିକ, ବ୍ୟାଙ୍କ ଗାଡ଼ି, ଇ-କମର୍ସ କଂପାନୀ ଓ ଠିକା ସଂସ୍ଥାର କର୍ମଚାରୀମାନଙ୍କୁ ଟାର୍ଗେଟ କରିସାରିଛନ୍ତି ।