ନୂଆଦିଲ୍ଲୀ: ଆଗାମୀ ସେପ୍ଟେମ୍ବର ମାସରେ ନୂଆଦିଲ୍ଲୀ ଓ ଇଂଲଣ୍ଡ ମଧ୍ୟରେ ବସ୍ ସେବା ଆରମ୍ଭ ହୋଇଯିବ । ଏଥି ପାଇଁ ପ୍ରସ୍ତୁତି ଚାଲୁଛି । ଅତ୍ୟାଧୁନିକ ଯୁଗରେ ବିମାନ ଓ ଜାହାଜ ସୁବିଧା ଥିଲେ ମଧ୍ୟ ଦକ୍ଷିଣ ଏସିଆରୁ ୟୁରୋପ ବସ ସେବା ଆରମ୍ଭ କରାଯିବାର ଉଦ୍ଦେଶ୍ୟ ଯଦିଓ ଜଣାପଡୁ ନାହିଁ, ତଥାପି ଯେଉଁମାନଙ୍କ ପାଖରେ ବହୁତ ଟଙ୍କା ଓ ସମୟ ଅଛି, ସେମାନଙ୍କ ପାଇଁ ଏହା ଖୁସିର ଖବର ହୋଇପାରେ । ଦୀର୍ଘକାଳନୀ ଛୁଟିରେ ରହିବାକୁ ଚାହୁଁଥିବା ଲୋକଙ୍କ ପାଇଁ ମଧ୍ୟ ଏହି ସେବା ଉଦ୍ଦିଷ୍ଟ ହୋଇପାରିବ । ଭାରତ-ମ୍ୟାମାର ସୀମାରେ ଗାଡ଼ି ଚଳାଚଳ ଆରମ୍ଭ ହେବା ପରେ ଦିଲ୍ଳୀରୁ ଲଣ୍ଡନ ବସ୍ ଚଳାଚଳ କରିବା ନେଇ ଯୋଜନା ଚାଲିଛି ।
ନୂଆଦିଲ୍ଲୀରୁ ଲଣ୍ଡନ ପାଇଁ ବିମାନ ଟିକେଟ୍ର ମୂଲ୍ୟ ସର୍ବାଧିକ ୧୪୮୦ ଡଲାର (ଭାରତୀୟ ମୁଦ୍ରାରେ ଯାହାକି ୧ ଲକ୍ଷ ୧୨ ହଜାର ଟଙ୍କା) ଯାତ୍ରା ସମୟ ପୁଣି ୯ ଘଣ୍ଟା ୨୦ ମିନିଟ । କିନ୍ତୁ ବସ୍ରେ ନୂଆଦିଲ୍ଲୀରୁ ଲଣ୍ଡନ ଯିବା ପାଇଁ ୭୦ ଦିନ ଲାଗିବ । ୨୦ ହଜାର କିଲୋମିଟର ରାସ୍ତାରେ ଯାତ୍ରୀଙ୍କୁ ୧୮ଟି ଦେଶ ବୁଲିବାକୁ ପଡ଼ିବ । କେବଳ ସେତିକି ନୁହେଁ ଯାତ୍ରୀମାନଙ୍କୁ ବସ୍ ଭଡ଼ା ୧୫ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ । ଏଥିରେ ବସ୍ର ଟିକେଟ, ଭିସା ଓ ଅନ୍ୟ ଦେଶରେ ରହିବାର ବ୍ୟବସ୍ଥା ମଧ୍ୟ ସାମିଲ ରହିଛି ।
ପୂର୍ବରୁ ଚାଲିଥିଲା ବସ୍ ସେବା
ଆଜିଠୁ ୭୨ ବର୍ଷ ପୂର୍ବରୁ କୋଲକାତା ଠାରୁ ଲଣ୍ଡନ୍ ଓ ଲଣ୍ଡନରୁ ଅଷ୍ଟ୍ରେଲିଆ ମଧ୍ୟରେ ବିଳାସମୟ ବସ୍ ସେବା ଚାଲିଥିଲା । ଏହା ବିଶ୍ୱର ସବୁଠାରୁ ଦୀର୍ଘ ବସ୍ ରୁଟ୍ ଥିଲା । ଲଣ୍ଡନରୁ କୋଲକାତା ବସ୍ ଯାତ୍ରା ୪୫ ଦିନ ସମୟ ଲାଗୁଥିଲା । ସେହି ସମୟରେ ବସ୍ ଭଡା ୧୪୫ ପାଉଣ୍ଡ (ଭାରତୀୟ ମୁଦ୍ରା ହିସାବରେ ବର୍ତ୍ତମାନର ୧୪,୮୧୩ ଟଙ୍କା ସହ ସମାନ) ଥିଲା । ସେହି ସମୟ ତୁଳନାରେ ଭଡା ବହୁତ ମହଙ୍ଗା ଥିଲା । କାରଣ ସେହି ସମୟରେ ବିଶ୍ୱର ଅର୍ଥନୀତି ଆଜି ଭଳି ନଥିଲା । କୋଲକାତାକୁ ଆସୁଥିବା ଏହି ବସ୍ ଲଣ୍ଡନ, ବେଲଜିୟମ, ପଶ୍ଚିମ ଜର୍ମାନୀ, ଅଷ୍ଟ୍ରିଆ, ୟୁଗୋସ୍ଲାଭଆ, ବୁଲଗେରିଆ, ତୁର୍କୀ, ଇରାନ, ଆଫଗାନିସ୍ତାନ, ପଶ୍ଚିମ ପାକିସ୍ତାନ ଦେଇ ଭାରତରେ ପହଞ୍ଚୁଥିଲା ।
ବଢ଼ିଛି ବସ୍ ଭଡ଼ା
ବିଶ୍ୱର ଏହି ଦୀର୍ଘ ବସ୍ ଯାତ୍ରା ୨୦ ହଜାର କିଲୋମିଟରର ରୁଟ ଥିଲା । ଏହି ବସ୍ ରୁଟ ଲାହୋରରୁ ଅମୃତସର, ଦିଲ୍ଲୀ, ଆଗ୍ରା, ଆହ୍ଲାବାଦ, ବନାରସ ହୋଇ କୋଲକାତାରେ ପହଞ୍ଚିଥିଲା । ବସ ସେବା ୧୯୭୨ରେ କୋଲକାତା ଠାରୁ ଲଣ୍ଡନ ପର୍ଯ୍ୟନ୍ତ ଭଡ଼ା ୧୪୫ ପାଉଣ୍ଡ ଥିଲା । ପରେ ଏଥିରେ ବୃଦ୍ଧି ହୋଇଥିଲା । କିନ୍ତୁ କୋଲକାତା-ଲଣ୍ଡନର ଏହି ଭଡାରେ ବସ ଭଡା, ଖାଦ୍ୟ, ଜଳପାନ ଓ ରାସ୍ତାରେ ହୋଟେଲରେ ରହିବା ଆଦି ସୁବିଧା ଥିଲା । କୋଲକାତା-ଲଣ୍ଡନ ବସ ଯାତ୍ରୀଙ୍କୁ ଶୋଇବା ବର୍ଥ ସୁବିଧା ମିଳୁଥିଲା । ଯାତ୍ରା ସମୟରେ ଝରକା ପାଶ୍ୱର୍ରୁ ବାହାରକୁ ଦେଖାଯାଇପାରୁଥିଲା । ଲଣ୍ଡନର ଏହି ବସରେ ସେଲୁନ, ପୁସ୍ତକ ପଢ଼ିବା ପାଇଁ ସ୍ଥାନ ଓ ବାହାରକୁ ଦେଖିବା ପାଇଁ ଏକ ବାଲକୋନି ମଧ୍ୟ ଥିଲା । ବସର ଟିକେଟରେ ଲେଖା ହୋଇଥିଲା ଯେ, ଯଦି ଭାରତ ଓ ପାକିସ୍ତାନ ମଧ୍ୟରେ ସୀମା ବନ୍ଦ ହୋଇଯାଏ, ତା’ହେଲେ ଯାତ୍ରୀଙ୍କୁ ପାକିସ୍ତାନରେ ବିମାନରେ ନିଆଯିବ ।
ଗୁରୁତ୍ୱପୂର୍ଣ୍ଣ କଥା
କୋଲକାତାରୁ ଲଣ୍ଡନ ଯାଉଥିବା ଲୋକଙ୍କ ମଧ୍ୟରେ ବହୁତ କମ ଲୋକ ୧୯୫୦ ଦଶକରେ ବିମାନ ଯାତ୍ରା କରିବାକୁ କ୍ଷମତା ରଖୁଥିଲେ । ବସ ଚାଳକ କଂପାନୀମାନେ ଯାତ୍ରୀଙ୍କୁ ତାଙ୍କର ପାସପୋଟ ଓ ୧୦ ଫଟୋ ପ୍ରସ୍ତୁତ ରଖିବାକୁ କହୁଥିଲେ । ନିଜର ଭିସା ନିଜେ ଲଗାଉଥିଲେ । କିନ୍ତୁ ବାକି ବ୍ୟବସ୍ଥା ବସ ପରିଚାଳକ କଂପାନୀ ମଧ୍ୟ କରିଦେଉଥିଲେ । ଏହି ରୁଟରେ ଚାଲୁଥିବା ଏକ ବସ ପୂରା ଏସି ଥିଲା । ଅନ୍ୟ ବସ ଗୁଡ଼ିକରେ ଯାତ୍ରା କଲା ବେଳେ ଘର ଭଳି ଲାଗୁଥିଲା । କୋଲକାତା ଓ ଲଣ୍ଡନ ମଧ୍ୟରେ ଚାଲିଥିବା ଏହି ବସ ରୁଟ ନୂଆ ନଥିଲା । ଏହା ଓରିଏଣ୍ଟାଲ ଏକ୍ସପ୍ରେସ ଟ୍ରାକ ଥିଲା । ଲଣ୍ଡନରୁ କୋଲକାତା ଯିବାକୁ ବହୁତ ଲୋକ ସେହି ସମୟରେ ଏହି ବସରେ ଯାତ୍ରା କରିବାକୁ ଚାହୁଁଥିଲେ । ପରେ ଯେତେବେଳେ ପାକିସ୍ତାନ ସହିତ ବିବାଦ ବଢ଼ିଲା, ଆଫଗାନିସ୍ତାନ ଓ ପାକିସ୍ତାନର ସୀମା ଉପରେ ଲୋକଙ୍କୁ ଅସୁବିଧାର ସାମ୍ନା କରିବାକୁ ପଡ଼ିଲା । ଏହା ପରେ କାବୁଲ ପର୍ଯ୍ୟନ୍ତ ଏହି ବସରେ ଲୋକେ ଆସିଲେ ଏବଂ ସେଠାରୁ ଅମୃତସର ଦେଇ କୋଲକାତାରେ ପହଞ୍ଚୁଥିଲେ ।
ଦିଲ୍ଲୀ-ଲଣ୍ଡନ ବସ୍ ରୁଟ
ନୂଆଦିଲ୍ଲୀରୁ ବସ୍ଟ ମ୍ୟାମାର ଦେଇ ଥାଇଲାଣ୍ଡାରେ ପହଞ୍ଚିବ । ସେଠାରୁ ଲାଓସ, ଚୀନ, କିର୍ଗିସ୍ତାନ, ଉଜବେକିସ୍ତାନ, କଜାକସ୍ତାନ, ଲାତାଭିଆ, ଲିଥୁଆନିଆ ଦେଇ ପୋଲାଣ୍ଡରେ ପହଞ୍ଚିବ । ତା’ ପରେ ଚେକ ଗଣରାଜ୍ୟ, ଜର୍ମାନୀ, ନେଦରଲାଣ୍ଡ, ବେଲଜିୟମ, ଫ୍ରାନ୍ସ ଅତିକ୍ରମ କରିବା ପରେ ଲଣ୍ଡନ ପଡିବ ।