ଦିଲ୍ଲୀରେ ଚାଷୀ ଆନ୍ଦୋଳନ: ଚାଷୀ, ଟ୍ରାକ୍ଟର ପ୍ରସ୍ତୁତ
ଭୁବନେଶ୍ବର: ଜୟ ଯବାନ, ଜୟ କିଶାନ। ସ୍ବର୍ଗତ ପ୍ରଧାନମନ୍ତ୍ରୀ ଲାଲବାହାଦୂର ଶାସ୍ତ୍ରୀଙ୍କର ଏହି ଶ୍ଲୋଗାନ ଭାଷଣବାଜୀରେ ସୀମିତ ରହିଯାଇଛି। ସରକାର ଓ ପ୍ରଶାସନ ଚାଷୀଙ୍କ ବୃହତ୍ ସ୍ବାର୍ଥ ପ୍ରତି ନଜର ଦେଉ ନାହାନ୍ତି। ଫଳରେ ଚାଷୀମାନେ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଚାଷୀ ସବୁବେଳେ ଅବହେଳିତ ରହୁଛି। ସବୁ ଚାଷୀଙ୍କ ଜମିକୁ ଜଳସେଚନର ବ୍ୟବସ୍ଥା ନାହିଁ। ଖାଦ୍ୟଶସ୍ୟକୁ ସଂରକ୍ଷିତ ରଖିବା ପାଇଁ ଶୀଳତଭଣ୍ଡାରର ପର୍ଯ୍ୟାପ୍ତ ସୁବିଧା ନାହିଁ। ଅନେକ ଚାଷୀ ସରକାରୀ ଯୋଜନାରେ ଋଣ ନପାଇ ଜୀବନ ହାରି ଦେଉଛନ୍ତି। ସେହିପରି ଫସଲ ନଷ୍ଟର ସାମ୍ନା କରିଥିବା ଚାଷୀମାନେ ମଧ୍ୟ ଅବହେଳାର ଶିକାର ହେଉଛନ୍ତି।
ଭାଷଣବାଜୀ ମାଧ୍ୟମରେ ସରକାର ଚାଷୀଙ୍କ ପାଇଁ କାମ କରୁଛନ୍ତି ବୋଲି କହୁଛନ୍ତି। ଲକ୍ଷ୍ୟ ଠାରୁ ଅଧିକ ଫସଲ ଉତ୍ପାଦନ ହୋଇଥିବା ମଧ୍ୟ କହୁଛନ୍ତି। କିନ୍ତୁ ତୃଣମୂଳ ସ୍ତରରେ ଚାଷୀ ଏକାଧିକ ସମସ୍ୟା ଦେଇ ଜୀବନ ବିତାଉଛି। ପ୍ରାୟ ୩ ବର୍ଷ ପରେ ରାଷ୍ଟ୍ରୀୟ ରାଜଧାନୀ ନୂଆଦିଲ୍ଲୀରେ ପୁଣି ଥରେ ଚାଷୀ ଆନ୍ଦୋଳନ ମୁଣ୍ଡ ଟେକିଛି। ପଞ୍ଜାବର ରାଜଧାନୀ ଚଣ୍ଡିଗଡରେ ସୋମବାର କେନ୍ଦ୍ରମନ୍ତ୍ରୀ ପିୟୂଷ ଗୋୟଲ ଓ ଅର୍ଜୁନ ମୁଣ୍ଡାଙ୍କ ସହ ଚାଷୀ ସଂଗଠନର ବୈଠକ ବିଫଳ ହେଲା ପରେ ବିଭିନ୍ନ ଦାବି ନେଇ ମଙ୍ଗଳବାର ଠାରୁ ଚାଷୀ ସଂଗଠନର ଦିଲ୍ଲୀ ଚଲୋ ଆନ୍ଦୋଳନ ଡାକରା ଦେଇଛନ୍ତି।
ଆନ୍ଦୋଳନ କରିବା ପାଇଁ ଚାଷୀମାନେ ଦିଲ୍ଲୀ ଅଭିମୁଖେ ଅଗ୍ରସର ହୋଇଛନ୍ତି। ହରିୟାଣା, ପଞ୍ଜାବ ଓ ଉତ୍ତରପ୍ରଦେଶର ବିଭିନ୍ନ ଚାଷୀ ସଂଗଠନ ଦିଲ୍ଲୀରେ ଏକଜୁଟ ହୋଇ ବଡଧରଣ ପ୍ରଦର୍ଶନ କରୁଛନ୍ତି। ଦିଲ୍ଲୀକୁ ପ୍ରବେଶ କରିବା ପାଇଁ ସୀମାରେ ପ୍ରାୟ ୨୦ ହଜାର ଚାଷୀ ଓ ୨୫ଶହ ଟ୍ରାକ୍ଟର ସଜବାସ ହୋଇଛନ୍ତି। ପଞ୍ଜାବର ଚାଷୀମାନେ ୧୦ ହଜାରରୁ ଅଧିକ ଟ୍ରାକ୍ଟର, ଟ୍ରକ୍ ନେଇ ହରିୟାଣା ରାସ୍ତାରେ ଦିଲ୍ଲୀରେ ପ୍ରବେଶ କରିବେ। ସେଥିପାଇଁ ସମ୍ଭୁ, ଡବୱାଲି ଏବଂ ଖନୌରୀ ସୀମାକୁ ସେମାନେ ଚୟନ କରିଛନ୍ତି।
କ’ଣ ରହିଛି ଚାଷୀଙ୍କ ଦାବି
ଚାଷୀ ସଂଗଠନର ପ୍ରମୁଖ ଦାବି ଗୁଡିକ ହେଉଛି- ପ୍ରତ୍ୟେକ ଫସଲର ଅତିକମରେ ସମର୍ଥନ ମୂଲ୍ୟ (ଏମଏସପି) ଉପରେ ଆଇନଗତ ଗ୍ୟାରେଂଟି, ଏମଏସ୍ ସ୍ୱାମୀନାଥନ ଆୟୋଗର ସୁପାରିଶକୁ କାର୍ଯ୍ୟକାରୀ କରିବା, ଚାଷୀ ଶ୍ରମିକଙ୍କୁ ଋଣ କ୍ଷମା ଏବଂ ପେନସନ୍ ବ୍ୟବସ୍ଥା, ଲଖିମପୁର ଖେରୀ ଘଟଣାର ଦୋଷୀଙ୍କୁ କଠୋର ଦଣ୍ଡାଦେଶ, ନକଲି ବିହନ, କୀଟନାଶକ ଔଷଧ କମ୍ପାନି ବିରୋଧରେ କଠୋର ଆଇନ୍ ଲାଗୁ।
ପୁଲିସର ସଜବାଜ, ପ୍ରତିବନ୍ଧକ
ଦିଲ୍ଲୀରେ ଚାଷୀ ଆନ୍ଦୋଳନ ସମୟରେ ଅନେକ ସମସ୍ୟା ଉପୁଜିବାର ଆଶଙ୍କା ରହିଛି। ସମସ୍ୟାକୁ ଆଖିରେ ରଖି ଆନ୍ଦୋଳନକୁ ବନ୍ଦ କରିବା ପାଇଁ କେନ୍ଦ୍ର ସରକାର ଉଦ୍ୟମ କରୁଛନ୍ତି। ଆଲୋଚନା ଜରିଆରେ ସରକାର ସମାଧାନ କରାଯିବ ବୋଲି କହୁଥିବା ବେଳେ ଦିଲ୍ଲୀ ପୁଲିସ ସୀମା ସିଲ କରିବା ସହ କଟକଣା ଜାରି କରିଛି। ଦିଲ୍ଲୀରେ ଆଗାମୀ ଏକ ମାସ ପର୍ଯ୍ୟନ୍ତ ବିଶାଳ ସମାବେଶ ଓ ରାଲି ଉପରେ ପ୍ରତିବନ୍ଧକ ଲାଗିଛି। ମାର୍ଚ୍ଚ ୧୨ ତାରିଖ ପର୍ଯ୍ୟନ୍ତ ରାଜଧାନୀରେ କୌଣସି ପ୍ରକାର ବିଶାଳ ସମାବେଶର ଆୟୋଜନ ହୋଇ ପାରିବ ନାହିଁ। ଏପରିକି ସରକାରଙ୍କ ଉପରେ ଚାପ ପକାଇବାକୁ ସେମାନେ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ରଗୃହମନ୍ତ୍ରୀଙ୍କ ବାସଭବନ ଆଗରେ ଆନ୍ଦୋଳନ କରିବାର ଆଶଙ୍କାକୁ ମଧ୍ୟ ଏଡାଇ ଦିଆଯାଇନପାରେ ବୋଲି ସତର୍କ କରିଦେଇଛି। ରାଜଧାନୀକୁ ଟ୍ରାକ୍ଟର ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଯାଇଛି। ଇଟା, ପଥର, ଅସ୍ତ୍ରଶସ୍ତ୍ର, ପେଟ୍ରୋଲ କେନ୍, ସୋଡା ବୋତଲ ଉପରେ ରୋକ ଲାଗିଛି। ଲାଉଡ ସ୍ପିକର ବ୍ୟବହାର ଉପରେ ପ୍ରତିବନ୍ଧକ ଲାଗିଛି।
ତିନି ବର୍ଷ ପରେ ପୁଣି ଆନ୍ଦୋଳନ
ରାଷ୍ଟ୍ରୀୟ ରାଜଧାନୀ ନୂଆଦିଲ୍ଲୀରେ ୨୦୨୧ ଜାନୁଆରି ୨୬ରେ ଚାଷୀମାନେ ଟ୍ରାକ୍ଟର ରାଲି ମାଧ୍ୟମରେ ଆନ୍ଦୋଳନ କରିଥିଲେ। ଲାଲକିଲ୍ଲାରେ ପଶି ଉପଦ୍ରବ ସୃଷ୍ଟି କରିଥିଲେ। ଟ୍ରାକ୍ଟର ରାଲି ସମୟରେ ଚାଷୀଙ୍କ ଦ୍ବାରା ଘଟିଥିବା ହିଂସା ଘଟଣାରେ ପୁଲିସ ୨୨ଟି ମାମଲା ରୁଜୁ କରିଥିଲା। ସେଥିରୁ ୫ଟି ମାମଲା ପୂର୍ବ ଦିଲ୍ଲୀରେ ରୁଜୁ ହୋଇଥିଲା। କୃଷକମାନେ ଟ୍ରାକ୍ଟର ରାଲି କରିବା ସମୟରେ ଆଇନ ଉଲ୍ଲଂଘନ କରି ହିଂସାକାଣ୍ଡ ଘଟାଇଥିଲେ। ସେମାନଙ୍କ ଆକ୍ରମଣରେ ୮୬ ପୁଲିସ କର୍ମଚାରୀ ଆହତ ହୋଇଥିଲେ। ଟ୍ରାକ୍ଟର ରାଲିରେ ହିଂସା ମାମଲରେ ଯେଉଁମାନଙ୍କ ନାଁରେ ଏଫଆଇଆର୍ ରୁଜୁ ହୋଇଥିଲା ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦିଲ୍ଲୀ ପୁଲିସକୁ ଗୃହ ମନ୍ତ୍ରାଳୟ ନିର୍ଦ୍ଦେଶ ଦେଇଥିଲା।