ଭୁବନେଶ୍ୱର: ଚଳିତ ବର୍ଷର ଦୀପାବଳି ଐତିହାସିକ ହେବ । ଏଥର ଶବ୍ଦ ବିହୀନ ଦୀପାବଳି ପାଳନ ହେବ । ଉତ୍ସାହ ଘର ଭିତରେ ସୀମିତ ରହିବ । ଦୋକାନ ବଜାରରେ ଦୀପ ଜଳିବ ଓ ପୂଜା ହେବ କିନ୍ତୁ ବାଣ ଫୁଟିବ ନାହିଁ । ବ୍ୟବସାୟୀ ଓ ଲୋକେ ମା’ ଲକ୍ଷ୍ମୀଙ୍କୁ ପୂଜା କରିବେ । କୋଭିଡ-୧୯ କଟକଣା ଯୋଗୁଁ ରାଜ୍ୟ ସରକାର ଏଭଳି ଗାଇଡଲାଇନ ଜାରି କରିଛନ୍ତି । ସରକାରଙ୍କ ଗାଇଡଲାଇନ ଅନୁସାରେ କୌଣସି ଲୋକ ବାଣ ପ୍ରସ୍ତୁତ କରିପାରିବେ ନାହିଁ କି ବାଣ ବିକ୍ରି କରିପାରିବେ ନାହିଁ । ନିୟମ ଉଲ୍ଲଂଘନ କରୁଥିବା ଲୋକଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସରକାର ଗତ ୩ ତାରିଖରେ ନିର୍ଦ୍ଦେଶନାମା ଜାରି କରିଛନ୍ତି ।
ବିପୁଳ ପରିମାଣରେ ବାଣ ଜବତ
ମାତ୍ର ୪୮ ଘଣ୍ଟା ମଧ୍ୟରେ ଲକ୍ଷାଧିକ ଟଙ୍କାର ବାଣ ଓ ବାଣ ତିଆରିରେ ପ୍ରସ୍ତୁତ ସାମଗ୍ରୀ ଜବତ ହୋଇଛି । ସେଠାରେ ଏକ ଅସ୍ଥାୟୀ କାରଖାନାରେ ବିଭିନ୍ନ କଂପାନୀ ନାଁରେ ଲୋଗୋ ଲଗାଇ ବାଣ ପ୍ରସ୍ତୁତି କରିଥିଲେ । ଗତ ଶୁକ୍ରବାର ଦିନ ଗଂଜାମ ଜିଲ୍ଲା ଆସିକା ଥାନା ଅନ୍ତର୍ଗତ ନଳବଣ୍ଟା ଗାଁରୁ ପ୍ରାୟ ୭୦ ଲକ୍ଷ ଟଙ୍କାର ବାଣ ଜବତ ହୋଇଥିଲା । ପ୍ରାୟ ୨ ପ୍ଲାଟୁନ ପୋଲିସ ଅତର୍କିତ ଭାବେ ଚଢ଼ାଉ କରି କରି ନଳବଣ୍ଟା ଗାଁରୁ ବିପୁଳ ପରିମାଣରେ ବାଣ ଜବତ ହୋଇଥିଲେ । ପୋଲିସ ନଳବଣ୍ଟା ଗାଁର ଲବ ବେହେରା, ଜିତୁ ପ୍ରଧାନ ଓ ରଂଜନ ପ୍ରଧାନଙ୍କୁ ଗିରଫ କରିଥିଲା । ୧୨ ଜଣ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ଆଜି ମଧ୍ୟ କଟକ ଜିଲ୍ଲାର ଜଗତପୁର ଅଂଚଳରୁ ଲକ୍ଷାଧିକ ଟଙ୍କା ବାଣ ଜବତ ହୋଇଛି ।
୮ଟି ରାଜ୍ୟରେ ବାଣ ବିକ୍ରି ନିଷେଧ
ଆଉ ମାତ୍ର ୫ ଦିନ ପରେ ଦୀପାବଳି ପର୍ବ ହେବ । କିନ୍ତୁ ଏହା ପୂର୍ବରୁ ୮ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଚଂଳ ବାଣ ଫୁଟାଇବା ନେଇ କଟକଣା ଜାରି କରିଛନ୍ତି । ଦିଲ୍ଲୀ, ମହାରାଷ୍ଟ୍ର, କର୍ଣ୍ଣାଟକ, ଓଡ଼ିଶା, ରାଜସ୍ଥାନ, ସିକ୍କିମ, ହରିୟାଣା, ଚଣ୍ଡିଗଡ଼ରେ ବାଣ ଫୁଟିବ ନାହିଁ । ଏତଦ ବ୍ୟତୀତ ବାଣ ନ ଫୁଟାଇବା ପାଇଁ ନ୍ୟାସନାଲ ଗ୍ରୀନ ଟ୍ରିବ୍ୟୁନାଲରେ ୨୩ଟି ରାଜ୍ୟ ଆବେଦନ କରିଛନ୍ତି ।
ବୁଡ଼ିଲା ବେପାର, ଆର୍ଥିକ କ୍ଷତି ସହିଲେ ବ୍ୟବସାୟୀ
ଦୀପାବଳିରେ ବାଣ ପ୍ରସ୍ତୁତି ଓ ବିକ୍ରି ଉପରେ କଟକଣା ଲାଗୁ ହେବା ପରେ, ବ୍ୟବସାୟୀମାନେ ଘୋର ପ୍ରଭାବିତ ହୋଇଛନ୍ତି । ଓଡ଼ିଶା ସରକାର ଗତ ୩ ତାରିଖରେ ବାଣ ବିକ୍ରି ନେଇ କଟକଣା ଜାରି କରିଥିଲେ । କିନ୍ତୁ ଏହା ପୂର୍ବରୁ ଅନେକ ବ୍ୟବସାୟୀ ବାଣ କିଣି ସାରିଥିଲେ । ଏବେ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କାର ଜିନିଷ ବିକ୍ରି ନ ହୋଇ ରହିବ । ଫଳରେ ଏହି ବ୍ୟବସାୟୀମାନଙ୍କୁ ଆର୍ଥିକ କ୍ଷତି ସହିବାକୁ ପଡ଼ିବ । କେବଳ ସେତିକି ନୁହେଁ ବାଣ କାରବାରରେ ନିୟୋଜିତ ହେଉଥିବା ଶ୍ରମିକମାନେ ମଧ୍ୟ ଏଥର ଟଙ୍କା ରୋଜଗାର କରିପାରିଥାନ୍ତି । ଏହା ଏକ ଋତୁଭିତ୍ତିକ ବ୍ୟବସାୟ ହୋଇଥିବାରୁ ଦୀପାବଳି ସମୟରେ ବ୍ୟବସାୟୀ ଓ ଶ୍ରମିକମାନେ କିଛି ପରିମାଣରେ ଅତିରିକ୍ତ ଅର୍ଥ ରୋଜଗାର କରିଥାନ୍ତି ।
କରୋନା ସାଜିଲା ଦାଉ
ଗତ ମାର୍ଚ୍ଚ ମାସରୁ ଭାରତରେ କରୋନା ଭାଇସର ଚିହ୍ନଟ ହେବା ପରେ ଧୀରେ ଧୀରେ ସବୁ କାର୍ଯ୍ୟକ୍ରମରେ ବାଧା ପହଂଚୁଛି । କରୋନା ଆସିଲା ଦିନ ଠାରୁ ଆଉ ପର୍ବ-ପର୍ବାଣୀରେ ଉତ୍ସାହ ଦେଖାଯାଉ ନାହିଁ । କରୋନା ସମୟରେ ଦୀପାବଳି ପାଳନ ହେଉଥିବାରୁ ବାଣ ଫୁଟିଲେ ସଂକ୍ରମଣ ଅଧିକ ବ୍ୟାପିବା ଏବଂ ବାୟୁ ପ୍ରଦୂଷଣକୁ ଦୃଷ୍ଟିରେ ରଖି ସରକାର କଟକଣା ଜାରି କରିଛନ୍ତି । କିନ୍ତୁ ଦୀପାବଳିରେ ବାଣ ଫୁଟିଲେ ଚାଷୀମାନଙ୍କର ଲାଭ ହୋଇଥାଏ ବୋଲି ମଧ୍ୟ ଚର୍ଚ୍ଚା ହୋଇଥାଏ । କାରଣ ବାଣ ଓ ବାରୁଦର ଗନ୍ଧରେ ଛୋଟ ଛୋଟ ପୋକ ମରିଯାଆନ୍ତି । ଫଳରେ ଧାନ ଫସଲରେ ରୋଗ ଲାଗିବା ହ୍ରାସ ପାଇଥାଏ ।