ଭୁବନେଶ୍ବର: ଦୀର୍ଘ ୨ ବର୍ଷର ବ୍ୟବଧାନ ପରେ ଆଲୋକର ପର୍ବ ’ଦୀପାବଳି’ ସୋମବାର ଦେଶବ୍ୟାପୀ ଧୁମଧାମ୍ରେ ପାଳିତ ହୋଇଛି। ସୂର୍ଯ୍ୟୋପରାଗ କାରଣରୁ ଚଳିତ ବର୍ଷ ଅମାବାସ୍ୟା ତିଥିରେ ଦୀପାବଳି ପାଳନ ହେବା ବଦଳରେ ପୂର୍ବ ଦିନ ପାଳନ କରାଯାଇଛି। ଦେଶବ୍ୟାପୀ କୋଟି କୋଟି ଟଙ୍କାର ବାଣ ଫୁଟିଛି। କେବଳ ଭାରତ ନୁହେଁ, ବରଂ ଶ୍ରୀଲଙ୍କା, ନେପାଳ ମାଲେସିଆ, ସିଙ୍ଗାପୁର, ଫ୍ଲୋରିଡା, ବ୍ରିଟେନ୍, ତ୍ରିନିନାଦ, ଅଷ୍ଟ୍ରେଲିଆ, ମ୍ୟାମାର ପ୍ରମୁଖ ରାଷ୍ଟ୍ରରେ ମଧ୍ୟ ଚଳିତ ଥର ଆଡମ୍ବରପୂର୍ଣ୍ଣ ଭାବେ ଦୀପର ପର୍ବ ଦୀପାବଳି ପାଳିତ ହୋଇଛି।
‘ଦୀପାପଳି‘ ଦେଶର ମହାନ ପର୍ବଗୁଡ଼ିକ ମଧ୍ୟରୁ ଅନ୍ୟତମ ହୋଇଥିବାରୁ ଏହାକୁ ପାଳନ କରିବା ନିହାତି ଆବଶ୍ୟକ। କିନ୍ତୁ ପର୍ବ ପାଳନ କରିବା ପୂର୍ବରୁ ପରିବେଶ ଓ ସତର୍କତା ପ୍ରତି ନଜର ରଖିବା ସବସ୍ତଙ୍କର ଗୁରୁ ଦାୟିତ୍ବ ହେବା ଦରକାର। ପରିବେଶ ବଞ୍ଚିଲେ ଜୀବଜଗତ ବଞ୍ଚିବ। ଏହାକୁ ସମସ୍ତେ ଦୃଷ୍ଟି ଦେବାର ଆବଶ୍ୟକତା ରହିଛି। ଅତୀତରେ ଓ ଏଥର ମଧ୍ୟ ଦୀପାବଳି ସମୟରେ ଅନେକ ଅଘଟଣ ଘଟିଛି। ସେହିପରି ଦୀପାବଳି ପରେ ବାୟୁ ପ୍ରଦୂଷଣର ମାତ୍ରା ବଢ଼ିଛି। ବାୟୁ ପ୍ରଦୂଷଣ ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀବାସୀଙ୍କ ଚିନ୍ତା ବଢ଼ାଇଛି।
ବଢ଼ିଲା ଦିଲ୍ଲୀ ପ୍ରଦୂଷଣ
ବଡ଼ବଡ଼ ସହରରେ ଦୀପାବଳିର ଧୁମ୍ ଅଧିକ ଦେଖିବାକୁ ମିଳିଛି। ପ୍ରଦୂଷଣ ଓ ପରିବେଶ ସୁରକ୍ଷା ପାଇଁ ବଡ଼ ସହରରେ ସାମାନ୍ୟ କଟକଣା ଲାଗୁ ହୋଇଥିଲା। ଏହା ସତ୍ତ୍ବେ ଲୋକେ ନିୟମ ଉଲ୍ଲଂଘନ ଖରିଛନ୍ତି। ଦିଲ୍ଲୀ ଏବଂ ଏହାର ଉପକଣ୍ଠରେ ଲୋକେ ଜୋରଦାର ବାଣ ଫୁଟାଇଛନ୍ତି ଓ ଆତାସବାଜି କରିଛନ୍ତି। ଏହି କାରଣରୁ ମଙ୍ଗଳବାର ଦିଲ୍ଲୀରେ ପ୍ରଦୂଷଣର ମାତ୍ରା ବଢ଼ି ଯାଇଛି। ଦୀପାବଳି ଅବସରରେ ସୋମବାର ସନ୍ଧ୍ୟା ପରଠାରୁ ପ୍ରଦୂଷଣ ବଢ଼ିଚାଲିଥିଲା। ନୋଏଡା ଓ ଗୁରୁଗ୍ରାମରେ ମଧ୍ୟ ସମାନ ଅବସ୍ଥା ଥିଲା। ରାଜଧାନୀରେ ଲୋକେ ଶ୍ବାସକ୍ରିୟାରେ ବହୁତ ଅସୁବିଧାର ସାମ୍ନା କରିଥିଲେ। ଦିଲ୍ଲୀରେ ବାୟୁର ଗୁଣବତ୍ତା ୩୨୩କୁ ଉଠିଯାଇଥିଲା। କିଛି ସ୍ଥାନରେ ବାୟୁର ଏକ୍ୟୁଆଇ ୪୦୦ ଅତିକ୍ରମ କରିଥିଲା।
ଦୀପ ନିଆଁରେ ଜଳିଲା ବସ୍
ଦୀପାବଳି ରାତିରେ ଝାଡଖଣ୍ଡ ରାଂଚି ଠାରେ ଥିବା ଖାଦଗଡା ବସଷ୍ଟାଣ୍ଡରେ ଏକ ବସ୍ ଜଳିଯାଇଥିଲା। ମୁନଲାଇଟ ନାମକ ଏକ ବସରେ ନିଆଁ ଲାଗିଯିବାରୁ ଭିତରେ ଶୋଇଥିବା ଡ୍ରାଇଭର ଓ ହେଲପର ଜିଅନ୍ତା ଜଳି ଯାଇଥିଲେ। ସେମାନେ ବସ୍ ଭିତରେ ଦୀପ ଲଗାଇ ଶୋଇଥିଲେ। କୌଣସି କାରଣରୁ ଏହି ଦୀପ ନିଆଁ ଭୟଙ୍କର ବିପଦ ସୃଷ୍ଟି କରିଥିଲା। ସୂଚନା ପାଇବା ପରେ ପୁଲିସ ଓ ଦମକଳବାହୀନି ଘଟଣାସ୍ଥଳରେ ପହଂଚିଲା ବେଳକୁ ୨ ଜଣଙ୍କର ଜୀବନ ଦୀପ ଲିଭିଯାଇଥିବା ବେଳେ ବସ୍ଟି ଭସ୍ମୀଭୂତ ହୋଇସାରିଥିଲା। ଦୀପାବଳି ଦିନ ଅରୁଣାଚଳ ପ୍ରଦେଶର ଇଟାନଗର ନିକଟ ନାହାରଲାଗୁନ ଡେଲି ମାର୍କେଟରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା। ନିଆଁ ଲାଗିବା କାରଣରୁ ମାର୍କେଟରେ ଥିବା ୭୦୦ଟି ଦୋକାନ ଜଳିପୋଡ଼ି ପାଉଁଶ ହୋଇଯାଇଥିଲା
ବାଣ ଫୁଟିଲା: ୨ ମୃତ
ଦୀପାବଳି ଦିନ ଅସାବଧାନତା ଯୋଗୁଁ ଓଡ଼ିଶାରେ ମଧ୍ୟ ଏକାଧିକ ସ୍ଥାନରେ ଅଗ୍ନିକାଣ୍ଡ ଘଟିଥିଲା। କେନ୍ଦ୍ରାପଡ଼ା, କଟକ, ଢେଙ୍କାନାଳ ଓ ମୟୂରଭଂଜ ଜିଲ୍ଲାରେ ନିଆଁ ଲାଗିଥିଲା। ବାଣ ପୁଟିବା କାରଣରୁ ଜଣେ ଶିଶୁଙ୍କ ସମେତ ମୋଟ ୨ ଜଣଙ୍କର ମୃତ୍ୟୁ ହୋଇଛି। ଅନ୍ୟ ୩ ଜଣ ଆହତ ହୋଇଛନ୍ତି। ଯାଜପୁର ଜିଲ୍ଲା କୋରେଇ ଥାନା ଚାରଦା ଗ୍ରାମରେ ରାଜୁ ମଲିକ ସୋମବାର ଦୀପାବଳି ଅବସରରେ ବାଣ କିଣି ଘରକୁ ଆଣିଥିଲେ। ଏହାକୁ ସେ ଖଟ ତଳେ ଲୁଚାଇ ରଖିଥିଲେ। ସମସ୍ତେ ଦୀପାବଳି ବାଣ ଫୁଟାରେ ବ୍ୟସ୍ତ ଥିବା ବେଳେ ୪ ବର୍ଷର ପୁଅ କୁନା ତାହାକୁ ଦେଖି ପାରି ନିଆଁ ସଂଯୋଗ କରି ଦେଇଥିଲା। ଏହାଫଳରେ ତାର ହାତରେ ବାଣଟି ଫୁଟିଯାଇଥିବା ବେଳେ ହୃତପିଣ୍ଡ ବାହାରକୁ ଆସି ଯାଇଥିଲା। କୁନାକୁ ପ୍ରଥମେ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣା ଯାଇଥିଲା। ପରେ ତାକୁ କଟକ ସ୍ଥାନାନ୍ତରିତ କରାଯାଇଥିଲା। ଯିବା ବାଟରେ ହିଁ ଶିଶୁର ମୃତ୍ୟୁ ହୋଇଯାଇଥିଲା। ସେହିଭଳି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଅନ୍ତର୍ଗତ ବଡ଼ସୁଆଁଳ ଗାଁରେ ସୋମବାର ସନ୍ଧ୍ୟାରେ ଦୋକାନରେ ବାଣ ଲାଗି ଗୁରୁତର ହୋଇଥିବା ୪ ଜଣଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଥିଲା। ମୃତକ ଜଣକ ହେଲେ ଦୁଷ୍ମନ୍ତ ନାୟକ। ବଡ଼ସୁଆଁଳ ଗାଁର ଦୋକାନରେ ବାଣ ବିକ୍ରି କରୁଥିବା ବେଳେ ହଠାତ ବାଣ ବିସ୍ଫୋରଣ ଘଟିଥିଲା। ବାଣ କିଣିବାକୁ ଆସିଥିବା ଗ୍ରାହକମାନେ ଗୁରୁତର ହୋଇଥିଲେ।