ଭୁବନେଶ୍ୱର: କରୋନା ଭାଇରସ୍ ମହାମାରୀ ଦେଶରେ ନିମ୍ନଗାମୀ ହେଉଛି । ଏହାରି ମଧ୍ୟରେ ଗବେଷକ, ବିଶେଷଜ୍ଞ, ଓ ଚିକିତ୍ସାବିତ୍ମାନେ ୩ୟ ଲହର ନେଇ ସତର୍କବାଣୀ ଦେଇଛନ୍ତି । ବିଦେଶରେ ପୁଣି ଥରେ କରୋନା ସଂକ୍ରମଣ ବଢ଼ିଛି । ଆମେରିକା, ବ୍ରିଟେନ୍, ଫ୍ରାନ୍ସ, ବ୍ରାଜିଲ ଆଦି ଦେଶରେ ଦୈନିକ ସଂକ୍ରମଣ ବଢ଼ିବାରେ ଲାଗିଛି । ବିଶେଷଜ୍ଞଙ୍କ ପୂର୍ବାନୁମାନ ଯଦି ଠିକ୍ ହୁଏ, ତା’ହେଲେ ଆଗାମୀ ଅଗଷ୍ଟ ଶେଷ ଅଥବା ସେପ୍ଟେମ୍ବର ମାସ ବେଳକୁ କରୋନାର ୩ୟ ଲହର ପୁଣି ଥରେ ମାଡ଼ିଆସିପାରେ । ତେଣୁ ଆମକୁ ସତର୍କ ରହିବାକୁ ହେବ । କୋଭିଡ-୧୯ ଗାଇଡଲାଇନ ପାଳନ କରିବାକୁ ପଡ଼ିବ । ନଜକୁ କରୋନାଠାରୁ ଦୂରରେ ରଖିବା ପାଇଁ ସତର୍କ ରହିବାକୁ ହେବ ।
ଜନସଂଖ୍ୟ୍ୟା ଦୃଷ୍ଟିରୁ ଭାରତ ହେଉଛି ବିଶ୍ୱର ୨ୟ ସର୍ବବୃହତ ଲୋକ ଥିବା ରାଷ୍ଟ୍ର । ଭାରତ ଠାରୁ ଚୀନରେ ଅଧିକ ଲୋକ ବସବାସ କରିଥାନ୍ତି । ଦେଶର ମୋଟ ଜନସଂଖ୍ୟା ୧୩୦ କୋଟିରୁ ଅଧିକ । ଏବେ ଦୁଇ ତୃତୀୟାଂଶ ଭାରତୀୟମାନଙ୍କ ଶରୀରରେ ଆଣ୍ଟିବଡ଼ି ସୃଷ୍ଟି ହୋଇଛି ବୋଲି ଭାରତୀୟ ଚିକିତ୍ସା ଗବେଷଣା ପରିଷଦ (ଆଇସିଏମ୍ଆର) ପକ୍ଷରୁ କୁହାଯାଇଛି । କିନ୍ତୁ ଦେଶରେ ଏବେବି ୪୦ କୋଟି ଲୋକ ଅସୁରକ୍ଷିତ ଅଛନ୍ତି । କାରଣ ଏମାନଙ୍କ ଶରୀରରେ ଆଣ୍ଟିବଡ଼ି ସୃଷ୍ଟି ହୋଇପାରି ନାହିଁ ।
ବିପଦରେ ୪୦ ଲକ୍ଷ ଲୋକଙ୍କ ଜୀବନ: ଆଇସିଏମ୍ଆର
ଆଇସିଏମ୍ଏଆର ନିକଟରେ ୪ର୍ଥ ଥର ପାଇଁ କୋଭିଡ-୧୯ ସେରୋସର୍ଭେର ଆୟୋଜନ କରିଥିଲା । ଏଥିରେ ୨୮ହଜାର ୯୭୫ ଜଣ ଯୁବକ-ଯୁବତୀ ଏବଂ ଶିଶୁ ସାମିଲ ହୋଇଥିଲେ । ୨୧ଟି ରାଜ୍ୟର ୭୦ଟି ଜିଲ୍ଲାର ୭୫୫୨ ଜଣ ସ୍ୱାସ୍ଥ୍ୟ କର୍ମୀ ଥିଲେ ମଧ୍ୟ ଏହି ସର୍ଭେରେ ଯୋଡ଼ି ହୋଇଥିଲେ । ଆଇସିଏମଆରର ମହାନିର୍ଦ୍ଦେଶକ ବଳରାମ ଭାର୍ଗବ ଏକ ସାମ୍ବାଦିକ ସମ୍ମିଳନୀରେ ମଙ୍ଗଳବାର କହିଛନ୍ତି ଦେଶରେ ଦୁଇ ତୃତୀୟାଂଶ (୬୭.୬ ପ୍ରତିଶତ) ଲୋକଙ୍କର ଆଣ୍ଟିବଡ଼ି ସୃଷ୍ଟି ହୋଇସାରିଛି । ସେ କହିଛନ୍ତି ଯେ, ଆହୁରି ୪୦ ଲକ୍ଷ ଲୋକଙ୍କର ଜୀବନ ବିପଦରେ ରହିଛି ।
ଆଣ୍ଟିବଡ଼ି ପାଇଁ ଚିନ୍ତା
କରୋନା କାଳରେ ଶରୀରରେ ଆଣ୍ଟିବଡ଼ି ସୃଷ୍ଟି କରିବା ସମସ୍ତଙ୍କ ମନରେ ସବୁଠାରୁ ବଡ଼ ଚିନ୍ତାର ବିଷୟ ପାଲଟିଛି । ଶରୀରରେ ଆଣ୍ଟିବଡ଼ି ସୃଷ୍ଟି କରିବା ପାଇଁ ଲୋକେ ନାନା ପ୍ରକାରର ବିକଳ୍ପ ବ୍ୟବସ୍ଥାକୁ ଚୟନ କରୁଛନ୍ତି । କିଛି ଲୋକ ଜଡ଼ିବୁଟିରୁ ପ୍ରସ୍ତୁତ ପାନୀୟ ପିଉଥିବା ବେଳେ ଅନ୍ୟମାନେ ଦୋକାନରୁ ଆଲୋପ୍ୟାଥି ଔଷଧ କିଣି ଖାଉଛନ୍ତି । ସଚେତନ ନାଗରିକ ମାନେ ଆଣ୍ଟିବଡ଼ି ସୃଷ୍ଟି କରିବା ପାଇଁ ଖାଦ୍ୟ-ପାନୀୟକୁ ମଧ୍ୟ ଗୁରୁତ୍ୱ ଦେଉଛନ୍ତି । ଯଦି କରୋନାର ୩ୟ ଲହର ମାଡ଼ିଆସେ, ସେହି ସମୟରେ ଆଣ୍ଟିବଡ଼ି ସବୁଠାରୁ ବଡ଼ ଅସ୍ତ୍ର ହେବ ।
ସଂକ୍ଷେପରେ କରୋନା
ବିଶ୍ୱ: ୧୯ କୋଟି ୨୭ ଲକ୍ଷ ୭୨ ହଜାର ୭୮୫ ଆକ୍ରାନ୍ତ, ୪୧ ଲକ୍ଷ ୪୧ ହଜାର ୭୦୫ ମୃତ
ଭାରତ: ୩ କୋଟି ୧୨ ଲକ୍ଷ ୫୬ ହଜାର ୮୩୯ ସଂକ୍ରମିତ, ୪ ଲକ୍ଷ ୧୯ ହଜାର ୨୧ ମୃତ
ଓଡ଼ିଶା: ୯ ଲକ୍ଷ ୫୯ ହଜାର ୯୮୬ ଆକ୍ରାନ୍ତ, ୧୭ ହଜାର ୭୪୨ ମୃତ (୨୦୨୧ ଜୁଲାଇ ୨୧ ପର୍ଯ୍ୟନ୍ତ)
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଚିନ୍ତା
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି ଯେ, ଆଗାମୀ ୩ ସପ୍ତାହରେ କରୋନା ଭାଇରସରେ ସଂକ୍ରମିତ ଲୋକଙ୍କ ସଂଖ୍ୟା ୨୦ କୋଟି ଅତିକ୍ରମ କରିବ । ଗତ ସପ୍ତାହରେ ବିଶ୍ୱରେ ୪୩ ଲକ୍ଷ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିଲେ । ଏହାର ତୁଳନାରେ ଚଳିତ ସପ୍ତାହରେ ୧୨ ପ୍ରତିଶତ ସଂକ୍ରମିତ ଅଧିକ ଚିହ୍ନଟ ହୋଇଛନ୍ତି । ସଂଯୁକ୍ତ ରାଷ୍ଟ୍ରର ସଂସ୍ଥା କହିଛି ମୃତ୍ୟୁ ସଂଖା ହ୍ରାସ ପାଇଛି । ଗତ ସପ୍ତାହରେ ପ୍ରାୟ ୫୭ ହଜାର ଲୋକଙ୍କର ମୃତ୍ୟୁ ହୋଇଛି ।