ଭୁବନେଶ୍ୱର: ଓଡ଼ିଶାରେ ପ୍ରତିବର୍ଷ ପ୍ରାୟ ୫ ହଜାରରୁ ଉର୍ଦ୍ଧ୍ୱ ଲୋକ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଉଛନ୍ତି । ୨୦ ହଜାରରୁ ଅଧିକ ଲୋକ ଆହତ ହେଉଛନ୍ତି । ତେଣୁ ରାଜ୍ୟ ସରକାର ଏପ୍ରିଲ ୧ରୁ ୭ ତାରିଖ ପର୍ଯ୍ୟନ୍ତ ‘ଦୁର୍ଘଟଣାଜନିତ ମୃତ୍ୟୁ ଶୂନ୍ୟ ସପ୍ତାହ’ ପାଳନ କରୁଛନ୍ତି । ରାସ୍ତାରେ ଯାତାୟତ କରୁଥିବା ଲୋକେ ଯେପରି ଦୁର୍ଘଟଣାରେ ପ୍ରାଣ ନହରାଇବେ ସେଥିଲାଗି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବିସ୍ତୁତ ଯୋଜନା ସହ ଦୁର୍ଘଟଣାପ୍ରବଣ ଅଞ୍ଚଳର ମ୍ୟାପିଂ ହୋଇିଛି । ସେହିପରି ଜିପିଏସ୍ ବ୍ୟବସ୍ଥା ଥିବା ଆମ୍ବୁଲାନ୍ସ ରଖାଯାଇଛି । ଏହା ଦ୍ୱାରା ଦୁର୍ଘଟଣାର ସାମ୍ନା କରିଥିବା ଲୋକଙ୍କୁ ତୁରନ୍ତ ଡାକ୍ତରଖାନା ପହଞ୍ଚାଯାଇପାରିବ । ଲୋକେମଧ୍ୟ ଦୁର୍ଘଟଣାରେ ପୀଡିତ ଡାକ୍ତରଖାନାକୁ ନେବା ପାଇଁ ୧୦୮ ଓ ୧୦୨ ଆମ୍ବୁଲାନ୍ସକୁ ଡାକିପାରିବେ । ଏତଦ ବ୍ୟତୀତ ୨୫ ଲକ୍ଷ ଲୋକଙ୍କ ମୋବାଇଲକୁ ସଚେତନତା ମୂଳକ ମେସେଜ ଆସିବ । ଏହା ପୂର୍ବରୁ ଜିଲ୍ଲାପାଳ, ଏସ୍ପି ଓ ଡିଏସ୍ପିଙ୍କୁ ଏସ୍ଓପି ଜାରି ହୋଇଛି । ଏବେ ମନରେ ଏକ ପ୍ରଶ୍ନବାଚୀ ସୃଷ୍ଟି ହେଉଉଛି ଯେ, ସରକାରଙ୍କ ଲକ୍ଷ୍ୟ ପୂରା ହେବ ତ?
ରାଜ୍ୟ ସରକାର ଦୁର୍ଘଟଣା ରୋକିବା ପାଇଁ ଅନେକ ସ୍ଥାନରେ ଆବଶ୍ୟକ ବ୍ୟବସ୍ଥା କରିଛନ୍ତି । କିନ୍ତୁ ଦୁର୍ଘଟଣା ଯେକୌଣସି ସ୍ଥାନରେ ଘଟିପାରେ । ତେଣୁ ସବୁସ୍ଥାନରେ ଭିତ୍ତିଭୂମିକୁ ମଜବୁତ କରି ରଖିଲେ, ଦୁର୍ଘଟଣା ଘଟିବ ନାହିଁ, ସେହି ଚିନ୍ତା କରିବା ଭୁଲ । ‘ଦୁର୍ଘଟଣାଜନିତ ମୃତ୍ୟୁ ଶୂନ୍ୟ ସପ୍ତାହ’ ଉପରେ ଅଧିକ ଭାଷଣ କରିବା ବଦଳରେ ଆଇନକାନୁନ ବ୍ୟବସ୍ଥା ଓ ସଚେତନତାମୂଳକ ବ୍ୟବସ୍ଥା ଦ୍ୱାରା ସମସ୍ୟାର ସମାଧାନର ହୋଇପାରିବ । ଲୋକଙ୍କର ଜୀବନ ବଞ୍ଚିବ । ଅଥଚ ସରକାରଙ୍କ ବ୍ୟବସ୍ଥାକୁ ଲୋକେ ହସିବେ । ନାନା ମନ୍ତବ୍ୟ ଦେବେ । ଶେଷରେ ଲକ୍ଷ୍ୟ ଫେଲ ହେବ ।
ବ୍ୟବସ୍ଥା ତୁଳନାରେ ସଚେତନତା ଜରୁରୀ
‘ଦୁର୍ଘଟଣାଜନିତ ମୃତ୍ୟୁ ଶୂନ୍ୟ ସପ୍ତାହ’ ପୂର୍ବରୁ ରାଜ୍ୟର ଏକାଧିକ ସ୍ଥାନରେ ଅଘଟଣ ଘଟିଛି । ମାର୍ଚ୍ଚ ୩୧ ତାରିଖରେ ମୋଟ ୧୦ ଜଣଙ୍କର ମୃତ୍ୟୁ ହୋଇଛି । ଯାତାୟତ ସମୟରେ ସଡ଼କ ସୁରକ୍ଷା ସଂପର୍କିତ ନିୟମ ନ ମାନିବା କାରଣରୁ ଏହି ଲୋକମାନଙ୍କର ପ୍ରାଣହାନୀ ଘଟିଛି । ଯେଉଁ ଲୋକମାନଙ୍କର ଦୁର୍ଘଟଣାରେ ମୃତ୍ୟୁ ହୋଇଛି, ଏହା ଗାଡ଼ି ଚାଳକଙ୍କର ବେପାରୁଆ ମନୋଭାବ ପାଇଁ । ତେଣୁ ସରକାର ସଡ଼କ ସୁରକ୍ଷା ଓ ଜୀବନ ରକ୍ଷା ପାଇଁ ସଚେତନତାମୂଳକ ପଦକ୍ଷେପକୁ ତୃଣମୂଳ ସ୍ତରରେ କାର୍ଯ୍ୟକାରୀ କରିପାରିଲେ ସବୁଠାରୁ ଭଲ ହୋଇପାରିବ । ଅଯଥାରେ ଜିପିଏସ୍ ବ୍ୟବସ୍ଥା ଥିବା ଆମ୍ବୁଲାନ୍ସ ରଖିବାକୁ ପଡ଼ିବ ନାହିଁ । ରାଜ୍ୟ ଲୋକ ସଂଖ୍ୟା ସାଢ଼େ କୋଟି ହୋଇଥିଲା ବେଳେ ମାତ୍ର ୨୫ ଲକ୍ଷ ଲୋକଙ୍କ ମୋବାଇଲକୁ ସଚେତନତାମୂଳକ ମେସେଜ ଯିବ । ଏହାକୁ ହାସ୍ୟସ୍ପଦ କୁହାଯିବ ନାହିଁ ତ ଆଉ କ’ଣ ।
କେନାଲକୁ ବୋଲେରୋ ଖସିଲା, ୭ ମୃତ
ସମ୍ବଲପୁର ଜିଲ୍ଲା ଶାସନ ଥାନା ଅନ୍ତର୍ଗତ ବିଶାଳଖିଣ୍ଡସ୍ଥିତ ଶାସନ କେନାଲରେ ଦ୍ରୁତଗାମୀ ବୋଲେରୋ ରାତି ୨ଟାରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣାରେ ଝାରସୁଗୁଡ଼ା ଜିଲ୍ଲା କନକତୁରା ବଡ଼ଧରା ଗ୍ରାମର ସୁବଳ ଭୋଇ, ସୁମନ୍ତ ଭୋଇ, ସୁରଜ ସେଠ, ଦିବ୍ୟ ଲୁହା, ଅଜିତ ଖମାରି, ଶତ୍ରୁଘ୍ନ ଭୋଇ ଓ ରମାକାନ୍ତ ଭୋଇଙ୍କ ମୃତ୍ୟୁ ଘଟିଥିଲା ବେଳେ ଅନ୍ୟ ୩ ଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସମ୍ବଲପୁର ଜିଲ୍ଲା ପରମାଣପୁରରେ ବିବାହ ବରଯାତ୍ରୀରେ ସାମିଲ ହୋଇ ରାତିରେ ଖାଇସାରି ହସଖୁସିରେ ଫେରୁଥିଲା ବେଳେ ଗାଡ଼ି ଭାରସାମ୍ୟ ହରାଇ କୋନଲ ଭିତରକୁ ପଶିଯାଇଥିଲା । ଏଥିରେ ଥିବା ୧୧ ଜଣଙ୍କ ମଧ୍ୟରୁ ଜଣେ ମାତ୍ର କୌଶଳ କ୍ରମେ ବାହାରି ପାରିଥିଲେ । ସେ ସଂପର୍କୀୟମାନଙ୍କୁ ଫୋନ କରି ଘଟଣାସଂପର୍କରେ କହିଥିଲେ । ଉଦ୍ଧାର କରାଯିବା ପୂର୍ବରୁ ଗାଡ଼ି ଭିତରେ ୬ ଜଣଙ୍କର ମୃତ୍ୟୁ ହୋଇସାରିଥିଲା । ଅନ୍ୟ ଜଣେ ଡାକ୍ତରଖାନାରେ ପ୍ରାଣ ହାରିଥିଲେ ।
ବରଗଛରେ ପିଟି ହୋଇ ୩ ମୃତ
ସେହିପରି ମାର୍ଚ୍ଚ ମାସର ଶେଷ ଦିନରେ ନୟାଗଡ଼ ଜିଲ୍ଲା ଓଡ଼ଗାଁ ଆଦର୍ଶ ଥାନା ଅଞ୍ଚଳରେ ଏକ ମର୍ମନ୍ତୁଦ ବାଇକ ଦୁର୍ଘଟଣା ଘଟିଛି । ବିଳମ୍ବିତ ରାତିରେ ଶ୍ରୀରାମ ନବମୀ ଯାତ୍ରା ଦେଖି ଫେରୁଥିଲା ବେଳେ କୋମଣ୍ଡ ପଥରାସ୍ଥିତ ବୃଦ୍ଧାଶ୍ରମ ନିକଟରେ ବରଗଛକୁ ପିଟି ୩ ଜଣ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତକମାନେ ହେଲେ ରୋହିବାଙ୍କ ପଞ୍ଚାୟତର ମହେଶ୍ୱରପୁର ଗ୍ରାମ ସ୍କୁଲସାହିର ମାଧବ ପ୍ରଧାନ (୨୦), ସୂର୍ଯ୍ୟକାନ୍ତ ପ୍ରଧାନ ଓ ରାଜେଶ ନାୟକ (୧୯) ।