Tuesday, September 10, 2024
Homeଦୁର୍ନୀତିଗ୍ରସ୍ତ ମହିଳା ଅଧିକାରୀ
Array

ଦୁର୍ନୀତିଗ୍ରସ୍ତ ମହିଳା ଅଧିକାରୀ

ଭୁବନେଶ୍ୱର: ଓଡ଼ିଶାକୁ ଦୁର୍ନୀତି ଗ୍ରାସି ସାରିଛି। ଦୀର୍ଘ ଦୁଇ ଦଶନ୍ଧି ଧରି ଗୋଟିଏ ସରକାର କ୍ଷମତାରେ ରହିବା ପରେ ବାବୁମାନଙ୍କର ମନ ମୋଟା ହୋଇଯାଇଛି, ଯେଉଁଥି ପାଇଁ ଦୁର୍ନୀତି ବଢ଼ିଛି କହିଲେ ଅତ୍ୟୁକ୍ତି ହେବ ନାହିଁ। ବାବୁମାନେ ଆଜିକାଲି ସରକାରୀ ସଂପତ୍ତିକୁ ପୈତୃକ ଭାବି ନେଇଛନ୍ତି। ବୋଧେ ସେଥିପାଇଁ କୌଣସି କାମ କରିବାକୁ ପାଇଁ ଲାଞ୍ଚ ଦେବାକୁ ପଡୁଛି। ଲାଞ୍ଚର ପରିମାଣ ପୁଣି ୧ ହଜାର କି ୨ ହଜାର ନୁହେଁ, ସିଧାସଳଖ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ। ବାବୁ ଓ ବାବୁଆଣୀମାନେ ଲାଞ୍ଚ ଟଙ୍କାରେ କାର୍‌ କିମ୍ବା ଜମି କିଣିବାକୁ ଅଥବା ବିଳାସମୟ ଘର କରିବାକୁ ଚାହାନ୍ତି। ଲାଞ୍ଚନେବା ମାମଲାରେ ମହିଳା ଅଧିକାରୀମାନେ କମ୍‌ ନୁହଁନ୍ତି। ଅତୀତରେ ରାଜ୍ୟର ଅନେକଗୁଡ଼ିଏ ସିଡିପିଓ ଲାଞ୍ଚ ନେଇ ଗିରଫ, ଚାକିରିରୁ ନିଲମ୍ବିତ ଓ ବହିଷ୍କୃତ ହୋଇଛନ୍ତି।

ମହିଳାମାନେ ବିଭିନ୍ନ କ୍ଷେତ୍ରରେ ଅବସ୍ଥାପିତ ହେଲେ ବିକାଶ ହେବ ବୋଲି ସରକାର ଚିନ୍ତା କରୁଥିଲା େବେଳ ପରିସ୍ଥିତି ଓଲଟା ହେଉଛି। ଚଳିତ ମାସରେ ରାଜ୍ୟର କିଛି ଦୁର୍ନୀତିଗ୍ରସ୍ତ ମହିଳା ଅଧିକାରୀ ଗଣମାଧ୍ୟମ ଦ୍ୱାରା ସର୍ବସାଧାରଣକୁ ଆସିଛନ୍ତି। କିଛି ଦିନ ପୂର୍ବରୁ ମୟୂରଭଂଜ ଜିଲ୍ଲା ବଡ଼ସାହିର ଦୁର୍ନୀତିଗ୍ରସ୍ତ ତହସିଲଦାର ମମ୍‌ତାଜ୍‌ ମହାରଣା ଚାକିରିରୁ ନିଲମ୍ବିତ ହେବା ଘଟଣା ଲୋକେ ପାସୋରି ନଥିବା ବେଳେ  ଶୁକ୍ରବାର ସମ୍ବଲପୁର ଭିଜିଲାନ୍ସ ଡିଭିଜନ୍‌ରେ ଇନ୍‌ସପେକ୍ଟ ଭାବେ କାର୍ଯ୍ୟରତ ମାନସୀ ଜେନା ୧୦ ଲକ୍ଷ ଟଙ୍କା ନେଇଥିବା ଚର୍ଚ୍ଚା ହେଉଛି। କେବଳ ଭିଜିଲାନ୍ସ ଇନ୍‌ସପେକ୍ଟର ଶ୍ରୀମତୀ ଜେନା ଅଥବା ତହସିଲଦାର ଶ୍ରୀମତୀ ମହାରଣା ନୁହଁନ୍ତି, ଏଇ ମାସରେ ସମ୍ବଲପୁର ଜିଲ୍ଲା କୁଚିଣ୍ଡାର ଅତିରିକ୍ତ ତହସିଲଦାର ସାରଦା ମହାରଣା ଜଣେ ଠିକାଦାରଙ୍କ ଠାରୁ ୧ ଲକ୍ଷ ୨୦ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ।

୧୦ ଲକ୍ଷ ଲାଞ୍ଚ ନେଲେ ଭିଜିଲାନ୍ସ ଅଧିକାରୀ

ମାନସୀ ଜେନା ଜଣେ ସରକାରୀ ଅଧିକାରୀଙ୍କ କେସ୍‌ ବନ୍ଦ କରିବା ପାଇଁ ଜଣେ ମଧ୍ୟସ୍ଥିଙ୍କ ମାଧ୍ୟମରେ ୧୦ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା  ବେଳେ ପୂର୍ବ ଯୋଜନା ଅନୁସାରେ ଭିଜିଲାନ୍‌ସ ବିଭାଗର ବରିଷ୍ଠ ଅଧିକାରୀ ଓ କର୍ମଚାରୀମାନେ ଅତର୍କିତ ଭାବେ ଚଢ଼ଉ କରିଥିଲେ।  ମାନସୀ ଲାଞ୍ଚ ଟଙ୍କାକୁ ଲୁଚାଇ ରଖିପାରି ନଥିଲେ। କାରଣ ତାଙ୍କର ବିଭାଗର ଅଧିକାରୀମାନେ ଖୁବ୍‌ କମ୍‌ ସମୟ ମଧ୍ୟରେ ଚଢ଼ଉ କରିଥିଲେ। ବରଗଡ଼ ଜିଲ୍ଲାର ମୁକେଶ ସାହୁ ନାଁରେ ଜଣେ ବ୍ୟକ୍ତିଙ୍କ ମାଧ୍ୟମରେ ଶ୍ରୀମତୀ ଜେନା ଟଙ୍କା ଲାଞ୍ଚ ନେଉଥିଲେ। ଭିଜିଲାନ୍ସ ବିଭାଗ ମାମଲା ରୁଜୁ କରିବା ସହିତ ଶ୍ରୀମତୀ ଜେନା ଓ ମୁକେଶଙ୍କ ଠିକଣାରେ ଚଢ଼ଉ ଜାରି ରଖିଛି। ଆଶା କରାଯାଉଛି ଯେ, ମାନସୀଙ୍କ ବିଷୟରେ ଆହୁରି ଖୁଲାସା ହେବ।

ବାଲି ମାଫିଆଙ୍କ ସହ ମହିଳା ଅଧିକାରୀଙ୍କ ସଂପୃକ୍ତି

ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ଗୁଡ଼ିକରେ ଦୁର୍ନୀତିର ସୀମା ଟପିଛି। ଅନେକ କ୍ଷେତ୍ରରେ ଏହା ଲୋକଲୋଚନକୁ ଆସିପାରୁ ନାହିଁ। କିନ୍ତୁ ମୟୂରଭଂଜ ଜିଲ୍ଲାରେ ବିଗତ ୩ ବର୍ଷ ଭିତରେ ୩ ଜଣ ମହିଳା ଅଧିକାରୀ ଦୁର୍ନୀତିରେ ଲିପ୍ତ ହୋଇ ଚାକିରିରୁ ନିଲମ୍ବିତ ହୋଇଛନ୍ତି। ସେମାନେ ହେଲେ ଶ୍ୟାମାଖୁଣ୍ଟା ବ୍ଲକର ତତ୍କାଳୀନ ତହସିଲଦାର ସବିତା ସାହୁ, ବେତନଟୀ ତହସିଲଦାର ଅନିଶା ଦାସ ଓ ବଡ଼ସାହି ତହସିଲଦାର ମମତାଜ୍‌ ମହାରଣା। ୨୦୧୪ରେ ସବିତା ଏକ ଇଟାଭାଟି ପାଇଁ ଅନୁମତି ଦେବାକୁ ୫ ଲକ୍ଷ ଟଙ୍କା ଲାଞ୍ଚ ମାଗିଥିଲେ ଓ ୧୦ ହଜାର ଟଙ୍କା ଲାଞ୍ଚ ନେବା ସମୟରେ ଭିଜିଲାନ୍‌ସ ହାତରେ ଧରାପଡ଼ିଥିଲେ। ନିକଟରେ କୋର୍ଟ ତାଙ୍କୁ ୨ ବର୍ଷ ଜେଲ୍‌ ଦଣ୍ଡାଦେଶ ସହ ୧୦ ହଜାର ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଅନିଶା ୨୦୨୦ରେ ବାଲି ମାଫିଆଙ୍କ ସହ ତାଙ୍କର ବାର୍ତ୍ତାଳାପର ଅଡିଓ ଭାଇରାଲ୍‌ ହୋଇଥିଲା। ସେ ଚାକିରିରୁ ନିଲମ୍ବିତ ହୋଇଥିଲେ। ମମତାଜ ମହାରଣା ମଧ୍ୟ ବାଲି ମାଫିଆ ଓ ଲିଜ୍‌ଧାରୀଙ୍କୁ ଅହେତୁକ ଅନୁକମ୍ପା ଦେଖାଇ ସରକାରଙ୍କ ୧୭ କୋଟି ୭୨ ଲକ୍ଷ ଟଙ୍କାର ରାଜସ୍ୱ କ୍ଷତି କରିଛନ୍ତି।

୧.୨୦ ଲକ୍ଷ ଲାଞ୍ଚ ନେଲେ ଅତିରିକ୍ତ ତହସିଲଦାର

ସାରଦା ମହାରଣା ଜଣେ ଠିକାଦାରଙ୍କଠାରୁ ଲକ୍ଷେ ୨୦ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍‌ସ ହାତରେ ଗିରଫ ହୋଇଛନ୍ତି। ଭିଜିଲାନ୍‌ସ ଅଧିକାରୀମାନେ ତାଙ୍କ ଅଫିସ, କୁଚିଣ୍ଡାସ୍ଥିତ ସରକାରୀ ବାସଭବନ ସହିତ ରାଉରକେଲାସ୍ଥିତ ଘରେ ମଧ୍ୟ ଚଢ଼ଉ କରିଛନ୍ତି। ସମ୍ବଲପୁର ଭିଜଲାନ୍‌ସ ଡିଏସ୍‌ପି ସୁଜାତା ସାହୁଙ୍କ ନେତୃତ୍ୱରେ ଶ୍ରୀମତୀ ମହାରଣାଙ୍କ କୁଚିଣ୍ଡା ତହସିଲ କାର୍ଯ୍ୟାଳୟରେ ଏହି ଚଢ଼ଉ କରାଯାଇଥିଲା। ସାରଦାଙ୍କ କାର୍ଯ୍ୟାଳୟର ଡ୍ରରୁ ୨୧ ହଜାର ୧୪୦ ଟଙ୍କା ଏବଂ ତାଙ୍କ ସରକାରୀ ବାସଭବନରୁ ୨ ଲକ୍ଷ ୮୨ ହଜାର ୪୭୦ ଟଙ୍କା ଜବତ ହୋଇଥିଲା। କିନ୍ତୁ ଅତିରିକ୍ତ ତହସିଲଦାର ଗଣମାଧ୍ୟମକୁ ନିଜ ପ୍ରତିକ୍ରିୟା ରଖି ଏହି ମାମଲାରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଚାପ ରହିଥିବା ବେଳେ ତାଙ୍କ ଲୋକ ଫସାଇଥିବା ଅଭିଯୋଗ ଆଣିଥିଲେ। 

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments