ଭୁବନେଶ୍ୱର: ଓଡ଼ିଶାର ସୀମାନ୍ତ ଗାଁ ଗୁଡ଼ିକ ଉପରେ ପଡୋଶୀ ରାଜ୍ୟ ଗୁଡ଼ିକ ନଜର ରଖିଛନ୍ତି। ରାଜ୍ୟର ଦୁର୍ଗମ ଅଂଚଳକୁ ପଡୋଶୀ ରାଜ୍ୟମାନେ ନିଜର ମାନଚିତ୍ରରେ ସାମିଲ କରିବାକୁ ବାରମ୍ବାର ଅଭିଯୋଗ ହୋଇ ଆସୁଛି। ଗତମାସ କୋରାପୁଟ ଜିଲ୍ଲାର କୋଟିଆରେ ଆନ୍ଧ୍ରପ୍ରଦେଶ ବିକାଶମୂଳକ କାମ ପାଇଁ ଭିତ୍ତିଭୂମିର ଶିଳାନ୍ୟାସ କରିଥିଲା। ଏହି ଘଟଣାକୁ ନେଇ ଉଭୟ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶର ସୀମାରେ ଥିବା ୨ଟି ଜିଲ୍ଲାର ପ୍ରଶାସନ ମୁହାଁମୁହିଁ ହୋଇଥିଲେ। ଏହାକୁ ରାଜ୍ୟର ଜନତା ଭୁଲି ନଥିବା ବେଳେ ଏବେ ପୁଣି ଗଜପତି ସୀମାନ୍ତରେ ଆନ୍ଧ୍ରର ଦାଦାଗିରି ଓ ବାଲେଶ୍ୱର ସୀମାନ୍ତରେ ପଶ୍ଚିମବଙ୍ଗ ଉତ୍ପାତ ଦେଖାଇଛି।
ରାଜ୍ୟର ସୀମାନ୍ତ ଜିଲ୍ଲା ଗୁଡ଼ିକରେ ପ୍ରଶାସନ ମଜବୁତ୍ ନଥିବାର ସୁଯୋଗ ନେଇ ପଡୋଶୀ ରାଜ୍ୟଗୁଡ଼ିକ ଜବରଦଖଲ କାମରେ ବ୍ୟସ୍ତ ରହୁଥିବା ଚର୍ଚ୍ଚା ହେଉଛି। ରାଜଧାନୀରୁ ସୀମାନ୍ତରେ ଚାଲିଥିବା ପ୍ରଶାସନ ଉପରେ ସ୍ୱତନ୍ତ୍ର ନଜର ରହୁନଥିବାରୁ ପଡୋଶୀଙ୍କୁ ଲାଭ ହେଉଛି। କୋଟିଆରେ ଆନ୍ଧ୍ର ସରକାର ରାସ୍ତାକାମ ଆରମ୍ଭ କରିଥିବା ବେଳେ ଏବେ ଗଜପତି ଜିଲ୍ଲାରେ ଥିବା ଅଙ୍ଗନବାଡି କେନ୍ଦ୍ରକୁ ନେଇ ବିବାଦ ଆରମ୍ଭ କରିଛି। ରାୟଗଡ ବ୍ଲକ ଗଙ୍ଗବାଡ ପଂଚାୟତ ଗଜପତି ଜିଲ୍ଲାରେ ଥିବା ନେଇ ସ୍ଥାନୀୟ ପ୍ରଶାସନ ଦାବି କରୁଥିବା ବେଳେ ଏହାକୁ ନିଜର କହୁଛନ୍ତି ଆନ୍ଧ୍ରପ୍ରଦେଶର ଅଧିକାରୀ।
ଗଜପତିରେ ଆନ୍ଧ୍ରର ଅଙ୍ଗନଓ୍ଵାଡ଼ି
ଗଜପତି-ଆନ୍ଧ୍ର ସୀମାରେ ଥିବା ମାଣିକପାଟଣା ଗାଁର ଏକ ଅଙ୍ଗନୱାଡି କେନ୍ଦ୍ରକୁ ନେଇ ୨୦୧୨ ମସିହାରୁ ବିବାଦ ଆରମ୍ଭ ହୋଇଛି। ଆନ୍ଧ୍ରର ଶ୍ରୀକାକୁଲମ ଜିଲ୍ଲା ପ୍ରଶାସନ କହୁଛି ଯେ, ମାଣିକପାଟଣା ଗାଁରେ ଥିବା ଅସ୍ଥାୟୀ ଅଙ୍ଗନୱାଡି କେନ୍ଦ୍ର ଚଲାଇ ଆସୁଥିଲା। କିନ୍ତୁ ସ୍ଥାନୀୟ ତହସିଲଦାର ସଂପୃକ୍ତ ଅଙ୍ଗନୱାଡି କେନ୍ଦ୍ରକୁ ସିଲ୍ କରିଦେବା ପରେ ବିବାଦ ଆରମ୍ଭ ହୋଇଯାଇଥିଲା। ପୁଲିସ, ପ୍ରଶାସନିକ ଅଧିକାରୀ ଓ ଜନପ୍ରତିନିଧିଙ୍କୁ ମଧ୍ୟ ମୁହାଁମୁହିଁ ହେବାକୁ ପଡ଼ିଛି। କେବଳ ଏତିକି ନୁହେଁ ଗଜପତି ଜିଲ୍ଲାରେ ସୀମା ବିବାଦ ନୂଆ ଘଟଣା ନୁହେଁ। ପୂର୍ବରୁ ମଧ୍ୟ ବିଭିନ୍ନ ସମୟରେ ଜଳ, ଜମି ଜଙ୍ଗଲକୁ ନେଇ ଆନ୍ଧ୍ରପ୍ରଦେଶ ସହ ବିବାଦ ଦେଖା ଯାଇଛି।
ଓଡ଼ିଶା ମାଟିରେ ପଶ୍ଚିମବଙ୍ଗର ପାଚେରି
ରାଜ୍ୟର ଦକ୍ଷିଣରେ ଆନ୍ଧ୍ରପ୍ରଦେଶ ଦାଦାଗିରି କରୁଥିବା ବେଳେ ଉତ୍ତର ସୀମାରେ ମମତା ସରକାରଙ୍କ ନଜର ରହିଛି। ବାଲେଶ୍ୱର ଜିଲ୍ଲା ସୀମାନ୍ତ ଗାଁରେ ପଶ୍ଚିମବଙ୍ଗ ସରକାର ବିକାଶମୂଳକ ଭିତ୍ତିଭୂମିର ନିର୍ମାଣ କାମ ଆରମ୍ଭ କରିଦେଇଛି। ଭୋଗରାଇ ବ୍ଲକ ଅନ୍ତର୍ଗତ ଉଦୟପୁର ସମୁଦ୍ର ବେଳାଭୂମିରେ ପଶ୍ଚିମବଙ୍ଗର ସରକାର ମଙ୍ଗଳବାର ପାଚେରି ନିର୍ମାଣ ଆରମ୍ଭ କରିଦେଇଛି। ସ୍ଥାନୀୟ ଲୋକ ଏହାକୁ ତୀବ୍ର ବିରୋଧ କରିବାରୁ ପଶ୍ଚିମବଙ୍ଗ ପ୍ରଶାସନ ନାଲି ଆଖି ଦେଖାଇଛି। ଭୋଗରାଇ ଅତିରିକ୍ତ ତହସିଲଦାର ସନ୍ତୋଷ କୁମାର ପାଣିଗ୍ରାହୀ, କଖଡ଼ା ଆର ଆଇ ନିଶିକାନ୍ତ ସିଂ ଏବଂ ତାଳସାରି ସାମୁଦ୍ରିକ ଥାନା ପୁଲିସ ନିର୍ମାଣ ସ୍ଥଳରେ ପହଞ୍ଚି କାର୍ଯ୍ୟକୁ ବନ୍ଦ କରିବା ସହିତ ପଶ୍ଚିମବଙ୍ଗ ଜଳ ସମ୍ପଦ ବିଭାଗୀୟ ଅଧିକାରୀଙ୍କୁ ଆଲୋଚନା ପାଇଁ ଦେଇଥିଲେ। କିନ୍ତୁ ଓଡ଼ିଶା ମାଟିରେ କାର୍ଯ୍ୟ କରୁଥିବା ଜାଣି ସେମାନେ ଆସିନ ଥିଲେ।
ଦେଶ ଭିତରେ ସୀମା ବିବାଦ
ବ୍ୟକ୍ତି ବ୍ୟକ୍ତି ଭିତରେ ଜମିବାଡ଼ି ସୀମା ବିବାଦ ହେବା ଭିନ୍ନ କଥା। କିନ୍ତୁ ଗୋଟିଏ ଦେଶର ନାଗରିକ ହୋଇ ରାଜ୍ୟ ରାଜ୍ୟ ଭିତରେ ଦେଖାଯାଉଥିବା ସୀମା ବିବାଦ ବୁଦ୍ଧିଜୀବୀମାନଙ୍କୁ ବିଚଳିତ କରିଦେଇଥାଏ। କାରଣ ରାଜ୍ୟ ରାଜ୍ୟ ମଧ୍ୟରେ ଦେଖାଯାଉଥିବା ସୀମା ବିବାଦ ଦ୍ୱାରା ଦେଶର ଅର୍ଥନୈତିକ ଓ ସାମାଜିକ ମୂଲ୍ୟବୋଧକୁ ପ୍ରଭାବିତ କରୁଛି। ଏହାର ଜ୍ୱଳନ୍ତ ଉଦାହରଣ ହେଉଛି ଗତ ମାସରେ ଆସାମ ଓ ମିଜୋରାମ ମଧ୍ୟରେ ହୋଇଥିବା ସୀମା ବିବାଦ। ଏହି ବିବାଦ ଯୋଗୁଁ ସୀମାରେ ହିଂସାକାଣ୍ଡ ଦେଖାଯାଇଥିଲା।ଆସାମର ଜଣେ ପୋଲିସ କର୍ମଚାରୀଙ୍କ ସମେତ ମୋଟ ୬ ଜଣଙ୍କର ମୃତ୍ୟୁ ହୋଇଥିଲା। ଏହା ପରେ ଉଭୟ ରାଜ୍ୟରେ ତୀବ୍ର ଉତ୍ତେଜନା ଦେଖାଯାଇଥିଲା। ଧର୍ମଘଟ ଓ ଆନ୍ଦୋଳନ ଯୋଗୁଁ ଅର୍ଥନୀତି ଉପରେ ପ୍ରଭାବ ପଡ଼ିଥିଲା।