ଦୌଡ଼ିଲା ଜଙ୍ଗଲର ଉସେନ୍ ବୋଲ୍ଟ

    0
    171

    ଭୁବନେଶ୍ବର: ଦୀର୍ଘଦିନର ଆବଶ୍ୟକତା ପୂରଣ ହୋଇଛି। ଜଙ୍ଗଲର ଉସେନ୍ ବୋଲ୍ଟ କୁହାଯାଉଥିବା ‘ଚିତା’ ଭାରତ ମାଟିରେ ଦୌଡ଼ିବା ଆରମ୍ଭ କରିଦେଇଛି। ଏଠାକାର ଜଳବାୟୁ ଭିନ୍ନ ଥିବାରୁ ଯଦିଓ ପରିବେଶ ସହିତ ଖାପଖୁଆଇବା ପାଇଁ ସମୟ ଲାଗିବ, ତଥାପି ଚିତାଗୁଡ଼ିକ ମଧ୍ୟପ୍ରଦେଶର ଶ୍ୟୋପୁର ଜିଲ୍ଲା କୁନୋ ଜାତୀୟ ଉଦ୍ୟାନରେ ଚାରିଆଡ଼କୁ ଅନାଇ ଦୌଡ଼ିବା ଆରମ୍ଭ କରିଦେଇଛନ୍ତି। ଭାରତରେ ‘ଚିତା’ଙ୍କ ବଂଶ ବୃଦ୍ଧି କରାଯିବା ଲକ୍ଷ୍ୟରେ ଆଜି ନାମିବ୍ୟାରୁ ଏକ ସ୍ବତନ୍ତ୍ର ବିମାନରେ ଆସିଥିବା ୮ଟି ଚିତାକୁ କୁନୋ ଜାତୀୟ ଉଦ୍ୟାନରେ ଛାଡ଼ି ଦିଆଯାଇଛି।

    ବିଦେଶୀ ଚିତା ଭାରତ ମାଟିରେ ବଢ଼ାଇବା ପାଇଁ ବହୁ ଚିନ୍ତା କରାଯାଇଛି। ଏଥି ପାଇଁ ସର୍ବପ୍ରଥମେ ଭାରତ ଓ ନାମିବ୍ୟା ସରକାର ମଧ୍ୟରେ କଥା ହୋଇଛି। ଉଭୟ ଦେଶ ମଧ୍ୟରେ ଥିବା ଜଳବାୟୁ ଯେହେତୁ ଭିନ୍ନ, ତାହାକୁ ମଧ୍ୟ ଗୁରୁତ୍ବ ଦିଆଯାଇଛି। ବନ୍ୟପ୍ରାଣୀମାନେ ଜଙ୍ଗଲରେ ନିର୍ଭୟରେ ବଞ୍ଚୁଥିବା ବେଳେ ସେମାନଙ୍କୁ ବିମାନରେ ଅଣାଯିବା ମଧ୍ୟ ଏକ କଷ୍ଟସାଧ୍ୟ ବ୍ୟାପାର ଥିଲା। ହଜାର ହଜାର କିଲୋମିଟର ଦୂରରୁ ଆସିଥିବା ଚିତାଗୁଡ଼ିକ ଯେତେବେଳେ କୁନୋ ଅଭୟାରଣ୍ୟରେ ଛାଡ଼ି ଦିଆଯାଇଥିଲା, ସେମାନେ ପ୍ରଥମେ ଚାରିଆଡ଼କୁ ଅନାଇଥିଲେ। ପଶୁ ହୋଇଥିଲେ ବି ସେମାନେ କିଛିଟା ଭିନ୍ନ ଅନୁଭବ କରୁଥିଲେ।

    ଚିତା ପାଇଁ ଚିନ୍ତା

    ଭାରତର ଜାତୀୟ ପଶୁ ହେଉଛି ବାଘ। ତେବେ ବାଘ ଯେହେତୁ ଦେଶର ଜାତୀୟ ପଶୁ। ଏହି ଜନ୍ତୁର ଉପସ୍ଥିତି ନିହାତି ଆବଶ୍ୟକ। ତେବେ ବାଘର ବିଭିନ୍ନ ପ୍ରଜାତି ଅଛନ୍ତି। ତେଣୁ ଦେଶରେ ଏହି ପରିବାରର କିଛି ସଦସ୍ୟ ଅନୁପସ୍ଥିତିକୁ ହୃଦୟଙ୍ଗମ କରି କେନ୍ଦ୍ର ସରକାର ବିଦେଶରୁ ଚିତା ଆଣିଛନ୍ତି। ଦେଶ ସ୍ବାଧୀନତା ହାସଲ କରିବା ୭ ଦଶନ୍ଧି ବିତିଯାଇଛି। ସେହି ଦିନ ଠାରୁ ଜଙ୍ଗଲର ଉସେନ ବୋଲ୍ଟ କୁହାଯାଉଥିବା ‘ଚିତା’କୁ ଭାରତୀୟ ଜଙ୍ଗଲରେ ରଖି ବଂଶବୃଦ୍ଧି କରାଯିବାର ଚିନ୍ତା କରାଯାଇଛି। କିନ୍ତୁ ପୂର୍ବରୁ ଏହା ହୋଇପାରି ନାହିଁ।

    ଜନ୍ମଦିନରେ ଉପହାର ଦେଲେ ମୋଦୀ

    ଭାରତରେ ଶେଷ ଥର ପାଇଁ ୧୯୪୮ ମସିହାରେ ଚିତା ଦେଖିବାକୁ ମିଳିଥିଲା । ଏହା ପରେ ଏହି ଦୁର୍ଲଭ ଜନ୍ତୁର ବିଲୁପ୍ତ ହୋଇଯାଇଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉଦ୍ୟମରେ ୭୪ ବର୍ଷ ପରେ ଚିତା ପୁଣି ଥରେ ଭାରତର ମାଟିରେ ଉତ୍ସାହର ସହିତ ପାଦ ରଖିଛି । ଏହି ଦିନଟି ଭାରତ ଇତିହାସ ପାଇଁ ସ୍ମୁତି ହୋଇ ରହିବ ବୋଲି ବୁଦ୍ଧିଜୀବୀ ଓ ପରିବେଶବିତ୍ମାନେ ଚର୍ଚ୍ଚା କରୁଛନ୍ତି। ସବୁଠାରୁ ବଡ଼ କଥା ହେଲା ଯେ, ପ୍ରଧାନମନ୍ତ୍ରୀ ମୋଦୀ ନିଜର ୭୨ତମ ଜନ୍ମଦିନ ଅବସରରେ ଚିତାମାନଙ୍କୁ ସ୍ୱାଗତ କରିଛନ୍ତି। ଏଥି ସହିତ ସେ ଜନ୍ତାରେ ତାଲା ବନ୍ଦ ଚିତାଙ୍କୁ ଜଙ୍ଗଲ ଭିତରକୁ ଛାଡ଼ିଛନ୍ତି।

    ଆନ୍ତଃ ମହାଦେଶୀୟ ପ୍ରାଣୀ ସ୍ଥାନାନ୍ତରଣ ପ୍ରକଳ୍ପ

    ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା କୁନୋ ଜାତୀୟ ଉଦ୍ୟାନକୁ ହିଂସ୍ର ଚିତା ଛଡାଯିବା ଭାରତୀୟ ହିଂସ୍ରପ୍ରାଣୀ ଓ ସେମାନଙ୍କ ବସତିକୁ ସଶକ୍ତ କରିବା ଦିଗରେ ଏକ ଉଦ୍ୟମ । ୧୯୫୨ ମସିହାରେ ଭାରତକୁ ଚିତା ଲୋପ ପାଇଯାଇଥିବା ଘୋଷଣା କରାଯାଇଥିଲା। ଚିତାଗୁଡିକୁ ଚଳିତ ବର୍ଷ ପ୍ରାରମ୍ଭରେ ସ୍ୱାକ୍ଷରିତ ଏକ ବୁଝାମଣାପତ୍ର ଆଧାରରେ ନାମ୍ବିଆରୁ ଅଣାଯାଇଛି। ଚିତା ପ୍ରକଳ୍ପ ଅଧୀନରେ ଭାରତରେ ଚିତାଙ୍କୁ ପୁଣି ଛଡାଯାଇଛି। ଏହା ବିଶ୍ୱର ପ୍ରଥମ ଆନ୍ତଃ ମହାଦେଶୀୟ ହିଂସ୍ର ମାଂସାସୀ ପ୍ରାଣୀ ସ୍ଥାନାନ୍ତରଣ ପ୍ରକଳ୍ପ ।

    ପରିବେଶ ପ୍ରତି ଲାଭ

    ଭାରତକୁ ଚିତା ଅଣାଯିବା ଦ୍ୱାରା ଉନ୍ମୁକ୍ତ ଜଙ୍ଗଲ ଓ ତୃଣଭୂମି ବାତାବରଣର ପୁନରୁଦ୍ଧାର ହେବା ସହ ସ୍ଥାନୀୟ ଗୋଷ୍ଠୀଙ୍କ ଜୀବନଜୀବିକା ଉନ୍ନତ ହେବ। ପରିବେଶ ସୁରକ୍ଷା ଓ ବନ୍ୟପ୍ରାଣୀ ସଂରକ୍ଷଣ ନେଇ ପ୍ରଧାନମନ୍ତ୍ରୀଙ୍କ ପ୍ରତିବଦ୍ଧତା ସ୍ୱରୂପ ଏହା କରାଯାଉଛି। ଚିତା ଛଡାଯିବା ଦ୍ୱାରା ଏହା ଭାରତର ଉନ୍ମୁକ୍ତ ଜଙ୍ଗଲ ଓ ତୃଣଭୂମି ବାତାବରଣ ପୁନରୁଦ୍ଧାରରେ ସହାୟକ ହେବ । ଏହା ଜୈବ ବିବିଧତାର ସଂରକ୍ଷଣ କରିବା ସହ ବାତାବରଣରେ ଜଳ ସୁରକ୍ଷା, ଅଙ୍ଗାରକାମ୍ଳ ବର୍ଜନ ଓ ମାଟିର ଆର୍ଦ୍ରତା ସଂରକ୍ଷଣ କରି ସମାଜ ପାଇଁ ହିତକାରକ ହେବ । ବନ୍ୟାପ୍ରାଣୀ ସଂରକ୍ଷଣ ସହ ପରିବେଶ ସୁରକ୍ଷା ଯୋଗୁଁ ସ୍ଥାନୀୟ ଜନସାଧାଣଙ୍କ ପରିବେଶ ପର୍ଯ୍ୟଟନ କାର୍ଯ୍ୟକଳାପ ବୃଦ୍ଧି ଓ ଜୀବିକାର୍ଜନ ସୁଯୋଗ ମଧ୍ୟ ବୃଦ୍ଧି ପାଇବ ।

    ନାମିବ୍ୟାକୁ କୃତଜ୍ଞତା ଜଣାଇଲେ ମୋଦୀ

    ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନାମିବ୍ୟାକୁ କୃତଜ୍ଞତା ଜଣାଇଛନ୍ତି। ୭୦ ବର୍ଷ ପରେ ଭାରତକୁ ଚିତା ଆଣିବା ଲାଗି ସୁନିଶ୍ଚତ ହେବା ପାଇଁ ଆମେ ଅନେକ ବର୍ଷ ଧରି ଚେଷ୍ଟା କରିଛୁ। ଏ ଚିତାମାନେ ଆମ ଅତିଥି। କୁନୋରେ ସେମାନେ ଘର କରନ୍ତୁ। କେତେ ଦଶନ୍ଧି ବିତି ଯାଇଥିଲେ ବି ଚିତା ଅଣାଯିବା ନିମନ୍ତେ ଉଲ୍ଲେଖଯୋଗ୍ୟ ଉଦ୍ୟମ କରାଯାଇ ନ ଥିଲା। ଆଜି ଆମେ ‘ସ୍ବାଧୀନତାର ଅମୃତ ମହୋତ୍ସବ’ ପାଳନ କରୁଥିବା ବେଳେ ନୂଆ ବଳ ନେଇ ଦେଶ ଚିତା ପୁନଃଥଇଥାନ ଆରମ୍ଭ କରିଛି। ବିଲୁପ୍ତ ଚିତା ଫେରାଇ ଆଣିବାକୁ ସମର୍ଥ ହୋଇପାରିଛୁ।  

    LEAVE A REPLY

    Please enter your comment!
    Please enter your name here