ଭୁବନେଶ୍ୱର: କରୋନା ଭାଇରସ୍ର ୨ୟ ଲହର ସମୟରେ ରାଜ୍ୟରେ ଦୈନିକ ସଂକ୍ରମଣ ୧୦ ହଜାର ଛୁଇଁବା ପାଇଁ ୧ ମାସରୁ ଅଧିକ ସମୟ ଲାଗିଥିବା ବେଳେ ୩ୟ ଲହରରେ ଏହା ମାତ୍ର ୧୩ ଦିନରେ ପୂରା ହୋଇଛି। ସଂକ୍ରମଣ ଯେଭଳି ଭାବରେ ବଢ଼ିବାରେ ଆଗାମୀ ୧୫ ଦିନରେ ଦୈନିକ ସଂକ୍ରମଣ ୩୦ ହଜାର ଅତିକ୍ରମ କରିବା ବଡ଼ କଥା ନୁହେଁ। ଏହି ସମ୍ଭାବିତ ରେକର୍ଡ ନେଇ ଚିକିତ୍ସକ ଓ ଗବେଷକ ଏବେ ଠାରୁ ଏହି ପୂର୍ବାନୁମାନ କରୁଛନ୍ତି। କୋଭିଡ-୧୯ର ଡେଲ୍ଟା ଭାରିଆଣ୍ଟ ତୁଳନାରେ ଓମିକ୍ରନ୍ ଅଧିକ ସଂକ୍ରମଣ ବ୍ୟାପୁଛି। ରାଜ୍ୟରେ ଯଦିଓ ଓମିକ୍ରନ୍ ସଂକ୍ରମଣ ନିୟନ୍ତ୍ରିତ ଅଛି, ତଥାପି ଏହା ମହରାଷ୍ଟ୍ର-ଦିଲ୍ଲୀ ପରିସ୍ଥିତି ସୃଷ୍ଟି ନ କରିବା, ତାହାର କିଛି ସୁନିଶ୍ଚିତତା ନାହିଁ। କାରଣ ଓମିକ୍ରନ୍ ସଂକ୍ରମଣ ଯୋଗୁଁ କମ୍ ସମୟ ମଧ୍ୟରେ ଦୈନିକ ସଂକ୍ରମଣ ୧୦ ହଜାର ଟପିଛି।
ଗତବର୍ଷ ଡେଲ୍ଟା ଭାରିଆଣ୍ଟ ଯୋଗୁଁ ମେ’ ମାସରେ ଦୈନିକ ସଂକ୍ରମଣ ସାଢ଼େ ୧୨ ହଜାର ଅତିକ୍ରମ କରିଥିଲା। ବେସରକାରୀ ହିସାବରେ ରାଜ୍ୟରେ ଯଦିଓ ଦୈନିକ କୋଭିଡଜନିତ ମୃତ୍ୟୁ ୧୦୦ ଟପୁଥିଲା, ସରକାରୀ ହିସାବରେ ଏହି ସଂଖ୍ୟା ୨୦ରୁ ୨୫ ରହୁଥିଲା। ଏହାର ପ୍ରମାଣ ହେଲା ଡେଲ୍ଟା ଭାରିଆଣ୍ଟ ବ୍ୟାପିବା ସମୟରେ ମେଡିକାଲ କଲେଜ ଓ ହସ୍ପିଟାଲ ଏବଂ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଦୈନିକ ବହୁ ସଂଖ୍ୟାରେ ମୃତଦେହ ଗୁଡ଼ିକ ବାହାରୁଥିଲା। ଏଥର ଯଦିଓ ସଂକ୍ରମଣ ଦ୍ରୁତ ଗତିରେ ବଢ଼ି ଚାଲିଛି, ମୃତ୍ୟୁ ସଂଖ୍ୟା ପୂର୍ବ ଭଳି ନାହିଁ। ସେହିପରି ଆଉ ଏକ ଭଲ କଥା ହେଲା ରୋଗୀ ମାନଙ୍କୁ ହସ୍ପିଟାଲରେ ଭର୍ତ୍ତି ହେବାକୁ ପଡୁନାହିଁ। ଦେଶରେ ଦୈନିକ କରୋନା ସଂକ୍ରମଣ ୨ ଲକ୍ଷ ୪୭ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କିନ୍ତୁ ହସ୍ପିଟାଲରେ ବେଡ୍ ମହଜୁତ୍ ରହିଛି।
ଅନାବଶ୍ୟକ ରୋଗୀଙ୍କୁ ବାରଣ
ରାଜ୍ୟରେ କରୋନା ଲମ୍ବଡିଆଁ ମାରୁଥିବାରୁ ସରକାର ନୂଆ ଗାଇଡ୍ଲାଇନ୍ ଜାରି କରିଛନ୍ତି। ସରକାର ରାଜ୍ୟର ସମସ୍ତ ମେଡିକାଲ କଲେଜ ଓ ଡାକ୍ତରଖାନାକୁ ନିର୍ଦ୍ଦେଶ ଦେଇଛନ୍ତି ଯେ, ଜରୁରୀ ନଥିଲେ ରୋଗୀଙ୍କୁ ଆଡମିଶନ କରନ୍ତୁ ନାହିଁ। କୋଭିଡ ଗାଇଡଲାଇନ୍କୁ ଅଧିକ କଡ଼ାକଡ଼ି କରିବାକୁ ପରାମର୍ଶ ଦିଆଯାଇଛି। ଏଣିକି ହସ୍ପିଟାଲରେ ଚିକିତ୍ସା ସମୟରେ ରୋଗୀଙ୍କ ପାଖରେ ଅତି ବେଶିରେ ଜଣେ ଆଟେଣ୍ଡାଣ୍ଟ ରହିପାରିବେ। ଓପିଡିରେ ଆବଶ୍ୟକତା ନଥିରେ ରୋଗୀଙ୍କୁ ବାରମ୍ବାର ଆସିବାକୁ ମେଡିକାଲ ଅଧିକାରୀ ମନା କରିପାରିବେ। କେବଳ ଜରୁରୀକାଳୀନ ଅସ୍ତ୍ରୋପଚାର ହୋଇପାରିବ ଓ ଅନ୍ୟ ବିକଳ୍ପ ଅସ୍ତ୍ରୋପଚାର ସ୍ଥଗିତ ରଖାଯିବ। ଓପିଡି ଏବଂ ଆଇପିଡିକୁ ଗଣମାଧ୍ୟମର ପ୍ରତିନିଧି ଯାଇପାରିବେ ନାହିଁ। ହସ୍ପିଟାଲରେ ସାମାଜିକ ଦୂରତାକୁ ଅଧିକ ଗୁରୁତ୍ୱ ଦିଆଯିବ।
ଦୈନିକ ସଂକ୍ରମଣ ବଢ଼ିଲେ, କ’ଣ ହେବ ଅବସ୍ଥା?
ବରିଷ୍ଠ ସ୍ୱାସ୍ଥ୍ୟ ବିଶେଷଜ୍ଞ ଡାକ୍ତର ଅଶୋକ ମହାପାତ୍ର ଗଣମାଧ୍ୟମକୁ କହିଛନ୍ତି, ରାଜ୍ୟରେ ଜାନୁଆରୀ ଶେଷ ବେଳକୁ ଦୈନିକ ସଂକ୍ରମଣ ୩୦ ହଜାର ଅତିକ୍ରମ କରିପାରେ। ବିଶେଷଜ୍ଞଙ୍କ ପୂର୍ବାନୁମାନ ଯଦି ସତ ହୁଏ, ତା’ହେଲେ ଚିକିତ୍ସା ସେବା ଅସମ୍ଭାଳ ହୋଇପାରେ। ବର୍ତ୍ତମାନ ପରିପ୍ରେକ୍ଷୀରେ ଯଦିଓ ଦୈନିକ ସଂକ୍ରମଣ ଅନୁସାରେ ହସ୍ପିଟାଲ ଗୁଡ଼ିକରେ ରୋଗୀଙ୍କର ଭିଡ ରହୁ ନାହିଁ, ତଥାପି ସଂକ୍ରମଣ ଯଦି ବିପଦ ଆଡ଼କୁ ଗତି କରେ ତା’ହେଲେ ଅବସ୍ଥା ଅସମ୍ଭାଳ ହୋଇଯାଇପାରେ। ଗତବର୍ଷ ଯେତେବେଳେ ଦୈନିକ ସଂକ୍ରମଣ ୧୨ ହଜାର ରହୁଥିଲା ହସ୍ପିଟାଲ ଗୁଡ଼ିକରେ ଭାରି ଅବ୍ୟବସ୍ଥା ଦେଖାଯାଉଥିଲା। ରୋଗୀଙ୍କୁ ଠିକ୍ ଭାବେ ଚିକିତ୍ସା ମିଳିପାରୁ ନଥିବା ଅଭିଯୋଗ ହେଉଥିଲା। ଲୋକଙ୍କୁ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡୁଥିଲା। ଦେଖାଯାଉ ଆଗାମୀ ଦିନରେ ରାଜ୍ୟର ସ୍ୱାସ୍ଥ୍ୟ ବ୍ୟବସ୍ଥା କେଉଁଆଡ଼କୁ ଗତି କରୁଛି।
ମନଇଚ୍ଛା କଟକଣାକୁ ବିରୋଧ
ଦେଶବାସୀଙ୍କ ପାଇଁ ଖୁସିର କଥା ହେଲା ଯେ, ଦେଶରେ ଏବେ ଦୈନିକ ସଂକ୍ରମଣ ପାଖାପାଖି ଅଢ଼େଇ ଲକ୍ଷ ଛୁଇଁଥିବା ବେଳେ ଅନେକ କ୍ଷେତ୍ରରେ କଟକଣା କୋହଳ କରାଯାଇଛି। ଆର୍ଥିକ ବ୍ୟବସ୍ଥା ଉପରେ ଯେପରି କୌଣସି ପ୍ରଭାବ ନ ପଡେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି। ଭାରତୀୟ ଶିଳ୍ପ ସଂଘ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଛି ଯେ, ମନଇଚ୍ଛା କଟକଣା ନଲଗାଯାଉ। ହସ୍ପିଟାଲରେ ଭର୍ତ୍ତି ହେଉଥିବା ରୋଗୀ ସଂଖ୍ୟାକୁ ଦେଖି ନିଷ୍ପତ୍ତି ନିଆଯାଉ। ମନଇଚ୍ଛା କଟକଣା ଲଗାଇଲେ ଦେଶରେ ଜୀବନ ଓ ଜୀବିକା ମଧ୍ୟରେ ସମନ୍ଵୟ ରହିବ ନାହିଁ।