Friday, October 4, 2024
Homeଦ୍ରୌପଦୀଙ୍କ ପାଇଁ ୧.୩୫ ଲକ୍ଷ ଗାଁ ଉତ୍ସବମୁଖର
Array

ଦ୍ରୌପଦୀଙ୍କ ପାଇଁ ୧.୩୫ ଲକ୍ଷ ଗାଁ ଉତ୍ସବମୁଖର

ଭୁବନେଶ୍ବର: ଭାରତକୁ ମିଳିଛି ୧୫ତମ ରାଷ୍ଟ୍ରପତି। ତାହା ପୁଣି ଓଡ଼ିଶାରୁ। ଦେଶର ପ୍ରଥମ ଆଦିବାସୀ ମହିଳା ତଥା ଓଡ଼ିଶାର ସୁକନ୍ୟା ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ନିର୍ବାଚନରେ ଏନ୍ଡିଏ ତରଫରୁ ପ୍ରାର୍ଥୀ ହୋଇ ବିରୋଧୀ ଦଳର ଯଶୱନ୍ତ ସିହ୍ନାଙ୍କୁ ପରାସ୍ତ କରିଛନ୍ତି। ଦ୍ରୌପଦୀଙ୍କୁ ୨୮୨୪ ଖଣ୍ଡ ଭୋଟ୍ (୬,୭୬,୮୦୩  ଭୋଟ୍ ଭ୍ୟାଲୁ) ମିଳିଥିବା ବେଳେ ତାଙ୍କର ପ୍ରତିଦ୍ବନ୍ଦ୍ବୀଙ୍କୁ ୧୮୭୭ ଖଣ୍ଡ ଭୋଟ୍ (୩,୮୦,୧୭୭ ଭୋଟ ଭ୍ୟାଲୁ) ମିଳିଛି। ଦେଶର ସର୍ବୋଚ୍ଚ ପଦବିରେ ଅଧିଷ୍ଠିତ ହୋଇଥିବା ଦ୍ରୌପଦୀଙ୍କ ପାଇଁ ଆଜି ରାଇରଂଗପୁର ସମେତ ପୂରା ଓଡ଼ିଶାରେ ଉତ୍ସାହର ମାହୋଲ ଦେଖାଯାଇଛି। ଦ୍ରେପଦୀଙ୍କ ଜନ୍ମଭୂମିଠାରୁ ଆରମ୍ଭ କରି ଭୁବନେଶ୍ବର ଓ ରାଷ୍ଟ୍ରୀୟ ରାଜଧାନୀରେ ମଧ୍ୟ ଉତ୍ସାହ ଦେଖାଯାଇଛି। ଆଦିବାସୀ ଅଧ୍ୟୁଷିତ ଅଂଚଳ ମଧ୍ୟ ଆଜି ଦ୍ରୌପଦୀଙ୍କ ପାଇଁ ଗର୍ବ କରୁଛି। ଦେଶର ୧ ଲକ୍ଷ ୩୫ ହଜାର ଗାଁରେ ଦ୍ରୌପଦୀଙ୍କ ବିଜୟ ପାଇଁ ଉତ୍ସବମୁଖର ଦେଖାଯାଇଛି, ଯେଉଁଠି ଆଦିବାସୀ ଜନସଂଖ୍ୟା ଅଧିକ। ରାଷ୍ଟ୍ରପତିଙ୍କୁ ନେଇ ପୂର୍ବରୁ ଏଭଳି ଉତ୍ସବ କେବେ ଦେଖାଯାଇ ନଥିଲା।  

ରାଷ୍ଟ୍ରପତି ହୋଇ ଦ୍ରୌପଦୀ ମୁର୍ମୁ ଇତିହାସ ରଚିଛନ୍ତି। ପ୍ରଥମତଃ ସେ ଆଦିବାସୀ ବର୍ଗରୁ ରାଷ୍ଟ୍ରପତି ହୋଇଛନ୍ତି। ପ୍ରଥମ ଓଡ଼ିଆ ମହିଳା ଭାବେ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ହୋଇଛନ୍ତି। ସ୍ବାଧୀନ ଭାରତରେ ଜନ୍ମିତ ପ୍ରଥମ ରାଷ୍ଟ୍ରପତି ହୋଇପାରିଛନ୍ତି। ସେହିପରି ୬୩ ବର୍ଷ ବୟସରେ ସେ ସର୍ବକନଷ୍ଠ ରାଷ୍ଟ୍ରପତି ହୋଇଛନ୍ତି, ଯାହାକି ପୂର୍ବରୁ ଦେଶରେ ଏଭଳି ମୁହୂର୍ତ୍ତ ଆସି ନଥିଲା।

ଉତ୍ସବମୁଖର ଓଡ଼ିଶା

ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ମାଟିର ସୁଯୋଗ୍ୟା କନ୍ୟା ଦ୍ରୌପଦୀ ମୁର୍ମୁ ଭାରତର ରାଷ୍ଟ୍ରପତି ହୋଇପାରିଛନ୍ତି। ତାଙ୍କୁ ଦେଶବାସୀ ଭଲପାଇଥିବାରୁ ଏହା ନିଶ୍ଚିତ ହୋଇପାରିଛି। ଦ୍ରୌପଦୀଙ୍କ ରାଇରଙ୍ଗପୁରସ୍ଥିତ ବାସଭବନ, ଉପରବେଡ଼ାସ୍ଥିତ ପୈତୃକ ଗାଁ, ପାହାଡ଼ପୁରସ୍ଥିତ ଶ୍ବଶୁର ଘର ଗାଁ ଏବଂ ଜିଲ୍ଲାର ବିଭିନ୍ନ ସ୍ଥାନରେ ବିଜୟ ଉତ୍ସବ ପାଳନ ହୋଇଛି। ବିଜେପି ଓ ବିଜେଡି କର୍ମୀ, ସ୍ଥାନୀୟ ବାସିନ୍ଦା ଓ ଶ୍ରୀମତୀ ମୁର୍ମୁଙ୍କ ପରିବାର ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ ହୋଇଛି। ନୃତ୍ୟଗୀତରେ ସ୍ଥାନୀୟ ଅଞ୍ଚଳ ଦୁଲୁକିଛି। ଦ୍ରୌପଦୀଙ୍କ ଗାଁରେ ଲୋକଙ୍କୁ ୨୦ ହଜାରରୁ ଅଧିକ ଲଡ଼ୁ ବଣ୍ଟା ଯାଇଛି। ଦ୍ରୌପଦୀଙ୍କ ଘର ସହ ସହରର ବିଭିନ୍ନ ସ୍ଥାନକୁ ରଙ୍ଗିନ ଆଲୋକରେ ସଜାଯାଇଛି। ରାଇରଙ୍ଗପୁର ସହର ସାରା ବଡ଼ବଡ଼ ହୋର୍ଡିଂ ଓ ବ୍ୟାନର ଲାଗିଥିବା ଦେଖିବାକୁ ମିଳିଛି। ଭୋଜିଭାତର ମଧ୍ୟ ବ୍ୟବସ୍ଥା କରାଯାଇଛି।

ରାଷ୍ଟ୍ରପତି ନିର୍ବାଚନରେ ୯୯ ପ୍ରତିଶତ ଭୋଟିଂ

ସଂସଦ ଭବନର ୬୩ ନମ୍ବର କୋଠରୀରେ ଭୋଟ ଗଣତି ଆରମ୍ଭ ହୋଇଥିଲା । ଗତ ୧୮ ତାରିଖ ଦିନ ସାଂସଦ ଓ ବିଧାୟକମାନେ ଭୋଟ ଦେଇଥିଲେ। ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ କାର୍ଯ୍ୟକାଳ ଜୁଲାଇ ୨୪ରେ ଶେଷ ହେବ । ନବ ନିର୍ବାଚିତ ନିର୍ବାଚିତ ରାଷ୍ଟ୍ରପତି ଜୁଲାଇ ୨୫ରେ ଶପଥ ଗ୍ରହଣ କରିବେ ।  ୪୭୫୪ ଜଣ ସଦସ୍ୟ ଭୋଟ ଦେଇଥିଲେ । ୪୭୦୧ ଭୋଟ ବୈଧ ହୋଇଥିଲା ବେଳେ ଏଥିରୁ ୫୩ଟି ଭୋଟ ନାକଚ ହୋଇଥିଲା। ମୋଟ ୧୩ ଜଣ ସଦସ୍ୟ ଭୋଟ ଦେଇ ନଥିଲେ। ଯେଉଁମାନେ ଭୋଟ ଦେଇ ପାରି ନଥିଲେ, ସେମାନଙ୍କ ମଧ୍ୟରୁ କେହି ମେଡିକାଲରେ ଭର୍ତ୍ତି ହୋଇଥିଲେ ତ ଆଉ କିଛି ସଦସ୍ୟ ଜେଲ୍ରେ ଥିଲେ। ମୋଟ୍ ୯୯ ପ୍ରତିଶତ ଭୋଟିଂ ହୋଇଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ଅନ୍ୟ ମନ୍ତ୍ରୀମାନେ ସଂସଦ ଭବନରେ ମତଦାନ କରିଥିଲେ ।

ଦ୍ରୌପଦୀଙ୍କ ସମର୍ଥନରେ ଓଡ଼ିଶାର ଭୂମିକା

ଠିକ୍ ମାସକ ପୂର୍ବରୁ (୨୦୨୨ ଜୁନ୍ ୨୧) ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରସାଦ ନଡ୍ଡା ଘୋଷଣା କରିଥିଲେ ଯେ, ଦ୍ରୌପଦୀ ମୁର୍ମୁ ଏନ୍ଡିଏର ରାଷ୍ଟ୍ରପତି ପ୍ରାର୍ଥୀ ହେବେ। ନଡ୍ଡାଙ୍କ ଦ୍ବାରା ଏହି ଗୁରୁତ୍ବପୂର୍ଣ୍ଣ ଘୋଷଣା କରାଯିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଦେଶ ଗସ୍ତରେ ଥାଇ ଦ୍ରୌପଦୀ ମୁର୍ମୁଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଟୁଇଟ୍ କରି ବିଜେଡି ସମର୍ଥନ କରିବ ବୋଲି ଦୃଢ଼ ଭାବରେ ଘୋଷଣା କରିଥିଲେ। ଏଥି ସହିତ ନବୀନ ପଟ୍ଟନାୟକ ଦଳଗତ ନିର୍ବିଶେଷରେ ରାଷ୍ଟ୍ରପତି ନିର୍ବାଚନରେ ପ୍ରତ୍ୟେକ ଓଡ଼ିଆ ବିଧାୟକ ଓ ସାଂସଦ ଭୋଟ ଦେବାକୁ ଅନୁରୋଧ କରିଥିଲେ। ନବୀନଙ୍କ କଥାକୁ ରକ୍ଷା କରି ନିର୍ବାଚନରେ ଓଡ଼ିଶାର ବିଜେପି ଓ ବଜେଡି ସମେତ କଂଗ୍ରେସ ଓ ସ୍ବାଧୀନ ବିଧାୟକ ମଧ୍ୟ ଦ୍ରୌପଦୀଙ୍କୁ ଭୋଟ ଦେଇଛନ୍ତି। କଂଗ୍ରେସର କଟକ ବିଧାୟକ ମହମ୍ମଦ ମୋକିମ ଖୋଲାଖୋଲି ଭାବେ ଦ୍ରୌପଦୀଙ୍କୁ ଭୋଟ ଦେଇଥିବା କଥା କହିଛନ୍ତି। ମୋକିମଙ୍କ କହିବା ଅନୁସାରେ ତାଙ୍କ ପାଇଁ ମାଟି ବଡ଼, ପରେ ପାର୍ଟି। ସେହିପରି ରାୟଗଡ଼ାର ସ୍ବାଧୀନ ବିଧାୟକ ମକରନ୍ଦ ମୁଦୁଲି ମଧ୍ୟ ନବୀନଙ୍କ ଆହ୍ବାନରେ ନବୀନ ନିବାସରେ ପହଞ୍ଚି ଦ୍ରୌପଦୀଙ୍କୁ ଭୋଟ ଦେବା ପାଇଁ ରାଜି ହୋଇଥିଲେ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments