ଭୁବନେଶ୍ବର: ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ କାର୍ଯ୍ୟକାଳ ଆସନ୍ତା ଜୁଲାଇ ୨୫ରେ ଶେଷ ହୋଇଯିବ। ରାମନାଥଙ୍କ କାର୍ଯ୍ୟକାଳ ଶେଷ ହେବା ସହ ଦେଶକୁ ପଞ୍ଚଦଶ ରାଷ୍ଟ୍ରପତି ମିଳିଯିବ। ଏଥି ପାଇଁ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ନିର୍ବାଚନରେ ବିଜେପି ସମର୍ଥିତ ଏନଡିଏ ତରଫରୁ ଓଡ଼ିଶା ମାଟିର ଝିଅ ତଥା ଝାଡ଼ଖଣ୍ଡର ପୂର୍ବତନ ରାଜ୍ୟପାଳ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ପଦବି ପାଇଁ ପ୍ରାର୍ଥୀ କରାଯାଇଛି। ପୂର୍ବରୁ ବିରୋଧୀ ମେଣ୍ଟ ଯଶବନ୍ତ ସିହ୍ନାଙ୍କୁ ପ୍ରାର୍ଥୀ କରିଛି।
ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରାଯିବା ଓଡ଼ିଶା ପାଇଁ ଗର୍ବ ଓ ଗୌରବ ବିଷୟ। ଓଡ଼ିଶା ମାଟିରେ ଜନ୍ମଲାଭ କରି ଭିଭି ଗିରି ଯଦିଓ ରାଷ୍ଟ୍ରପତି ହୋଇଥିଲେ। ଦ୍ରୌପଦୀ ଯଦି ନିର୍ବାଚନ ଜିତନ୍ତି, ତାହେଲେ ଦୀର୍ଘ ୫୨ ବର୍ଷର ବ୍ୟବଧାନ ପରେ ପୁଣି ଓଡ଼ିଶା ମାଟିର ସନ୍ତାନ ଦେଶର ସର୍ବୋଚ୍ଚ ଆସନରେ ବସିବେ। ଏହା ହେଲେ ଦୌପଦୀ ମୁର୍ମୁ ଦେଶର ଦ୍ବିତୀୟ ମହିଳା ଭାବେ ରାଷ୍ଟ୍ରପତି ହେବେ। ନିଶ୍ଚିତ ଭାବେ ସମସ୍ତଙ୍କ ପାଇଁ ଏହା ଖୁସିର ବିଷୟ। ସେହିପରି ଦେଶର ପ୍ରଥମ ଆଦିବାସୀ ମହିଳା ଭାବେ ସେ ରାଷ୍ଟ୍ରପତି ହେବାର ସୌଭାଗ୍ୟ ଲାଭ କରିପାରିବେ। ପୂର୍ବରୁ ପ୍ରତିଭା ପାଟିଲ ଦେଶର ପ୍ରଥମ ମହିଳା ରାଷ୍ଟ୍ରପତି ହୋଇଛନ୍ତି
ଦ୍ରୌପଦୀଙ୍କ ପାଇଁ ନବୀନଙ୍କ ଅପିଲ
ଦ୍ରୌପଦୀ ମୁର୍ମୁଙ୍କୁ ଏନଡିଏ ପ୍ରାର୍ଥୀ କରିଥିବାରୁ ବିଜୟୀ ହେବାର ଆଶା ଅଧିକ ଦେଖାଯାଉଛି। କାରଣ ଦେଶର ଅଧିକାଂଶ ରାଜ୍ୟର କ୍ଷମତା ଏନ୍ଡିଏ ପାଖରେ ରହିଛି। ଝାଡ଼ଖଣ୍ଡ ଓ ଓଡ଼ିଶାରେ ଏନଡିଏର ପ୍ରଭାବ ନଥିଲେ ମଧ୍ୟ, ଦ୍ରୌପଦୀ ଯେହେତୁ ଓଡ଼ିଆ ଝିଅ, ତେଣୁ ଅଧିକାଂଶ ସାଂସଦ ଓ ବିଧାୟକ ସମର୍ଥନ କରିପାରନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପୂର୍ବାଭାସ ଦେଇସାରିଛନ୍ତି। ସେହିପରି ଅତୀତରେ ଦ୍ରୌପଦୀ ଯେହେତୁ ଝାଡ଼ଖଣ୍ଡ ପାଇଁ ସମୟ ଦେଇଛନ୍ତି, ସେହି ଦୃଷ୍ଟିରୁ ଝାଡ଼ଖଣ୍ଡ ସରକାର ମଧ୍ୟ ସମର୍ଥନ ଦେବେ ବୋଲି ଆଶା କରାଯାଉଛି। ଦ୍ରୌପଦୀଙ୍କ ସମର୍ଥନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାହାରିଛନ୍ତି। ସେ ଓଡ଼ିଶା ବିଧାନସଭାର ସମସ୍ତ ସଦସ୍ୟଙ୍କୁ ଅପିଲ କରୁଛନ୍ତି ଯେ, ଦଳମତ ନିର୍ବିଶେଷରେ ସମସ୍ତେ ଓଡ଼ିଶାର ଝିଅ ଦ୍ରୌପଦୀ ମୁର୍ମୁଙ୍କୁ ଦେଶର ସର୍ବୋଚ୍ଚ ପଦବିକୁ ନିର୍ବାଚିତ କରିବା ପାଇଁ ସର୍ବସମ୍ମତି କ୍ରମେ ସମର୍ଥନ କରନ୍ତୁ। ଏହା ପୂର୍ବରୁ ଦ୍ରୌପଦୀଙ୍କୁ ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭେଚ୍ଛା ଜଣାଇଥିଲେ।
ମୋଦୀଙ୍କ ଦୃଷ୍ଟିରେ ଦ୍ରୌପଦୀ
ଦ୍ରୌପଦୀ ମୁର୍ମୁ ନିଜ ଜୀବନରେ ସମାଜ ସେବା କରିବା ସହିତ ଗରିବ-ଦଳିତଙ୍କ ମୁହଁରେ ହସ ଫୁଟାଇଛନ୍ତି । ଲୋକଙ୍କୁ ସଶକ୍ତ କରିବାରେ ବଡ଼ ନେତୃତ୍ୱ ନେଇଛନ୍ତି । ସର୍ବୋପରି ସମାଜର ବିକାଶ ପାଇଁ ନିଜ ଜୀବନକୁ ସମର୍ପିତ କରିଦେଇଛନ୍ତି । ତାଙ୍କ ପାଖରେ ସମୃଦ୍ଧ ପ୍ରଶାସନିକ ଅଭିଜ୍ଞତା ରହିଛି । ତାଙ୍କର କାର୍ଯ୍ୟକାଳ ସ୍ମରଣୀୟ ହୋଇଛି । ମୋର ବିଶ୍ୱାସ ଯେ, ସେ ଦେଶର ଜଣେ ମହାନ ରାଷ୍ଟ୍ରପତି ହେବେ ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି । ସେହିଭଳି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, ସ୍ୱାଧୀନତ୍ତୋର ଭାରତର ପ୍ରଥମ ଜନଜାତି ମହିଳା ଏବଂ ପ୍ରଥମ ଓଡ଼ିଆ ରାଷ୍ଟ୍ରପତି ଭାବରେ ଶ୍ରୀମତୀ ମୁର୍ମୁଙ୍କୁ ଏହି ଗରିମାମୟ ପଦବି ପାଇଁ ପ୍ରାର୍ଥୀ ଚୟନ କରିଥିବାରୁ ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଧନ୍ୟବାଦ ଜଣାଉଛି ।
କ’ଣ କରିବ ଓଡ଼ିଶା କଂଗ୍ରେସ?
ଶାସକ ବିଜୁ ଜନତା ଦଳ ପରୋକ୍ଷ ଭାବେ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ଜଣାଇ ସାରିଛି। କିନ୍ତୁ ଏବାଦରେ କଂଗ୍ରେସ ମୁହଁ ଖୋଲି କହିପାରି ନାହିଁ। କଂଗ୍ରେସ ବିଧାୟକ ମହମ୍ମଦ ମୋକିମ ଗଣମାଧ୍ୟମର ପ୍ରତିନିଧିଙ୍କୁ କହିଛନ୍ତି ଯେ, ଦଳ ଯାହାକୁ କହିବ, ସମର୍ଥନ କରିବି। ପାର୍ଟି ନିଷ୍ପତ୍ତି ଉପରେ ସବୁ କିଛି ନିର୍ଭର କରୁଛି। ହାଇକମାଣ୍ଡଙ୍କ ନିଷ୍ପତ୍ତିକୁ ଅପେକ୍ଷା କରିଛୁ। ପାର୍ଟି ଆଗ। ବରିଷ୍ଠ କଂଗ୍ରେସ ବିଧାୟକ ସୁର ରାଉତରାୟ ମଧ୍ୟ ସମାନ କଥା କହିଛନ୍ତି। ଜଣେ ଓଡ଼ିଆ ରାଷ୍ଟ୍ରପତି ହେଲେ ଖୁସି ହେବି। ଦ୍ରୌପଦୀ ଏଇ ଭୁବନେଶ୍ବରରେ ପଢ଼ିଛନ୍ତି। ତାଙ୍କୁ ସେହି ଦିନରୁ ଜାଣିଛି। କିନ୍ତୁ ଆଗେ ପାର୍ଟି ପରେ ମାଟି।
ସଂକ୍ଷେପରେ ଦ୍ରୌପଦୀ ମୁର୍ମୁ
ମୟୂରଭଂଜ ଜିଲ୍ଲା ରାଇରଂଗପୁର ଉପଖଣ୍ଡ ଅନ୍ତର୍ଗତ ଉପରବେଡ଼ା ଗାଁରେ ଜନ୍ମିତ ଦ୍ରୌପଦୀ ମୁର୍ମୁ ଦେଶର ପ୍ରଥମ ଆଦିବାସୀ ମହିଳା ଭାବେ ୨୦୧୫ ମସିହା ମେ’ ୧୮ ତାରିଖରେ ରାଜ୍ୟପାଳ ହୋଇଥିଲେ । ସେ ଝାଡ଼ଖଣ୍ଡର ରାଜ୍ୟପାଳ ଭାବେ ୬ ବର୍ଷ ଏକ ମାସ ୧୮ ଦିନ କାର୍ଯ୍ୟ କରିଥିଲେ । ଦ୍ରୌପଦୀ ମୁର୍ମୁ ୨୦୨୧ ଜୁଲାଇ ୧୨ରେ ଝାଡ଼ଖଣ୍ଡର ରାଜଭବନରୁ ଜନ୍ମମାଟିକୁ ଫେରିଥିଲେ । ଦ୍ରୌପଦୀ ୨ ଥର ବିଧାୟକ ଓ ଗୋଟଏ ଥର ରାଷ୍ଟ୍ରମନ୍ତ୍ରୀ ଥିଲେ । ସେ ୨୦୧୬ରେ ରାଜ୍ୟରେ ଉଚ୍ଚ ଶିକ୍ଷା ସଂପର୍କିତ ପ୍ରସଙ୍ଗ ନେଇ ଲୋକ ଅଦାଲତ କରିଥିଲେ, ଯେଉଁଥିରେ କି ବିଶ୍ୱବିଦ୍ୟାଳୟ ଶିକ୍ଷକ ଓ କର୍ମଚାରୀଙ୍କ ପାଖାପାଖି ୫ ହଜାର ମାମଲାର ସମାଧାନ ହୋଇଥିଲା ।