ଭୁବନେଶ୍ୱର: ସାମୁଦ୍ରିକ ଝଡ଼ ‘ଗୁଲାବ୍’ର ତାଣ୍ଡବ ସୋମବାର ଅପରାହ୍ନରେ ଶେଷ ହୋଇଯାଇଛି । ବାତ୍ୟା ଦେଶର ପଶ୍ଚିମ ଭାଗ ଆଡ଼କୁ ପମନର ମାଧ୍ୟମରେ ଅଗ୍ରସର ହୋଇଛି । ପାଣିପାଗ ବିଭାଗ ପକ୍ଷରୁ ଗତ ଏକ ସପ୍ତାହବ୍ୟାପୀ ବାତ୍ୟା ନେଇ ଯାହା ଆକଳନ କରାଯାଉଥିଲା, ସେହିଭଳି ସ୍ଥିତି ଉପୁଜି ନାହିଁ । ଲୋକଙ୍କୁ ସମ୍ଭାବ୍ୟ ବଡ଼ଧରଣର କ୍ଷୟକ୍ଷତିରୁ ଆଶ୍ୱସ୍ତି ମିଳିଛି । ସରକାର ଓ ପ୍ରଶାସନର ସତର୍କ ଯୋଗୁଁ ମୃତାହତଙ୍କ ସଂଖ୍ୟା ସାମାନ୍ୟ ହୋଇଥିବା ବେଳେ ବାତ୍ୟା ଲୋକଙ୍କୁ ସାମାନ୍ୟ ଆଘାତ ଦେଇଛି । ଗୁଲାବ ଯଦିଓ ଦୁର୍ବଳ ହୋଇଯାଇଥିଲା, କିନ୍ତୁ ୨ ଦିନ ଧରି ବର୍ଷା ତାଣ୍ଡବ ରଚିଥିଲା । ଦକ୍ଷିଣ ଓଡ଼ିଶା ଓ ଉତ୍ତର ଆନ୍ଧ୍ରରେ ଲଗାଣ ବର୍ଷା ଜାରି ରହିଥିଲା, ଯାହାକି ଲୋକଙ୍କର ଯାତାୟତ ଓ ଗମାନଗମନ ଉପରେ ବ୍ୟାପକ ପ୍ରଭାବ ପକାଇଥିଲା ।
ବାତ୍ୟା ଯୋଗୁଁ ଦକ୍ଷିଣ ଓଡ଼ିଶା ଦେଇ ଚଳପ୍ରଚଳ କରୁଥିବା ୨୮ଟି ଟ୍ରେନକୁ ବାତିଲ କରାଯାଇଥିଲା । ରବିବାର ସନ୍ଧ୍ୟାରେ ପବନର ବେଗ ଘଣ୍ଟା ପିଛା ୯୦କିମି ବେଗରେ ବହୁଥିବା ବେଳେ ଦିନ ସାରା ବର୍ଷା ଜାରି ରହିଥିଲା । ସୋମବାର ମଧ୍ୟାହ୍ନ ଯାଏଁ ଆନ୍ଧ୍ରପ୍ରଦେଶର ବିଜୟୱାଡା ଓ ଓଡ଼ିଶାର କୋରାପୁଟ, ରାୟଗଡ଼ା, ଗଜପତି ଓ ମାଲକାନଗିରିରେ ପ୍ରବଳ ବର୍ଷା ହୋଇଛି । ବର୍ଷା ଯୋଗୁଁ ବିଜୟୱାଡା ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ବିମାନ ଉଡାନ ସେବା ବ୍ୟାପକ ବାଧାପ୍ରାପ୍ତ ହୋଇଛି । ବାଙ୍ଗାଲୋର-ବିଜୟୱାଡା ବିମାନକୁ ବିଜୟୱାଡା ବିମାନବନ୍ଦରରେ ଅବତରଣ କରାଇବା ପାଇଁ ସମସ୍ୟାର ସମ୍ମୁଖୀନ ହୋଇଥିଲେ । କିନ୍ତୁ ସୁରକ୍ଷିତ ଭାବରେ ଉଦ୍ଧାର କରାଯାଇଥିଲା ।
ଧସିଲା ମାଟି, ଯାତାୟତ ଠପ୍
ବାତ୍ୟାର ପ୍ରଭାବରେ ତଥା ପ୍ରବଳ ବର୍ଷା ଯୋଗୁଁ କିରଣ୍ଡୁଲ-କୋରାପୁଟ ଟ୍ରେନ୍ ଲାଇନ୍ର ଚିମିଡିପଲ୍ଲୀ-ଟାଇଡା ମଧ୍ୟରେ ପଥର ପଡ଼ିଥିଲା । ସିବାଲିଙ୍ଗପୁରମ-ଟାଇଡା ଲାଇନ ମଧ୍ୟରେ ମଧ୍ୟ ପଥର ଧସିଥିଲା । ସେହିପରି କୋରାପୁଟ ଜିଲ୍ଲା ପଟ୍ଟାଙ୍ଗୀ ବ୍ଲକ ଅନ୍ତର୍ଗତ ସୁଙ୍କି ଘାଟିର ରାଲେଗଡ଼ା ଓ ସୁଙ୍କି ଗ୍ରାମ ନିକଟରେ ଅତଡ଼ା ଖସିବାରୁ ୨୬ ନମ୍ବର ଜାତୀୟ ରାଜପଥ ପ୍ରାକୃତିକ ଭାବେ ଅବରୋଧ ହୋଇଯାଇଥିଲା । ଫଳରେ ଶହ ଶହ ଯାନବାହନ ଦୀର୍ଘ ସମୟ ଧରି ଅଟକି ଯାଇଥିଲା । ବୈପାରିଗୁଡ଼ା-ମାଲକାନଗିରି ୩୨୬ ନମ୍ବର ରାସ୍ତାରେ ମଧ୍ୟ ବାତ୍ୟାର ତାଣ୍ଡବ ଦେଖିବାକୁ ମିଳିଥିଲା । ବିଶାଳକାଳ ଦ୍ରୁମ ଉପୁଡିଯିବାରୁ ଲୋକଙ୍କର ଯାତାତୟ କିଛି ଘଣ୍ଟା ପାଇଁ ଠପ ହୋଇଯାଇଥଲା । ପରେ ଅଗ୍ନିଶମ ବାହିନୀର କର୍ମଚାରୀ ବିଡିଓଙ୍କ ଉପସ୍ଥିତିରେ ଗଛ କାଟି ରାସ୍ତା ସଫା କରିଥିଲେ ।
ଆନ୍ଧ୍ରରେ ୨ ମତ୍ସଜୀବୀ ମୃତ
ସମୁଦ୍ରରେ ବଡ଼ ବଡ଼ ଢେଉ ସାପ ଫଣା ପରି ଉଠିଥିଲା । ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଝଡ଼ ‘ଗୁଲାବ’ ସଂସ୍ପର୍ଶରେ ଆସି ୨ ଜଣ ମତ୍ସଜୀବୀଙ୍କ ମୃତ୍ୟୁ ହୋଇଛି । ଅନ୍ୟ ଜଣେ ମତ୍ସଜୀବୀ ନିଖୋଜ ହୋଇଛନ୍ତି । କିନ୍ତୁ ଅନ୍ୟ ୩ ଜଣ ମତ୍ସଜୀବୀଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରାଯାଇଥିଲା । ଆନ୍ଧ୍ରପ୍ରଦେଶରେ ବାତ୍ୟା କ୍ଷୟକ୍ଷତି ନେଇ ମୁଖ୍ୟ ସଚିବ ଆଦିତ୍ୟ ନାଥ ଦାସ ଓ ଜିଲ୍ଲାପାଳ ଶ୍ରୀକେଶ ବି ଲଠକରଙ୍କ ସହିତ କ୍ରୀଷ୍ଣା ଦାସ ସମୀକ୍ଷା କରିଛନ୍ତି । ଆନ୍ଧ୍ରରେ ପାଖାପାଖି ୨୦୦୦ ଲୋକଙ୍କୁ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଇଥିଲା । କମ ଦିନ ମଧ୍ୟରେ କ୍ଷୟକ୍ଷତିର ରିପୋର୍ଟ ଆସିବ ବୋଲି ଜଣେ ଅଧିକାରୀ ଗଣମାଧ୍ୟମକୁ କହିଛନ୍ତି ।
ଓଡ଼ିଶାରେ ୪୩ ହଜାର ଲୋକଙ୍କୁ ସ୍ଥାନାନ୍ତର
ଓଡ଼ିଶାରେ ବାତ୍ୟା ମୁକାବିଲା ପାଇଁ ରାଜ୍ୟ ସରକାର ବ୍ୟାପକ ପଦକ୍ଷେପ ନେଇଥିଲେ । ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା କହିଛନ୍ତି ଯେ, ରାଜ୍ୟର ୨ରୁ ୩ଟି ସ୍ଥାନରେ ମାଟି ଅତଡ଼ା ଖସଛି । କିନ୍ତୁ ଦକ୍ଷିଣ ଓଡ଼ିଶାର ୨୧ଟି ବ୍ଲକରେ ୫୦ ପ୍ରତିଶତ ଅଧିକ ବର୍ଷା ରେକର୍ଡ ହୋଇଛି । ବାତ୍ୟା ଯୋଗୁଁ ଆନ୍ଧ୍ରପ୍ରଦେଶର କିଛି ସ୍ଥାନରେ ବିଦ୍ୟୁତ ଖୁଣ୍ଟି ଭାଙ୍ଗି ଯାଇଥିବା ବେଳେ ଓଡ଼ିଶାରେ ସେହିଭଳି ପରିସ୍ଥିତି ଦେଖାଯାଇ ନାହିଁ । ଯେଉଁ ସ୍ଥାନରେ ଭୂସ୍ଖଳନ ହୋଇଛି, ତାହା ମରାମତି ହେବ । ତେବେ ରାଜ୍ୟରେ ୪୬ ହଜାର ୭୫ ଜଣ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିଲା । ବର୍ଷା ଯୋଗୁଁ ୧୧ଟି ଜିଲ୍ଲାର ସ୍କୁଲ, କଲେଜ ଓ ବିଶ୍ୱବିଦ୍ୟାଳୟକୁ ବନ୍ଦ ରଖାଯାଇଥିଲା । ସେହିଭଳି ଅନେକ ସ୍ଥାନରେ ଟିକାକରଣ କାର୍ଯ୍ୟକ୍ରମକୁ ସ୍ଥଗିତ ରଖାଯାଇଥିଲା ।