Thursday, June 13, 2024
Homeଧରମ ବାପା: ମନରେ ପାପ ଚିନ୍ତାଧାରା
Array

ଧରମ ବାପା: ମନରେ ପାପ ଚିନ୍ତାଧାରା

ଭୁବନେଶ୍ବର: ଦୁନିଆରେ ଯେତେ ସଂପର୍କ ରହିଛି ସେଥିରୁ ବାପ-ଝିଅ ମଧ୍ୟରେ ଥିବା ସଂପର୍କ ନିଆରା। ଧରମ ବାପ-ଝିଅ ପାଇଁ ମଧ୍ୟ ଏହା ପ୍ରଯୁଜ୍ୟ। ଅବିବାହିତ ଝିଅ ପାଇଁ ସବୁଠାରୁ ତାର ବଡ଼ ପରିଚୟ ହେଉଛି ବାପା। ଅପରପକ୍ଷେ ଜଣେ ପୁରୁଷର ଯଦି ପୁଅ ଓ ଝିଅ ଅଛନ୍ତି, ତା’ହେଲେ ଝିଅ ପାଇଁ ଅଧିକ ଚିନ୍ତିତ ରହିଥାଏ। ଝିଅ ଯେତେବେଳେ ସ୍କୁଲ-କଲେଜ ବା ଅନ୍ୟ କେଉଁଠିକୁ ଯାଇଥାଏ, ତା’ର ଫେରିବା ପର୍ଯ୍ୟନ୍ତ ଚିନ୍ତିତ ରହିଥାଏ। କିନ୍ତୁ କ୍ଷୋଭର ବିଷୟ ଯେ, ଆମ ସମାଜରେ ଏଭଳି କଳଙ୍କିତ ବାପା ଅଛନ୍ତି ସେମାନେ ନିଜକୁ ଧରମ ବାପାର ପରିଚୟ ସୃଷ୍ଟି କରି ମନରେ ଖରାପ ଚିନ୍ତାଧାରା ପ୍ରବେଶ କରାଉଛନ୍ତି। ଅନେକ ଧରମବାପା ମାନେ ଝିଅ ସହିତ ମଧ୍ୟ ଘୃଣ୍ୟକାମ କରିବାକୁ ପଛାନ୍ତି ନାହିଁ।  

ଧରମ ବାପାର ଯୌନଲାଳସା

ବାଲେଶ୍ବର ଜିଲ୍ଲା ଜଳେଶ୍ଵର ପୁଲିସ ଧରମ ଝିଅକୁ ଦୁଷ୍କର୍ମ କରିଥିବା ଅଭିଯୋଗରେ କମର୍ଦ୍ଦା ଥାନା ଉଲୁଡା ଗ୍ରାମର ଅନନ୍ତ ପ୍ରଧାନ (୫୨)ଙ୍କ ନାମରେ ମାମଲା ରୁଜୁ କରିଥିଲା। ୨୫ ବର୍ଷୀୟ ଯୁବତୀ କମର୍ଦ୍ଦା ଥାନା ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କ ଘରେ ରହି ମାସିକ ଦରମାରେ ରୋଷେଇବାସ କରୁଥିଲେ। ସେହି ଘରର ଜଗୁଆଳି ଭାବେ ମଧ୍ୟ ଅନନ୍ତ ନିୟୋଜିତ ଥିଲା। ଅନନ୍ତ ଓ ଭାରତୀ ଗୋଟିଏ ଘର ଭିତରେ ରହୁଥିବାରୁ ଉଭୟଙ୍କ ମଧ୍ୟରେ ଧରମ ବାପ-ଝିଅ ସମ୍ପର୍କ ଗଢ଼ି ଉଠିଥିଲା। ହେଲେ ଏହି ପବିତ୍ର ସମ୍ପର୍କ ଆଡେଇ ଅନନ୍ତ ନିଜ ଯୌନଲାଳସା ଚରିତାର୍ଥ କରିବା ପାଇଁ ଭାରତୀଙ୍କ ଉପରେ ପକାଇଥିଲେ ଲୋଲୁପ ଦୃଷ୍ଟି। ଆଉ ତାଙ୍କ ଇଚ୍ଛା ବିରୋଧରେ ଅନନ୍ତ ଭାରତୀଙ୍କୁ ବାରମ୍ବାର ଦୁଷ୍କର୍ମ କରିଥିଲା। ଅନନ୍ତଙ୍କ ଏପରି ଆଚରଣରେ ଅତିଷ୍ଠ ହୋଇ ଭାରତୀ ଜଳେଶ୍ଵର ଥାନା ନାମ୍ପୋ ଫାଣ୍ଡି ଇଲାକାରେ ଥିବା ନିଜ ଘରକୁ ଚାଲି ଆସିଥିଲେ। ଆଉ ସୋମବାର ନିଜ ବାପାଙ୍କ ସହ ଜଳେଶ୍ଵର ଥାନାକୁ ଯାଇ ଲିଖିତ ଅଭିଯୋଗ କରିଥିଲେ।

ସହଯୋଗ ଆଳରେ ନାବାଳିକା ଉପରେ ନଜର

ସେହିପରି ଗତ ଜୁଲାଇ ମାସ ୨୩ ତାରିଖରେ କମିସନରେଟ ପୁଲିସ ଚନ୍ଦ୍ରଶେଖରପୁର ଥାନା ଅଧୀନ ମହାବୀର ବସ୍ତିର ମାଧବଚନ୍ଦ୍ର ଦଳେଇ(୫୯)କୁ କୋର୍ଟ ଚାଲାଣ କରିଥିଲା। ଅଭିଯୁକ୍ତ ମାଧବ ନାବାଳିକାଟିର ଧରମ ବାପା ବୋଲି ଅଭିଯୋଗରେ ଦର୍ଶାଯାଇଥିଲା। ପୀଡ଼ିତା ନାବାଳିକାଟିର ନିଜ ବାପା ଗତ ବିଛି ବର୍ଷ ପୂର୍ବେ ମୃତ୍ୟୁବରଣ କରିଥିଲେ। ବିଧବା ମହିଳାଙ୍କୁ ସହଯୋଗ କରିବାକୁ ମାଧବ ଆ‌‌ଗେଇ ଆସିବା ସହ ନାବାଳିକାଙ୍କୁ ଧରମ ଝିଅ କରିଥିଲା। ପୀଡ଼ିତା ମଧ୍ୟ ମାଧବକୁ ଧରମ ବାପା ଭଳି ମାନୁଥିଲେ। କିନ୍ତୁ କୌଣସି କାରଣରୁ ମାଧବ ଓ ପୀଡ଼ିତାଙ୍କ ମା’ ମଧ୍ୟରେ ବଚସା ହୋଇଥିଲା। ସେ ଘରେ ନଥିବା ବେଳେ ମାଧବ ନାବାଳିକାଙ୍କୁ ତା’ ନିଜ ଘରକୁ ଡାକି ନେଇ ଜୋର୍‌ଜବରଦସ୍ତ ଦୁଷ୍କର୍ମ କରିଥିଲା। ଘଟଣା ବିଷୟରେ କାହାକୁ କିଛି କହିଲେ, ସେ ତାକୁ ଓ ମା’କୁ ମାଡ଼ ମାରିବ ବୋଲି ଧମକ ଦେଇଥିଲା। କିନ୍ତୁ ପିଲାଟି କାନ୍ଦିକାନ୍ଦି ଘରକୁ ଫେରିବା ପରେ ମା’ଙ୍କୁ ସବୁ କଥା କହିଥିଲା। କଥା ପ୍ରଘଟ ହେବା ପରେ ମାଧବ କିଛି ଟଙ୍କା ଦେଇ ଘଟଣାକୁ ଚାପି ଦେବା ପାଇଁ ଉଦ୍ୟମ କରିଥିଲା। କିନ୍ତୁ ନିଜ ବାପା ଭଳି ମାନୁଥିବା ମାଧବର କୁତ୍ସିତ କାଣ୍ଡକୁ ନେଇ ପୀଡ଼ିତା ବୁଝିନଥିଲେ।

୧୨ ବର୍ଷ ବୟସର ଧରମ ଝିଅକୁ ଛାଡ଼ିଲାନି ବାପା

ଗତ ମେ’ ମାସ ୧୬ ତାରିଖରେ ଉତ୍ତର ପ୍ରଦେଶର ସମ୍ବଲ ଜିଲ୍ଲା ଅଧୀନ ଆସମୋଲି ପୁଲିସ ଥାନା ଅଞ୍ଚଳରେ ୧୨ ବର୍ଷୀୟ ନାବାଳିକାକୁ ଧରମ ବାପା ଦୁର୍ଷ୍କମ କରିଥିବା ନେଇ ଜଣାପଡ଼ିଥିଲା। ଗଣମାଧ୍ୟମକୁ ପୁଲିସ କହିଥିଲା ଯେ, ଜଣେ ମହିଳା ନିଜ ପ୍ରଥମ ସ୍ବାମୀଙ୍କର ମୃତ୍ୟୁ ପରେ ଦ୍ବିତୀୟ ବିବାହ କରିଥିଲେ। କିନ୍ତୁ ମହିଳା ଜଣକ ଦ୍ବିତୀୟ ବିବାହ କରିଥିଲେ ବି ପ୍ରଥମ ସ୍ବାମୀଙ୍କ ଘରେ ରହୁଥିଲେ। ଫଳରେ ଦ୍ବିତୀୟ ସ୍ବାମୀ ମଧ୍ୟ ତାଙ୍କ ସହିତ ରହୁଥିଲେ। ଏକଦା ମହିଳା ଜଣକ ବାହାରକୁ କାମ କରିବାକୁ ଯାଇଥିଲା ବେଳେ ୧୨ ବର୍ଷ ବୟସର ଧରମ ଝିଅକୁ ଏକାକୀ ପାଇଁ ତାଙ୍କର ଦ୍ବିତୀୟ ସ୍ବାମୀ ଦୁଷ୍କର୍ମ କରିଥିଲା। ମହିଳ ଜଣକ ଘରକୁ ଫେରିବା ପରେ ତାଙ୍କୁ ଝିଅ ସବୁ କଥା କହିଥିଲା। ଅଭିଯେଗ ପରେ ଅଭିଯୁକ୍ତକୁ ପୁଲିସ  ଗିରଫ କରିଥିଲା।

ଯୁବକଙ୍କୁ ୪୦ ବର୍ଷ ଜେଲଦଣ୍ଡ

କେରଳର ଇଡୁକ୍କୀ ଫାଷ୍ଟ ଟ୍ରାକ୍‌ କୋର୍ଟର ଜଜ ଟିଜି ଭର୍ଗିସ ଗତ ଜାନୁଆରି ମାସରେ ଜଣେ ୪୧ ବର୍ଷୀୟ ଯୁବକଙ୍କୁ ୧୫ ବର୍ଷୀୟ ସାବତ ଝିଅକୁ ଦୁଷ୍କର୍ମ ଆଇପିସିର ବିଭିନ୍ନ ଦଣ୍ଡ ବିଧାନ ଅନୁଯାୟୀ ୪୦ ବର୍ଷ ଜେଲଦଣ୍ଡ ନିର୍ଦ୍ଦେଶ ଦେଇଥଲେ। ଅଭିଯୁକ୍ତ ସାବତ ଝିଅକୁ ବଳପୂର୍ବକ ଶାରୀରିକ ସଂପର୍କ ରଖି ଗର୍ଭବତୀ କରିଥିଲେ ଏବଂ ପରେ ନାବାଳିକାର ଗର୍ଭପାତ କରାଇଥିଲେ। ଏଥି ସହିତ କୋର୍ଟ‌ ଦୋଷୀଙ୍କ ଉପରେ ୧ ଲକ୍ଷ ଜରିମାନା ଲଗାଇବା ସହିତ ଜିଲ୍ଲା ଆଇନ ସେବା କର୍ତ୍ତୃପକ୍ଷଙ୍କୁ ପୀଡିତାଙ୍କ ଥଇଥାନ ପାଇଁ ୫୦ ହଜାର ଟଙ୍କା ସହାୟତା ଦେବାକୁ ନିର୍ଦ୍ଦେଶ ଦେଇଥିଲେ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments