ଭୁବନେଶ୍ବର: କ୍ୟାଲେଣ୍ଡର ବର୍ଷ-୨୦୨୩ ଶେଷ ହେବାକୁ ଯାଉଥିବା ବେଳେ ବିଦ୍ୟାଳୟଗୁଡ଼ିକରେ ଶୀତକାଳୀନ ଅବକାଶ ଡିସେମ୍ବର ୨୫ରୁ ଆରମ୍ଭ ହୋଇଯାଇଛି। ରବିବାର ଡିସେମ୍ବର ୨୪ ଓ ଡିସେମ୍ବର ୨୫ରେ ଅବକାଶ ଥିବାରୁ ତୀର୍ଥ ଓ ପର୍ଯ୍ୟଟନସ୍ଥଳୀଗୁଡ଼ିକରେ ତୀର୍ଥଯାତ୍ରୀ ଓ ପର୍ଯ୍ୟଟକମାନଙ୍କର ଭିଡ଼ ଦୃଷ୍ଟିଗୋଚର ହେଉଛି। ଲୋକମାନେ ଛୁଟି ବିତାଇବାକୁ ପ୍ରଭୁଙ୍କ ଶରଣ ଅଥବା ଚିତ୍ତବିନୋଦନ ସ୍ଥଳକୁ ଚୟନ କରିଛନ୍ତି। ଓଡ଼ିଶା ସମେତ ଦେଶର ପ୍ରମୁଖ ତୀର୍ଥସ୍ଥଳ ଓ ପର୍ଯ୍ୟଟନସ୍ଥଳରେ ଏବେ ଭାରତ ଗହଳି ଦେଖିବାକୁ ମିଳୁଛି।
ଓଡ଼ିଶାରେ ରବିବାର ଓ ସୋମବାର ଦିନ ପୁରୀ ଶ୍ରୀମନ୍ଦିର, ଭୁବନେଶ୍ବରର ପ୍ରଭୁ ଲିଙ୍ଗରାଜ, କେନ୍ଦୁଝରର ତାରିଣୀ, ଗଂଜାମର ତାରାତାରିଣୀ, ଢେଙ୍କାନାଳର କପିଳାଶ, ସମ୍ବଲପୁର ଘଣ୍ଟେଶ୍ବରୀ, ବରଗଡ଼ର ନୃସିଂହନାଥ, ବଲାଙ୍ଗୀରର ହରିଶଙ୍କରରେ ଶ୍ରଦ୍ଧାଳୁମାନେ ଭିଡ଼ ଲଗାଇଛନ୍ତି। ସେହିପରି ପୁରୀ ଗୋଲ୍ଡେନ୍ ବେଳାଭୂମି, ଚନ୍ଦ୍ରଭାଗା, ଚାନ୍ଦିପୁର ବେଳାଭୂମି, ଗୋପାଳପୁର ବେଳାଭୂମିରେ କୋଣାର୍କ, ନନ୍ଦନକାନନ, ଧଉଳି, ଖଣ୍ଡଗିରି, ଉଦୟଗିରି, ବଡ଼ଘାଗରା, ସାନଘାଗରା, ମୟୂରଭଂଜର ଶିମିଳିପାଳ ଅଭୟାରଣ୍ୟ, କେନ୍ଦ୍ରାପଡ଼ାର ଭିତରକନିକା, ଚିଲିକା, ସମ୍ବଲପୁରର ଗାନ୍ଧୀମିନାର, ନେହରୁ ମିନାର, କୁଲଡିହା ଅଭୟାରଣ୍ୟ, ଗଜପତିର ଜିରାଙ୍ଗ, ଗଣ୍ଡାହାତୀ, କନ୍ଧମାଳର ଜି.ଉଦୟଗିରି ଓ ଦାରିଙ୍ଗବାଡ଼ିରେ ପର୍ଯ୍ୟଟକମାନଙ୍କର ନାହିଁ ନଥିବା ଭିଡ଼ ହୋଇଛି।
୨୦୨୩କୁ ସ୍ମରଣୀୟ ରଖିବାକୁ ପ୍ରୟାସ
ବର୍ଷ ଶେଷ ହେବାକୁ ଯାଉଥିବାରୁ ଯୁବପିଢ଼ି ଏବେ ବଣଭୋଜିସ୍ଥଳୀରେ ଭିଡ଼ ଜମାଉଛନ୍ତି। ସକାଳ ୭ଟା ହେବା ମାତ୍ରେ ବଣଭୋଜି ଟିମ୍ ପହଞ୍ଚି ଯାଉଛନ୍ତି। ରାଜ୍ୟର ଜଣାଶୁଣା ଭୋଜିସ୍ଥଳିରେ ଶହଶହ ଦଳ ଦେଖିବାକୁ ମିଳୁଛି। ଏଥିରେ ସାମିଲ ରହିଛି, ଭୁବନେଶ୍ବର ନନ୍ଦନକାନନ, ଉଦ୍ଭିଦ ଉଦ୍ୟାନ, ଧଉଳି, ଜୟଦେବ ବାଟିକା, ମେରାଇନ ଡ୍ରାଇଭ୍, ହୀରାକୁଦ, ପ୍ରଧାନପାଟ, ଫୁର୍ଲିଝରଣ, ପତରୋ ଡ୍ୟାମ, ବରେଇପାଣି, ସପ୍ତଶର୍ଯ୍ୟା, ଦାରିଙ୍ଗବାଡ଼ି ଭଳି ସ୍ଥାନରେ ବଣଭୋଜି ପାଇଁ ଶହଶହ ଦଳ ପହଞ୍ଚୁଛନ୍ତି। ଏତଦ ବ୍ୟତୀତ ଗ୍ରାମାଞ୍ଚଳର ଲୋକେ ନିଜ ଅଞ୍ଚଳରେ ଥିବା ଜଳାଶୟ ଓ ଜଙ୍ଗଲ ଭିତରେ ମଧ୍ୟ ଭୋଜିଭାତ କରି ୨୦୨୩କୁ ସ୍ମରଣୀୟ ରଖିବା ପାଇଁ ଉଦ୍ୟମ କରୁଛନ୍ତି।
ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀରେ ଲକ୍ଷାଧିକ ଲୋକଙ୍କ ସମାଗମ
ଦୈନନ୍ଦିନ କାର୍ଯ୍ୟରୁ ବିରତି ନେଇ ମଧ୍ୟବିତ୍ତ ଓ ଧନି ପରିବାରର ଅନେକ ଲୋକେ ଘର ଛାଡ଼ି ବାହାରକୁ ଛୁଟି ମନାଇବାକୁ ଯାଉଛନ୍ତି। କିଛି ଲୋକ ରାଜ୍ୟ ଭିତରେ ଥିବା ଦର୍ଶନୀୟ ସ୍ଥାନ ଅଥବା ପର୍ଯ୍ୟଟନ ସ୍ଥାନରେ ଭିଡ଼ ଲଗାଉଥିବା ବେଳେ ଆଉ କିଛି ଲୋକ ରାଜ୍ୟ ବାହାରକୁ ମଧ୍ୟ ଯାଉଛନ୍ତି। ନୂଆବର୍ଷ ପୂର୍ବରୁ ଦିଲ୍ଲୀ, କୋଲକାତା, ମୁମ୍ବାଇ, ଚେନ୍ନାଇ, ବେଙ୍ଗାଲୁରୁ, ହାଇଦ୍ରାବାଦ, ଆଗ୍ରା, ବାରାଣସୀ, ଶିରିଡି ସାଇ, ଉଜ୍ଜୟିନୀ, ଦ୍ବାରକା, ଜୟପୁର, ଉଦୟପୁର, ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକରେ ବାହାର ରାଜ୍ୟର ଲୋକଙ୍କର ସମାଗମ ଦେଖିବାକୁ ମିଳୁଛି। ଶୀତକାଳୀନ ଅବକାଶ ସମୟରେ କିଛି ଦର୍ଶନୀୟ ଓ ପର୍ଯ୍ୟଟନ ସ୍ଥାନରେ ଲକ୍ଷାଧିକ ଲୋକଙ୍କର ସମାଗମ ହେଉଥିବା ନଜରି ରହୁଛି।
ମହାକାଶ୍ବେରରେ ୩ ଲକ୍ଷ ଶ୍ରଦ୍ଧାଳୁ
ବିଶ୍ବ ପ୍ରସିଦ୍ଧ ଜ୍ୟୋତର୍ଲିଙ୍ଗ ମହାକାଳ ମନ୍ଦିରରେ ବଡ଼ଦିନ ଓ ନୂଆବର୍ଷ ଯୋଗୁଁ ଶ୍ରଦ୍ଧାଳୁମାନଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଶନିବାର, ରବିବାର ଓ ସୋମବାର ଛୁଟି ଥିବାରୁ ଶ୍ରଦ୍ଧାଳୁମାନଙ୍କର ସଂଖ୍ୟା କ୍ରମାଗତ ଭାବେ ବଢ଼ିବାରେ ଲାଗିଛି। କେବଳ ରବିବାର ଦିନ ୩ ଲକ୍ଷରୁ ଅଧିକ ଭକ୍ତ ସମାଗମ ହୋଇଥିଲେ। ଶ୍ରଦ୍ଧାଳୁଙ୍କ ଭିଡ଼କୁ ଦୃଷ୍ଟିରେ ରଖି ମହାକାଳେଶ୍ବର ମନ୍ଦିରରେ ସୁରକ୍ଷା ବଳ ସଂଖ୍ୟା ବଢ଼ାଇ ଦିଆଯାଇଛି। ଏହା ବ୍ୟତୀତ ପୁଲିସ ତରଫରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଅଧିକାରୀମାନଙ୍କ କହିବା ଅନୁସାରେ ଏଠାରେ ଶ୍ରଦ୍ଧାଳୁଙ୍କ ଭିଡ଼ ଆସନ୍ତା ଜାନୁଆରି ୫ ପର୍ଯ୍ୟନ୍ତ ରହିବ। କେବଳ ମହାକାଳେଶ୍ବର ନୁହେଁ। ଉତ୍ତରପ୍ରଦେଶର ବୃନ୍ଦାବନସ୍ଥିତ ବାଙ୍କେ ବିହାରୀ ମନ୍ଦିରରେ ରବିବାର ଶ୍ରଦ୍ଧାଳୁମାନଙ୍କର ପ୍ରବଳ ଭିଡ଼ ହୋଇଥିଲେ। ଦଳାଚକଟାରେ ୨ ଜଣ ଶ୍ରଦ୍ଧାଳୁଙ୍କର ମୃତ୍ୟୁ ହୋଇଥିଲା।