ଭୁବନେଶ୍ୱର: ଖରିଫ ଋତୁର ଚାଷ କାମ ଆରମ୍ଭ ହୋଇଯାଇଛି । ରାଜ୍ୟର କିଛି ଜିଲ୍ଲାରେ ଧାନ ବୁଣା ଆରମ୍ଭ ହୋଇଛି । ଜୁନ ପ୍ରଥମ ସପ୍ତାହ ଅର୍ଥାତ ଏହାର ପୂର୍ବରୁ ଯେଉଁ ସ୍ଥାନଗୁଡ଼ିକରେ ଧାନ ବୁଣା ହୋଇଥିଲା, ସେହି ସ୍ଥାନଗୁଡ଼ିକରେ ଧାନଗଛ ସବୁଜ ଦେଖାଯାଉଛି । ଗଂଜାମ, କୋରାପୁଟ, ଗଜପତି, ମାଲକାନଗିରି ଜିଲ୍ଲାର କିଛି ସ୍ଥାନରେ ଧାନଗଛ ଗୁଡ଼ିକ ୪ ଇଂଚ ଅଥବା ଏହାଠାରୁ ବଡ଼ ହୋଇଗଲାଣି । ବର୍ଷା ଅଭାବରୁ ଖେତରେ ପାଣି ନଥିବାରୁ ଚାଷୀମାନଙ୍କର ଚିନ୍ତା ବଢ଼ିଯାଇଛି । କିନ୍ତୁ ଆହୁରି ଅନେକ ସ୍ଥାନରେ ଚାଷ କାମ ଆରମ୍ଭ କରାଯାଇ ପାରିନାହିଁ । ଧାନ ବୁଣା କାମ ଅଟକିବାର କାରଣ ହେଉଛି ଅସ୍ୱାଭାବିକ ବର୍ଷା । ଧାନ ରୁଆ ପାଇଁ ବର୍ଷା ଅଭାବ କାରଣରୁ ଚାଷୀ ତଳି ପକାଇପାରୁ ନାହାନ୍ତି ।
ଓଡ଼ିଶାରେ ଚଳିତ ବର୍ଷ ଠିକ ସମୟରେ ମୌସୁମୀ ପ୍ରବେଶ କରିଥିଲା । ଭୁବନେଶ୍ୱରସ୍ଥିତ ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର କହିବା ଅନୁସାରେ ଜୁନ ମାସରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ହୋଇଛି । କିନ୍ତୁ ରାଜ୍ୟବ୍ୟାପୀ ଆବଶ୍ୟକ ଅନୁସାରେ ବର୍ଷା ହୋଇ ନାହିଁ । କିଛି ସ୍ଥାନରେ ଆବଶ୍ୟକତା ଠାରୁ ଅଧିକ ହୋଇଥିବା ବେଳେ, ଅନ୍ୟ କିଛି ସ୍ଥାନରେ ବହୁତ କମ ବର୍ଷା ହୋଇଛି । ଖୋର୍ଦ୍ଧା, ନୟାଗଡ଼, ଗଂଜାମ, ଗଜପତି ଓ ରାୟଗଡ଼ା ଜିଲ୍ଲା ସମେତ ରାଜ୍ୟର ୮୫ଟି ବ୍ଲକରେ କମ ବର୍ଷା ହୋଇଛି । ଫଳରେ ଚାଷୀମାନେ ସେମାନେ ଚାଷ କାମ ଆରମ୍ଭ କରିପାରି ନାହାନ୍ତି ।
ଆଗେଇ ପାରୁନି ଚାଷ କାମ
ରାଜ୍ୟର ଅଧିକାଂଶ ସ୍ଥାନରେ ଆବଶ୍ୟକତା ଠାରୁ ଅଧିକ ବର୍ଷା ରେକର୍ଡ ହୋଇଛି । ବର୍ଷା ଅତ୍ୟଧିକ ହେବା ଯୋଗୁଁ ଚାଷ କାମ ଆରମ୍ଭ ହୋଇପାରୁ ନାହିଁ । ଧାନ ବୁଣିବା ପାଇଁ ଖେତ ଶୁଖିଲା ଅଥବା ସଂପୂର୍ଣ୍ଣ କାଦୁଅ ଥିଲେ ଭଲ । କିନ୍ତୁ ଜମିରେ ପାଣି ଭର୍ତ୍ତି ହୋଇ ରହୁଥିବାରୁ ଅଥବା ଧାନ ବୁଣିବାରେ ଅସୁବିଧା ହେଉଛି । ମଝିରେ ମଝିରେ ବର୍ଷା ହୋଇଯାଉଥିବାରୁ ଚାଷ କାମରେ ବାଧା ପହଂଚୁଛି ଓ ଚାଷ କାମ ଆଗେଇ ପାରୁ ନାହିଁ । ରାଜ୍ୟର ଅଧିକାଂଶ ଚାଷୀ ରଜ ପର୍ବ ଶେଷ ଦିନ ଅର୍ଥାତ ବସୁମତୀ ସ୍ନାନ ଅବସରରେ ଧାନ ବୁଣିବା କାମ ଆରମ୍ଭ କରିଥାନ୍ତି । ଚଳିତ ବର୍ଷ କିନ୍ତୁ ରଜ ପୂର୍ବରୁ ବର୍ଷା ଓ ପରେ ବର୍ଷା ହୋଇଥିବାରୁ ଧାନ ବୁଣିବା ପାଇଁ ପାଗ ଉପଯୁକ୍ତ ହୋଇପାରୁ ନାହିଁ ।
ବର୍ଷା ହେଉଛି, ଚାଷପଯୋଗୀ ନୁହେଁ
ରାଜ୍ୟରେ ଜୁନ ମାସରେ ହାରାହାରି ବର୍ଷା ୨୨୧ ମିମି ହୋଇଥାଏ । କିନ୍ତୁ ଚଳିତ ବର୍ଷ ଜୁନ ମାସର ୨୦ ଦିନ ମଧ୍ୟରେ ୧୩୧ ମିମି ବର୍ଷା ରେକର୍ଡ ହୋଇସାରିଛି । ମାସ ଶେଷ ହେବାକୁ ଆହୁରି ୧୦ ଦିନ ଥିବା ବେଳେ ପୂର୍ବ ବର୍ଷର ବାର୍ଷିକ ହାରାହାରି ରେକର୍ଡ ଏଥର ଅତିକ୍ରମ କରିବାର ଆଶଙ୍କା ରହୁଛି । ରାଜ୍ୟରେ ବର୍ଷା ହେଉଛି, କିନ୍ତୁ ଚାଷପଯୋଗୀ ହୋଇପାରୁ ନାହିଁ । କିଛି ସ୍ଥାନରେ ବର୍ଷାର ଅଭାବ ଦେଖାଯାଉଥିବା ବେଳେ ଅନ୍ୟ କିଛିସ୍ଥାନରେ ଅତ୍ୟଧିକ ବୃଷ୍ଟି ଚାଷ ପାଇଁ ସମସ୍ୟା ସୃଷ୍ଟି କରୁଛି ।
ସୋନପୁରରେ ସର୍ବାଧିକ ବର୍ଷା
ଏପର୍ଯ୍ୟନ୍ତ ରାଜ୍ୟର ସମ୍ବଲପୁର ଜିଲ୍ଲାର କୁଚିଣ୍ଡା, କେରାପୁଟ ଜିଲ୍ଲାର କୋଟପାଡ଼ ଓ ସୋନପୁରରେ ସର୍ବାଧିକ ବର୍ଷା ରେକର୍ଡ କରାଯାଇଛି । ଗଂଜାମ, ରାୟଗଡ଼ା, ଖୋର୍ଦ୍ଧା, ପୁରୀ, କନ୍ଧମାଳ, ମୟୂରଭଂଜ, ଭଦ୍ରକ, କେନ୍ଦୁଝର, କଳାହାଣ୍ଡି ଓ ଅନୁଗୁଳ ଜିଲ୍ଲାରେ ବର୍ଷା କମ ହୋଇଛି । ଜୁନ ୨୧ ତାରିଖ ଠାରୁ ରାଜ୍ୟରେ ବର୍ଷା ଆରମ୍ଭ ହୋଇଯିବ । ରାଜ୍ୟର କିଛି ସ୍ଥାନରେ ଜୁନ ୨୧ ତାରିଖରେ ଘଡ଼ଘଡ଼ି ସହ ବର୍ଷା ହୋଇଛି । ତେଣୁ ଯାହା ସୂଚନା ମିଳୁଛି ୨୨ ତାରିଖ ବେଳକୁ ବର୍ଷା ଆହୁରି ବଢ଼ିପାରେ ।