ଭୁବନେଶ୍ବର: ବିଧାୟକ ବିଷ୍ଣୁ ସେଠୀଙ୍କ ପରଲୋକ ପରେ ୨୦୨୨ ନଭେମ୍ବର ୩ ତାରିଖରେ ଭଦ୍ରକ ଜିଲ୍ଲା ଧାମନଗର ଉପନିର୍ବାଚନ ପାଇଁ ମତଦାନ ହେବ। ଏଠାକାର ମତଦାତା ନିଜ ଅଞ୍ଚଳର ବିକାଶ ପାଇଁ ନୂଆ ବିଧାୟକ ବାଛିବେ। ବିଷ୍ଣୁ ସେଠୀଙ୍କ ଭଳି ଟାଣୁଆ ବିଧାୟକ ବାଛିବେ। ଏହି ଉପନିର୍ବାଚନ ପାଇଁ ନେତାମାନେ ସେମାନଙ୍କର ପ୍ରାର୍ଥୀପତ୍ର ଦାଖଲ କରିସାରିଛନ୍ତି। ଶାସକ ବିଜେଡି ପକ୍ଷରୁ ଅବନ୍ତୀ ଦାସ, ବିଜେପିରୁ ସୂର୍ଯ୍ୟବଂଶୀ ସୂରଜ ଓ କଂଗ୍ରେସରୁ ବାବା ହରେକୃଷ୍ଣ ସେଠୀ ନିର୍ବାଚନ ପଡ଼ିଆରେ ଅବତୀର୍ଣ୍ଣ ହୋଇଛନ୍ତି। ଏହି ତିନି ନେତାଙ୍କୁ ଟକ୍କର ଦେବାକୁ ବାହାରିଛନ୍ତି ରାଜେନ୍ଦ୍ର କୁମାର ଦାସ। ଏହି ଆସନକୁ ହାତେଇବା ପାଇଁ ନେତାମାନେ ଜୋରଦାର ଉଦ୍ୟମ ଆରମ୍ଭ କରିଦେଇଛନ୍ତି।
ରାଜ୍ୟ ରାଜନୀତିରେ ଧାମନଗର ବିଧାନସଭା ନିର୍ବାଚନ ମଣ୍ଡଳୀର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ଏହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇ ବିଧାୟକମାନେ ଅତୀତରେ ବିଧାନସଭାରେ ଚର୍ଚ୍ଚାକୁ ଆସିଛନ୍ତି। ସ୍ବର୍ଗତଃ ବିଷ୍ଣଚରଣ ସେଠୀ କେବଳ ଏକା ନୁହଁନ୍ତି। ରାଜେନ୍ଦ୍ର ଦାସ, ମୁକ୍ତିକାନ୍ତ ମଣ୍ଡଳ, ପ୍ରଭାତ ତ୍ରିପାଠୀ ମଧ୍ୟ ଏହି ନିର୍ବାଚନ ମଣ୍ଡଳୀରୁ ବିଧାୟକ ହୋଇପାରିଛନ୍ତି। ବିଜେଡି ଟିକେଟରେ ୨୦୦୦ ମସିହା ବିଧାନସଭା ନିର୍ବାଚନରେ ପ୍ରଭାତ ତ୍ରିପାଠୀ, ୨୦୦୯ରେ ରାଜେନ୍ଦ୍ର ଦାସ ଓ ୨୦୧୪ରେ ମୁକ୍ତିକାନ୍ତ ମଣ୍ଡଳ ଜିତିଥିଲେ। ୨୦୦୪ରେ କଂଗ୍ରେସର ଦେବାଶିଷ ପଟ୍ଟନାୟକ ଓ ୨୦୧୯ରେ ବିଜେପିର ବିଷ୍ଣୁସେଠୀ ବିଜୟୀ ହୋଇଥିଲେ। ତେବେ ୨୦୨୨ର ଏହି ଉପନିର୍ବାଚନରେ ମତଦାତା କାହାକୁ ଗ୍ରହଣ କରୁଛନ୍ତି, ତାହା ଦେଖିବାର ସମୟ ଆସିଛି। କାରଣ ରାଜନୈତିକ କ୍ଷେତ୍ରରେ ଏହି ଅବନ୍ତୀ ଦାସ, ସୂର୍ଯ୍ୟବଂଶୀ ସୂରଜ ଓ ବାବା ହରେକୃଷ୍ଣ ସେଠୀ ରାଜେନ୍ଦ୍ର ଦାସଙ୍କ ତୁଳନାରେ କମ ଅଭିଜ୍ଞତା ରହିଛି। ତେଣୁ ଧାମନଗର ଉପନିର୍ବାଚନ ଲଢ଼େଇ ବେଶ ରୋଚକ ହେବ ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି।
୧୯ ବର୍ଷରେ ୩ ଥର ବିଜେଡି
ବିଗତ ୧୨ ବର୍ଷର ରେକର୍ଡ ଦେଖିବା ଯଦି ଧାମନଗର ବିଧାନସଭା ନିର୍ବାଚନରେ ରାଜେନ୍ଦ୍ର ଦାସ ହେଉଛନ୍ତି ଜଣେ ଚିହ୍ନା ମୁହଁ। କାରଣ ବିଗତ ଦିନରେ ସେ ୨ ଥର ନିର୍ବାଚନରେ ଅବତୀର୍ଣ୍ଣ ହୋଇଛନ୍ତି। ୨୦୧୯ ନିର୍ବାଚନରେ ବିଷ୍ଣୁସେଠୀ ୮୦,୧୧୧ ଖଣ୍ଡ ଭୋଟ ପାଇ ନିର୍ବାଚନ ଜିତିଥିଲେ। ସେହି ସମୟରେ ରାଜେନ୍ଦ୍ରଙ୍କୁ ୭୫,୪୮୬ ଖଣ୍ଡ ଭୋଟ ମିଳିଥିଲା। ବିଷ୍ଣୁ ସେଠୀ ୪୬୨୫ ଖଣ୍ଡ ଭୋଟ ବ୍ୟବଧାନରେ ନିର୍ବାଚନ ଜିତିଥିଲେ। ରାଜେନ୍ଦ୍ର ୨୦୦୯ ନିର୍ବାଚନରେ ୪୮,୪୨୪ ଖଣ୍ଡ ଭୋଟ ପାଇଥିଲେ। ସେ ବିଷ୍ଣୁ ସେଠୀଙ୍କୁ ୪୯୪୪ ଖଣ୍ଡ ଭୋଟ ବ୍ୟବଧାନରେ ଜିତିଥିଲେ। ବିଷ୍ଣୁଙ୍କୁ ୪୩,୪୮୦ ଖଣ୍ଡ ଭୋଟ ମିଳିଥିଲା। କିନ୍ତୁ ଏହା ପରେ ବି ବିଜେଡିରୁ ସେ ୨୦୧୪ ନିର୍ବାଚନରେ ଟିକେଟ ପାଇପାରି ନଥିଲେ। ବିଜେଡି ରାଜେନ୍ଦ୍ରଙ୍କ ବଦଳରେ ମୁକ୍ତିକାନ୍ତ ମଣ୍ଡଳଙ୍କୁ ଟିକେଟ ଦେଇଥିଲା। ମୁକ୍ତିକାନ୍ତ ୭୧୫୩୮ ଖଣ୍ଡ ଭୋଟ ପାଇଁ ୯୧୯୨ ଖଣ୍ଡ ଭୋଟ ବ୍ୟବଧାନରେ ବିଷ୍ଣୁ ସେଠୀଙ୍କୁ ପରାସ୍ତ କରିଥିଲେ।
ଆଖିରୁ ବାହାରିଗଲା ଲୁହ
ରାଜେନ୍ଦ୍ର ଦାସ ବିଜେଡିର ସ୍ଥାନୀୟ ବରିଷ୍ଠ ନେତା ହୋଇଥିଲେ ମଧ୍ୟ ଗତଥର ବିଜେଡି ତାଙ୍କୁ ଟିକେଟ ଦେଲା ନାହିଁ। ଚଳିତ ଥର ସେ ବିଜେଡିରୁ ଟିକେଟ ପାଇବେ ବୋଲି ବଡ଼ ଆଶା କରିଥିଲେ। ତାଙ୍କୁ ଟିକେଟ ନ ମିଳିବା ପରେ ତାଙ୍କ ସମର୍ଥକମାନେ ମଧ୍ୟ ଘୋର ଅସନ୍ତୋଷ ଦେଖାଯାଇଛନ୍ତି। ଅତୀତରେ ସ୍ଥାନୀୟ ଲୋକେ ବହୁ ସମର୍ଥନ କରିଥିବାରୁ ବିଜେଡି ଟିକେଟ ନ ପାଇବା ପରେ ଶେଷରେ ସେ ବାଧ୍ୟ ହୋଇ ସ୍ବାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ କରିଛନ୍ତି। ବିଜେଡି ଏଠାରେ ମହିଳା କାର୍ଡ ଖେଳି ତିହିଡ଼ି ପଞ୍ଚାୟତ ସମିତି ଅଧ୍ୟକ୍ଷ ଅବନ୍ତୀ ଦାସଙ୍କୁ ଟିକେଟ ଦେଇଛି। ବିଜେଡିରୁ ଟିକେଟ ନ ପାଇବା ପରେ ରାଜୁ ଦାସ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ସାମାଜିକ ଗଣମାଧ୍ୟମରେ ଏନେଇ ଚର୍ଚ୍ଚା ହେବା ପରେ ଗଣମାଧ୍ୟମର ପ୍ରତିନିଧିମାନେ ରାଜୁଙ୍କ ପାଖକୁ ଯେତେବେଳେ ପ୍ରତିକ୍ରିୟା ନେବାକୁ ଯାଇଛନ୍ତି, ରାଜୁ ଆବେଗପୂର୍ଣ୍ଣ ଭାବରେ ଆଖି ଛଳଛଳ କରି ଲୁହ ଗଡ଼ାଇଛନ୍ତି।
ବିଜେଡି ହାତକୁ ଆସିବ କି ଧାମନଗର
ଧାମନଗର ଉପନିର୍ବାଚନ ମଣ୍ଡଳୀରେ ଉଭୟ ଭାରତୀୟ ଜନତା ପାର୍ଟି (ବିଜେପି) ଓ ରାଜେନ୍ଦ୍ର ଦାସଙ୍କ ପ୍ରଭାବ ରହିଛି। ଅତୀତରେ ବିଜେପି ଓ ରାଜେନ୍ଦ୍ରଙ୍କୁ ଏଠାରେ ମତଦାତା ସମର୍ଥନ ଦେଇଛନ୍ତି। କିନ୍ତୁ ଉପନିର୍ବାଚନରେ ଯଦି ବିଜେଡିର ରେକର୍ଡ ଦେଖିବା, ତା’ହେଲେ ଧାମନଗରରେ ମଧ୍ୟ ବିଜେଡି ନିର୍ବାଚନ ଜିତିପାରେ। କାରଣ ବିଜେପୁର, ବାଲେଶ୍ବର ସଦର, ପିପିଲି, ତିର୍ତ୍ତୋଲ ଆଦି ସ୍ଥାନରେ ବିଜେଡି ନିର୍ବାଚନ ଜିତିଛି।