Saturday, September 14, 2024
Homeଖବରପ୍ରମୁଖ ଖବରଧାରା ୩୭୦: ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ

ଧାରା ୩୭୦: ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ

ନୂଆଦିଲ୍ଲୀ: ଭାରତର ମୁକୁଟ ‘ଜମ୍ମୁ-କାଶ୍ମୀର’ରୁ ଧାରା ୩୭୦ ଉଚ୍ଛେଦ ହେବା ସ୍ବଷ୍ଟ ହୋଇଯାଇଛି। ଜମ୍ମୁ-କଶ୍ମୀରକୁ ସ୍ବତନ୍ତ୍ର ସୁବିଧା ସୁଯୋଗକୁ ପ୍ରଦାନ କରୁଥିବା ଭାରତୀୟ ସମ୍ବିଧାନର ଧାରା ୩୭୦ର ଉଚ୍ଛେଦ ପାଇଁ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ସୁପ୍ରିମକୋର୍ଟ ଉଚିତ ଦର୍ଶାଇଛନ୍ତି। ଐତିହାସିକ ରାୟ ଦେଇ ସୁପ୍ରିମକୋର୍ଟ କହିଛନ୍ତି ଯେ ଧାରା ୩୭୦ ଏକ ଅସ୍ଥାୟୀ ପଦକ୍ଷେପ ଥିଲା। ତେଣୁ ଏହାର ଉଚ୍ଛେଦ ସାମ୍ବିଧାନିକ ଦୃଷ୍ଟିରୁ ସଂପୂର୍ଣ୍ଣ ରୂପେ ବୈଧ। ୩୭୦ ଧାରା ଉଚ୍ଛେଦ ଲାଗି ରାଷ୍ଟ୍ରପତି ନିଷ୍ପତ୍ତି ନେଇପାରିବେ। ସୁପ୍ରିମକୋର୍ଟଙ୍କ ଏହି ରାୟକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ଅନ୍ୟ ନେତାମାନେ ସ୍ବାଗତ କରିଥିବା ବେଳେ କଶ୍ମୀରୀ ନେତାମାନେ ଅସନ୍ତୋଷ ଦେଖାଯାଇଛନ୍ତି।

ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ଲାଗି କେନ୍ଦ୍ର ସରକାର ୨୦୧୯ ଅଗଷ୍ଟ ୫ ତାରିଖରେ ନିଷ୍ପତ୍ତି ନେଇଥିଲେ। ଏହା ପରଠାରୁ ଏହାକୁ ନେଇ ବିତର୍କ ଲାଗି ରହିଛି। ୩୭୦ ଉଚ୍ଛେଦକୁ ବିରୋଧ କରି ଆଗତ ଏକାଧିକ ପିଟିସନ ଉପରେ ଶୁଣାଣି କରି ପ୍ରଧାନବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ୫ ଜଣିଆ ସମ୍ବିଧାନ ପୀଠ  ସର୍ବସମ୍ମତ ରାୟ ଶୁଣାଇଛନ୍ତି। ଏହା ସହିତ ଭାରତର ନିର୍ବାଚନ କମିସନଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ଯେ ଆସନ୍ତା ବର୍ଷ ସେପ୍ଟେମ୍ବର ସୁଦ୍ଧା ଜମ୍ମୁ-କଶ୍ମୀର ବିଧାନସଭା ଲାଗି ନିର୍ବାଚନ କରାଯାଉ। ଜମ୍ମୁ-କଶ୍ମୀରକୁ ଯଥାଶୀଘ୍ର ରାଜ୍ୟ ମାନ୍ୟତା ଫେରାଇବା ଲାଗି ମଧ୍ୟ ସୁପ୍ରିମ କୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ସଂକ୍ଷେପରେ ସୁପ୍ରିମକୋର୍ଟଙ୍କ ରାୟ

ଧାରା ୩୭୦ ଉଚ୍ଛେଦ ପାଇଁ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ସୁପ୍ରିମ୍‌କୋର୍ଟ କାଏମ ରଖି କହିଛନ୍ତି। ଭାରତୀୟ ରାଜ୍ୟ ତୁଳନାରେ ଜମ୍ମୁ-କଶ୍ମୀରର କୌଣସି ସ୍ୱତନ୍ତ୍ର ଆଭ୍ୟନ୍ତରୀଣ ସାର୍ବଭୌମତ୍ୱ ନାହିଁ ବୋଲି କହିଛନ୍ତି। ଜମ୍ମୁ-କଶ୍ମୀରକୁ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ବିଭକ୍ତ କରିବା ପାଇଁ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ବୈଧ। ୨୦୨୪ ସେପ୍ଟେମ୍ବର ୩୦ ସୁଦ୍ଧା ଜମ୍ମୁ-କଶ୍ମୀରରେ ନିର୍ବାଚନ କରାଇବାକୁ ସୁପ୍ରିମ୍‌କୋର୍ଟ ନିର୍ବାଚନ କମିସନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ୨୦୧୮ ଡିସେମ୍ବରରେ ଜମ୍ମୁ-କଶ୍ମୀରରେ ଲାଗୁ ହୋଇଥିବା ରାଷ୍ଟ୍ରପତି ଶାସନର ବୈଧତା ଉପରେ ରାୟ ଦେବାକୁ ସୁପ୍ରିମ୍‌କୋର୍ଟ ମନା କରିଦେଇଥିଲେ। କାରଣ ଏହାକୁ ଆବେଦନକାରୀମାନେ ବିଶେଷ ଭାବେ ଚ୍ୟାଲେଞ୍ଜ କରି ନ ଥିଲେ।  ଧାରା ୩୭୦ ଏକ ଅସ୍ଥାୟୀ ବ୍ୟବସ୍ଥା। ରାଜ୍ୟରେ ଯୁଦ୍ଧ ଭଳି ପରିସ୍ଥିତି ଯୋଗୁଁ ଧାରା ୩୭୦କୁ ଏକ ଅନ୍ତରୀଣ ବ୍ୟବସ୍ଥା ଭାବେ ଲାଗୁ କରାଯାଇଥିଲା।  

ସାତ ଦଶନ୍ଧି ଧରି ଜମ୍ମୁ କଶ୍ମୀରରେ ହିଂସା

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ଡିସେମ୍ବର ୧୧ ତାରିଖରେ ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟ ଧାରା ୩୭୦ ଓ ୩୫(ଏ) ଉଚ୍ଛେଦ ନେଇ ଐତିହାସିକ ରାୟ ଦେଇଛନ୍ତି। ସୁପ୍ରିମ୍‌କୋର୍ଟ ତାଙ୍କ ରାୟ ଜରିଆରେ ଭାରତର ସାର୍ବଭୌମତ୍ୱ ଓ ଅଖଣ୍ଡତାକୁ ବଜାୟ ରଖିଛନ୍ତି, ଯାହାକୁ ପ୍ରତ୍ୟେକ ଭାରତୀୟ ମନେ ରଖିବେ। ସୁପ୍ରିମକୋର୍ଟ ସଠିକ୍ ଭାବେ କହିଛନ୍ତି ଯେ ୨୦୧୯ ଅଗଷ୍ଟ ୫ ତାରିଖରେ ନିଆଯାଇଥିବା ନିଷ୍ପତ୍ତି ସାମ୍ବିଧାନିକ ବିଭାଜନ ନୁହେଁ, ବରଂ ଏକତା ବୃଦ୍ଧି ଉଦ୍ଦେଶ୍ୟରେ କରାଯାଇଥିଲା। ଧାରା ୩୭୦ ସ୍ଥାୟୀ ନୁହେଁ ବୋଲି ମଧ୍ୟ ସ୍ୱୀକାର କରିଛନ୍ତି। ଜମ୍ମୁ, କାଶ୍ମୀର ଓ ଲଦାଖର ହୃଦୟସ୍ପର୍ଶୀ ଦୃଶ୍ୟ, ଶାନ୍ତ ଉପତ୍ୟକା ଏବଂ ବିଶାଳ ପର୍ବତ ପିଢ଼ି ପିଢ଼ି ଧରି କବି, କଳାକାର ଓ ଦୁଃସାହସୀ ବ୍ୟକ୍ତିବିଶେଷଙ୍କ ହୃଦୟକୁ ଆକର୍ଷିତ କରିଛି। ଏହା ଏପରି ଏକ ସ୍ଥାନ ଯେଉଁଠି ଅସାଧାରଣ ଭବ୍ୟତା ଦେଖିବାକୁ ମିଳେ, ହିମାଳୟ ଆକାଶ ଛୁଇଁଥାଏ ଏବଂ ହ୍ରଦ ଓ ନଦୀଗୁଡିକରେ ସ୍ୱର୍ଗର ପ୍ରତିବିମ୍ବ ଦେଖିବାକୁ ମିଳିଥାଏ। କିନ୍ତୁ ଗତ ସାତ ଦଶନ୍ଧି ଧରି ଏହି ସ୍ଥାନରେ ହିଂସା ଓ ଅସ୍ଥିରତା ସବୁଠୁ ଘୃଣ୍ୟ ଦୃଶ୍ୟ ଦେଖିବାକୁ ମିଳିଛି। ସ୍ଥାନୀୟ ଲୋକମାନଙ୍କ ପାଇଁ ଏଭଳି ପରିସ୍ଥିତି ଆଦୌ ଅନୁକୂଳ ନୁହେଁ।

ସଂଶୋଧନ ପର୍ଯ୍ୟନ୍ତ ସମ୍ମାନ ଦେବାର ଥିଲା: ପି ଚଦାମ୍ବରମ୍‌


ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପି ଚିଦମ୍ବରମ୍ କହିଛନ୍ତି, ବିଜେପି ନେତୃତ୍ବାଧୀନ କେନ୍ଦ୍ର ସରକାର ୨୦୧୯ରେ ଯେଉଁଭଳି ଭାବେ ଧାରା ୩୭୦ ଉଚ୍ଛେଦ କଲେ ତା ସହ ତାଙ୍କ ଦଳ ସମ୍ମାନର ସହ ଏକମତ ନୁହେଁ। ଭାରତର ସମ୍ବିଧାନ ଅନସୁାରେ ସଂଶୋଧନ ହେବା ପର୍ଯ୍ୟନ୍ତ ଧାରା ୩୭୦କୁ ସମ୍ମାନ ଦେବାର ଆବଶ୍ୟକ ଥିଲା। ବିଧାନସଭାର ସ୍ବୀକୃତି ବିନା କେନ୍ଦ୍ର ସରକାରଙ୍କ ଧାରା ୩୭୦ ଉଚ୍ଛେଦ ନେଇ ରାଷ୍ଟ୍ରପତିଙ୍କ ଅଧିକାରକୁ ସୁପ୍ରିମକୋର୍ଟ ବୈଧ ଦର୍ଶାଇଛନ୍ତି। ରାଜ୍ୟକୁ ବିଭାଜିତ କରି ୨ଟି କେନ୍ଦ୍ର ଶାସିତ ଅଞ୍ଚଳକୁ ମାନ୍ୟତା ହ୍ରାସ କରିବା ପ୍ରସଙ୍ଗରେ ସୁପ୍ରିମକୋର୍ଟ ନିଷ୍ପତ୍ତି ନନେବାରୁ ଆମେ ନିରାଶ ହୋଇଛେ।  

ଲଢ଼େଇ ଜାରି ରହିବ: କଶ୍ମୀରୀ ନେତା

ଧାରା ୩୭୦ ନେଇ ସୁପ୍ରିମକୋର୍ଟର ରାୟ ପ୍ରକାଶ ପାଇବା ପରେ ଜମ୍ମୁ କାଶ୍ମୀରର ନେତାମାନେ ଲଢ଼େଇ ଜାରି ରହିବ ବୋଲି କହିଛନ୍ତି। କିଛି ନେତା ରାୟକୁ ସ୍ବୀକାର କରିନାହାନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି କହିଛନ୍ତି, ଜମ୍ମୁ-କାଶ୍ମୀରବାସୀ ଆଶା ହରାଇବେ ନାହିଁ କି ହାର ମାନିବେ ନାହିଁ। ସମ୍ମାନ ଓ ମର୍ଯ୍ୟାଦା ପାଇଁ ଆମର ଲଢ଼େଇ ଜାରି ରହିବ। ‘ଆପଣ ଧରିଥିବା ହାତରେ ଆଘାତ ଲାଗିଛି’। ସେହିପରି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଡେମୋକ୍ରାଟିକ୍ ପ୍ରୋଗ୍ରେସିଭ୍ ଆଜାଦ ପାର୍ଟି (ଡିପିଏପି)ର ଅଧ୍ୟକ୍ଷ ଗୁଲାମ ନବୀ ଆଜାଦ ଏହି ରାୟକୁ ଦୁଃଖଦ ଏବଂ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ନ୍ୟାସନାଲ କନଫରେନ୍ସ ନେତା ଓମାର ଅବଦୁଲ୍ଲା ହତାଶା ଭିତରେ ଆଶାର ଭାବନା ପ୍ରକାଶ କରିବା ପାଇଁ କବି ଫୈଜ ଅହମଦ ଫୈଜଙ୍କ ପଂକ୍ତି ଉଦ୍ଧାର କରି କହିଛନ୍ତି, ‘‘ଦିଲ ନା ଉମୀଦ ତୋ ନହି, ନା କାମ ହି ତୋ ହୈ। ଲମ୍ବୀ ହୈ ଗମ୍ କୀ ଶାମ, ମଗର ଶାମ ହି ତୋ ହୈ।।’’ ସେ କହିଛନ୍ତି, ସେ ନିରାଶ ହୋଇଛନ୍ତି କିନ୍ତୁ ହତୋତ୍ସାହ ହୋଇନାହାନ୍ତି। ସଂଘର୍ଷ ଜାରି ରହିବ।  

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments