ଭୁବନେଶ୍ବର: ନିର୍ବାଚନ ରଣନୀତିରେ ସଫଳ ହେବା ପାଇଁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପୁଣି ଥରେ ଦକ୍ଷିଣ ସହିତ ପଶ୍ଚିମ ଓଡ଼ିଶାରେ ଅବତୀର୍ଣ୍ଣ ହୋଇଛନ୍ତି। ୨୦୧୯ରେ ବରଗଡ଼ ଜିଲ୍ଲା ବିଜେପୁର ଆସନରୁ ପ୍ରତିଦ୍ବନ୍ଦ୍ବିତା କରିଥିବା ବେଳେ ନବୀନ ଏଥର ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଆସନକୁ ନିଜର ଦ୍ବିତୀୟ ଆସନ ଭାବେ ବାଛିଛନ୍ତି। ଏହା ଦ୍ବାରା କଣ୍ଟାବାଞ୍ଜି ସମେତ ବଲାଙ୍ଗୀର ଲୋକସଭା କ୍ଷେତ୍ର ଅଧୀନ ଟିଟିଲାଗଡ଼, ପାଟଣାଗଡ଼, ବଲାଙ୍ଗୀର, ଲୋଇସିଂହା, ସୋନପୁର ଓ ବୀରମହାରାଜପୁର ବିଧାନସଭାରେ ରେକର୍ଡ କରିବାକୁ ଯୋଜନା କରିଛନ୍ତି। କେବଳ ଏତିକି ନୁହେଁ ନୂଆପଡ଼ା ଓ କଳାହାଣ୍ଡି ଜିଲ୍ଲା ପଡ଼ୋଶୀ ଥିବାରୁ ସେଠାରେ ମଧ୍ୟ ବିଜେଡି ପ୍ରତି ମତଦାତାଙ୍କୁ ଆକର୍ଷିତ କରିବା ପାଇଁ ବିଜେଡି ଉଦ୍ୟମ କରିଛି। ମୋଟାମୋଟି ଭାବେ କହିବାକୁ ଗଲେ ପଶ୍ଚିମ ଓଡ଼ିଶାର ବିଭିନ୍ନ ସ୍ଥାନରେ ବିଜେଡିକୁ ନେଇ ଦେଖାଯାଇଥିବା ବିବାଦ ଓ ବିରୋଧର ସ୍ବରକୁ ବନ୍ଦ କରିବା ପାଇଁ ନବୀନ କଣ୍ଟାବାଞ୍ଜିରେ ଛିଡ଼ା ହୋଇଛନ୍ତି ବୋଲି ଚର୍ଚ୍ଚା ହେଉଛି।
କିଛି ଦିନ ପୂର୍ବରୁ ଚର୍ଚ୍ଚା ହେଉଥିଲା ଯେ, ନବୀନ ପଟ୍ଟନାୟକ ଏଥର ରେଢ଼ାଖୋଲ ଆସନରୁ ଅବତୀର୍ଣ୍ଣ ହୋଇପାରନ୍ତି। ଏଠାରେ ପ୍ରସନ୍ନ ଆଚାର୍ଯ୍ୟ ଓ ରୋହିତ ପୂଜାରୀଙ୍କ ମଧ୍ୟରେ କାହାକୁ ଦଳୀୟ ଟିକେଟ ମିଳିବ, ସେନେଇ ଦ୍ବନ୍ଦ୍ବ ଦେଖାଯାଇଥିଲା। ଚତୁର୍ଥ ଦଫାରେ ଟିକେଟ ଘୋଷଣା ବେଳେ ରୋହିତଙ୍କୁ ପୁଣି ଥରେ ରେଢ଼ାଖୋଲ ଓ ପ୍ରସନ୍ନଙ୍କୁ ସମ୍ବଲପୁର ପାଇଁ ଟିକେଟ ମିଳିଥିଲା। କିନ୍ତୁ ଉଭୟ ନେତା ସନ୍ତୁଷ୍ଟ ନଥିଲେ। ପ୍ରସନ୍ନ ରେଢ଼ାଖୋଲ ଓ ରୋହିତ ସମ୍ବଲପୁର ଟିକେଟ ଚାହୁଁଥିଲେ। ପଞ୍ଚମ ପର୍ଯ୍ୟାୟ ଟିକେଟ ଘୋଷଣା ବେଳେ ଉଭୟ ରୋହିତ ଓ ପ୍ରସନ୍ନଙ୍କୁ ଦଳ ଖୁସି କରିଛି। ଆହୁରି ମଧ୍ୟ ଚର୍ଚ୍ଚା ହେଉଥିଲା ଯେ, କଳାହାଣ୍ଡି ଜିଲ୍ଲା ନର୍ଲାରେ ନବୀନ ପଟ୍ଟନାୟକ ଏଥର ବିଧାୟକ ପ୍ରାର୍ଥୀ ହେବେ। ଶେଷରେ ନର୍ଲାରେ ଚାଲିଥିବା ଗୋଷ୍ଠୀ କନ୍ଦଳର ସମାଧାନ ହୋଇଥିଲା। ମନୋରମା ମହାନ୍ତିଙ୍କୁ ଦଳ ଟିକେଟ୍ ଦେଇଛି।
ପ୍ରସଙ୍ଗ କ୍ରମେ କଣ୍ଟାବାଞ୍ଜି ଆସନରେ ନବୀନ ଯଦି ବିଜୟୀ ହୁଅନ୍ତି, ତା’ହେଲେ ଆଗାମୀ ୫ ବର୍ଷ ଯାଏଁ ସେ ଏଠାରୁ ବିଧାୟକ ହେବେ କି? ସେ ସେହି ଗ୍ୟାରେଣ୍ଟି ମତଦାତାଙ୍କୁ ଦେଇପାରିବେ କି? କଣ୍ଟାବାଞ୍ଜିରେ ସେ ଏକ ଘର କରି ରହି ପାରିବେ କି? ଯେଉଁଠାରେ ସ୍ଥାନୀୟ ଜନତାଙ୍କର ସମସ୍ୟାର ସମାଧାନ କରିପାରିବେ। ବର୍ତ୍ତମାନର କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ଭଳି ଅସହାୟ ଲୋକଙ୍କ ପାଖରେ ଛିଡ଼ା ହୋଇପାରିବେ। ନାଁ ବିଜେପୁର ଭଳି କରିବେ। ୨୦୧୯ ମସିହା ନିର୍ବାଚନରେ ବିଜେପୁରରୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହୋଇ ଲକ୍ଷାଧିକ ଭୋଟ୍ରେ ବିଜୟୀ ହୋଇଥିଲେ। ସେହିବର୍ଷ ବିଜେଡି ବରଗଡ଼ର ସବୁ ୫ଟି ବିଧାନସଭା ଆସନ ଦଖଲ କରିଥିଲା। ସ୍ଥାନୀୟ ଜନତା ଭାବିଥିଲେ ଯେ, ବିଜେପୁରରେ ନବୀନ ବିଧାୟକ ହେବା ଦ୍ବାରା ଲୋକଙ୍କର ଆଉ ଅସୁବିଧା କିଛି ରହିବ ନାହିଁ। କିନ୍ତୁ ଫଳ ସେମିତି ହେଲା ନାହିଁ। ବରଂ ନବୀନ ପରବର୍ତ୍ତୀ ସମୟରେ ବିଜେପୁରରୁ ଇସ୍ତଫା ଦେଇଥିଲେ। ତା’ ପରଠାରୁ ନବୀନଙ୍କ ଆଉ ଦେଖାନାହିଁ।
ନବୀନ କଣ୍ଟାବାଞ୍ଜି ଯିବା ପଛରେ କାରଣ କ’ଣ?
ନବୀନ ପଟ୍ଟନାୟକ ଏଥର କଣ୍ଟାବାଞ୍ଜିକୁ ଯିବା ପଛରେ ଅନେକ କାରଣ ଓ ଉଦ୍ଦେଶ୍ୟ ରହିଛି। ରାଜନୈତିକ ବିଶେଷଜ୍ଞଙ୍କ କହିବା ଅନୁସାରେ ନବୀନ କେବଳ କଣ୍ଟାବାଞ୍ଜି କି ବଲାଙ୍ଗୀର କାହିଁକି, ସମଗ୍ର ପଶ୍ଚିମ ଓଡ଼ିଶାରେ ଏହାର ପ୍ରଭାବ ପକାଇବାକୁ ଲକ୍ଷ୍ୟ ରଖିଛନ୍ତି। ଏମିତିରେ ବି କଣ୍ଟାବାଞ୍ଜିରେ ବିଜେଡି କାହାକୁ ପ୍ରାର୍ଥୀ କରାଇବ ସେ ନେଇ ଅଡ଼ୁଆ ଦେଖାଯାଇଥିଲା। ପୂର୍ବତନ ବିଧାୟକ ଆୟୁବ ଖାନ୍, ତାଙ୍କ ପୁଅ ଅମ୍ଜାଦ୍, ନିରୁପମା ମାଝୀ ଟିକେଟ୍ ଦୌଡ଼ରେ ଥିଲେ। କିଛିଦିନ ହେଲା କଂଗ୍ରେସ ଟିକେଟ ପାଇଥିବା ବିଧାୟକ ସନ୍ତୋଷ ସିଂହ ସାଲୁଜା ମଧ୍ୟ ବିଜେଡିରେ ମିଶି ଟିକେଟ ହାତେଇବେ ବୋଲି ଚର୍ଚ୍ଚା ଚାଲିଥିଲା। ଅନ୍ୟପଟରେ ବର୍ତ୍ତମାନର ବିଜେପି ପ୍ରାର୍ଥୀ ଲକ୍ଷ୍ମଣ ବାଗ ମଧ୍ୟ ବହୁତ ମଜବୁତ ଅଛନ୍ତି। ତେଣୁ ବିଭିନ୍ନ ଦୃଷ୍ଟିକୋଣକୁ ଦୃଷ୍ଟିରେ ରଖି ନବୀନ କଣ୍ଟାବାଞ୍ଜିକୁ ଚୟନ କରିଥାଇପାରନ୍ତି।
ନବୀନଙ୍କୁ ଗ୍ରହଣ କରିବେ କି କଣ୍ଟାବାଞ୍ଜିବାସୀ?
ଶିକ୍ଷା, ସ୍ବାସ୍ଥ୍ୟ ଓ ଗମନାଗମନ କ୍ଷେତ୍ରରେ ବଲାଙ୍ଗୀର ଜିଲ୍ଲାର କଣ୍ଟାବାଞ୍ଜି ବହୁତ ପଛରେ। ରାଜ୍ୟ ସରକାର ବିକାଶର ଡେଙ୍ଗୁରା ବଜାଉଥିବା ବେଳେ କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀର ଉପାନ୍ତ ଅଞ୍ଜଳକୁ ଯାଇ ଦେଖିଲେ ବିକାଶର ନଗ୍ନ ଚିତ୍ର ଜଣାପଡ଼ିଥିାଏ। ହଜାର ହଜାର ପିଲା ଶିକ୍ଷାରୁ ବଞ୍ଚିତ ହୋଇ ପିତାମାତାଙ୍କ ସହିତ ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାର ଇଟାଭାଟିରେ ବନ୍ଧା ପଡ଼ିଛନ୍ତି। ୪୦ ଡିଗ୍ରି ତାପମାତ୍ରାରେ ନାବାଳକ/ନାବାଳିକାମାନେ ଖରାରେ ଇଟା ସୁଖାଉଛନ୍ତି। କୃଷି ଓ ଶିଳ୍ପ ଅଭାବରୁ ହଜାର ହଜାର ଯୁବକ ଯୁବତୀ ଦାଦନ ଖଟିବାକୁ ଯାଉଛନ୍ତି। ଅତୀତରେ କଣ୍ଟାବାଞ୍ଜିର ଅନେକ ଯୁବକଙ୍କ ମୃତଦେହ ପଡ଼ୋଶୀ ରାଜ୍ୟରୁ ଆସିଥିବା ଗଣମାଧ୍ୟମରେ ଖବର ପ୍ରକାଶିତ ହୋଇଛି। ଗମାନଗମନ କଥା ଯଦି କହିବା, ତାହା ଅତି ଦୟନୀୟ। ଜରୁରୀକାଳୀନ ସମୟରେ ଅନେକ ଗାଁକୁ ଆମ୍ବୁଲାନ୍ସ ଯାଇପାରେ ନାହିଁ। ୨୪ ବର୍ଷ ସ୍ଥାୟୀ ଶାସନରେ ନବୀନ ବିକାଶ କରିପାରିଲେ ନାହିଁ। ଏଥର କଣ୍ଟାବାଞ୍ଜିରୁ ପ୍ରାର୍ଥୀ ହୋଇ ବିକାଶ କରିବା ଧୂଆଁ ବାଣ ଭଳି ଲାଗୁଛି।
ପଶ୍ଚିମ ଓଡ଼ିଶାକୁ କେତେ ଭଲ ପାଆନ୍ତି ନବୀନ?
ପଶ୍ଚିମ ଓଡିଶାବାସୀଙ୍କୁ ନବୀନ ପଟ୍ଟନାୟକ ବାରମ୍ବାର ଧୋକା ଦେଇଛନ୍ତି ବୋଲି ବିରୋଧୀମାନେ କହୁଛନ୍ତି। ହାଇକୋର୍ଟ ସ୍ବତନ୍ତ୍ର ଶାଖା ଠାରୁ ଆରମ୍ଭ କରି ନୂତନ ଜିଲ୍ଲା ଘୋଷଣା, କଟନୀ ଛଟନୀ ଓ ଧାନର ଅଭାବୀ ବିକ୍ରୀ, ଧାନ କୁଇଣ୍ଟାଲ ପ୍ରତି ୧୦୦ଟଙ୍କା ବୋନସ, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବାସଗୃହ ଆବଂଟନ, ବରଗଡଠାରେ ସିମେଂଟ ଓ ଚିନି କାରଖାନା ବନ୍ଦ ହେବା ଆଦି ପ୍ରସଙ୍ଗ ପାଇଁ ମୁଖ୍ୟମନ୍ତ୍ରୀ ଏବଂ ଶାସକ ବିଜେଡି ସଂପୂର୍ଣ୍ଣ ଦାୟୀ। ବିଜେପୁରବାସୀ ବିଧାୟକ ଭାବେ ମଧ୍ୟ ନିର୍ବାଚିତ କରାଇ ନବୀନଙ୍କୁ ବିଧାନସଭା ପଠାଇଥିଲେ। କିନ୍ତୁ ସେ ନିର୍ବାଚନ ଫଳାଫଳ ପରେ ସେହି ଆସନକୁ ଛାଡିଦେଇଥିଲେ। ଏକାଧିକ ସ୍ଥାନରୁ ପ୍ରାର୍ଥୀ ହେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ବାବୁଙ୍କର ସ୍ୱାଧୀନତା ରହିଛି। କିନ୍ତୁ ଭୋଟ ପାଇ ନିର୍ବାଚିତ ହେବା ପରେ ନବୀନ ବାବୁ ସେ ଆସନକୁ ପରିତ୍ୟାଗ କରିଛନ୍ତି। ହିଂଜିଳିବାସୀଙ୍କୁ ମଧ୍ୟ ପ୍ରତାରଣା କରିଥିବା ମୁଖ୍ୟମନ୍ତ୍ରୀ ନବୀନ ବାବୁ ବାସ୍ତବରେ ଆତ୍ମବିଶ୍ୱାସ ହରାଇଛନ୍ତି। ଗୋଟିଏ ଆସନରୁ ଲଢି ନିଜ ଲୋକପ୍ରିୟତାକୁ ସ୍ପଷ୍ଟ କରୁନାହାନ୍ତି କାହିଁକି? ନିଜ ଲୋକପ୍ରିୟତା ହ୍ରାସ ପାଉଥିବାର ଦେଖି ମୁଖ୍ୟମନ୍ତ୍ରୀ ନବୀନ ବାବୁ ଅନ୍ୟ ସ୍ଥାନର ଆଶ୍ରୟ ନେଇଛନ୍ତି। ବିଜେପୁର ସମେତ ବାଲେଶ୍ୱର, ପିପିଲି, ଧାମନଗର, ପଦ୍ମପୁର ଉପନିର୍ବାଚନରେ ‘ମୁଁ ଦାୟୀତ୍ୱ’ନେଉଛି କହି ପରବର୍ତ୍ତୀ ସମୟରେ କେବଳ ଧୋକା ଦେଇଛନ୍ତି।